ଉପସ୍ଥାପନା: ଦେଵ ତ୍ରିପାଠୀ
ପଖାଳ କଂସାଏ । କି ଖରା, କି ବର୍ଷା, କି ଶୀତ — ଗରିବ, ଖଟିଖିଆ, ଚାଷୀ, ମଜୁରିଆର ହାଣ୍ଡିରେ ପଖାଳ ଗଣ୍ଡାଏ ତ ଥିବ ନିଶ୍ଚୟ । ଯେତେ ରାତିରେ ଘରକୁ କୁଣିଆମଇତ୍ର ଆସନ୍ତୁ, ଚିନ୍ତା ନାହିଁ । ମା’ମାନେ ପରଷି ଦେବେ ପଖାଳ କଂସାଏ । ମଲାଚୁଲିର ନିଆଁରେ ଆଳୁ କିମ୍ବା ବଡ଼ି ଦି’ଟା ପୋଡ଼ି ଦେଇ, ଓରାରୁ ଦେଶୀ ପିଆଜ ଦି’ଟା ରଗଡ଼ି ଦେଇ ବାଡ଼ି କଞ୍ଚାଲଙ୍କା ଦି’ଟା ମକଚିଦେଲେ କୁଣିଆ ପେଟଭରି ଖାଇବେ । ଶାନ୍ତିରେ ନିଃଶ୍ୱାସ ମାରିବ ଓଡ଼ିଆଣୀ ମା’ଟି ।
ଗରିବର ଅତି ଆପଣାର ଏଇ ପଖାଳ ଗଣ୍ଡିକ । ଲଗେଇ ଖାଇବାର ସେମିତି ନିହାତି ଆବଶ୍ୟକ କିଛି ନାହିଁ । ରାତି ଅଧକୁ ମାଟି ହାଣ୍ଡିରେ ଭାତରେ ପାଣି ପଶି, ଚୁଲିରେ ଆଳୁ ଦି’ଟା ତ ପଡିଥିବ । ଟାକରା ଆମ୍ବୁଲ ଫଡାଏ ହେଲେ ଉଡିଯିବ ପଖାଳ କଂସାକ । ବାଡିରେ ଶଜନା, ନେଉଟିଆ, କୋଶଳା – କେତେ କେତେ ଶାଗପତ୍ର । ଗରମ ଗରମ ଶାଗଭଜାକୁ ଲଙ୍କା ପିଆଜ ଦି’ ଟୋଳା ହେଲେ କିଏ ପଚାରେ ପରଟା ଆଳୁଦମକୁ । ସକାଳୁ ଚଷାପୁଅ ପେଟେ ବାଡେଇ ଦେଇ ବିଲକୁ ହଳ ଫିଟାଏ । ଆଜିକାଲିର ସହର ବଜାରରେ ମଜୁରି ଖଟୁଥିବା ଭାଇମାନେ ସକାଳୁ ପଖାଳ ଗଣ୍ଡାଏ ଖାଇ ଦିପହର ପାଇଁ ଟିଫିନରେ ଧରି ବାହାରି ପଢୁଛନ୍ତି ।
ଏଇ ପଖାଳ ସଭିଙ୍କ ପ୍ରିୟ । ସେଥିପାଇଁ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ପରା ଗାଇଛନ୍ତି:
“ଆସ ଜୀବନଧନ ମୋର ପଖାଳ କଂସା,
ସଜନୀ ରେ ତୋ ବିହୁନେ ଉଡିଲା ହଂସା ।”
ଆହୁରି ଯଦି ବିଲ କଙ୍କଡ଼ା ପୋଡ଼ାକୁ କଞ୍ଚାତେଲ, ପିଆଜ, କଞ୍ଚାଲଙ୍କା, ଲୁଣ – ଗରିବକୁ ସରଗ ଦେଖାଇଦିଏ । ପିତାକରାଣ୍ଡି ଶୁଖୁଆପୋଡ଼ା ହେଲେ ଗାଁ ବୋହୂଭୁଆସୁଣୀଙ୍କର ଦିନ ଦି’ପହରଟା ବେଶ୍ ଜମିଯାଏ । ଶିକାରୁ ନାନା ଜାତିର ଆଚାର ଆଣି, ତୋରାଣିରେ ଦଳି ପଖାଳ ଭୁଞ୍ଜିବାରେ ଓଡ଼ିଆ ଘରଣୀ ଅଭ୍ୟସ୍ତ ।
ଆଉ ପଖାଳରେ ଯଦି ଦହି, ଆମ୍ବକଷି ଅଦା, ଲଙ୍କାଟିକେ ଚକଟା ହୋଇଗଲା, ତେବେ ଅମୃତ ମିଳିଗଲା ବୋଲି ଜାଣ । ସାଥୀରେ ଯଦି ପୋଡ଼ାଆଳୁ ଚକଟା, ଶଜନାଛୁଇଁ ଭଜା, ପୋଇରାଇ, କଖାରୁପତ୍ର ସାରୁ ରାଇ, ପୋଟଳଭଜା, ଜହ୍ନିପୋଡା, ମସଲାଦିଆ କଲରାଭଜା ମିଳେ ତେବେ ପଖାଳଖିଆ ଜମିଲା । ଶାଗଭଜା, ବଡ଼ିଚୁରା ହେଲେ ତ ଆହୁରି ଭଲ ।
ସକାଳ ହେଲେ ଆମେ ଖୋଜୁ ବୋଉ ଅବା ଶ୍ରୀମତୀଙ୍କ ହାତବଢା ପଖାଳଗଣ୍ଡେ । ଖାଇଦେଇ ପିଲାଏ ପାଠ ପଢିଲେ କିମ୍ବା ସ୍କୁଲ ଗଲେ, ଆମ ବାହାରୁ କାମକୁ । ଖରାଦିନ କଥା ତ ନିଆରା । ଦିନରାତି ପଖାଳ । ଏବେ ସହର ବଜାର ସବୁଠି ପଖାଳ । ଖାଲି ଫରକ ମାଟିହାଣ୍ଡି, ଘଷି ଜାଳ ଆଉ ଗ୍ୟାସ୍, ଡେକଚିର । ଢିଙ୍କିକୁଟା ନାଲି ଚାଉଳର ଭାତକୁ କୂଅପାଣି ମାଟି ହାଣ୍ଡିରେ, ଘଷି ନିଆଁରେ, ଯେଉଁ ବାସନା ଟାଣିଆଣେ, ତା’ ସହରରେ କୁଆଡୁ ମିଳିବ ? ତଥାପି ଏବେ ପୁରୀରୁ ଫୁଲବାଣୀ, ବେଲପାହାଡ଼ରୁ ରାୟଗଡ ସବୁଠି ପଖାଳର ଆଦର, ଭୁବନେଶ୍ୱର କଥା ଟିକିଏ ଅଲଗା, ସେଠି ପଖାଳରେ ମାଂସଚିକେନ ବି ମିଳେ, ମିଠା ମଧ୍ୟ, ହାଇବ୍ରିଡ ପଖାଳ ! ସେ ତ ଓଡ଼ିଆର ପଖାଳ ନୁହେଁ ।
ଆମର ଚାଷଭୂଇଁ ଓଡ଼ିଶାରେ ମୁଖ୍ୟ ଖାଦ୍ୟ ଶର୍କରା ଜାତୀୟ ଭାତ, ସେଥରେ ପାଣି ମିଶି କିଛି ସମୟ ପରେ ସେଥିରେ ଇଷ୍ଟ ପରି ଅଣୁଜୀବ Fermentation ଦ୍ଵାରା ଗ୍ଲୁକୋଜ-ଇଥାଇଲ୍-ଆଲକୋହଲ ନାମକ ରାସାୟନିକ ପଦାର୍ଥ ସୃଷ୍ଟି ହୋଇଥାଏ । ଏହି ଇଥାଇଲ-ଆଲକୋହଲ ଯୋଗୁଁ ପଖାଳ ଆମ୍ବିଳା ଲାଗେ । ଏପରି ଦୀର୍ଘ ସମୟ ରହିବା ପରେ ଶର୍କରା ଅଂଶ ବେଶୀ ସେଥିରୁ କାଞ୍ଜି ପ୍ରସ୍ତୁତ କରାଯାଏ । ଖରାଦିନେ ଏହି ପ୍ରକାର ଅଣୁଜୀବମାନଙ୍କ ବୃଦ୍ଧି ଶୀଘ୍ର ହେଉଥିବାରୁ ପଖାଳ ଅଳ୍ପ ସମୟରେ ମଧ୍ୟ ଆମ୍ବିଳା ଲାଗେ । ପଖାଳ ଖାଇଲେ ଦେହର କ୍ଲାନ୍ତି ଦୂରେଇ ଯାଏ । ଶୁଖିଲା ମୁହଁ ହସନ୍ତ ଦିଶେ । ପଖାଳ ନ ଥିଲେ ଖରାଦିନେ ତାତିରୁ ନିସ୍ତାର ମିଳନ୍ତା ନାହିଁ ।
ଖରାଦିନେ କାଞ୍ଜି, ତୋରାଣି ଆଦି ପିଇବା ପାଇଁ ଡାକ୍ତରମାନେ ତାଗିଦ କଲେଣି । ଗୋପାଳପୁର ପରି ସମୁଦ୍ରକୁଳିଆ ସହର ଗୁଡିକୁ ଛାଡ଼ିଦେଲେ ରାଜ୍ୟର ସହରମାନଙ୍କରେ ଯେପରି ଗ୍ରୀଷ୍ମ ପ୍ରବାହ ହୁଏ, ସେଥିରେ ଗରିବଠୁଁ ବଡଲୋକଯାଏଁ ପଖାଳକଂସା ନ ଧରିଲେ ତ୍ରାହି ନାହିଁ । ଗାଁ ଗହଳିରେ ସିନା ଏବେକୁ ଥଣ୍ଡାପାନୀୟର ପସରା ମେଲୁଛି, ତଥାପି ଅଧିକାଂଶ ଗରିବଗୁରୁବାଙ୍କ ପାଇଁ ଥଣ୍ଡା ପାଣି କହିଲେ ତୋରାଣି ମୁନ୍ଦିଏ । ପେଟକୁ ଥଣ୍ଡା, ମୁଣ୍ଡକୁ ବି । ପିଲା, ବୁଢ଼ାବୁଢ଼ୀ, ମରଦମାଇପେ ସଭିଏଁ ପଖାଳ କଂସାରେ ମନ ଡେରିଥା’ନ୍ତି ।
ସଙ୍ଗୀତ ସୁଧାକର ଆହୁରି ମଧ୍ୟ ଗାଇଯାଇଛନ୍ତି:
“ବହିଲାଣି ଅନା ସଖି ଝଞ୍ଜା ପବନ,
ଅଠା ମାରି ଗଲା ତୁଣ୍ଡ ଯାଏ ଜୀବନ,
ତୋ’ ବିନେ ପଖାଳ ଗୋ ଫାଟିଲା କପାଳ ଗୋ,
ତୋରାଣି ସାଥୀରେ ମିଶି ହର ମୋ ତୃଷା . . ।”
ପଖାଳ କଂସା ଓଡ଼ିଆର ଜୀବନଧନ । ସାହାଭରସା । ପାଖରେ କଉଡିଟିଏ ନ ଥାଉ, ଘୁମରେ ଯଦି ଚାଉଳ ଅଛି, ଓଡିଆର ପେଟ ଅପୂରା ରହିବ ନାହିଁ । ଏବେ ଯୁଗ ବଦଳିଲାଣି ଅବଶ୍ୟ । ଓଡ଼ିଆଙ୍କ ହାତରେ କଞ୍ଚା ପଇସା । ତେଣୁ ଗାଁ ଗାଁରେ ସହରର ଛକ ଛକରେ ଥଣ୍ଡାପାନୀୟ, ଗରମ ପାନୀୟର ବିପଣି । ଓଡିଆଏ ଏବେ ଶୋଷ ମେଣ୍ଟାଉଛନ୍ତି ମଦରେ, ଭାଙ୍ଗରେ, ଆସ୍କାଫଟିରେ, କୋକାକୋଲାରେ ! କିନ୍ତୁ ଖାଣ୍ଟି ଓଡ଼ିଆର ପଖାଳର ସ୍ଥାନ କେହି ପୂରଣ କରି ପାରିନାହାଁନ୍ତି ।
ଶ୍ରୀମନ୍ଦିରରେ ପରା ଟଙ୍କତୋରାଣି କୁଡୁଆ କୁଡୁଆ ହାତକୁ ଦି’ହାତ ହେଉଛି । ଆମ ବଳିଆ କାଳିଆ ଠାକୁରେ ପରା ଦହିପଖାଳ ଶାଗଭଜା ଖାଉଛନ୍ତି । ଦାସିଆ ବାଉରୀ ପରା ପଖାଳକଂସାରେ ଶାଗଭଜା ଥୋଇ କାଳିଆର ଭ୍ରମରେ ପଡିଥିଲା । ଓଡିଆର ପ୍ରାଣ ପରା ଓଡ଼ିଆ ପଖାଳ । କୋଉ ବହୁଦେଶୀୟ କମ୍ପାନୀର ମିଠାପାଣି ତା’ ସରି ହେବ ।
ମୂଳ ଲେଖା: ସଚିତ୍ର ବିଜୟା