ଲେଖା: ଦେଵ ତ୍ରିପାଠୀ
ଭୁବନେଶ୍ୱରରୁ କଣ୍ଟିଲୋ ଯିବା ରାସ୍ତାରେ ପଡ଼େ ଧଳାପଥର ବୋଲି ଗାଁଟିଏ । ଶାନ୍ତ ସୁଧାର ଗାଁଟି ଦିନେ ଥିଲା ଏକ ଅପୂର୍ବ ସୂକ୍ଷ୍ମକଳାର ଏନ୍ତୁଡ଼ିଶାଳ । ସେ କଳା ଫୁଟିଉଠୁଥିଲା ଘରର ଦୁଆର ଝରକାରେ ଝୁଲୁଥିବା ସୁଦୃଶ୍ୟ ପର୍ଦ୍ଦା କିମ୍ବା ଓଡିଆଙ୍କ ପ୍ରିୟ ପରିଧାନ ଲୁଙ୍ଗିଗାମୁଛାରେ । ତନ୍ତକୁ ଜୀବିକା ଭାବରେ ନେଇ ଷାଠିଏରୁ ଅଧିକ ପରିବାର ପିଢ଼ି ପରେ ପିଢ଼ି ଗଢି ତୋଳନ୍ତି ପର୍ଦ୍ଦାରେ କଳାର କୋଣାର୍କ କିମ୍ବା ପେଟପାଟଣା ପାଇଁ ଲୁଙ୍ଗିଗାମୁଛା । ତେବେ ସେଇ ପର୍ଦ୍ଦାକଳା ପରମ୍ପରାର ଏକ ଇତିହାସ ଅଛି ।
ଇଏ କେଉଁ ଯୁଗର କଥା । ପ୍ରଥମେ ଏଠି ତିଆରି ହେଉଥିଲା କଙ୍କଣପେଡି, କୁସୁମେଇ, ମୁକ୍ତାପୁଞ୍ଜି ପରି ବାନ୍ଧଶାଢୀ, ବିକ୍ରି ହେଉଥିଲା କଟକ, ସୁବର୍ଣ୍ଣପୁର, କଳାହାଣ୍ଡି, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶର ହାଟରେ । ଛପାଶାଢୀର ଚାହିଦା ବୃଦ୍ଧି ପାଇଁ ଏ ସୂତାବାନ୍ଧ ଶାଢୀଗୁଡିକର ଚାହିଦା କମି କମି ଗଲା । ଶାଢୀର ଶିଳ୍ପୀକୂଳ ଦିନକୁ ଦିନ ହୋଇପଡିଲେ ଅସହାୟ, ନିରୁପାୟ ।
ଜଣେ ଅବଶ୍ୟ ଥିଲେ ସ୍ଥିରଚିତ୍ତ, ସମସ୍ୟାର ବୋଝରେ ଦବି ନ ଯାଇ ବାହାର କଲେ ନୂଆ ରାସ୍ତାଟିଏ, ସମସ୍ତଙ୍କ ପାଇଁ ଦେଖାଇଦେଲେ ବଞ୍ଚିବାର ନୂଆ ‘କଳା’ । ସେଇ ଦୂରଦୃଷ୍ଟିର ଅଧିକାରୀ ସ୍ବର୍ଗତ ଗଣେଶ ପୂଜାରୀ ପରିକଳ୍ପନା କରିଥିଲେ କାରୁକାର୍ଯ୍ୟଭରା ପର୍ଦ୍ଦା । ୧୯୩୬ ମସିହାରେ ଆତ୍ମପ୍ରକାଶ କଲା ପ୍ରାକୃତିକ ରଙ୍ଗକରା ସୂତା ଓ ବାନ୍ଧଶୈଳୀରେ ତିଆରି ସୁନ୍ଦର ସୁନ୍ଦର ଛବି ଅଙ୍କାଯାଇଥିବା ପର୍ଦ୍ଦା । ଶାଢ଼ୀବିକ୍ରିରୁ ହତାଶ ଶିଳ୍ପୀଗଣ ନୂତନ ଉତ୍ସାହରେ ମନୋନିବେଶ କଲେ ପର୍ଦ୍ଦାକଳା ଆଙ୍କିବାରେ ।
ସୁନାରି, ଜାମୁ, ହରିଡ଼ା ଆଦି ଗଛର ଛେଲିରୁ ପ୍ରସ୍ତୁତ ନାଲି, କଳା, ହଳଦିଆ ଇତ୍ୟାଦି ପ୍ରାକୃତିକ ରଙ୍ଗକୁ ନେଇ ସୂତାରେ ପ୍ରୟୋଗ କରି ଯେଉଁ ପର୍ଦ୍ଦା ବୁଣାଯାଉଥିଲା, ସେଥିରେ ରଙ୍ଗ ଥିଲା ଦୀର୍ଘସ୍ଥାୟୀ । ରଙ୍ଗ ତିଆରି ଓ ସୂତା ରଙ୍ଗେଇବା ପାଇଁ ଯେତେ ଯତ୍ନ ନେବାକୁ ପଡ଼ୁଥିଲା, ଠିକ ସେପରି ପର୍ଦ୍ଦା ଉପରେ ପଡୁଥିବା ଚିତ୍ରଗୁଡ଼ିକ ଗ୍ରାଫ୍ ସାହାଯ୍ୟରେ ଆଙ୍କି ବାନ୍ଧପ୍ରଣାଳୀରେ ପର୍ଦ୍ଦାଟିକୁ ବୁଣିବାରେ ଯତ୍ନବାନ ହେବାକୁ ପଡ଼ୁଥିଲା । ଗୋଟିଏ ସୁନ୍ଦର ପର୍ଦ୍ଦା ବୁଣିବା ପାଇଁ ମାସ ମାସ ସମୟ ମଧ୍ୟ ଲାଗୁଥିଲା ।
ପର୍ଦ୍ଦାଗୁଡିକରେ ଶିଳ୍ପୀ ହାତରେ ଫୁଟିଉଠୁଥିଲା କୋଣାର୍କର ହାତୀଘୋଡା, କଳସ, ଶ୍ରୀମନ୍ଦିର, ଅଶୋକଚକ୍ର, ବାରବାଟୀ ଦୁର୍ଗ, ନଟନଟୀ, ଫୁଲକୁଣ୍ଡ, ଗଣେଶ, ଗାଁ ଦାଣ୍ଡ, ହଂସକଳସ, ଅର୍ଘ୍ୟ ଏପରି କେତେ କ’ଣ । କାରୁକାର୍ଯ୍ୟ, କୁଟିକମର ଏହି ସୂତା ପର୍ଦ୍ଦାଗୁଡିକରେ ଶିଳ୍ପୀମାନସର ଯେଉଁ ନିଖୁଣ ରଙ୍ଗ ଓ ଶୈଳୀ ଶୋଭା ପାଉଥିଲା ସେସବୁ ଥିଲା ବାସ୍ତବରେ ଅନନ୍ୟ ।
ସୁନ୍ଦର ପର୍ଦ୍ଦାଟିଏ ଘରେ ଟଙ୍ଗାଇ ତା’ର କାରିଗରୀକୁ ପ୍ରଶଂସା କଲାବେଳେ ଆମର ଅନ୍ତରାଳରେ ରହିଯାଏ ପର୍ଦ୍ଦାକଳାର କଷ୍ଟ କୌଶଳଟି । ପ୍ରଥମେ ସୂତା ରଙ୍ଗ କରାଯାଏ । ରଙ୍ଗୀନ ମୋଡାସୂତାକୁ ଦ୍ଵିଗୁଣିତ କରାଯାଏ ନଟୁଆ ସାହାଯ୍ୟରେ । ତୃତୀୟ ପର୍ଯ୍ୟାୟ ରେ ଟାଣ କରାଯିବା ପରେ ତନ୍ତରେ ଦେଇ ପର୍ଦ୍ଦା ତିଆରି ହୁଏ । ଏତେଗୁଡିଏ ପରିଶ୍ରମ ପଛରେ ଥାଏ ପରିବାରଟିର ଏକାଗ୍ରତା ।
ତେବେ ସେ ସମୟ ନାହିଁ, ସରକାରୀ ଉଦାସୀନତା, ଚାହିଦାରେ ପରିବର୍ତ୍ତନ, ଭାଲ୍ୟୁ ଆଡିସନ ନାମରେ ମାନହ୍ରାସ, କୃତ୍ରିମ ରଙ୍ଗର ବ୍ୟବହାର ଇତ୍ୟାଦି ଅଗଣିତ କାରଣରୁ ଏଇ ସୂକ୍ଷ୍ମ କାରୁକାର୍ଯ୍ୟ ଭରା ଶିଳ୍ପ ଆଜି ହତଶିରୀ, ମୃତପ୍ରାୟ । ଧୀରେ ଧୀରେ ସ୍ତିମିତ ହୋଇଆସୁଛି ଶିଳ୍ପୀର ଆତ୍ମମଗ୍ନ ସାଧନା ପ୍ରଦୀପ ।
କେତେ ଆଶା, କେତେ ସ୍ବପ୍ନର ଏଇ ପର୍ଦ୍ଦାକଳା ପରମ୍ପରା ପାଖରେ ସାଇତା ସୂକ୍ଷ୍ମ ଶିଳ୍ପର କାରୁକାର୍ଯ୍ୟର କୋଣାର୍କଟି ଭାଙ୍ଗି ନ ଯାଉ, ଧଳାପଥର ଗାଁକୁ ଫେରିଆସୁ ଶୁଭ ସମୟର ସୂର୍ଯ୍ୟୋଦୟ — ଏତକ ଆଶା କରିବା କେବଳ ।
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago