ଲେଖା: ଦେଵ ତ୍ରିପାଠୀ
ଏ ଓଡ଼ିଆ ଜାତି ଦିନେ ଥିଲା କଳାର ପୂଜାରୀ । ଏ ଜାତିର କଳାସ୍ଥାପତ୍ୟ ଥିଲା ବିଶ୍ୱରେ ଅଦ୍ୱିତୀୟ । କେବଳ ଚିତ୍ରକଳା କିମ୍ବା ଚାରୁକଳା ନୁହେଁ, ଶିଳ୍ପକଳାରେ ମଧ୍ୟ ଏ ଜାତି ଥିଲା ସିଦ୍ଧହସ୍ତ । ବେତ ବାଉଁଶଠାରୁ ମାଟିପଥର ପର୍ଯ୍ୟନ୍ତ ସବୁଥିରେ ଏଇ ଓଡ଼ିଆଶିଳ୍ପୀର କଳାନୈପୁଣ୍ୟ ଥିଲା ସୁସ୍ପଷ୍ଟ । ପାଷାଣଦେହରେ କବିତା ଲେଖିପାରୁଥିଲା ଓଡ଼ିଆଶିଳ୍ପୀ । ପାଷାଣ ଯେ କଥା କହିପାରେ ତାହା ଦେଖାଇପାରିଥିଲେ ଆମରି ଶିଳ୍ପୀକୂଳ । ପ୍ରସ୍ତରଶିଳ୍ପର ଆଦର ଥିଲା ବିଶ୍ୱବ୍ୟାପୀ । ଧାତବପଦାର୍ଥର ବ୍ୟବହାର ଅପେକ୍ଷା ପଥୁରିବାସନର ପ୍ରଚଳନ ଥିଲା ବ୍ୟାପକ ।
ସମୟ କିନ୍ତୁ କଡ଼ ଲେଉଟେଇଲା । ସଭ୍ୟତାର ସୋପାନଶ୍ରେଣୀ ଅତିକ୍ରମ କରିବାରେ ସନ୍ତ୍ରସ୍ତ ହେଲା ଶିଳାଶିଳ୍ପ । ଷ୍ଟିଲ୍, କଂସା, ପିତଳକୁ ଆଦରି ନେଲା ଆଧୁନିକ ମଣିଷ । ଶାପଗ୍ରସ୍ତ ହେଲା ଶିଳ୍ପୀର ଜୀବନ । ଅଧୁନା କେବଳ କୋଣାର୍କ, ଖିଚିଂ ଓ ନୀଳଗିରି ଅଞ୍ଚଳକୁ ଛାଡ଼ିଦେଲେ ପୂର୍ବରୁ ପୁରୀ, ଭୁବନେଶ୍ୱରରେ ବ୍ୟାପକ ଭାବେ ଏବଂ କଟକରେ ସାମାନ୍ୟ ଭାବେ ପରିବ୍ୟାପ୍ତ ଥିବା ଏଇ ଶିଳ୍ପ ଲୁପ୍ତପ୍ରାୟ । ଏହା ମଧ୍ୟରେ ନୀଳଗିରିର ପ୍ରସ୍ତରଶିଳ୍ପ ଥିଲା ଅତ୍ୟନ୍ତ ଲୋକପ୍ରିୟ ।
କେନ୍ଦୁମୁଣ୍ଡି ପାହାଡ଼ର ଉତ୍କୃଷ୍ଟ ଖଡ଼ିପଥର, ଝରଣାଘାଟିର ମୂଲ୍ୟବାନ ମୁଗୁନି ପଥର ତଥା ଦୁର୍ଲଭ ନୀଳ ପଥରରେ ନିର୍ମିତ ନୀଳଗିରିର ପଥୁରିବାସନ ଓ ପାଷାଣ ପ୍ରତିମା ସମଗ୍ର ଭାରତବର୍ଷରେ ଆଦୃତ ହୋଇଆସୁଥିଲା ବିଗତ କେତେ ଶହ ବର୍ଷ ଧରି । ଦିନଥିଲା, ଓଡ଼ିଶାର ଘରେ ଘରେ, ମଠମନ୍ଦିର, ଦୋକାନ ବଜାର, ଯାନିଯାତ୍ରାରେ ଦେଖିବାକୁ ମିଳୁଥିଲା ଏଇ ଅଞ୍ଚଳର କାରୁକାର୍ଯ୍ୟ ପୂର୍ଣ୍ଣ ବାସନ, ବାଟି, ଥାଳି, ଦୀପ, ଧୂପଦାନୀ, ଶିବଲିଙ୍ଗ, ନଟରାଜ ମୂର୍ତ୍ତି, ଯୁଗଳ ରାଧାକୃଷ୍ଣଙ୍କ ମୂର୍ତ୍ତି ଭଳି ବହୁ ମନଲୋଭା କଳାକୃତି । ଏକଦା ଏଇ ନୀଳଗିରି ଥିଲା ପଥର ଖୋଦେଇ ଶିଳ୍ପର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର । ସ୍ଥାନୀୟ ସ୍ଥପତିଗଣ ଏଠାକାର କୃଷ୍ଣ, ନୀଳ, ଲୋହିତ ବର୍ଣ୍ଣର ଶିଳାରେ ଗଢୁଥିଲେ ଜୀବନ୍ତ କମନୀୟ ମୂର୍ତ୍ତି ଓ ଚିକ୍କଣ ସୁନ୍ଦର ବାସନସାମଗ୍ରୀ । ସେମାନଙ୍କ ସୂକ୍ଷ୍ମ କଳାଚାତୁରୀରେ ମୁଗ୍ଧ ହେଉଥିଲେ ଦର୍ଶନାର୍ଥୀ ତଥା ଗ୍ରାହକ । ନୀଳଗିରି ପର୍ବତର ପାଦଦେଶରେ, ନୀଳ ସବୁଜିମାର ବେଷ୍ଟନୀ ଭିତରେ ଗଢ଼ି ଉଠିଥିଲା କାରିଗରମାନଙ୍କର ଉପନିବେଶ । ସେମାନଙ୍କ ନିହାଣର ନିନାଦରେ ପ୍ରକମ୍ପିତ ହେଉଥିଲା ନୀଳଗିରିର ଗିରିକନ୍ଦର ।
ଆଜି ସେ ନୀଳଗିରି ନାହିଁ କି ସେ କାରିଗର ମଧ୍ୟ ନାହାଁନ୍ତି । ନିକଟସ୍ଥ ଅଯୋଧ୍ୟା, ସଜନାଗଡ, ସନ୍ତରାଗଡିଆ, ମିତ୍ରପୁର, ସାଆଁଳପୁର ଆଦି ଗ୍ରାମର ବିନ୍ଧାଣିମାନେ ଏହି ବୃତ୍ତିକୁ ଛାଡ଼ି ଦେଇଛନ୍ତି କେଉଁ କାଳରୁ । ଆଧୁନିକ ସଭ୍ୟତାର କବଳିତ ଆଜି ସମଗ୍ର ଅଞ୍ଚଳ ! ଦିନେ ଶିକାର ବଳୟ ଥିବା ଏଇ ଅଞ୍ଚଳ ଗତ ଶତାବ୍ଦୀରୁ ପରିଣତ ହୋଇଛି ସାମରିକ ବିଭାଗର ସୁରକ୍ଷା ବଳୟ ! ନିଷିଦ୍ଧ ହୋଇଯାଇଛି କଳାର କରାମତି । ତେବେ ପାହାଡଠୁଁ ଦୂରରେ ନିରବ ନିକାଞ୍ଚନ ପଲ୍ଲୀକେତୋଟିରେ କାଁ ଭାଁ ବଞ୍ଚିରହିଛି ଏଇ ପ୍ରସ୍ତର ଖୋଦେଇ ଶିଳ୍ପ । ହାତଗଣତି କେତୋଟି ପରିବାର ପୁରୁଷାନୁକ୍ରମେ ପଥର ସହିତ ପଥର ହୋଇ ଗଢ଼ି ଚାଲିଛନ୍ତି ସେମାନଙ୍କ କଳାନୈପୁଣ୍ୟ, ଶିଳା ଦେହରେ, ନୀଳଗିରିର ଟେକ ବଜାୟ ରଖି ! ସେଇ ମହାସ୍ଥପତିମାନଙ୍କର ନିହାଣଶବ୍ଦ ଆଜି ସବୁ ବିରୋଧାଭାସ, ସରକାରୀ କଳର ସ୍ଥାଣୁତା, ଶିଳାଶିଳ୍ପ ସମବାୟ ସମିତିର ଅପାରଗତା, ରାଜଧାନିଆ ଦଲାଲଙ୍କର ନିର୍ଲଜ ଲୋଭପଣର ଆସ୍ତରଣକୁ ବିଦାରି ଛଟପଟ ହୋଇ ଅସ୍ତିତ୍ବ ପ୍ରକାଶ କରୁଛି କେବଳ ।
ନୀଳଗିରିର ସ୍ଥପତି ଆଜି ମୁଣ୍ଡରେ ମୁଣ୍ଡାଇ ନିଜ ଶିଳ୍ପସାମଗ୍ରୀକୁ ଆଖପାଖର ମେଳାମଉଛବରେ ବିକ୍ରୀ କରୁଛି ସିନା, କିନ୍ତୁ ନୀଳଗିରିର ସେଇ ଅନନ୍ୟ ପ୍ରସ୍ତରଶିଳ୍ପ ଆଜି କଟକ, ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବନାରସ, ମୁମ୍ବାଇ, କାନପୁର, ଦିଲ୍ଲୀ, ଲଣ୍ଡନ ଆଦି ମହାନଗରୀମାନଙ୍କର ବାଟ ହୁଡ଼ି ଯାଇଛି ।
ପଥରରେ ପ୍ରାଣ ଭରି ଦେଉଥିବା ନୀଳଗିରିର ପଥୁରିବାସନ ଶିଳ୍ପୀ ଆଜି ସମୟଚକ୍ରରେ ପରାହତ ! ପାଷାଣଶିଳ୍ପ ଆଜି ମୃତ ! ସ୍ଥାପତ୍ୟର ପ୍ରେରଣାପ୍ରଦ ପୃଥିବୀରେ ପ୍ରତାରଣାର ପଦାଘାତ ସହି ସହି ସେଇ ମହାନ ଶିଳ୍ପକଳା ଆଜି ହଜି ହଜି ଯାଉଛି କାଳଗର୍ଭରେ ! ନିରବିଆସୁଛି ନୀଳଗିରିର ନିହାଣ ଶବ୍ଦ !
Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

35 minutes ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 day ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago