ଲେଖା: ଅମ୍ବିକା ପଟ୍ଟନାୟକ
~ ପ୍ୟାରୀମୋହନ ଆଚାର୍ଯ୍ୟ ~
“ରଥେ, ଯେଉଁ କାର୍ଯ୍ୟରେ ପ୍ରବୃତ୍ତ ହୋଇଅଛ, ସେଥିରେ ସାବଧାନ ପୂର୍ବକ କାର୍ଯ୍ୟ କରିବ l ସାକ୍ଷୀମାନେ ଯେମନ୍ତ ଯଥାର୍ଥ ବର୍ଣ୍ଣନା କରନ୍ତି, ସେଥିପ୍ରତି ଚେଷ୍ଟାର ତ୍ରୁଟି କରିବ ନାହିଁ l ସାକ୍ଷୀମାନେ ସତ କହିବେ କି ନାହିଁ ବଡ଼ ସନ୍ଦେହର ବିଷୟ l କମିଶନର ସାହେବଯେ କିଛିକାଳ ସକାଶେ ସ୍ଥାନାନ୍ତରିତ କରିବାକୁ ଅସ୍ୱୀକୃତ ହୋଇ ଅଛନ୍ତି, ଏହା ଶୁଣି ମୁଁ ଟିକିଏ ଶଙ୍କିତ ହୋଇଅଛି l ସାବଧାନ ! ସାବଧାନ ! “ଯତୋଧର୍ମସ୍ତତୋ ଜୟଃ”, ଏକଥା ସ୍ଥିର ଜାଣି ଯଥାସାଧ୍ୟ ଚେଷ୍ଟା କର l ଭଗବାନ ଯାହା କରିବେ l ବଙ୍ଗୀୟ ଓ ଉତ୍କଳୀୟ ସମସ୍ତ ସମ୍ବାଦପତ୍ରକୁ ଏ ସମ୍ବାଦ ପଠାଅ l ମିରର ଓ କଲିକତାର Statesman ଏହି ଦୁଇ ପତ୍ରକୁ ଟେଲିଗ୍ରାମ ଦ୍ଵାରା ସମ୍ବାଦ ଦିଅ ଯେ ବାଙ୍କୀ ଡେପୁଟି ମେଜେଷ୍ଟର ଏପରି ଅତ୍ୟାଚାର କରୁଥିବାର କେତେକ ବାଙ୍କୀ ବାସୀମାନେ କମିଶନର ସାହେବଙ୍କ ଠାରେ ଦରଖାସ୍ତ କରି ଅଛନ୍ତି l ଦରଖାସ୍ତକାରୀମାନେ ସ୍ଥାନାନ୍ତରିତ କରି ମକଦ୍ଦମା ବିଚାର କରିବାକୁ ପ୍ରାର୍ଥନା କରନ୍ତି, ମାତ୍ର କମିଶନର ତାହା ନ କରି ଗୁହା ତଲବ କରି ଅଛନ୍ତି l ଇତ୍ୟାଦି l ଏହିପରି ମଧୁ ପ୍ରଭୃତିଙ୍କୁ ବିଚାରି ଓ ସାବଧାନ ହୋଇ ତାର ଡାକରେ ଖବର ଦିଅ l ସନ୍ଧ୍ୟା ଉତ୍ତାରୁ ଖବର ଦେଲେ ଟଙ୍କାକେ ୩୬ କଥା ଯିବ l ସମସ୍ତ ସମ୍ବାଦ ଲେଖିବ l”
୨୦. ୦୮.୧୮୮୦
ତୁମ୍ଭର ପ୍ୟାରୀମୋହନ
(ରଥେ – ଶ୍ରୀଯୁକ୍ତ ଗୋବିନ୍ଦ ରଥ, ମଧୁ – ଭକ୍ତକବି ମଧୁସୂଦନ ରାଓ )
ଆଜି ୨୦୧୧ରେ ମଧ୍ୟ ଯଦି ଅଧିକାଂଶ ଲୋକ କଲେକଟରଙ୍କୁ ଭୟ କରନ୍ତି, କିଏ ଏହି ପ୍ୟାରୀମୋହନ ଆଚାର୍ଯ୍ୟ, ଯିଏ ପ୍ରବଳ ପ୍ରତାପୀ ଇଂରେଜ ଅଧିକାରୀ ବିରୁଦ୍ଧରେ ଏପରି ନିର୍ଭୀକ ଦୁଃସାହସିକ ଆଚରଣ କରିଥିଲେ !
କିଏ ଆଜନ୍ମ ସତ୍ୟସନ୍ଧ, ପରୋପକାରୀ, ସ୍ପଷ୍ଟବାଦୀ, ଯିଏ ଛାତ୍ରାବସ୍ଥାରେ କନିଷ୍ଠମାନଙ୍କୁ ବିଦ୍ୟାଶିକ୍ଷା ଦେଉଥିଲେ !
କିଏ ୧୮୭୧ ରେ ମାତ୍ର ଉଣେଇଶ ବର୍ଷରେ ଚାନ୍ଦା ଭେଦା କରି “ଉତ୍କଳପୁତ୍ର” ନାମରେ ପତ୍ରିକା ପ୍ରକାଶ କରୁଥିଲେ !
