ଲେଖା: ମିହିର ପଟ୍ଟନାୟକ
ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। କେବଳ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ପ୍ରଭୁଙ୍କୁ ବର୍ଷକୁ ଗୋଟିଏ ଥର ପଦ୍ମବେଶରେ ସଜ୍ଜିତ କରାଯାଏ। ସେଇ ରାତିରେ କାଳିଆ ଠାକୁରଙ୍କ ନିତ୍ୟ ବଡ଼ସିଂହାର ବେଶ ହୁଏନାହିଁ। ପଦ୍ମବେଶରେ ରହି ରାତ୍ର ପହୁଡ଼ ହୁଏ।
~ ବେଶର ଇତିହାସ ~
ସପ୍ତଦଶ ଶତାବ୍ଦୀରୁ ଏହି ବେଶ ହୋଇଆସୁଛି ବୋଲି ଗବେଷକ କୁହନ୍ତି, ଯାହାର ପ୍ରବର୍ତ୍ତକ ହେଉଛନ୍ତି ବଡଛତା ମଠର ସନ୍ଥ ରଘୁବର ଦାସ । ତାଙ୍କ ସମୟରୁ ହିଁ ଏହି ବେଶର ସମସ୍ତ ଖର୍ଚ୍ଚ ମଠ ବହନ କରି ଆସୁଛି।

~ ବେଶପଛର କାହାଣୀ ~
ଉତ୍ତର ଭାରତର ସନ୍ଥ ମନୋହର ଦାସ। ଶ୍ରୀଜୀଉ ଦର୍ଶନ ପାଇଁ ମାଇଲ ମାଇଲ ଦୂରରୁ ଆସୁଥାନ୍ତି ପୁରୀ। ବାଟରେ ପଦ୍ମ ପୋଖରୀ ଦେଖନ୍ତି। ଶୀତ ଦିନେ ପଦ୍ମ ପୋଖରୀ ପୁଷ୍ପ ପୂର୍ଣ୍ଣ ହୋଇପଡିଥିବାରୁ ସେ ଆଶ୍ଚର୍ଯ୍ୟ ହୁଅନ୍ତି। ଓ ମହାପ୍ରଭୁଙ୍କ ନିମିତ୍ତ ପଦ୍ମ ତୋଳି ଦିଅନ୍ତି। ନିଜ ଅଙ୍ଗବସ୍ତ୍ରରେ ଗୁଡ଼ାଇ ଏହାକୁ ଧରି ବାବାଜୀ ଚାଲନ୍ତି ଶ୍ରୀକ୍ଷେତ୍ର। ହେଲେ ପହଞ୍ଚୁ ପହଞ୍ଚୁ ବିଳମ୍ବ ହେବାରୁ ମଉଳି ଯାଏ ପଦ୍ମଫୁଲ। ସେବକଗଣ ଏହି ଫୁଲ ଲାଗି ହେବା ସମ୍ଭବ ନୁହେଁ କହି ଫିଙ୍ଗି ଦିଅନ୍ତି। ଦୁଃଖରେ ମ୍ରିୟମାଣ ସାଧୁ ମୂର୍ଚ୍ଛା ଯା’ନ୍ତି ସିଂହଦ୍ୱାର ସମ୍ମୁଖରେ। ଭାବଗ୍ରାହୀ ଜଗନ୍ନାଥ ଭକ୍ତର ଦୁଃଖ ବୁଝନ୍ତି, ଆଉ ସ୍ୱପ୍ନାଦେଶ ହୁଏ ସେହି ମଉଳି ଯାଇଥିବା ପଦ୍ମ ଫୁଲରେ ଶ୍ରୀଅଙ୍ଗ ଶୃଙ୍ଗାର ପାଇଁ। ଦଉଡି ଆସନ୍ତି ଗଜପତି

ଦେଉଳ କରଣଙ୍କ ନିର୍ଦ୍ଦେଶରେ ସେହି ଦିନ ରାତିରେ ମଉଳି ଯାଇଥିବା ପଦ୍ମ ଲାଗି ହୁଅନ୍ତି ବଡଠାକୁର । ଶୁଷ୍କ ଫୁଲ ଜୀବନ ପାଏ। ଅଶ୍ରୁପାତ ହୁଏ ସାଧୁଙ୍କର। ସମସ୍ତେ ଜାଣିପାରିଲେ ମନୋହର ଦାସଙ୍କ ଭକ୍ତିରେ ଏହି ମଉଳି ଯାଇଥିବା ତିନି ଦିନ ତଳର ଫୁଲ କିପରି ପୁଣି ଥରେ ସତେଜ ହୋଇଉଠିଛି ।

ସେଇଦିନଠାରୁ ସେ ବେଶ ପଦ୍ମବେଶ ଭାବରେ ବିଖ୍ୟାତ ହେଲା । ଆରମ୍ଭ ହେଲା ପଦ୍ମବେଶର ନୂଆ ପରମ୍ପରା । ଭକ୍ତ ମନୋହର ଦାସଙ୍କ ସ୍ମୃତିରେ ବର୍ଷକୁ ଗୋଟିଏ ଦିନ ମହାପ୍ରଭୁଙ୍କୁ ପଦ୍ମବେଶରେ ସୁସଜ୍ଜିତ କରାଯାଏ । ଏହି ବେଶକୁ ପୁଷ୍ପାଳକ (ସିଂହାରୀ) ସେବକମାନଙ୍କ ଦ୍ଵାରା କରାଯାଇଥାଏ । ଏହି ବେଶ ଶେଷରେ ପ୍ରଭୁଙ୍କୁ ଅମାଲୁ (ମାଲପୁଆ) ଓ କ୍ଷୀରିଭୋଗ କରାଯାଇଥାଏ ।

ତେବେ ଶୀତଋତୁରେ ପଦ୍ମଫୁଲ ସଂଗ୍ରହ ସମ୍ଭବ ନୁହେଁ ଭାବି ବଡ଼ଛତା ମଠର ତତ୍କାଳୀନ ମହନ୍ତ ରଘୁବର ଦାସ ଆରମ୍ଭ କରନ୍ତି ଭିନ୍ନ ପରମ୍ପରା। ସୋଲ, କନା, କଇଥ ଅଠା, ରଙ୍ଗରେ ଆରମ୍ଭ ହୁଏ ବେଶ। ସେବେଠାରୁ ନିରବଚ୍ଛିନ୍ନ ଭାବେ ଏହି ବେଶ ଅନୁଷ୍ଠିତ ହେଉଛି। ଏହା ଶ୍ରୀଜୀଉଙ୍କ ଏକ ଆକର୍ଷଣୀୟ ବେଶ, ଯେଉଁଥିରେ ତିନି ଠାକୁରେ ତିନି ପ୍ରସ୍ପୁଟିତ ପଦ୍ମ ହୋଇ ରତ୍ନସିଂହାସନରେ ଛିଡା ହୋଇଥାନ୍ତି, ଏବଂ ଦୁଇ ଯୋଡ଼ା ହଂସ ପଦ୍ମରୁପୀ ମହାପ୍ରଭୁଙ୍କୁ ଚୁମ୍ବନ ଦେବା ଢଙ୍ଗରେ ରହିଥାନ୍ତି।

~ ବେଶସମୟ ~
ପ୍ରତିବର୍ଷ ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଏହି ବେଶ ହେବାର ପରମ୍ପରା। ମହାପ୍ରଭୁ କଳା କିମ୍ବା ନୀଳ ଘୋଡ଼ରେ ଥାଇ ଏହି ବେଶ ହୁଅନ୍ତି। ଏହି ବେଶ ଥାଇ ରାତ୍ର ପହୁଡ଼ ହୁଏ। ତହିଁ ପରଦିନ ସକାଳେ ମଧ୍ୟ ଏହି ବେଶ ଦର୍ଶନର ସୁଯୋଗ ଭକ୍ତଙ୍କୁ ମିଳିଥାଏ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago