ଲେଖା: ଦେଵ ତ୍ରିପାଠୀ
ଭାରତବର୍ଷରେ ଉତ୍କଳ ଏହାର ପ୍ରାଚୀନ ଶିଳ୍ପକଳା ଓ ଶିଳ୍ପଚାତୁର୍ଯ୍ୟ ପାଇଁ ପ୍ରସିଦ୍ଧ । ଉତ୍କଳୀୟ କଳା ସଂସ୍କୃତିକୁ ବେଲଗୁଣ୍ଠାର ପିତଳମାଛ ଓ କାଠମାଛର ଦାନ ଅତୁଳନୀୟ। ଏହାର ସୂକ୍ଷ୍ମକଳା, କାରୁକାର୍ଯ୍ୟ ଉତ୍କଳର ନାମକୁ ସାର୍ଥକ କରିଛି । ସ୍କୁଲ ପାଠ୍ୟପୁସ୍ତକ, ସାମାଜିକ ବିଜ୍ଞାନ, ସାଧାରଣଜ୍ଞାନରେ ଲିଖିତ କଟକର ତାରକସି, ଭୁବନର କଂସାବାସନ, ପିପିଲିର ଚାନ୍ଦୁଆ, ପାରଳାଖେମୁଣ୍ଡିର ଶିଙ୍ଗକାମ ପରି ବେଲଗୁଣ୍ଠାର ପିତଳମାଛ ପ୍ରସିଦ୍ଧ । କିନ୍ତୁ ପିତଳ ଓ କାଠର କାରୁକାର୍ଯ୍ୟକୁ ନେଇ ବଞ୍ଚିଥିବା ଶିଳ୍ପୀମାନଙ୍କ ଭାଗ୍ୟ ଆଜି ପଥର ତଳେ । ସେହି ଅନନ୍ୟ ଶିଳ୍ପଚାତୁରୀର ଗୁମର, କାହାଣୀ, କଳା ସଂସ୍କୃତି, ଜୀବନ ଓ ଜୀବିକା ଉପରେ ନଜରପକାଇବାକୁ ହେଲେ ଆମ ଦୃଷ୍ଟିକୁ ଆସେ ରାଜାରାଜୁଡ଼ା ଅମଳର ବେଲଗୁଣ୍ଠାର କଂସାରି ସାହି ନାମକ ସାହି, ଯାହା ଅତୀତ ଶିଳ୍ପର ସ୍ମୃତିସ୍ୱରୂପ ଏବେ ବି ବିଦ୍ୟମାନ ।
କବିସମ୍ରାଟଙ୍କ ରାଜ୍ୟ ଭଞ୍ଜନଗର ଠାରୁ ଅଳ୍ପ ଦୂରର ଗାଁ ବେଲଗୁଣ୍ଠାରେ ଭଞ୍ଜବଂଶୀ ରାଜାମାନଙ୍କ ପ୍ରୋତ୍ସାହନରେ ଗଢ଼ିଉଠିଥିବା ଏହି ପିତଳମାଛ ତିଆରିର ଶିଳ୍ପକଳା ଓ କଳାନୈପୁଣ୍ୟ ଅତି ପ୍ରାଚୀନ । ତେବେ ପିତଳମାଛର ଅବିକଳ ନକଲରେ ଅଶୀଦଶକ ଶେଷଭାଗରେ କିଛି ଶିଳ୍ପୀଙ୍କ ଉଦ୍ୟମରେ ଚଳପ୍ରଚଳକ୍ଷମ କାଠମାଛ ତିଆରି କରି ଏଇ କୁଟୀର କାରୁକାର୍ଯ୍ୟରେ ନୂତନ ଅଧ୍ୟାୟ ଯୋଡ଼ି ହୋଇଥିଲା । ସେଇ କୁଶଳୀ ହାତଗୁଡିକର ସ୍ପର୍ଶ କାଠ ଓ ଗୁଆରେ ତିଆରି ପ୍ରତିଟି ମୂର୍ତ୍ତିକୁ କରି ତୋଳିଲା ଜୀବନ୍ତ ।
କାଠ ଓ ଲାଖର ସାହାଯ୍ୟରେ ଏପରି ଜୀବନ୍ତ ମାଛଟିଏ ଯେ ତିଆରି ହୁଏ, ଆଖିରେ ନ ଦେଖିଲେ ବିଶ୍ୱାସ କରିବା କଷ୍ଟକର । ଗୁଆକାମ ଓ କାଠକାମରେ ଶିଳ୍ପୀମାନଙ୍କ ମନ ସିନା ପୁରେ, ପେଟ କିନ୍ତୁ ପୁରେନା । ଏଇ ପିତଳ, କାଠ ଓ ଗୁଆର ଶିଳ୍ପକଳା ସବୁ କିଛି ଲୋପ ପାଇବାର ଆଶଙ୍କାରେ ସନ୍ତ୍ରସ୍ତ ଶିଳ୍ପୀକୁଳ । ସମସ୍ତଙ୍କ ଆଗରେ ଗୋଟିଏ ପ୍ରଶ୍ନ, କିପରି ବଞ୍ଚାଇ ହେବ ଏହି ଭାରତ ବିଖ୍ୟାତ ଲୁପ୍ତପ୍ରାୟ ବିରଳ ଶିଳ୍ପକଳାକୁ ?
ବହୁ ବର୍ଷର ଉତ୍କର୍ଷ ଶିଳ୍ପ ନୈପୁଣ୍ୟ ଓ ଈଶ୍ୱରଦତ୍ତ କଳାକାରିଗରୀ କ୍ରମେ ନିଶ୍ଚିହ୍ନ ହେବା ନିଶ୍ଚୟ । ବହୁ ସ୍ୱପ୍ନ ଓ ସଂଘର୍ଷର ଜୀବନ ଜୀଉଁଥିବା ଏଇ ଶିଳ୍ପୀକୁଳ ଆର୍ଥିକ ଦୁର୍ଗତିର ଆବର୍ତ୍ତରେ କେତେକାଳ ଅବା ତିଷ୍ଠି ପାରିବେ ?