କିଏ ଆବର୍ଜନାମୟ କଟକ ସହର ସଫା କରିବା ପାଇଁ “ଦରଖାସ୍ତ ଜୁତିଆନ” ପରି ଶାଣିତ ପତ୍ର ଲେଖି ତତ୍କାଳୀନ କଲେକ୍ଟର ଇରଭିଂଙ୍କ ରୋଷଦୃଷ୍ଟିରେ ପଡ଼ି ବିଦ୍ୟାଳୟରୁ ବହିଷ୍କୃତ ହୋଇଥିଲେ ସିନା କ୍ଷମାଭିକ୍ଷା କରି ନଥିଲେ !
କପର୍ଦକ ଶୂନ୍ୟ ଅବସ୍ଥାରେ ଇଂରେଜ ଯଥେଚ୍ଛାଚାର ବିରୁଦ୍ଧରେ ଏକ ନୂତନ ବିଦ୍ୟାଳୟର ସ୍ବପ୍ନ ଦେଖି “ସଂକଳ୍ପରୁ ସିଦ୍ଧି” ସାକାର କରିଥିଲେ l ସେଇ ସିଦ୍ଧି ଆଜିର ପ୍ରଖ୍ୟାତ ପ୍ୟାରୀମୋହନ ଏକାଡେମୀ (P. M. Academy), କଟକ !
“ଦାନରେ ହରିଶ୍ଚନ୍ଦ୍ର ଓ ଯାଚନାରେ ବିଶ୍ଵାମିତ୍ର” ସେ ପ୍ରଣମ୍ୟ ଅକୃପଣ ଭାବେ ଦାନ କରୁଥିଲେ ଓ ନିର୍ବିକାର ଭାବେ ଯାହା ମିଳୁଥିଲା ବିଦ୍ୟାଳୟର ଉନ୍ନତି କଳ୍ପେ ଖର୍ଚ୍ଚ କରୁଥିଲେ l ସ୍ୱାଧୀନଚେତା ଏଇ ମହାମାନଵ ନିଜ ଅନୁଷ୍ଠାନ ପାଇଁ କମିଶନର ଅଫିସ, ଡମପଡା ଗଡ଼ଜାତରେ କାମ କରିଥିଲେ l
ଜଗନ୍ନାଥ ସଡ଼କରେ ବିସୂଚିକା ଆକ୍ରାନ୍ତ ତୀର୍ଥଯାତ୍ରୀଙ୍କ ସେବା ଶୁଶ୍ରୁଷା ନିମିତ୍ତ ସାଗୁ ଓ ଔଷଧପତ୍ର ନେଇ ଦୌଡି ଯାଉଥିଲେ l
ଓଡ଼ିଆ ଭାଷାରେ ପ୍ରଥମଥର ପାଇଁ “ଓଡ଼ିଶାର ଇତିହାସ” ୧୮୭୯ ମସିହାରେ ଲେଖି ତିନିଶହ ଟଙ୍କା ପୁରସ୍କାର ପାଇ ଥିଲେ ଏବଂ ତାହା ବିଦ୍ୟାଳୟ ପାଠ୍ୟ ପୁସ୍ତକ ଭାବେ ଅନ୍ତର୍ଭୁକ୍ତ ହୋଇଥିଲା l ଦୁର୍ଭାଗ୍ୟବଶତଃ ଜନୈକ କାଳୀପଦ ବନ୍ଦୋପାଧ୍ୟାୟ ଓ “ଉତ୍କଳ ହିତୈଷୀଣୀ” ପତ୍ରିକାର ତୀବ୍ର ପ୍ରତିବାଦ ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରୁ ବାଦ ଗଲା l
(ସ୍ମରଣଯୋଗ୍ୟଯେ ଏ ଘଟଣାର ଶହେ ବର୍ଷ ପରେ ମଧ୍ୟ ଓଡିଶାରେ ଏମିତି ଏକ ଘଟଣା ହୋଇ ଥିଲା ଡ. ମାୟାଧର ମାନସିଂହଙ୍କ ଇଂରାଜୀ “History of Odia literature” ପ୍ରତିବାଦରେ ଓଡ଼ିଆରେ “ରେପ ଅଫ ଓଡ଼ିଆ ଲିଟରେଚର” ବାହାରି ଥିଲା l)
ସେଇ କ୍ଷଣଜନ୍ମା ଯୋଗଜନ୍ମା ଉତ୍କଳମାତାଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀଯୁକ୍ତ ପ୍ୟାରୀମୋହନ ଆଚାର୍ଯ୍ୟ l ୧୮୫୧/୫୨ ଶ୍ରାବଣ ମାସରେ ସାଲେପୁର ନିକଟସ୍ଥ ପଶାଲୁଣ୍ଡିରେ ଆବିର୍ଭାବ ଓ ୧୮୮୧ ଡିସେମ୍ବର ୨୮ ତାରିଖରେ ତିରୋଭାବ l ମାତ୍ର ତିରିଶି ବର୍ଷର ସଂକ୍ଷିପ୍ତ ଅଥଚ ଘଟଣାବହୁଳ ଜୀବନ l
କୃତଜ୍ଞତା: ଓଡିଶାର ଇତିହାସ, ଶ୍ରୀ ପ୍ୟାରୀମୋହନ; ଆଚାର୍ଯ୍ୟ ପ୍ୟାରୀମୋହନ, ଶ୍ରୀ ଭାଗବତ ପ୍ରସାଦ ମହାନ୍ତି; Odiabibhaba
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago