ଲେଖା: ନୂର ନିରଞ୍ଜନ
ଗାଙ୍ଗପୁର ରାଜ୍ୟ । ଅଧୁନା ସୁନ୍ଦରଗଡ଼ ଓ ପାନପୋଷକୁ ନେଇ ଗଠିତ ହୋଇଥିଲା ଗାଙ୍ଗପୁର ରାଜ୍ୟ। ଏହା ସେତେବେଳେ ଥିଲା ସମ୍ବଲପୁର ଅଧୀନରେ। ମାତ୍ର ୧୯୦୫ ମସିହାରେ ଏହି ରାଜ୍ୟ ଛୋଟନାଗପୁର ଅଞ୍ଚଳର ପରିସରଭୁକ୍ତ ହେଲା ଓ ଜଣେ ପଲିଟିକାଲ ଏଜେଣ୍ଟଙ୍କ ଦ୍ଵାରା ପରିଚାଳିତ ହେଲା ।
ଏହି ରାଜ୍ୟର ଅଧିକାଂଶ ଲୋକେ ଥିଲେ ଆଦିବାସୀ ସଂପ୍ରଦାୟର । ସର୍ବାଧିକ ଥିଲେ ମୁଣ୍ଡା ଓ ଓରାଓଁ । ସେମାନଙ୍କର ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। ବଣ ଜଙ୍ଗଲ ଉପରେ ପ୍ରଥମରୁ ସେମାନଙ୍କ ଅଧିକାର ରହିଛି ବୋଲି ସେମାନେ ଦାବୀ କରି ଆସୁଥିଲେ ମଧ୍ୟ ସେମାନଙ୍କ ପ୍ରତି ଉଦାସୀନ ହୋଇପଡ଼ିଥିଲେ ସରକାର ଓ ରାଜ୍ୟର ରାଜା । ଅଭାବ, ଅନାଟନ ଯୋଗୁଁ ବହୁ ନିର୍ଯ୍ୟାତନା ଭୋଗ କରିବାକୁ ପଡ଼ୁଥିଲା ସେମାନଙ୍କୁ । ପୁରୁଷ ପୁରୁଷ ଧରି ସେମାନେ ଥିଲେ ଅଶିକ୍ଷିତ । ତେଣୁ ପାଟି ଫିଟାଇବା ସମ୍ଭବ ନଥିଲା ସେମାନଙ୍କ ମଧ୍ୟରେ । ଏହାର ସବୁ ରକମର ଫାଇଦା ଉଠାଉଥିଲେ ତତ୍କାଳୀନ ଇଂରେଜ ଶାସକ ତଥା ରାଜ୍ୟର ରାଜା । ସରକାର ଓ ରାଜାଙ୍କ ମଧ୍ୟରେ ସମ୍ପର୍କ ଥିଲା ମଧୁଚନ୍ଦ୍ରିକା ସଦୃଶ ।
୧୯୩୦ ମସିହାରେ ଗାଙ୍ଗପୁରର ରାଜା ପଦରେ ଅଭିଷିକ୍ତ ହେଲେ ବୀରମିତ୍ର ପ୍ରତାପଶେଖର ଦେଓ । ସେ କିନ୍ତୁ ନାବାଳକ ଥିଲେ । ତେଣୁ ଶାସନର ଦାୟିତ୍ଵ ବହନ କଲେ ରାଣୀ ଜାନକୀରତ୍ନା । ୧୯୩୮ ମସିହାରେ ପ୍ରତାପଶେଖର ଦେଓ ମୃତ୍ୟୁ ବରଣ କଲେ । ବିଧିବିଧାନ ଅନୁସାରେ ତାଙ୍କର ସାନଭାଇ ରାଜପଦରେ ଅଭିଷିକ୍ତ ହେଲେ । ସେ ମଧ୍ୟ ଥିଲେ ନାବାଳକ । ତେଣୁ ଶାସନର ଦାୟିତ୍ଵ ନେଲେ ରାଣୀ ଜାନକୀରତ୍ନା । ଏହି ରାଣୀ ପ୍ରଜାମାନଙ୍କର କଲ୍ୟାଣମୟୀ ନଥିଲେ । ପ୍ରଜା ମଙ୍ଗଳର ଉଦାସୀନ ନାରୀ ଜଣେ ଥିଲେ ସେ !
ଏସବୁ କାରଣରୁ ରାଜ୍ୟର ଶାସନ ଡୋରି ବନ୍ଧା ପଡ଼ିଥିଲା ଇଂରେଜ ସରକାରଙ୍କ ପାଖରେ। ସମ୍ବଲପୁରର ପଲିଟିକାଲ ଏଜେଣ୍ଟଙ୍କ ଦ୍ଵାରା ପରିଚାଳିତ ହେଉଥିଲା ସମଗ୍ର ଗାଙ୍ଗପୁର । ସେତେବେଳେ ଏଜେଣ୍ଟ ଥାଆନ୍ତି କର୍ଣ୍ଣେଲ ଜି.ପି.ମରଫି । ରାଜାଙ୍କୁ ଶାସନ କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ସେ ପୋଲିସ ଫଉଜ ଓ ସୈନ୍ୟସାମନ୍ତ ପ୍ରେରଣର ଦାୟିତ୍ଵ ନେଉଥିଲେ । ମୋଟ ଉପରେ କହିବାକୁ ଗଲେ ରାଜ୍ୟର ଶାସନ ଦୁଇଟି ସ୍ଵତନ୍ତ୍ର ବ୍ୟବସ୍ଥା ଦ୍ବାରା ନିୟନ୍ତ୍ରିତ ହେଉଥିଲା । ଗୋଟିଏ ପାଖରେ ଅତ୍ୟନ୍ତ ଚତୁର ଇଂରେଜ ସରକାର ଓ ଅନ୍ୟ ପକ୍ଷରେ ରାଣୀ ଜାନକୀରତ୍ନାଙ୍କର ଅଧସ୍ତନ କାନକୁହା କର୍ମଚାରୀଗଣ । ଏଣୁ ଉଭୟଙ୍କ ମଧ୍ୟରେ ସମନ୍ୱୟ ଅଭାବ ଦେଖା ଦେଉଥିଲା । ଶାସକଙ୍କର ଅତ୍ୟାଚାର ବିରୁଦ୍ଧରେ ରାଜ୍ୟର ପ୍ରଜାମାନେ ଇଂରେଜ ସରକାରଙ୍କ ପାଖରେ ଗୁହାରି କଲେ ମଧ୍ୟ, ଅତି ଚତୁରତାର ସହ ସରକାର ଏଥିରୁ ଦୂରେଇ ରହୁଥିଲେ ।
କ୍ରମଶଃ ଅସନ୍ତୋଷ ବଢିବାରେ ଲାଗିଥିଲା । ଏହି ଅସନ୍ତୋଷ ପରବର୍ତ୍ତୀ ସମୟରେ ଆନ୍ଦୋଳନର ରୂପ ନେଇଥିଲା । ଗାଙ୍ଗପୁରର ଏହି ଚରମ ବିପର୍ଯ୍ୟୟ ସମୟରେ ଜଣେ ସ୍ଵାଧୀନଚେତା ମଣିଷଙ୍କର ଆବିର୍ଭାବ ହେଲା । ସେ ଅଗଣିତ ବନବାସୀ, ମୁଣ୍ଡା ଓ ଓରାଓଁ ମାନଙ୍କର ନେତୃତ୍ଵ ନେଲେ । ଯେଉଁ ଆଦିବାସୀ ମାନଙ୍କର ପ୍ରତିବାଦ ପାଇଁ ଭାଷା ନଥିଲା ଓ ପ୍ରତିରୋଧ ପାଇଁ ଶକ୍ତି ନଥିଲା ସେହି ଆଦିବାସୀ ସମ୍ପ୍ରଦାୟର ସମସ୍ତେ ଏକାଠି ହେଲେ ସେହି ମହାନ୍ ଯୁବକଙ୍କ ନେତୃତ୍ୱରେ। ସେହି ମହାନ୍ ଯୁବକ ଥିଲେ ନିର୍ମଳ ମୁଣ୍ଡା ।
ନିର୍ମଳ ମୁଣ୍ଡା ନେତୃତ୍ଵ ନେଇଥିଲେ ଖଜଣା ବିରୋଧୀ ଆନ୍ଦୋଳନର । ଏହାର ଅନ୍ତରାଳରେ ଥିଲା ରାଜ୍ୟର ଭୂବନ୍ଦୋବସ୍ତ । ସ୍ମରଣାତୀତ କାଳରୁ ଗାଙ୍ଗପୁର ରାଜ୍ୟରେ ଖୁଣ୍ଟିକଟା ପ୍ରଥା ପ୍ରଚଳିତ ଥିଲା । ଏହି ପ୍ରଥା ଅନୁଯାୟୀ ଆଦିବାସୀମାନେ ଜଙ୍ଗଲ ସଫାକରି ଜମିକୁ ଚାଷୋପଯୋଗୀ କରାଉଥିଲେ । ସେତେବେଳେ ସେମାନଙ୍କୁ କର ଦେବାକୁ ପଡୁ ନଥିଲା । ମାତ୍ର ୧୯୨୩, ୧୯୨୭ ଓ ୧୯୩୨ ରେ ନୂଆ ବନ୍ଦୋବସ୍ତ କରାଇ ସେହି ଜମି ଗୁଡିକ ଉପରେ ଟିକସ ଧାର୍ଯ୍ୟ କରାଯାଇଥିଲା । ପୁଣି ଅଧିକ କର ମଧ୍ୟ ବସାଗଲା । ଏହି ଭୂବନ୍ଦୋବସ୍ତ ବିରୋଧରେ ମୁଣ୍ଡାମାନେ ପଲିଟିକାଲ ଏଜେଣ୍ଟଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ତାହା ଫଳପ୍ରଦ ହୋଇପାରିଲା ନାହିଁ । ତେଣୁ ଆନ୍ଦୋଳନ ଏକ ମାତ୍ର ପନ୍ଥା ଥିଲା । ଏହି ଖଜଣା ବିରୋଧୀ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ନିର୍ମଳ ମୁଣ୍ଡା ।
ଠିକ୍ ଏହି ସମୟରେ ଓଡ଼ିଶାର ବିଭିନ୍ନ ରାଜ୍ୟରେ ପ୍ରଜାମଣ୍ଡଳ ଗଠନ କରା ଯାଉଥାଏ। ଗାଙ୍ଗପୁରରେ ପ୍ରଜାମଣ୍ଡଳ ଗଠନ କରିବା ପାଇଁ ଧନଞ୍ଜୟ ମହାନ୍ତି ନାମକ ଜଣେ ବ୍ୟକ୍ତି ନିର୍ମଳ ମୁଣ୍ଡାଙ୍କୁ ଅନୁରୋଧ କରିଥିଲେ । ମାତ୍ର ସେ ରାଜି ହୋଇନଥିଲେ । ଆଦିବାସୀମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପୂର୍ବରୁ ଅନ୍ୟ କୋଣସି ସଂସ୍ଥା ବା ଅନୁଷ୍ଠାନ ସହ ଜଡ଼ିତ ହେବେ ନାହିଁ ବୋଲି ରୋକ ଠୋକ ମନା କରିଦେଇଥିଲେ ।
ଆଦିବାସୀମାନେ ନିର୍ମଳ ମୁଣ୍ଡାଙ୍କୁ ନିଜର ନେତା ବୋଲି ଗ୍ରହଣ କରି ଆନ୍ଦୋଳନ କରିବା ପାଇଁ ଶପଥ କରିଥିଲେ । ଏହି କ୍ରମରେ ୧୯୩୯ ମସିହାରେ ନିର୍ମଳ ମୁଣ୍ଡାଙ୍କ ନେତୃତ୍ୱରେ ଗାଙ୍ଗପୁର ରାଜ୍ୟରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା । ଏହାକୁ ଆୟତ୍ତ କରିବାର ଶକ୍ତି ନଥିଲା ରାଜ ପରିବାରର ।
ଅପରପକ୍ଷରେ ମାର୍ଚ୍ଚ ମାସ ତିରିଶ ତାରିଖ ଦିନ ନିର୍ମଳ ମୁଣ୍ଡାଙ୍କ ବହୁସଂଖ୍ୟକ ସମର୍ଥକ ତାଙ୍କୁ ଆଦିବାସୀ ସମ୍ପ୍ରଦାୟର ରାଜା ବୋଲି ଘୋଷଣା କଲେ ଓ ବାଜା ବଜାଇ ଏକ ବିରାଟ ପଟୁଆରରେ ରାଜ୍ୟ ସାରା ବୁଲାଇଲେ । ଏହି ଖବର ପ୍ରଚାରିତ ହୋଇଗଲା ସମ୍ବଲପୁର ପର୍ଯ୍ୟନ୍ତ ।
୧୯୩୯ ମସିହା ଅପ୍ରେଲ ମାସ ୨୫ ତାରିଖ ଦିନ ନିର୍ମଳ ମୁଣ୍ଡାଙ୍କ ନିକଟରେ ଖବର ପହଞ୍ଚିଲା ଯେ, ସିମକୋ ଗାଆଁର (ନିର୍ମଳ ମୁଣ୍ଡାଙ୍କ ଘର) ପଡ଼ିଆରେ ଆୟୋଜିତ ହେବ ରାଜଦରବାରର ପ୍ରତିନିଧି ଓ ଇଂରେଜ ସରକାରଙ୍କ ସାହେବ ମାନଙ୍କର ଏକ ମିଳିତ ବୈଠକ । ନିର୍ମଳ ମୁଣ୍ଡା ତାଙ୍କ ଭାଇଙ୍କ ନିକଟକୁ ଗୋପନରେ ଖବର ଦେଇଥିଲେ ଯେ ସବୁ ଗ୍ରାମବାସୀ ସେଦିନ ସେହି ପଡ଼ିଆରେ ଧନୁଶର, କୁରାଢି, ଲାଠି ଓ ଅନ୍ୟ ଅସ୍ତ୍ରଶସ୍ତ୍ର ସହିତ ଯେପରି ସେଠାକୁ ଆସନ୍ତି, ତାହା ସେମାନେ ଦେଖିବେ ।
୨୫ ତାରିଖ ସକାଳ ହେଲା । ଭୋର୍ ବେଳେ ଦେଖାଗଲା ଯେ, ଆଖପାଖ ଅଞ୍ଚଳରୁ ଲୋକମାନେ ସିମକୋ ଗାଆଁ ଆଡ଼କୁ ଆଗେଇ ଚାଲିଛନ୍ତି । ପ୍ରାୟ ସାତଶହ ମୁଣ୍ଡା ହାତରେ ତୀର, କୁରାଢି, ଲାଠି ଧରି ନିର୍ମଳ ମୁଣ୍ଡାଙ୍କ ଘରକୁ ଜଗି ରହିଛନ୍ତି । ଏହି ସମୟରେ ପଲିଟିକାଲ ଏଜେଣ୍ଟଙ୍କ ସହ ଏକ ସଶସ୍ତ୍ର ବାହିନୀ ସେଠାରେ ଏକତ୍ରିତ ହୋଇ ଲଢେଇ ପାଇଁ ଅପେକ୍ଷା କରିଛନ୍ତି ।
ପଲିଟିକାଲ ଏଜେଣ୍ଟ ଜଗି ରହିଥିବା ମୁଣ୍ଡାମାନଙ୍କ ମଧ୍ୟରୁ ଚାରି ପାଞ୍ଚ ଜଣଙ୍କୁ ନିକଟକୁ ଡାକି ଚାବୁକ୍ ମାରି ପଚାରିଲେ “ତୁମ ଭିତରୁ ନିର୍ମଳ ମୁଣ୍ଡା କିଏ ? ଆମେ କେବଳ ତାକୁ ନେଇ ଫେରିଯିବୁ ।” ଏହା ଶୁଣି ସମସ୍ତେ ଏକ ସ୍ଵରରେ କହିଉଠିଲେ, “ମୁଁ ନିର୍ମଳ ମୁଣ୍ଡା , ମୁଁ ନିର୍ମଳ ମୁଣ୍ଡା, ମୁଁ ନିର୍ମଳ ମୁଣ୍ଡା ।” ପରେ ପରେ ଦୁଇ ତିନି ଜଣ ମୁଣ୍ଡା ପୋଲିସ ମାନଙ୍କୁ ଘେରିଯାଇ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଉପରେ ଲାଠି ପ୍ରହାର ଆରମ୍ଭ କରିଥିଲେ ।
ଏହି ସମୟରେ ଲେଫ୍ଟନାଣ୍ଟ ମାଗୋର ଏକ ନୂଆ ଚାଳଘର ଦେଖି ଓ ଏହା ନିର୍ମଳ ମୁଣ୍ଡାଙ୍କ ଘର ହୋଇ ପାରେ ବୋଲି ଭାବି ସେହି ଘରକୁ ପଶିଗଲେ । ବାଟରେ ଖଣ୍ଡେ ବାଉଁଶର ଅଗ୍ରଭାଗ ବାଜି ସେ ପିନ୍ଧିଥିବା ଟୋପି ଚିରି ଗଲା ଓ କପାଳରେ କ୍ଷତ ହୋଇ ରକ୍ତ ବୋହିଗଲା । ତାଙ୍କର ଏ ଅବସ୍ଥା ଦେଖି ଅନ୍ୟ ପୋଲିସ ମାନେ ଭାବିନେଲେ ଯେ, ତାଙ୍କୁ କେହି ପିଟି ଦେଇଛି, ତାଙ୍କର ଜୀବନ ସଙ୍କଟାପନ୍ନ । ସେହି ପୋଲିସ ମାନଙ୍କୁ ଏକାଠି ହେବା ପାଇଁ ଆସିଷ୍ଟାଣ୍ଟ ପଲିଟିକାଲ ଏଜେଣ୍ଟ ହୁଇସିଲ୍ ମାରିଥିଲେ । ଏହା ଗୁଳି ଚଳାଇବା ପାଇଁ ସଙ୍କେତ ନଥିଲା । କିନ୍ତୁ ପୋଲିସ ବାହିନୀ ଏହାକୁ ଗୁଳି ଚଳାଇବା ପାଇଁ ସଙ୍କେତ ଭାବି ଉପସ୍ଥିତ ଜନତାଙ୍କ ଉପରେ ଗୁଳିମାଡ଼ ଆରମ୍ଭ କରିଦେଲେ । ସଭାସ୍ଥଳୀର ତିନି ପାଖରୁ ତିନି ଚାରି ମିନିଟ ଧରି ଅବିଶ୍ରାନ୍ତ ଭାବରେ ଗୁଳି ବର୍ଷଣ ହୋଇଥିଲା । ଫଳରେ ସରକାରୀ ହିସାବ ଅନୁଯାୟୀ ୨୮ ଜଣ ମୃତ ଓ ୨୮ ଜଣ ଗୁରୁତର ଆହତ ହୋଇଥିଲେ । କିନ୍ତୁ ପ୍ରକୃତରେ ଏହା ଠାରୁ ଆହୁରି ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ବଞ୍ଚି ଯାଇଥିବା ନିର୍ମଳ ମୁଣ୍ଡାଙ୍କ ବୟାନ ଅନୁସାରେ ଏହି ଘଟଣାରେ ୪୨ ଜଣ ମୃତ ଓ ୮୨ ଜଣ ଆହତ ହୋଇଥିଲେ ।
ଏହି ଘଟଣା ପରେ ପରେ ପୋଲିସ ବାହିନୀ ପକ୍ଷରୁ ମୃତ ଲୋକମାନଙ୍କ ଶବକୁ ପାଲରେ ଗୁଡ଼ାଇ ତତକ୍ଷଣାତ୍ #ବୀରମିତ୍ରପୁରକୁ ସ୍ଥାନାନ୍ତରିତ କରାଯାଇଥିଲା ଓ ସେଠାରେ ବିଶ୍ରା କମ୍ପାନୀର ଚୂନ ଭାଟିରେ ପକାଇ ସଙ୍ଗେ ସଙ୍ଗେ ଭସ୍ମ କରି ଦିଆଯାଇଥିଲା । ତେଣୁ ସଠିକ ଭାବେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟାର ବାସ୍ତବ ଚିତ୍ର ଏ ଯାବତ ଲୁଚି ରହିଗଲା ।
ନିର୍ମଳ ମୁଣ୍ଡା ପୋଲିସ ହାତରେ ବନ୍ଦୀ ହେଲେ ଓ ଆଜୀବନ କାରାଦଣ୍ଡ ଆଦେଶ ପାଇଲେ । ସେହି ମହାନ୍ ଯୁବକଙ୍କ ମୃତ୍ୟୁ କାରାବରଣ କାଳରେ ହୋଇଥିଲା । ଗାଙ୍ଗପୁର ରାଜ୍ୟ ପାଇଁ ସେହି ୧୯୩୯ ମସିହା ଅପ୍ରେଲ ମାସ ପଚିଶ ତାରିଖ ଥିଲା ଏକ ଅଭିଶପ୍ତ ଦିବସ ଓ ଜଣେ ମହାନାୟକର ଯୁଦ୍ଧ ଯାତ୍ରାର ଶେଷଦିନ ।
ଲୋକ ଲୋଚନକୁ ଆସିପାରି ନାହାନ୍ତି ଆମର ଏହି ଜନନେତା ଏ ପର୍ଯ୍ୟନ୍ତ । ତେବେ ଇଂରେଜ ଶାସନ ଓ ରାଜତନ୍ତ୍ର ବିରୋଧରେ ନିର୍ମଳ ମୁଣ୍ଡାଙ୍କ କାର୍ଯ୍ୟ ତାଙ୍କୁ ଆଜି ଯଶୋଦେହେ ଆୟୁଷ୍ମାନ କରି ରଖିଛି ଆମର ଏଇ ଭୂଖଣ୍ଡରେ । ସେହି ମହାନ୍ ଉତ୍କଳ ପୁଅ ପାଇଁ ‘ଅନ୍ତରଙ୍ଗ କଳିଙ୍ଗ’ର ଭକ୍ତିପୂତ ପ୍ରଣାମ।
(ଆଧାର: ‘ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ’ ପୁସ୍ତକ, ଡଃ ଜଗନ୍ନାଥ ପଟ୍ଟନାୟକ)