ଲେଖା: ଶ୍ରୀକାନ୍ତ ସିଂହ

ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା, ଉତ୍କଳ ବା ଉତ୍କୃଷ୍ଟ କଳାର ଦେଶ କଳିଙ୍ଗ l ପ୍ରାଗ ଐତିହାସିକ ଯୁଗୀୟ ପାହାଡ଼ ଖୋଲରେ ଥିବା ଆଦି ମାନବର ଚିତ୍ରଲେଖ ବା ତା’ର ଅଙ୍କା ବଙ୍କା ଲିପି ହେଉ ଅବା ଖ୍ରୀଷ୍ଟପୂର୍ବୀୟ ଅନେକ ଗୁମ୍ଫାର ଚିତ୍ରକଳା, ଶିଳାଲେଖ, ସ୍ତୁପ ଓ ମୂର୍ତ୍ତିକଳା ହେଉ ବା ପରବର୍ତ୍ତୀ ସମୟର ଶାସକ ମାନଙ୍କ ଦ୍ୱାରା ନିର୍ମିତ ଅଜସ୍ର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ମୂର୍ତ୍ତି, ମନ୍ଦିର ଅବା ତୋରଣ ହେଉ, ଏହି ପରି ଅନେକ କୀର୍ତ୍ତିରେ ଆମେ କୀର୍ତ୍ତିମାନ ଓ ଗରୀୟାନ l

ଆମ ପୂର୍ବ ଶାସକଗଣ ନିଜର ସୁଖସୁବିଧା ପାଇଁ ଐଶ୍ବର୍ୟ୍ଯମୟ ମହଲ, ପ୍ରାସାଦ ବା ଦୁର୍ଗ ନିର୍ମାଣ ପରିବର୍ତ୍ତେ ସମୂହ ଜାତିର ଉତ୍କର୍ଷକୁ ଅଗ୍ରାଧିକାର ଦେଇ ସୁନ୍ଦର ସୁନ୍ଦର ମନ୍ଦିରମାନ ନିର୍ମାଣ କରି ଆମକୁ ଗୌରବାନ୍ୱିତ କରିବା ସହିତ ଆମ ମୂର୍ତ୍ତିକାରମାନେ ତାଙ୍କ ନିହାଣ ମୁନରେ ନିର୍ଜୀବ ପାଷାଣକୁ ସୁନ୍ଦର ରୂପ ଦେଇ ସଜୀଵ କରିଯାଇଛନ୍ତି l


ସେହି ଅନନ୍ୟ ସୃଷ୍ଟି ମାନଙ୍କ ମଧ୍ୟରେ ଢେଙ୍କାନାଳର ସୋମନାଥ ମନ୍ଦିର ଓ ତତ୍ ସଂଲଗ୍ନ ସିଦ୍ଧେଶ୍ଵର ମନ୍ଦିର ହେଉଛି ଅନ୍ୟତମ l

କଟକରୁ ଆଠଗଡ ଦେଇ ଢେଙ୍କାନାଳ ଗଲାବେଳେ ୦୪କି.ମି. ଦୂରରେ ମୁଖ୍ୟ ରାସ୍ତାରେ ପଡ଼ିବ ଶଙ୍କରପୁର ବଜାର ଆଉ ଏହି ଶଙ୍କରପୁର ବଜାର ଠାରୁ ଆଉ ୦୫କି.ମି. ଆଗକୁ ଗଲେ ପଡ଼ିବ ପ୍ରସିଦ୍ଧ ଶିବ ମନ୍ଦିର ପଶ୍ଚିମେଶ୍ବର (Paschimeswar) l ଏହି ମନ୍ଦିରଟି ଢେଙ୍କାନାଳର ଶାସକଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଜଣାଯାଏ l ମନ୍ଦିର ଗର୍ଭସ୍ଥ ଶିବଲିଙ୍ଗଟି ଖୁଵ ସୁନ୍ଦର ଆଉ ମନ୍ଦିର ପରିବେଶ ପରିଷ୍କାର ଓ ପରିଚ୍ଛନ୍ନ l

ଏହି ପଶ୍ଚିମେଶ୍ବର ମନ୍ଦିର ପ୍ରାଙ୍ଗଣର ଅନତି ଦୂରରେ ମାତ୍ର ୧୦୦ମି. ଦୂରରେ ଆଉ ଦୁଇଟି ପ୍ରାଚୀନ ମନ୍ଦିର ସୋମନାଥ ମନ୍ଦିର ଓ ସିଦ୍ଧେଶ୍ଵର ମନ୍ଦିର ରହିଛି l ଏହି ମନ୍ଦିରଦ୍ଵୟ ଓଡ଼ିଶାର ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ l ମନ୍ଦିରର ଗଠନଶୈଳୀ,  କଳାକୃତି ଓ ପ୍ରବେଶ ଦ୍ୱାରର ଦ୍ୱାରବନ୍ଧରେ ଥିବା ଅଷ୍ଟଗ୍ରହଙ୍କ ମୂର୍ତ୍ତିକୁ ଦେଖିଲେ ଏହା ସପ୍ତମ ବା ଅଷ୍ଟମ ଶତାବ୍ଦୀର ନିର୍ମାଣ ଏବଂ ଶୈଳୋଦ୍ଭବ ବା ଭୌମକର ଶାସକଙ୍କ ସମୟର ବୋଲି ଅନୁମେୟ l


ମନ୍ଦିର ଦୁଇଟି ପରସ୍ପର ସମ୍ମୁଖରେ ଦଣ୍ଡାୟମାନ l ମନ୍ଦିର ଦ୍ଵୟର ଉଚ୍ଚତା ବହୁତ କମ ଏବଂ ପ୍ରବେଶପଥ ସଂକୀର୍ଣ୍ଣ ଓ ଛୋଟ l ମାତ୍ର ଶିବଲିଙ୍ଗ ଦୁଇଟି ଖୁଵ ସୁନ୍ଦର l ଏହି ଦୁଇ ମନ୍ଦିରରେ ଜଗମୋହନ, ନାଟମଣ୍ଡପ, ଭୋଗମଣ୍ଡପ ଆଦି ନାହିଁ, କେବଳ ବିମାନ ରହିଛି ଏବଂ ଏହି ବିମାନରେ ଅନେକ କଳାକୃତି ଦେଖିବାକୁ ମିଳେ l

ମନ୍ଦିର ଦୁଇଟିର ଅବସ୍ଥିତି ଭୂମି ପତ୍ତନ ଠାରୁ ବହୁତ ତଳେ ରହିଛି l ଠିକ ଯେପରି ଜଗତସିଂହପୁର ଜିଲ୍ଲା ବାଲିଆ ଗୋପୀନାଥପୁର ଠାରେ ଥିବା ଭୁବନେଶ୍ୱର ମନ୍ଦିର ଓ କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ଗୋପୀନାଥପୁରରେ ଥିବା ପ୍ରସିଦ୍ଧ ସିଂହନାଥ ମନ୍ଦିର ଭଳି l


ସ୍ୱଳ୍ପ ଦୂରତାରେ ପରସ୍ପର ସମ୍ମୁଖରେ ଥିବା ଏହି ଦୁଇ ମନ୍ଦିର ମଧ୍ୟରୁ ସିଦ୍ଧେଶ୍ଵର ମନ୍ଦିରଟି ଭଗ୍ନପ୍ରାୟ ଓ ଭୂପତିତ l ମାତ୍ର ସୋମନାଥ ମନ୍ଦିରଟି ଭଲ ଅବସ୍ଥାରେ ରହିଛି l ମନ୍ଦିର ପରିସରରେ ଦୁଇଟି ବୃହତ ଶିବଲିଙ୍ଗ ପଡ଼ି ରହିଥିବା ଦେଖିବାକୁ ମିଳେ l ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପରିସରଟି ଅନାବନା ବୃକ୍ଷଲତା ଓ ଇଟା ପଥରରେ ବୋଝଇ ଏକ ଅଳିଆ ଗଦାରେ ପରିଣତ ହେଲାଣି l ଏହାକୁ ଦେଖିଲେ ବହୁତ ଦୁଃଖ ଲାଗେ ଓ ଏଥିରୁ ଆମର ଐତିହ୍ୟ ପ୍ରତି ବିମୁଖତା ସ୍ପଷ୍ଟ ବାରିହୋଇପଡ଼େ l


ଏହି ଦୁରବସ୍ଥା ପାଇଁ କେବଳ ସରକାର ଓ ପତ୍ନତତ୍ତ୍ୱବିଭାଗକୁ ଦୋଷ ଦେଲେ ହେବ ନାହିଁ l ଏଥିପ୍ରତି ସ୍ଥାନୀୟ ଅଞ୍ଚଳବାସୀଙ୍କର ବି ଗୁରୁ ଦାୟିତ୍ୱ ରହିଛି l ଅଳ୍ପ କିଛି ସମୂହ ଶ୍ରମଦାନରେ ମନ୍ଦିର ପରିସରଟି ସଫା ସୁତୁରା କରି ହୁଅନ୍ତା ଓ ପୂର୍ବ ପୁରୁଷଙ୍କ ଅନନ୍ୟ କୀର୍ତ୍ତିକୁ ଉଚିତ ସମ୍ମାନ ଦେଇ ହୁଅନ୍ତା l 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago