~ ପତିତପାବନ ଜଗନ୍ନାଥ ମନ୍ଦିର ~

ଲେଖା: ଶ୍ରୀକାନ୍ତ ସିଂହ

“ପତିତ ଜନକୁ ଉଦ୍ଧରିବା ପାଇଁ ଉଡ଼ାଉ ଅଛ ପତାକା,
ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ ଵିପତ୍ତି କରୁଛି ଡକା ।।
ନାଶ ଗଲେ ପଛେ ଥାଉ କି କରିବା କରୁଣା ଭଣ୍ଡାର ଫେଇ,
ଦୁଖୀ ଗଲେ ନାଶ ଅର୍ଜିବା କି ଯଶ ପଛେ ଚଉବର୍ଗ ଦେଇ” ।।

ଅଷ୍ଟାଦଶ ଶତାବ୍ଦୀରେ ଲିଖିତ ନିତ୍ୟାନନ୍ଦ ଦାଶଙ୍କ ଏହି ପଦ୍ୟାବଳୀ ଏବଂ ଅଷ୍ଟାଦଶ ଶତାବ୍ଦୀରେ ପରୀକ୍ଷିତ ଦାସଙ୍କ ଦ୍ୱାରା ପତିତପାବନ ମନ୍ଦିର ନିର୍ମାଣ ପଛରେ କୌଣସି ସମ୍ପର୍କ ରହିଛି କି ନାହିଁ ତାହା ଅନୁସନ୍ଧାନର ବିଷୟବସ୍ତୁ, ମାତ୍ର ତତ୍କାଳୀନ ସମାଜରେ ପ୍ରଚଳିତ ଜାତିପ୍ରଥା ବିରୋଧରେ ସାମାଜିକ ସମରସ ସୃଷ୍ଟି କରିବାରେ ଏହା ଯେ ଗୋଟେ ଗୋଟେ ପ୍ରୟାସ ତାହା ନିରାଟ ସତ୍ୟ l

ବେଦବର୍ଣ୍ଣିତ ଚାରିବର୍ଣ୍ଣର ସକାରାତ୍ମକ ସାମାଜିକ ଆବଶ୍ୟକତାକୁ ପରବର୍ତ୍ତୀ ସମୟରେ ଯେ ଜାତିପ୍ରଥାର କଳଙ୍କିତ ରୂପରେ ଚିତ୍ରଣ ଓ ମଣିଷ ମଣିଷ ଭିତରେ ଭେଦ ଭାବର ହୀନମନ୍ୟତା ଆମ ସମାଜକୁ ବହୁମାତ୍ରାରେ ବିଭକ୍ତ ଓ କଳୁଷିତ କରିଥିଲା l ଆଉ ଏହି ସମୟରେ ଜାତିବାଦର ବିଷବୃକ୍ଷକୁ ଉପାଡ଼ି ଫୋପାଡ଼ିବା ଦିଗରେ ଅନେକ ସମାଜ ସଂସ୍କାରକ ଉଦ୍ୟମ କରିଯାଇଛନ୍ତି l ନିତ୍ୟାନନ୍ଦ ଦାଶଙ୍କ ଉପରୋକ୍ତ ପଂକ୍ତି ହେଉ ବା ପରୀକ୍ଷିତ ଦାସଙ୍କ ଦ୍ୱାରା ଅଷ୍ଟାଦଶ ଶତାବ୍ଦୀରେ କଟକ ଜିଲ୍ଲା (ଆଧୁନିକ ଜଗତସିଂହପୁର ଜିଲ୍ଲା) ବାଲିକୁଦା ଅନ୍ତର୍ଗତ ବାଲିସାହିର ପତିତପାବନ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉ, ଏହା ସେ ସମୟରେ ସମାଜ ସଂସ୍କାର ଦିଗରେ ସାଧୁ ଉଦ୍ୟମ l


ବାଲିସାହି ହାଟ ନିକଟରେ ଥିବା ଏହି ପତିତପାବନ ଜଗନ୍ନାଥ ମନ୍ଦିର ଅତି ପ୍ରାଚୀନ ମନ୍ଦିର ନ ହେଲେ ବି ପଥର ନିର୍ମିତ ଏକ ପୁରାତନ ମନ୍ଦିର ଯାହାକି ପ୍ରଚାର ଓ ପ୍ରସାର ଯୁଗରେ ସାଧାରଣ ଜନମାନସର ଆଢୁଆଳରେ ଅଳକା ନଦୀ କୂଳର ଅନତି ଦୂରରେ ସଗର୍ବେ ଦଣ୍ଡାୟମାନ l ମନ୍ଦିରର ନିର୍ମାଣ ଓ ଇତିହାସ ବହୁ ପୁରାତନ ନ ହେଲେ ବି ଅନାଲୋଚିତ l

ଜମିଦାର ପରୀକ୍ଷିତ ଦାସ ଯେ କି ପୁରୀ ଗଜପତିଙ୍କର ଜଣେ ବିଶ୍ୱସ୍ତ ପରାମର୍ଶଦାତା ଓ ପ୍ରଭୁ ଜଗନ୍ନାଥଙ୍କର ଜଣେ ପରମଭକ୍ତ ଥିଲେ l ଗଜପତିଙ୍କ ପରାମର୍ଶ କ୍ରମେ ଜମିଦାରୀ କାମରେ, ୧୮ଶହ ଖ୍ରୀଷ୍ଟାବ୍ଦରେ ସପରିବାର ପୁରୀରୁ ଆସି ଏହି ବାଲିକୁଦା ଅଞ୍ଚଳରେ ସ୍ଥାୟୀ ବାସିନ୍ଦା ରୂପେ ଅବସ୍ଥାନ କରି ରାଜକାର୍ଯ୍ୟରେ ନିୟୋଜିତ ରହିଲେ l


ସେ ସମୟରେ ପୁରୀ ଜଗନ୍ନାଥ ମନ୍ଦିରରେ ପତିତ ବା ଅସବର୍ଣ୍ଣ ଲୋକଙ୍କ ପ୍ରବେଶ ନିଷେଧ ଥିଲା l ଏହି ଅପସଂସ୍କୃତିକୁ ରାତାରାତି ଲୋପ କରାଯାଇ ପାରିବନାହିଁ ବୋଲି ରାଜା ହୃଦୟଙ୍ଗମ କରିଥିଲେ ଏଣୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇ ସେଠାରେ ସର୍ବସାଧାରଣଙ୍କ ପ୍ରବେଶ ଓ ଦର୍ଶନ କରାଇବା ଉଦେଶ୍ୟରେ ଜମିଦାରମାନଙ୍କ ସହଯୋଗରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଉଥିଲେ l

ପୁରୀରୁ ଆସି ବାଲିକୁଦାରେ ସ୍ଥାୟୀ ରହଣି କାଳରେ ଜମିଦାର ପରୀକ୍ଷିତ ଦାସ ଅଳକା ନଦୀ କୂଳରେ ଏହି ପତିତପାବନ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିଲେ l କୁହାଯାଏ ମହାନଦୀ ଓ ଏହାର ଶାଖା ନଦୀ ଅଳକାର ଜଳପଥରେ ମନ୍ଦିର ନିର୍ମାଣର ସମସ୍ତ ପଥର ଅଣାଯାଇଥିଲା l


ଯେଉଁ ପତିତ ବା ଦଳିତମାନଙ୍କ ପାଇଁ ମନ୍ଦିର ପ୍ରବେଶ ମନା ଥିଲା ସେହି କଳଙ୍କିତ ପ୍ରଥାକୁ ଦୂର କରି ପତିତଜନଙ୍କ ଉଦ୍ଧାର ପାଇଁ ପତିତପାବନ ଜଗନ୍ନାଥ ମନ୍ଦିର ନିର୍ମାଣ l ମନ୍ଦିରର ମୁଖଶାଳା, ଜଗମୋହନ ଓ ବିମାନ ଏହି ତିନୋଟି ଯାକ ବିଭାଗ ପୀଢ଼ ଶୈଳୀରେ ସମ୍ପୂର୍ଣ୍ଣ ପଥରରେ ନିର୍ମିତ l

ଏହି ମନ୍ଦିରଟି ସମ୍ପୂର୍ଣ୍ଣ ପଥରରେ ନିର୍ମିତ ହୋଇଥିଲେ ବି ବିଶେଷ କାରୁକାର୍ଯ୍ୟ ଦେଖିବାକୁ ମିଳେ ନାହିଁ l ମୁଖଶାଳାଟି ନିର୍ମାଣ ସମୟରେ ଅସମ୍ପୂର୍ଣ୍ଣ ଥିଲା ଯାହାକୁ ପରବର୍ତ୍ତୀ ସମୟରେ କିଛିଟା ଇଟା ଯୋଡ଼େଇ କରାଯାଇ ଛାତ ପକାଯାଇଛି l


ମନ୍ଦିରର ନାମ ପତିତପାବନ ଜଗନ୍ନାଥ ମନ୍ଦିର ହୋଇଥିଲେ ମଧ୍ୟ ମନ୍ଦିର ଗର୍ଭ ଗୃହରେ ପତିତପାବନ ବା ଜଗନ୍ନାଥଙ୍କ ଏକକ ମୂର୍ତ୍ତି ବଦଳରେ ଚତୁର୍ଦ୍ଧା ମୂରତିଙ୍କ ବିଗ୍ରହ ରତ୍ନସିଂହାସନରେ ବିରାଜିତ ଏବଂ ଠାକୁରଙ୍କ ବିଗ୍ରହ ଗୁଡ଼ିକ ଖୁବ ସୁନ୍ଦର l

ଏହି ମନ୍ଦିରରେ ଉଚ୍ଚନୀଚର କୌଣସି ଭେଦଭାବ ନାହିଁ l ପତିତ ଜନଙ୍କୁ ପ୍ରବେଶାଧିକାର ଦେଇ ଜମିଦାର ପରୀକ୍ଷିତ ଦାସ ସମଗ୍ର ଅଞ୍ଚଳରେ ଏକ ଉଦାହରଣ ପାଲଟିଥିଲେ l ଏହି ମନ୍ଦିରରେ ଜଣେ ସବର୍ଣ୍ଣ ବା ପତିତ, ଅସବର୍ଣ୍ଣ ଯେ କେହି ନିଜ ଇଷ୍ଟଙ୍କୁ ପୂଜା ଆରାଧନା କରିବାର ସୁଯୋଗପ୍ରାପ୍ତ କରିଥିଲେ l ମାତ୍ର ଏଠାରେ ପ୍ରଶ୍ନ ଉଠେ ପତିତ କିଏ ?? କେହି ପାପକର୍ମ କରି ପତିତ ହୁଏ ନା କେବଳ କଳୁଷିତ ପରମ୍ପରାରେ ଏକ ଜାତିର ପରିବାରରେ ଜନ୍ମ ହୋଇଥିବାରୁ ସେ ପତିତ l ଏହି ଗମ୍ଭୀର ପ୍ରଶ୍ନର ଉତ୍ତର ଆଜିବି ମିଳିପାରିନାହିଁ l


ଏହି ପତିତପାବନ ଜଗନ୍ନାଥ ମନ୍ଦିର ପରିସରରେ ଏକ ଶିବମନ୍ଦିର ମଧ୍ୟ ରହିଛି l କୁହାଯାଏ ଏହି ଶିବଲିଙ୍ଗଟି ବାରଣାସୀ ବା କାଶୀରୁ ଅଣା ଯାଇଥିବାରୁ ଏହାଙ୍କ ନାମ କାଶୀ ବିଶ୍ୱନାଥ ରଖାଯାଇଛି l ସେହିପରି ମନ୍ଦିର ପରିସରରେ ମା’ ଲକ୍ଷ୍ମୀଙ୍କ ମନ୍ଦିର ବି ରହିଛି, ଯେଉଁଠି ମାଆଙ୍କର ଏକ ସୁନ୍ଦର ମାର୍ବଲ ପଥରମୂର୍ତ୍ତି ପୂଜା ପାଉଛନ୍ତି l ସଙ୍କଟମୋଚନ ଶ୍ରୀହନୁମାନଙ୍କ ଏକ ମନ୍ଦିର ମଧ୍ୟ ରହିଛି l

ଜଗତସିଂହପୁରରୁ ବାଲିକୁଦା ଯିବା ଆସିବା ବେଳେ ହାଟ ପରିସରରେ ଥିବା ଏହି ସୁନ୍ଦର ମନ୍ଦିରଟିକୁ କେବେ ବି ଚାହିଁଲେ ଆପଣ ବୁଲି ଆସିପାରିବେ l

Balikuda Temples of Jagatsinghpur
Patitapabana Jagannath Temple
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago