ଲେଖା: ନିରଞ୍ଜନ ସାହୁ
୧୯୧୨ ମସିହାର କଥା । ଗୋଟିଏ ଓଡ଼ିଆ ପିଲା କଲିକତା ବିଶ୍ୱବିଦ୍ୟାଳୟରେ ସମସ୍ତ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ସଂସ୍କୃତ ଭାଷାରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଓ ବଙ୍ଗଳାର ଶିକ୍ଷିତ ମହଲରେ ଚହଳ ସୃଷ୍ଟି କରିଦେଲେ । ତାହାର କାରଣ ଓଡ଼ିଶାରେ ଶିକ୍ଷିତ ସଂଖ୍ୟା କମ ଏବଂ ବଙ୍ଗଳାର ସାଧାରଣ ଲୋକଙ୍କ ମଧ୍ୟରେ ବିସ୍ମୟ !
ସେହି ଓଡ଼ିଆ ଯୁବକଙ୍କ କୃତ୍ତିତ୍ଵରେ ଆନନ୍ଦିତ ହୋଇ କୁଳବୃଦ୍ଧ ମଧୁସୂଦନ ସେହି ଯୁବକଙ୍କୁ କଟକ ସ୍ଥିତ ବାର୍ ଲାଇବ୍ରେରୀକୁ ଡକାଇ ପ୍ରଶ୍ନ କରିଥିଲେ — “ତୁମେ କାଳିନ୍ଦୀ ପରିଜାଙ୍କର କ’ଣ ହୁଅ କି ? ତାଙ୍କର ଭଲଗୁଣ ଓ ଖରାପ ଗୁଣ ଭିତରୁ କେଉଁଟି ତୁମର ଅଛି ?” ଛାତ୍ର ଜଣକ ବିନୀତ ଭାବେ ଉତ୍ତର ଦେଲେ –” ମୁଁ ସେହି ଏକା ବଂଶର ଲୋକ ହେଲେ ମଧ୍ୟ, ତାଙ୍କର କୌଣସି ନିକଟ ସମ୍ପର୍କୀୟ ନୁହେଁ ।”
ଏହି କାଳିନ୍ଦୀ ପରିଜା ସେ ସମୟରେ ଜଣେ ସ୍ଵାଧୀନଚେତା ପରାକ୍ରମଶାଳୀ ଜମିଦାର ଜଗତସିଂହପୁର ଅଞ୍ଚଳରେ। ସମ୍ପୂର୍ଣ ଇଂରେଜ ବିରୋଧୀ ମାତ୍ର ପ୍ରଜାନୁରଞ୍ଜକ । ସେ ଶୁଦ୍ରମୁନୀ ସାରଳା ଦାସ (ସିଦ୍ଧେଶ୍ୱର ପରିଜା)ଙ୍କ ବଂଶଧର । ତେନ୍ତୁଳିପଦା ଗ୍ରାମର ସିଦ୍ଧେଶ୍ବର ପରିଜାଙ୍କ ବଂଶଧର କାଳକ୍ରମେ ଦୁଇ ଭାଗରେ ବିଭକ୍ତ ହୋଇ ଜଗତସିଂହପୁର ନିକଟସ୍ଥ ଖେରସ ଗ୍ରାମ ଓ ବାଲିକୁଦା ନିକଟବର୍ତ୍ତୀ ଖମ୍ବାକୁଳ ଗ୍ରାମରେ ବସବାସ କରିବାକୁ ଲାଗିଲେ । ଏହି ଖେରସ ଗ୍ରାମର ପରିଜା ବଂଶଧର ନିଜର ବୃତ୍ତି ଓ ବୈଷ୍ଣବ ଧର୍ମର ପ୍ରାଚୀନ ପ୍ରଥା ଅନୁସାରେ ସେମାନଙ୍କ ସାଙ୍ଗିଆ ‘ପରିଜା’ରୁ, ‘ଚୌଧୁରୀ’ ଓ ‘ମହାପାତ୍ର’ ପ୍ରଭୃତିକୁ ପରିବର୍ତ୍ତିତ ହୋଇଥିଲା । କିନ୍ତୁ ବଂଶ ପରମ୍ପରା ଓ ଚଳଣି ପୂର୍ବବତ୍ ବଜାୟ ରହିଥିଲା ।
ଖେରସ ଗ୍ରାମର ଏହି ମହାନ ପରିଜା ବଂଶର ଉତ୍ତରଦାୟାଦ ମାନେ ହେଲେ ଉତ୍କଳର ମହାନ ବ୍ୟକ୍ତିବିଶେଷ ଶ୍ରୀ ଗୋପବନ୍ଧୁ ଚୌଧୁରୀ ଓ ଶ୍ରୀ ନବକୃଷ୍ଣ ଚୌଧୁରୀ । ଖମ୍ବାକୁଳ ଗ୍ରାମରୁ କାଳକ୍ରମେ ଗୋଟିଏ ଅଂଶ ଉଠିଯାଇ ଅଳକା ନଦୀର ଅପରପାର୍ଶ୍ବରେ ଥିବା ବରଗଡ଼ ଗ୍ରାମରେ ବସତି ସ୍ଥାପନ କରିଥିଲେ । ଏହାର ମୁଖ୍ୟ ଥିଲେ ଶ୍ରୀ ବିଶ୍ଵନାଥ ପରିଜା ।
ଏହି ବିଶ୍ଵନାଥ ପରିଜାଙ୍କ ସୁପୁତ୍ର ସେଦିନ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ଉତ୍କଳ ଓ ବଙ୍ଗଳାକୁ ଚମତ୍କୃତ କରିଦେଇଥିଲେ। ୧୮୯୧ ମସିହାର ଅପ୍ରେଲ ମାସ ଏକ ତାରିଖରେ ଜନ୍ମିତ ଏହି ସୁପୁତ୍ର ପରବର୍ତ୍ତୀ କାଳରେ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରି ସମଗ୍ର ଉତ୍କଳ ଖଣ୍ଡରେ ‘ଶିକ୍ଷାଗୁରୁ’ ଭାବେ ବିଦିତ । ସେହି ସ୍ଵନାମଧ୍ୟାୟୀ, ସୁପୁତ୍ର, ଯଶୋଦେହୀ ହେଉଛନ୍ତି ବୈଜ୍ଞାନିକ ଡଃ ପ୍ରାଣକୃଷ୍ଣ ପରିଜା । ସମଗ୍ର ଦେଶରେ ପରିଜା ସାହେବ ନାମରେ ଖ୍ୟାତ ।
ନିଜ ଘରେ ଜଣେ ମାଟିବଂଶ ଅବଧାନଙ୍କୁ ନିଯୁକ୍ତି ଦେଇ ପିତା ବିଶ୍ଵନାଥ, ପୁଅର ପାଠପଢ଼ା ଆରମ୍ଭ କରେଇଲେ । ଗୋବର ଲିପା ଭୂଇଁରେ କୋଚିଲା ଖଡ଼ି ମୁଣ୍ଡା ଧରି ପାଠ ଅନୁକୂଳ କଲେ ପ୍ରାଣକୃଷ୍ଣ । ଚାଟଶାଳୀ ପାଠ ଶେଷ କରିବା ପରେ ପାରିବାରିକ ଆର୍ଥିକ ସ୍ଥିତି ତାଙ୍କୁ ଆଉ ସୁଯୋଗ ଦେଲା ନାହିଁ ହଠାତ୍ ଉଚ୍ଚ ଶିକ୍ଷା ପାଇଁ । ଏକ ବର୍ଷ ଚାକିରୀ କଲେ। ତାପରେ ବାଲିକୁଦା ବିଦ୍ୟାଳୟରେ ନାମ ଲେଖା । ମାଇନର ପରୀକ୍ଷାରେ ଓଡ଼ିଶାରେ ପ୍ରଥମ ହୋଇ ବୃତ୍ତି ଲାଭ ଓ ରେଭେନ୍ସା କଲିଜିଏଟରେ ପାଠପଢ଼ା।
ପ୍ରଧାନ ଶିକ୍ଷକ ଭାବରେ ଥାଆନ୍ତି ମୋହିନୀମୋହନ ଚୌଧୁରୀ । ତାଙ୍କର ଆଦର୍ଶ ଚରିତ୍ର ଓ କର୍ତ୍ତବ୍ୟ ନିଷ୍ଠା ପ୍ରଭାବିତ କଲା ପ୍ରାଣକୃଷ୍ଣଙ୍କୁ । ହାଇସ୍କୁଲ ପରୀକ୍ଷାରେ ଓଡ଼ିଶାରୁ ପ୍ରଥମ ହୋଇ ରେଭେନ୍ସା କଲେଜରେ ISc ଶ୍ରେଣୀରେ ପଦାର୍ପଣ କଲେ। ପରୀକ୍ଷାରେ ଓଡ଼ିଶାରେ ପ୍ରଥମ ହେଲେ । ବୃତ୍ତି ପାଇ କଲିକତାର ପ୍ରଖ୍ୟାତ ଶିକ୍ଷାନୁଷ୍ଠାନ ପ୍ରେସିଡେନ୍ସି କଲେଜରେ ନାମ ଲେଖାଇଲେ । କଲେଜରେ ତାଙ୍କର ପରିଧାନ ଥିଲା ଧୋତି ଓ ଚାଦର ଏବଂ ତା’ ସହ ଫୁଙ୍ଗୁଳା ପାଦ । ଛାତ୍ର ମହଲରେ ହାସ୍ୟାସ୍ପଦ, କିନ୍ତୁ ଅଧ୍ୟାପକ ମହଲରେ ବିଶେଷ ଆଦୃତ । ଗଣିତ ଅଧ୍ୟାପକ ବଙ୍କିମଚନ୍ଦ୍ର ମୁଖାର୍ଜୀ ଏବଂ ରସାୟନ ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟଙ୍କର ସବୁଠାରୁ ସ୍ନେହର ପାତ୍ର କ୍ରମେ ଉଦ୍ଭିଦ ବିଜ୍ଞାନବିତ୍ ସାର୍ ଜଗଦୀଶ ଚନ୍ଦ୍ର ବୋଷ, ରସାୟନବିତ୍ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ସଂସ୍ପର୍ଶରେ ଆସି ଜୀବନର ଆଉ ଏକ ମୋଡ଼ରେ ପ୍ରବେଶ କଲେ ପ୍ରାଣକୃଷ୍ଣ ।
ବ୍ରିଟିଶ ସରକାର ମନୋନୀତ କଲେ ପ୍ରାଣକୃଷ୍ଣଙ୍କୁ ଉଚ୍ଚ ଶିକ୍ଷା ପାଇଁ ବିଦେଶ ପଠାଇବାକୁ, ପୁଣି ବିଶ୍ଵବିଖ୍ୟାତ କେମ୍ବ୍ରିଜ ବିଶ୍ବବିଦ୍ୟାଳୟକୁ । ଐତିହ୍ୟ ସମ୍ପନ୍ନ ଏହି ପୁଣ୍ୟପୀଠରେ ତାଙ୍କର ଜୀବନ ଆହୁରି ମହତ୍ତର ହୋଇଗଲା । ଏହି ଠାରେ ସେ ପାଇଲେ ପୃଥିବୀ ବିଖ୍ୟାତ ଦୁଇ ବୈଜ୍ଞାନିକ Seward ଓ Blackman ତାଙ୍କର ଅଧ୍ୟାପକ ଭାବରେ। ସେହି ବୈଜ୍ଞାନିକଦ୍ବୟଙ୍କ ନିର୍ଦ୍ଦେଶନାରେ ଅଧ୍ୟୟନ କରିବା ଫଳରେ ୧୯୧୬ ମସିହାରେ ସେହି ବିଶ୍ଵବିଦ୍ୟାଳୟରୁ Natural Science ରେ ଟ୍ରାଇ ପାସ୍ ପାର୍ଟ ୧ ଓ ଏହାର ଦୁଇ ବର୍ଷ ପରେ ଟ୍ରାଇ ପାସ୍ ପାର୍ଟ ୨ ଲାଭ କଲେ । ଏହି ଯୋଗ୍ୟତା ଫଳରେ ପ୍ରାଣକୃଷ୍ଣ ପରିଜା Frank Smart ପୁରସ୍କାର ପାଇଥିଲେ ଏବଂ ତାଙ୍କୁ Scholar of Christ Church College, Cambridge ରୂପେ ନିର୍ବାଚିତ କରାଯାଇଥିଲା। ଏହାପରେ ଉପାଧ୍ୟୁତର ଗବେଷଣା ପାଇଁ Frank Smart Fellowship ଲାଭ କଲେ, ଯାହା ଏ ଯାବତ କୌଣସି ଭାରତୀୟ ଛାତ୍ର ଏ ଗୁଣର ଅଧିକାରୀ ହୋଇପାରିନାହାନ୍ତି ।
ଏହି କେମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟରେ ପ୍ରଫେସର Blackmanଙ୍କ ଅଧୀନରେ ପ୍ରାଣକୃଷ୍ଣ ପରିଜା ଚେରିଲ୍ ପତ୍ର ଉପରେ ଗବେଷଣା ଚଳାଇ ଉଦ୍ଭିଦର ଶ୍ଵାସପ୍ରଶ୍ଵାସ ପ୍ରକ୍ରିୟା ସମ୍ପର୍କୀୟ ଏକ କ୍ଲାସିକାଲ ତତ୍ତ୍ଵ ବାହାର କଲେ, ଯାହା ‘ପରିଜା ଓ ବ୍ଲାକମ୍ୟାନ’ ତତ୍ତ୍ଵ ନାମରେ ପୃଥିବୀ ବିଖ୍ୟାତ । ବ୍ରିଟିଶ ସରକାର ଏହି ତତ୍ତ୍ଵକୁ ସମ୍ମାନ ଦେଇ ତାଙ୍କୁ ଅଧିକ ଗବେଷଣା କରିବା ନିମିତ୍ତ ନିଯୁକ୍ତି ଦେଲେ । ସେହିଠାରେ ଏକବର୍ଷ ଗବେଷଣା କରିସାରିବା ପରେ ୧୯୨୧ ମସିହାରେ ପ୍ରାଣକୃଷ୍ଣ ପରିଜା ସାହେବଙ୍କୁ Indian Educational Serviceରେ ନିଯୁକ୍ତିପତ୍ର ମିଳିଲା ।
ବିଲାତ ଛାଡ଼ି ନିଜ ଜନ୍ମସ୍ଥାନ ଓଡ଼ିଶାକୁ ଫେରି ଆସିଲେ ଏବଂ ରେଭେନ୍ସା କଲେଜରେ ଯୋଗ ଦେଲେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ଭାବରେ । ଠିକ୍ ଏକବର୍ଷ ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ବୈଜ୍ଞାନିକ ଡଃ ପ୍ରାଣକୃଷ୍ଣ ପରିଜା ।
ଡଃ ପରିଜାଙ୍କ ଜୀବନୀ ଓଡ଼ିଶା ଶିକ୍ଷାଜଗତ ଇତିହାସର କେତୋଟି ଅବିଛିନ୍ନ ପୃଷ୍ଠା । ଓଡ଼ିଶାର ଏହି ଶିକ୍ଷାଗୁରୁଙ୍କ ଜୀବନର ମୁଖ୍ୟାଂଶ ବିସ୍ତୃତ ହେଲେ ମଧ୍ୟ ଏହି ବିଶ୍ଵବନ୍ଦିତ ଓଡ଼ିଆ ପୁଅର ଜୀବନୀ, କର୍ମ, ଚଳଣି ପୂର୍ଣ୍ଣାଙ୍ଗ ଭାବେ ଉପସ୍ଥାପନା କରିବା ଆମ ସମସ୍ତଙ୍କର କ୍ଷମତାର ବାହାରେ । ଅତଏବ ସଂକ୍ଷେପରେ କର୍ମମୟ ଜୀବନର ମୁଖ୍ୟାଂଶ ଉପରେ ଆସନ୍ତୁ ଆଲୋକପାତ କରିବା ନିମ୍ନ ମତେ —
* ୧୯୨୧ ରେ ରେଭେନ୍ସା କଲେଜରେ ଯୋଗଦାନ
* ୧୯୩୦ ରେ ଓଡ଼ିଶାରେ ପ୍ରଥମ କରି ଉଦ୍ଭିଦ ବିଜ୍ଞାନରେ ଅନର୍ସ ଶ୍ରେଣୀ ଖୋଲିବା
* ୧୯୨୭ ରେ ଦ୍ଵିତୀୟ ଥର କେମ୍ବ୍ରିଜ ଯାତ୍ରା ଓ ଗବେଷଣା ସମ୍ପୂର୍ଣ୍ଣ, ଯାହା ଫଳରେ Prof. Blackmanଙ୍କ ସହ ଡଃ ପରିଜା ସ୍ଵୀକୃତ ହେଲେ ବିଶ୍ଵର ଶ୍ରେଷ୍ଠ ଉଦ୍ଭିଦ ବିଜ୍ଞାନୀ ଭାବେ
* ୧୯୩୦ ରେ ଧାନଚାଷ ଉପରେ ଗବେଷଣା – Physiology of Rice Plants with particular reference to food, salinity and draught
* ୧୯୩୮ ରେ ରେଭେନ୍ସା କଲେଜର ଅଧ୍ୟକ୍ଷ
* ୧୯୨୫ ରୁ ୧୯୪୩ – ପାଟନା ବିଶ୍ଵବିଦ୍ୟାଳୟର Fellow ରୂପେ ନିର୍ବାଚିତ
* ୧୯୩୪ ରେ Founder member of Indian National Institute of Science
* ୧୯୪୩ – ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପନ ଓ ପ୍ରଥମ କୁଳପତି
* ୧୯୪୫ – ଓଡ଼ିଶା ସରକାରଙ୍କ କୃଷି ବିଭାଗର ନିର୍ଦ୍ଦେଶକ
* ୧୯୪୬ – Chairman, Indian Geological Education Committee
* ୧୯୪୮ ରୁ ୧୯୫୧ – Vice Chancellor, B. H.U.
* ୧୯୩୪ ରୁ ୧୯୩୬ – ସଭାପତି, ଉତ୍କଳ ସାହିତ୍ୟ ସମାଜ
* ୧୯୩୭ – President, Indian Science Congress
* ୧୯୫୧ – କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ
* ୧୯୫୫ – କୁଳପତି ଉତ୍କଳ ବିଶ୍ୱବିଦ୍ୟାଳୟ
* ୧୯୫୬ – ଜନସାଧାରଣଙ୍କର ଅନୁରୋଧ କ୍ରମେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚିତ, ବିଧାନସଭାକୁ
* ୧୯୫୯ – President Indian Botanical Society
* ୧୯୬୧ – ଚତୁର୍ଥ ଥର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି
* ୧୯୬୨ ରୁ ୧୯୬୩ – ଭାରତ ସିଂହଳ ଆନ୍ତର୍ବିଶ୍ଵବିଦ୍ୟାଳୟ କମିଟିର ଅଧ୍ୟକ୍ଷ
* ୧୯୬୩ – UGC General Education Committeeର ଅଧ୍ୟକ୍ଷ
* ୧୯୬୬ ରୁ ୧୯୭୦ – OUAT ପରିଚାଳନା ମଣ୍ଡଳୀ
* ୧୯୬୩ – Odisha State University Committeeର ଅଧ୍ୟକ୍ଷ, ଫଳତଃ ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ଵବିଦ୍ୟାଳୟ ସ୍ଥାପନ
ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କଥା ଅନବରତ ଭାବୁଥିଲେ ଡଃ ପ୍ରାଣକୃଷ୍ଣ ପରିଜା । ସେ ଥିଲେ ମନ ଓ ପ୍ରାଣରେ ଜଣେ ଖାଣ୍ଟି ଓଡ଼ିଆ । ଓଡ଼ିଶା ବିଜ୍ଞାନ ପ୍ରଚାର ସମିତି, ଉତ୍କଳ ବିଶ୍ୱବିଦ୍ୟାଳୟ ପରିଭାଷା କମିଟି ସ୍ଥାପନ ତାଙ୍କର ଏକ ଏକ ଉପହାର ଏ ଜାତିର ଉତ୍ତରଦାୟାଦ ମାନଙ୍କ ପାଇଁ । ଏସିଆ ମହାଦେଶର ସର୍ବବୃହତ ଧାନ ଗବେଷଣା କେନ୍ଦ୍ର (Cenral Rice Research Institute) ତାଙ୍କର ମାନସପ୍ରସୂତ ।
ଅସାମାନ୍ୟ କୃତି ପାଇଁ ୧୯୪୪, ୧୯୪୯ ଓ ୧୯୬୧ ମସିହାରେ ପାଟନା, ଉତ୍କଳ ଓ ଭେଙ୍କେଟେଶ୍ଵର ବିଶ୍ୱବିଦ୍ୟାଳୟ ଡଃ ପରିଜାଙ୍କୁ ଡି.ଏସ୍.ସି. (Honors Causa) ଉପାଧି ପ୍ରଦାନ କରି ତାଙ୍କୁ ସମ୍ମାନିତ କରିଛନ୍ତି। ୧୯୬୬ ମସିହାରେ Asiatic society କର୍ତ୍ତୃପକ୍ଷ ତାଙ୍କୁ ବାରାକ୍ଲେ ମେମୋରିଆଲ ପଦକ ଦେଇ ସମ୍ମାନିତ କରିଛନ୍ତି, ଯାହା ଆମ ପାଇଁ ଗର୍ବ ଓ ଗୌରବ ।
ସର୍ବୋପରି ଡଃ ପ୍ରାଣକୃଷ୍ଣ ପରିଜା ଥିଲେ ସରଳ ଓ ଅନୁକରଣୀୟ ବ୍ୟକ୍ତିତ୍ଵ । ଦୀର୍ଘ ଦୁଇ ଶତାବ୍ଦୀର ଶ୍ରେଷ୍ଠ ବିଦ୍ୱାନ । ଓଡ଼ିଶା ଗର୍ବିତ ତାଙ୍କ ପାଇଁ ।ତାଙ୍କ ସମ୍ବନ୍ଧରେ ରବୀନ୍ଦ୍ରନାଥ ଠାକୁରଙ୍କ ଉକ୍ତି ଥିଲା – “ଶିକ୍ଷକ ଛାତ୍ରମାନଙ୍କୁ କେବଳ ବିଦ୍ୟାଦାନ କଲେ ମାଷ୍ଟର ମଶାୟ ହୋଇ ପାରନ୍ତି, ମାତ୍ର ସେଥିରେ ଅନ୍ତରର ବିନିମୟ ପ୍ରତିଷ୍ଠିତ ହୋଇ ପାରେନାହିଁ । ଅଧ୍ୟାପକ ପରିଜାଙ୍କର ଶିକ୍ଷକତାରେ ଥିଲା ଏହି ବିନିମୟର ମହତ୍ତ୍ଵ। ସେଥିରେ ସେ ଛାତ୍ରମାନଙ୍କୁ ଅନୁପ୍ରାଣିତ କରି ଶିକ୍ଷାନୁଷ୍ଠାନରେ ଏକ ଜୀବନ୍ତ ସ୍ପନ୍ଦନ ସୃଷ୍ଟି କରିପାରିଛନ୍ତି ।”
ଭାରତବର୍ଷର ତଥା ଆମ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ସମୂହ, ବିଦ୍ୱାନ, ଜନନେତା, ସାହିତ୍ୟିକ, ସମାଜସେବୀ ଡଃ ପରିଜାଙ୍କ ସମ୍ପର୍କରେ ଯେଉଁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି, ତାହା ସର୍ବଦା ପ୍ରଣିଧାନ ଯୋଗ୍ୟ ।
ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ସେ କେବଳ ଡଃ ପ୍ରାଣକୃଷ୍ଣ ପରିଜା ବା ପରିଜା ସାହେବ ହୋଇ ରହିପାରିଲେ ନାହିଁ । ତାଙ୍କୁ ‘ପଦ୍ମଭୂଷଣ ପ୍ରାଣକୃଷ୍ଣ ପରିଜା’ ହେବାକୁ ହେଲା । ସମଗ୍ର ଦେଶର ଏବଂ ବିଶେଷ ଭାବେ ଉତ୍କଳ ଭୂଖଣ୍ଡର ଶିକ୍ଷା କ୍ଷେତ୍ରରେ ଏହି ଦିଗବାରେଣୀ ଖୁଣ୍ଟର ଆଲୋକ ବର୍ଣ୍ଣିକା ୧୯୭୮ ମସିହା ଜୁନ ମାସ ଦୁଇ ତାରିଖରେ ନିର୍ବାପିତ ହୋଇଗଲା ।
ସମଗ୍ର ରାଜ୍ୟର ଭାଇଭଉଣୀଙ୍କ ତରଫରୁ ‘ଅନ୍ତରଙ୍ଗ କଳିଙ୍ଗ’ ତା’ର ଭକ୍ତିପୂତ ପ୍ରଣାମ ନିବେଦନ କରୁଛି ।