ଲେଖା: ଦେଵ ତ୍ରିପାଠୀ

“ଆଉ ନିଦ୍ରାର ସମୟ ନାହିଁ, ଜଗତବ୍ୟାପୀ ଏଇ ସ୍ରୋତର ଅନୁକୂଳରେ ଯିବା ପାଇଁ ଆସ ପ୍ରସ୍ତୁତ ହେବା । xxx xxxx Sacrifice is the test of love. ଏହି ତ୍ୟାଗଶୀଳତା ଦ୍ଵାରା ଆମ୍ଭେମାନେ ସମସ୍ତଙ୍କର ହୃଦୟ ଆକର୍ଷଣ କରିପାରିବା ।

ଆମ ସମ୍ମୁଖରେ ପଡିରହିଛି ବିଶାଳ କର୍ମକ୍ଷେତ୍ର । ଏକ ପକ୍ଷରେ ନିଜର ଅତୀତକୁ ଭୁଲ ନାହିଁ; ଅନ୍ୟ ପକ୍ଷରେ ବର୍ତ୍ତମାନ ପ୍ରତି ଅନ୍ଧ ହୁଅ ନାହିଁ । ଉଭୟର ସମ୍ମିଶ୍ରଣରେ ଭାରତରେ ଏକ ଅଭିନବ ଜାତିର ଅଭ୍ୟୁତ୍ଥାନ ହେବ । ନିଜର ସମସ୍ତ ସ୍ବାର୍ଥକୁ ଦେଶର ସ୍ବାର୍ଥରେ, ଜାତିର ସ୍ବାର୍ଥରେ, ଜଗତର ସ୍ବାର୍ଥରେ ବିସର୍ଜନ କରି କର୍ମକ୍ଷେତ୍ରରେ ଜୀବନ ଉତ୍ସର୍ଗ କର . . !”

ଦେଶର ବୃହତ୍ତମ ସ୍ବାର୍ଥ ନିମିତ୍ତ ଆପଣାର ବ୍ୟକ୍ତିଗତ ସ୍ବାର୍ଥକୁ ବିସର୍ଜନ ଦେବା ନିମନ୍ତେ ଏପରି କେତେ କେତେ ଉଦବୋଧନର ପ୍ରଭାବରୁ ମୁକୁଳିବା କେଭେଁ ସହଜ ନ ଥିଲା ଯୁବସମାଜ ପକ୍ଷରେ । ତେବେ ଏପରି ପ୍ରଭାବୀ ଉଦବୋଧନ ନିଃସୃତ ହୋଇଥିଲା ଜଣେ ଜାତୀୟତାବାଦୀ ଯୁବକଙ୍କ ଲେଖନୀରୁ, ଯିଏ ଭଲ ଭାବରେ ହୃଦୟଙ୍ଗମ କରିଥିଲେ ଦେଶ ଓ ଜାତିର ସମ୍ମାନ ଓ ଗୌରବରକ୍ଷା ନିମନ୍ତେ ଜନସାଧାରଣ ଶିକ୍ଷିତ ହେବା ସଙ୍ଗେ ସଙ୍ଗେ ଜନ୍ମଭୂମି ପାଇଁ ତ୍ୟାଗ ବରଣ କରିବାକୁ ପ୍ରସ୍ତୁତ ହେବା ଦରକାର ।

ବୋଧହୁଏ ଏଇ ଚିନ୍ତନ ଓ ପ୍ରେରଣା ଯୋଗୁଁ ସେ ନୀତିନିଷ୍ଠ, ସତ୍ୟନିଷ୍ଠ, କର୍ମଯୋଗୀ, ପ୍ରାଜ୍ଞ, ସୁପଣ୍ଡିତ ତଥା ଆର୍ଷ ବ୍ୟକ୍ତିତ୍ଵର ଅଧିକାରୀ ସାଧୁଯୁବକ ଜଣକ ଥିଲେ ଜଣେ ଆଦର୍ଶ ଶିକ୍ଷକ । ତାଙ୍କରି ବିରଳ ସାଧନାର ସ୍ବର୍ଗ ସେଇ ଆଶ୍ରମରେ ଥିଲା ଶିକ୍ଷାର ମୌଳିକ ମନ୍ତ୍ରରେ ଆତ୍ମିକ ବିକାଶ ପାଇଁ ଅପରିସୀମ ସ୍ବାଧୀନତା । ସେଇ ଋଷିପ୍ରତିମ ଜ୍ଞାନୀଯୁବକଙ୍କ ଚିରନ୍ତନ ଜ୍ଞାନ, ପ୍ରଜ୍ଞା ଓ ଧୀଶକ୍ତିର ସେଇ ପୂଣ୍ୟଭୂମିରେ ଶିକ୍ଷାର୍ଥୀ ମାନେ ପରିଣତ ହେଉଥିଲେ ଜୀବନ୍ତବୋମାରେ । ବିଦ୍ୟାର ପ୍ରାୟୋଗିକ ପରୀକ୍ଷାଗାରର ସେଇ ଗୁରୁଙ୍କ ଜାତୀୟତାବୋଧର ପ୍ରଭାବ ଓ ପ୍ରେରଣାରେ ପରିପୁଷ୍ଟ ସେଇ ‘ଜୀବନ୍ତବୋମା’ମାନ ପରିଣତ ହେଉଥିଲେ ଜାତୀୟ ପ୍ରଗତିର ଜଣେ ଜଣେ ବାହକ, ଭାରତୀୟ ମୁକ୍ତି ସଂଗ୍ରାମର ଜଣେ ଜଣେ ନିର୍ଭୀକ ସୈନିକ !

ବକୁଳ ବନର ସେଇ ସତ୍ୟସାଧକ, ଆର୍ତ୍ତଜନର ସହାୟ, ଜାତୀୟ ପ୍ରଗତି ରଥର ଅନ୍ୟତମ ସାରଥୀ; ଯାହାଙ୍କ ମହତ୍ତ୍ଵ, ବ୍ୟକ୍ତିତ୍ବ, ମାନବିକତା ଓ ଆତ୍ମଚିନ୍ତନ ଚିରଅମ୍ଳାନ ଓ ଚିରଭାସ୍ୱର, ସେବାରେ ଯାହାଙ୍କର ସାରା ଜୀବନ ଉତ୍ସର୍ଗୀକୃତ ଓ ସମର୍ପିତ; ସେଇ କର୍ମଯୋଗୀ ମାନବବାଦୀ ପୁଣ୍ୟାତ୍ମା ଥିଲେ ସତ୍ୟବାଦୀ ପଞ୍ଚସଖା ପଣ୍ଡିତ କୃପାସିନ୍ଧୁ ମିଶ୍ର

ସୁପଣ୍ଡିତ, ନୀତିନିଷ୍ଠ, ହୃଦୟବାନ ମହାମାନବ କୃପାସିନ୍ଧୁ ଅମର ହୋଇଛନ୍ତି ତାଙ୍କର ଅନନ୍ୟ ଐତିହାସିକ ଗବେଷଣା ଓ ରଚନାସମ୍ଭାର ପାଇଁ । ଐତିହାସିକ ଗବେଷଣାକୁ ଜୀବନର ଅନ୍ୟତମ ବ୍ରତ ଭାବେ ଗ୍ରହଣ କରିଥିବା ପଣ୍ଡିତ କୃପାସିନ୍ଧୁ ମିଶ୍ର କରିଛନ୍ତି ଅନେକ ଅତୂଲ୍ୟ ଅନୁସନ୍ଧାନ ଓଡ଼ିଶାର ପ୍ରତ୍ନତତ୍ତ୍ଵକୁ ନେଇ, ଏବଂ ବିଶ୍ୱକୁ ସମର୍ପି ଦେଇଛନ୍ତି ବାରବାଟୀ ଦୁର୍ଗ, ଓଡ଼ିଶା ଇତିହାସକୋଣାର୍କ ପରି ଉଚ୍ଚକୋଟୀର ଐତିହାସିକ ଗ୍ରନ୍ଥମାନ ।

ଅନନ୍ୟ ସାହିତ୍ୟ ସ୍ରଷ୍ଟା ଭାବେ ସେ ରଚିଛନ୍ତି ପ୍ରାଚ୍ୟ ଭୂଖଣ୍ଡର ଉତ୍ଥାନ, ହିନ୍ଦୁସମାଜ ବିଧାନ, ରାଜଭକ୍ତି, ସତ୍ୟବାଦୀ, ବୃନ୍ଦାବନ ଆଦି ଉଚ୍ଚକୋଟୀର ପ୍ରବନ୍ଧମାନ । କୃପାସିନ୍ଧୁଙ୍କର ଅଧିକାଂଶ ସାହିତ୍ୟ ଇତିହାସର ପୃଷ୍ଠଭୂମିରେ ରଚିତ ହୋଇଥିଲେ ମଧ୍ୟ ସେଥିରୁ ତୀବ୍ର ଜାତୀୟତାବୋଧ ଓ ସ୍ବଦେଶ ପ୍ରେମର ବାସ୍ନା ବାରି ହୋଇପଡ଼େ । ନିଜର ଅନବଦ୍ୟ ରଚନାଗୁଡ଼ିକରେ ସେ ଉତ୍କଳର ଅତୀତ ଗୌରବଗାନ ସହ ପାଠକଙ୍କ ହୃଦୟରେ ଦୃଢ ଆତ୍ମପ୍ରତ୍ୟୟ ସୃଷ୍ଟି କରିପାରିଥିଲେ ।

ଦୁର୍ଗତ ମଣିଷ ପାଇଁ ଅବିଚଳିତ ସେବାକୁ ପଣ୍ଡିତ କୃପାସିନ୍ଧୁ ମିଶ୍ର ବରିନେଇଥିଲେ ଜୀବନର ଶ୍ରେଷ୍ଠ ଧର୍ମଭାବେ । ତାଙ୍କ ମନଗହନକୁ ଜନତାଙ୍କ ହିତବ୍ୟତୀତ ଅନ୍ୟ କିଛି ସ୍ପର୍ଶ କରି ନ ଥିଲା ।

୧୮୮୭ ମସିହା ଜୁନ୍ ୨୭ ତାରିଖରେ ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ଶାସନରେ ଧରାବତରଣ କରିଥିବା ଏହି ସାହିତ୍ୟ, ସଂସ୍କୃତିର ମହାଉଦଗାତା, ଜାତୀୟ ଜୀବନର ତୂର୍ଯ୍ୟନାଦକାରୀ ଅଗ୍ରସୈନିକ, ଅଧ୍ୟାତ୍ମ ଓ ଉଚ୍ଚ ମୂଲ୍ୟବୋଧର ଯଥାର୍ଥ ଉଦଘୋଷକ, ଶାନ୍ତ, ପ୍ରାଜ୍ଞ, ଦେବାତ୍ମାଙ୍କ ପାଦପଦ୍ମରେ କୋଟି ପ୍ରଣତି ଢାଳେ ଅନ୍ତରଙ୍ଗ କଳିଙ୍ଗ ।

ଏ ଅମୃତମୟ ମାନବ ଆଜି କେଉଁ ଦିଗରେ ଗତି କରୁଛି, ରାଷ୍ଟ୍ର ଓ ରାଷ୍ଟ୍ରୀୟ ଜୀବନକୁ କେଉଁ ଆଡ଼େ ନେଉଛି — ପୁଣ୍ୟାତ୍ମା କୃପାସିନ୍ଧୁଙ୍କ ଜୀବନ ଦର୍ଶନରୁ କିଛି ଶିକ୍ଷା ଲାଭ କରୁ, ଦେଶ, ଜାତି ଓ ବିଶ୍ୱର କଲ୍ୟାଣ କରୁ ।

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago