ଲେଖା: ଦେଵ ତ୍ରିପାଠୀ
ଏ ଓଡ଼ିଆ ଜାତି ଦିନେ ଥିଲା କଳାର ପୂଜାରୀ । ଏ ଜାତିର କଳାସ୍ଥାପତ୍ୟ ଥିଲା ବିଶ୍ୱରେ ଅଦ୍ୱିତୀୟ । କେବଳ ଚିତ୍ରକଳା କିମ୍ବା ଚାରୁକଳା ନୁହେଁ, ଶିଳ୍ପକଳାରେ ମଧ୍ୟ ଏ ଜାତି ଥିଲା ସିଦ୍ଧହସ୍ତ । ବେତ ବାଉଁଶଠାରୁ ମାଟିପଥର ପର୍ଯ୍ୟନ୍ତ ସବୁଥିରେ ଏଇ ଓଡ଼ିଆଶିଳ୍ପୀର କଳାନୈପୁଣ୍ୟ ଥିଲା ସୁସ୍ପଷ୍ଟ । ପାଷାଣଦେହରେ କବିତା ଲେଖିପାରୁଥିଲା ଓଡ଼ିଆଶିଳ୍ପୀ । ପାଷାଣ ଯେ କଥା କହିପାରେ ତାହା ଦେଖାଇପାରିଥିଲେ ଆମରି ଶିଳ୍ପୀକୂଳ । ପ୍ରସ୍ତରଶିଳ୍ପର ଆଦର ଥିଲା ବିଶ୍ୱବ୍ୟାପୀ । ଧାତବପଦାର୍ଥର ବ୍ୟବହାର ଅପେକ୍ଷା ପଥୁରିବାସନର ପ୍ରଚଳନ ଥିଲା ବ୍ୟାପକ ।
ସମୟ କିନ୍ତୁ କଡ଼ ଲେଉଟେଇଲା । ସଭ୍ୟତାର ସୋପାନଶ୍ରେଣୀ ଅତିକ୍ରମ କରିବାରେ ସନ୍ତ୍ରସ୍ତ ହେଲା ଶିଳାଶିଳ୍ପ । ଷ୍ଟିଲ୍, କଂସା, ପିତଳକୁ ଆଦରି ନେଲା ଆଧୁନିକ ମଣିଷ । ଶାପଗ୍ରସ୍ତ ହେଲା ଶିଳ୍ପୀର ଜୀବନ । ଅଧୁନା କେବଳ କୋଣାର୍କ, ଖିଚିଂ ଓ ନୀଳଗିରି ଅଞ୍ଚଳକୁ ଛାଡ଼ିଦେଲେ ପୂର୍ବରୁ ପୁରୀ, ଭୁବନେଶ୍ୱରରେ ବ୍ୟାପକ ଭାବେ ଏବଂ କଟକରେ ସାମାନ୍ୟ ଭାବେ ପରିବ୍ୟାପ୍ତ ଥିବା ଏଇ ଶିଳ୍ପ ଲୁପ୍ତପ୍ରାୟ । ଏହା ମଧ୍ୟରେ ନୀଳଗିରିର ପ୍ରସ୍ତରଶିଳ୍ପ ଥିଲା ଅତ୍ୟନ୍ତ ଲୋକପ୍ରିୟ ।
କେନ୍ଦୁମୁଣ୍ଡି ପାହାଡ଼ର ଉତ୍କୃଷ୍ଟ ଖଡ଼ିପଥର, ଝରଣାଘାଟିର ମୂଲ୍ୟବାନ ମୁଗୁନି ପଥର ତଥା ଦୁର୍ଲଭ ନୀଳ ପଥରରେ ନିର୍ମିତ ନୀଳଗିରିର ପଥୁରିବାସନ ଓ ପାଷାଣ ପ୍ରତିମା ସମଗ୍ର ଭାରତବର୍ଷରେ ଆଦୃତ ହୋଇଆସୁଥିଲା ବିଗତ କେତେ ଶହ ବର୍ଷ ଧରି । ଦିନଥିଲା, ଓଡ଼ିଶାର ଘରେ ଘରେ, ମଠମନ୍ଦିର, ଦୋକାନ ବଜାର, ଯାନିଯାତ୍ରାରେ ଦେଖିବାକୁ ମିଳୁଥିଲା ଏଇ ଅଞ୍ଚଳର କାରୁକାର୍ଯ୍ୟ ପୂର୍ଣ୍ଣ ବାସନ, ବାଟି, ଥାଳି, ଦୀପ, ଧୂପଦାନୀ, ଶିବଲିଙ୍ଗ, ନଟରାଜ ମୂର୍ତ୍ତି, ଯୁଗଳ ରାଧାକୃଷ୍ଣଙ୍କ ମୂର୍ତ୍ତି ଭଳି ବହୁ ମନଲୋଭା କଳାକୃତି । ଏକଦା ଏଇ ନୀଳଗିରି ଥିଲା ପଥର ଖୋଦେଇ ଶିଳ୍ପର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର । ସ୍ଥାନୀୟ ସ୍ଥପତିଗଣ ଏଠାକାର କୃଷ୍ଣ, ନୀଳ, ଲୋହିତ ବର୍ଣ୍ଣର ଶିଳାରେ ଗଢୁଥିଲେ ଜୀବନ୍ତ କମନୀୟ ମୂର୍ତ୍ତି ଓ ଚିକ୍କଣ ସୁନ୍ଦର ବାସନସାମଗ୍ରୀ । ସେମାନଙ୍କ ସୂକ୍ଷ୍ମ କଳାଚାତୁରୀରେ ମୁଗ୍ଧ ହେଉଥିଲେ ଦର୍ଶନାର୍ଥୀ ତଥା ଗ୍ରାହକ । ନୀଳଗିରି ପର୍ବତର ପାଦଦେଶରେ, ନୀଳ ସବୁଜିମାର ବେଷ୍ଟନୀ ଭିତରେ ଗଢ଼ି ଉଠିଥିଲା କାରିଗରମାନଙ୍କର ଉପନିବେଶ । ସେମାନଙ୍କ ନିହାଣର ନିନାଦରେ ପ୍ରକମ୍ପିତ ହେଉଥିଲା ନୀଳଗିରିର ଗିରିକନ୍ଦର ।
ଆଜି ସେ ନୀଳଗିରି ନାହିଁ କି ସେ କାରିଗର ମଧ୍ୟ ନାହାଁନ୍ତି । ନିକଟସ୍ଥ ଅଯୋଧ୍ୟା, ସଜନାଗଡ, ସନ୍ତରାଗଡିଆ, ମିତ୍ରପୁର, ସାଆଁଳପୁର ଆଦି ଗ୍ରାମର ବିନ୍ଧାଣିମାନେ ଏହି ବୃତ୍ତିକୁ ଛାଡ଼ି ଦେଇଛନ୍ତି କେଉଁ କାଳରୁ । ଆଧୁନିକ ସଭ୍ୟତାର କବଳିତ ଆଜି ସମଗ୍ର ଅଞ୍ଚଳ ! ଦିନେ ଶିକାର ବଳୟ ଥିବା ଏଇ ଅଞ୍ଚଳ ଗତ ଶତାବ୍ଦୀରୁ ପରିଣତ ହୋଇଛି ସାମରିକ ବିଭାଗର ସୁରକ୍ଷା ବଳୟ ! ନିଷିଦ୍ଧ ହୋଇଯାଇଛି କଳାର କରାମତି । ତେବେ ପାହାଡଠୁଁ ଦୂରରେ ନିରବ ନିକାଞ୍ଚନ ପଲ୍ଲୀକେତୋଟିରେ କାଁ ଭାଁ ବଞ୍ଚିରହିଛି ଏଇ ପ୍ରସ୍ତର ଖୋଦେଇ ଶିଳ୍ପ । ହାତଗଣତି କେତୋଟି ପରିବାର ପୁରୁଷାନୁକ୍ରମେ ପଥର ସହିତ ପଥର ହୋଇ ଗଢ଼ି ଚାଲିଛନ୍ତି ସେମାନଙ୍କ କଳାନୈପୁଣ୍ୟ, ଶିଳା ଦେହରେ, ନୀଳଗିରିର ଟେକ ବଜାୟ ରଖି ! ସେଇ ମହାସ୍ଥପତିମାନଙ୍କର ନିହାଣଶବ୍ଦ ଆଜି ସବୁ ବିରୋଧାଭାସ, ସରକାରୀ କଳର ସ୍ଥାଣୁତା, ଶିଳାଶିଳ୍ପ ସମବାୟ ସମିତିର ଅପାରଗତା, ରାଜଧାନିଆ ଦଲାଲଙ୍କର ନିର୍ଲଜ ଲୋଭପଣର ଆସ୍ତରଣକୁ ବିଦାରି ଛଟପଟ ହୋଇ ଅସ୍ତିତ୍ବ ପ୍ରକାଶ କରୁଛି କେବଳ ।
ନୀଳଗିରିର ସ୍ଥପତି ଆଜି ମୁଣ୍ଡରେ ମୁଣ୍ଡାଇ ନିଜ ଶିଳ୍ପସାମଗ୍ରୀକୁ ଆଖପାଖର ମେଳାମଉଛବରେ ବିକ୍ରୀ କରୁଛି ସିନା, କିନ୍ତୁ ନୀଳଗିରିର ସେଇ ଅନନ୍ୟ ପ୍ରସ୍ତରଶିଳ୍ପ ଆଜି କଟକ, ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବନାରସ, ମୁମ୍ବାଇ, କାନପୁର, ଦିଲ୍ଲୀ, ଲଣ୍ଡନ ଆଦି ମହାନଗରୀମାନଙ୍କର ବାଟ ହୁଡ଼ି ଯାଇଛି ।
ପଥରରେ ପ୍ରାଣ ଭରି ଦେଉଥିବା ନୀଳଗିରିର ପଥୁରିବାସନ ଶିଳ୍ପୀ ଆଜି ସମୟଚକ୍ରରେ ପରାହତ ! ପାଷାଣଶିଳ୍ପ ଆଜି ମୃତ ! ସ୍ଥାପତ୍ୟର ପ୍ରେରଣାପ୍ରଦ ପୃଥିବୀରେ ପ୍ରତାରଣାର ପଦାଘାତ ସହି ସହି ସେଇ ମହାନ ଶିଳ୍ପକଳା ଆଜି ହଜି ହଜି ଯାଉଛି କାଳଗର୍ଭରେ ! ନିରବିଆସୁଛି ନୀଳଗିରିର ନିହାଣ ଶବ୍ଦ !
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago