ଲେଖା: ତ୍ରିଲୋଚନ ସ୍ୱାଇଁ

~ ପରମହଂସନାଥ ମନ୍ଦିର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ଐତିହ୍ୟମୟୀ ନଗରୀ କଟକ, ଅଭିନଵ ବାରଣାସୀ କଟକ l ହଜାର ବର୍ଷରୁ ଊର୍ଦ୍ଧ୍ଵ କାହିଁ କେତେ ପୁରୁଣା ସହର, ଓଡ଼ିଶାର ପ୍ରାଣକେନ୍ଦ୍ର କଟକ l ଛାତି ତଳେ ଅନେକ ଇତିହାସ, କେତେ ଯେ ଜୟପରାଜୟ, ଉତ୍ଥାନପତନ, ଶୌର୍ଯ୍ୟବୀର୍ଯ୍ୟ, ଆବେଗ ଅନୁରାଗ, ଆଘାତ ସାଙ୍ଘାତର ମୁକସାକ୍ଷୀ ପ୍ରାଣବନ୍ତ ଏହି କଟକ l ନୃପ କେଶରୀ, ମର୍କତ କେଶରୀ, ସ୍ଥପତି ବାଇଧର ମୁଣ୍ଡି, ଗଙ୍ଗ ଗଜପତି, ମୋଗଲ ମରାଠା ଓ ବ୍ରିଟିଶ ଖିରସ୍ତାନି ସଭିଙ୍କ ଆଦର ଏ କଟକ ନଗର l
ସଭ୍ୟତାର ତାଳେ ତାଳେ ଏଇ କଟକ ମାଟିରେ ବିଭିନ୍ନ ରାଜନ୍ୟବର୍ଗଙ୍କ ଶାସନ କାଳରେ ଗଢ଼ି ଉଠିଥିଲା ଅନେକ କୀର୍ତ୍ତିରାଜି, ଯାହାକି କାଳର କରାଳ ସ୍ରୋତରେ ହୋଇଛି ଧ୍ବଂସପ୍ରାପ୍ତ l କଟକ ସହରରେ ବାରବାଟୀ ଦୁର୍ଗଓ ପୁରୀଘାଟ ନିକଟ କାଠଯୋଡ଼ି କୂଳରେ ଥିବା ବାଈମୁଣ୍ଡିଙ୍କ ସମୟର ପ୍ରାଚୀନ ପଥରବନ୍ଧ ବୁରୁଜ ବ୍ୟତୀତ ଅନ୍ୟ କୌଣସି ପ୍ରାଚୀନ ନିର୍ମାଣ ଦେଖିବାକୁ ମିଳେନା l ମାତ୍ର ସହର ଉପକଣ୍ଠରେ କେତେକ ପ୍ରାଚୀନ ମନ୍ଦିର ଦେଖିବାକୁ ମିଳେ l ସେଥି ମଧ୍ୟରେ ଅନ୍ୟତମ ହେଉଛି, କଟକ ସହରଠାରୁ ଅନତି ଦୂରରେ ଥିବା ଶ୍ରୀ ପରମହଂସନାଥ ମନ୍ଦିର l
ଜଗତସିଂହପୁରରୁ କଟକ ଓ କଟକରୁ ଜଗତସିଂହପୁର ଯିବା ଆସିବା ରାସ୍ତାରେ କଟକ ଓଏମପି ଛକରେ ଏହି ମନ୍ଦିର ସମ୍ପର୍କିତ ଦିଗ ନିର୍ଦ୍ଦେଶ ସୂଚନା ଫଳକଟି ଅନେକ ଥର ଆଖିରେ ପଡ଼ିଥିଲେ ମଧ୍ୟ ସେଠାକୁ ଯିବାର ସୁଯୋଗ ଜୁଟି ନଥିଲା l ମାତ୍ର ସୌଭାଗ୍ୟକ୍ରମେ ପରମହଂସନାଥଙ୍କୁ ଦର୍ଶନର ସୌଭାଗ୍ୟ ଆଜି ପ୍ରାପ୍ତ ହୋଇଥିଲା l
କଟକ ଓଏମପି ଛକରୁ ବିରିବାଟି ଓ ବିରିବାଟିରୁ ଦକ୍ଷିଣ ଦିଗରେ ଅଳ୍ପ କିଛିବାଟ ଅତିକ୍ରାନ୍ତ କଲା ପରେ ପଡ଼ିବ ପ୍ରାଚୀନ ପରମହଂସନାଥ ମନ୍ଦିର l କଟକ ନୂଆବଜାର ନିକଟ ତାଳଦଣ୍ଡା କେନାଲର ଦକ୍ଷିଣପାର୍ଶ୍ୱ ରାସ୍ତାରେ ମାତ୍ର ପାଞ୍ଚ ଛଅ କିଲୋମିଟର ପଥ ଅତିକ୍ରମ କରି କାଠଯୋଡ଼ି ନଦୀ କୂଳେ କୂଳେ ଗଲେ ପରମହଂସନାଥ ମନ୍ଦିର ନିକଟରେ ପହଞ୍ଚି ହେବ l
କାଠଯୋଡ଼ି ନଦୀ ବନ୍ଧ ଉପରୁ ସୁଉଚ୍ଚ ପରମହଂସନାଥଙ୍କ ସୁଉଚ୍ଚ ମନ୍ଦିରର ଭଵ୍ୟତା ଓ ପ୍ରଥମ ଦର୍ଶନରେ ମନ୍ଦିର ଅଁଳାବେଢ଼ାର ସୁନ୍ଦରତା ଯେ କୌଣସି ମଣିଷର ମନକୁ ମୋହିନେବ l ସ୍ଥାନୀୟ ଲୋକେ କୁହନ୍ତି ଏହି ମନ୍ଦିରଟି “ଉଭା ଯେତେ ପୋତା ସେତେ” ଅର୍ଥାତ ଭୂମି ପତ୍ତନରୁ ମନ୍ଦିର ଉଚ୍ଚତା ଯେତିକି ମାଟି ତଳେ ମଧ୍ୟ ମନ୍ଦିରଟି ସେତିକି ପୋତି ହୋଇ ରହିଛି l ମନ୍ଦିରଟିର ଉଚ୍ଚତା ପାଖାପାଖି ସତୁରି ବା ଅଶି ଫୁଟ ହେବ l
ଏହିପରମହଂସନାଥ ମନ୍ଦିର ପଞ୍ଚଦଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ନିର୍ମାଣ ହୋଇଥିବା କୁହାଯାଏ l ପଞ୍ଚରଥ ଶୈଳୀରେ ନିର୍ମିତ ମନ୍ଦିରଟିର ରେଖ ବିମାନ, ପୀଢ଼ ଶୈଳୀର ଜଗମୋହନ ଓ ଆୟତାକାର ସମତଳ ଛାତ ବିଶିଷ୍ଟ ଭୋଗମଣ୍ଡପ ରହିଛି l ମନ୍ଦିର ସମ୍ମୁଖରେ ଏକ ବିରାଟ ନାଟମଣ୍ଡପ ରହିଛି, ଯେଉଁଠାରେ ପ୍ରତ୍ୟେକ ବର୍ଷ ରାମଲୀଳା ଆୟୋଜନ ହୋଇଥାଏ l ମନ୍ଦିର ଗର୍ଭଗୃହରେ ଆଶୁତୋଷ ମହାଦେବ ଲିଙ୍ଗସ୍ୱରୂପରେ ବିରାଜମାନ କରିଥିବାବେଳେ, ମନ୍ଦିରର ପଶ୍ଚାତ ଭାଗରେ କାର୍ତ୍ତିକେୟ, ଦକ୍ଷିଣଭାଗରେ ଗଣେଶ ଓ ଉତ୍ତରଭାଗରେ ମାଆ ପାର୍ବତୀ ପାର୍ଶ୍ୱଦେବଦେବୀ ରୂପେ ବିରାଜମାନ କରିଛନ୍ତି l
ଏହି ପ୍ରାଚୀନ ମନ୍ଦିରଟି ଗଙ୍ଗଶାସକ ଦ୍ଵିତୀୟ ଅନଙ୍ଗଭୀମ ଦେବଙ୍କ ଶାସନ କାଳରେ ନିର୍ମାଣ ହୋଇଥିବା କେହିକେହି ଗବେଷକ ଉଲ୍ଲେଖ କରିଛନ୍ତି l ଅନଙ୍ଗଭୀମ ଦେବଙ୍କ ଶାସନ କାଳରେ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମଧାରାର କ୍ରମବିକାଶ ହୋଇଥିଲା l ଯାହାର ସାକ୍ଷ୍ୟ ସ୍ୱରୂପ ଏହି ମନ୍ଦିର ପରିସରରେ ଥିବା ଅନ୍ୟ ଏକ ମନ୍ଦିରରେ ଭଗବାନ ବିଷ୍ଣୁ, ଦୁର୍ଗାମାଧବ ରୂପରେ ପୂଜା ପାଉଛନ୍ତି l କଳା ମୁଗୁନି ପଥରରେ ନିର୍ମିତ ବିଷ୍ଣୁଙ୍କ ଦଣ୍ଡାୟମାନ ପ୍ରତିମାଟି ବହୁ ପ୍ରାଚୀନ, ଖୁବ୍ ସୁନ୍ଦର ଓ କମନୀୟ l ଉଭୟ ପାର୍ଶ୍ୱରେ ମହିଷାମର୍ଦ୍ଦିନୀ ଦୁର୍ଗା ଓ ଦେବୀ ଭଗବତୀ ବା ଜଗଦ୍ଧାତ୍ରୀଙ୍କ ପ୍ରତିମା ରହିଛି ଯାହାକି ତତ୍କାଳୀନ ଓଡ଼ିଶାରେ ଦୁର୍ଗାମାଧବ ଉପାସନା ପରମ୍ପରାକୁ ପ୍ରମାଣ ସିଦ୍ଧ କରେ l ଏହି ମୂର୍ତ୍ତିଟିର ନିର୍ମାଣ ଶୈଳୀକୁ ଦେଖିଲେ ଏହା ଏକ ଗଙ୍ଗ ଶାସନକାଳୀନ ନିର୍ମାଣ ହୋଇଥିବା ଅନୁମାନ କରାଯାଏ l ସେହିପରି ମନ୍ଦିର ଜଗମୋହନର ଭିତର ପାର୍ଶ୍ଵ ବାମଭାଗ କାନ୍ଥରେ ରାମ, ସୀତା ଓ ହନୁମାନଙ୍କର ବହୁ ପ୍ରାଚୀନ ଏକ ମୂର୍ତ୍ତି ଦେଖିବାକୁ ମିଳେ l
କାଠଯୋଡ଼ି କୂଳ, ବୃକ୍ଷଲତା, ନଦୀନାଳ ଘେରା ଖୁବ୍ ସୁନ୍ଦର ଏକ ପ୍ରାକୃତିକ ପରିବେଶରେଏହି ପରମହଂସନାଥ ମନ୍ଦିର ଦଣ୍ଡାୟମାନ l ନଦୀବନ୍ଧ ଉପରୁ ଛିଡ଼ାହେଲେ ସମ୍ପୂର୍ଣ୍ଣ ଦେଉଳଟିକୁ ଦେଖିହୁଏ l ବର୍ଷର ସମସ୍ତ ସୋମବାର, ଶଙ୍କରାନ୍ତି ଓ ବିଶେଷ କରି ଜାଗରଯାତ୍ରା ଶିବରାତ୍ରୀ ସମୟରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ଜନସମାଗମ ହୋଇଥାଏ l କଟକ ସହର ସନ୍ନିକଟ ହୋଇଥିବାରୁ ସେଦିନ ନିଶାର୍ଦ୍ଧରେ ମହାଦୀପ ଦର୍ଶନ ପାଇଁ ହଜାର ହଜାର ଲୋକ ମନ୍ଦିର ପରିସରରେ ଉପସ୍ଥିତ ରହିଥାନ୍ତି l ଜାଗରଯାତ୍ରା ଅବସରରେ ଏଠାରେ ତ୍ରିଦିବସୀୟ ମେଳାର ଆୟୋଜନ ହୋଇଥାଏ l ପୂର୍ବରୁ ଏହି ମେଳାରେ ନେଉଳ ଓ ଶୁଆ ଆଦି ବିକ୍ରୟ ହେଉଥିବା ଶୁଣାଯାଏ l
(ସୁନ୍ଦର ଯୁଦ୍ଧଯାତ୍ରା ବର୍ଣନା)
ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ସମ୍ପର୍କରେ ଏକ ଶୁଣାକଥା ରହିଛି l କୁହାଯାଏ ଏକଦା ଗଜପତି ଓ ପାଟରାଣୀ କାଠଯୋଡ଼ି ନଦୀରେ ନୌକା ବିହାର କରୁଥିଲେ l ଏହି ସମୟରେ ରାଣୀଙ୍କର ପ୍ରସବ ବେଦନା ହେବାରୁ ସେ ମନ୍ଦିରରେ ଆଶ୍ରୟ ନେଲେ l ଏହି ସମୟରେ ପାଟରାଣୀ ମନ୍ଦିରରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ, ଆଉ କୁହାଯାଏ, ସେ ଗଜପତି ପୁରୁଷୋତ୍ତମ ଦେବ ଓ ପାଟ ମହାଦେଈ ରୁପାମ୍ବିକା ପଦ୍ମାବତୀ… ଗର୍ଭବତୀ ବୋହୁଙ୍କ ଉଲଗ୍ନ ଶରୀର ଦେଖିବେ ନାହିଁ ବୋଲି ଲଜ୍ୟାବଶତଃ ସେଇଦିନରୁ ପ୍ରଭୁ ପାତାଳି ହୋଇଗଲେ l
© Trilochan Swain
ଗ୍ରାମ ପରମହଂସ, ବିରିବାଟି, ଜିଲ୍ଲା, କଟକ, ଓଡ଼ିଶା

 

 

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago