ଲେଖା: ଦେଵ ତ୍ରିପାଠୀ
~ ନାରିକେଳ ~
ଇଏ କୋଉ ଅସିଆ କାଳର ମସିଆ କଥା !
ଥିଲେ ଜଣେ ଗ୍ରାମୀଣ ଚାରଣ କବି । ସେଇ କବିଙ୍କ ଖ୍ୟାତି ଆଉ ଲାଳିତ୍ୟମୟ ସଙ୍ଗୀତର ଧ୍ୱନି ପ୍ରତିଧ୍ୱନିତ ହେଉଥିଲା ମହୀମଣ୍ଡଳରେ। ରାଜ୍ୟର ଦୁର୍ଦ୍ଦାନ୍ତ ରାଜା ସେ ସଙ୍ଗୀତର ପ୍ରଭାବରୁ ମୁକୁଳାଇ ପାରି ନ ଥିଲେ ନିଜକୁ ! ଅବିଳମ୍ବେ କବିଙ୍କୁ ଡକାଇ ନିଜ ନାମରେ କାବ୍ୟ ଭଣିତା କରିବା ନିମନ୍ତେ ନିର୍ଦ୍ଦେଶ ଦେଲେ । ରାଜାଙ୍କ ନାମରେ ଖଣ୍ଡେ ଅଧେ କବିତା ଭଣିତା କରିବାକୁ କବି ହୁଏତ କୁଣ୍ଠାବୋଧ କରି ନ ଥାନ୍ତେ। ମାତ୍ର ଅହଙ୍କାରୀ ରାଜାଙ୍କ ନିର୍ଦ୍ଦେଶରେ ମର୍ମାହତ ଥିଲେ ସ୍ଵାଭିମାନୀ କବି ! କହିବା ବାହୁଲ୍ୟ, ରାଜାଜ୍ଞା ଅବମାନନା ପାଇଁ ଅବିଳମ୍ବେ କବିଙ୍କୁ ପ୍ରାପ୍ତ ହେଲା ଦେଶାନ୍ତର ଦଣ୍ଡ !
ଦଣ୍ଡବିଧାନ କିନ୍ତୁ ଫଳପ୍ରଦ ହେଲା କବିଙ୍କୁ ! ଦୂର ରାଇଜର ଅଗନାଅଗନି ବନସ୍ତ ରେ ତପ ସାଧନା କରି ସିଦ୍ଧି ଲଭିଲେ ଯୁବକବି ! ଅରଣ୍ୟର ଫଳମୂଳ ଝରଣା ଜଳରେ କ୍ଷୁଧା ତୃଷ୍ଣା ମେଣ୍ଟାଉଥିଲେ ସେଇ ସିଦ୍ଧସାଧକ ! ତାଙ୍କ ଅବସ୍ଥାନର ସମ୍ବାଦ ଅବିଳମ୍ବେ ସନ୍ନିକଟ ଗ୍ରାମାଞ୍ଚଳରେ ସଞ୍ଚାରିତ ହେଲା, ସ୍ଥାନୀୟ ଗୋପାଳକମାନଙ୍କ ଦ୍ଵାରା ! ଗ୍ରାମବାସୀଙ୍କ ସୁଖଦୁଃଖ ରେ ସମଭାଗୀ ସାଧୁଜଣକ ସହଯୋଗର ହାତ ବଢ଼ାଇଲେ ସେମାନଙ୍କ ବହୁବିଧ ଅଭିଳାଷ ପୂରଣ ଦିଗରେ ! ସାଧୁଙ୍କ ସୁଖ୍ୟାତିର ବାସ ଦିନେ ଚହଟିଗଲା ପୂର୍ବବର୍ତ୍ତୀ ଅହଙ୍କାରୀ ରାଜାଙ୍କ ଯାଏଁ !
ପୂର୍ବର ସେ ଅପମାନ ଭୁଲି ନ ଥିଲେ ରାଜା ! ଅବିଳମ୍ବେ ସାଧୁ ବାସ କରୁଥିବା କ୍ଷୁଦ୍ର ରାଜ୍ୟଟି ଉପରେ ଆରମ୍ଭ କରିଦେଲେ ଯୁଦ୍ଧାଭିଯାନ ଓ ଦମନଲୀଳା ! ସାଧୁଜଣକ ଅହଙ୍କାରୀ ରାଜାଙ୍କ ଦୁରାଭିସନ୍ଧି ହୃଦୟଙ୍ଗମ କରି ଅବିଳମ୍ବେ କୁଟୀର ପରିତ୍ୟାଗ ପୂର୍ବକ ଆତ୍ମ-ନିର୍ବାସନ ନେଲେ ସମୁଦ୍ରତଟୀୟ ଏକ ବାଲୁକାମୟ, ଗୁଳ୍ମ ସନ୍ନିବେଶିତ ଶାନ୍ତସ୍ନିଗ୍ଧ ସ୍ଥାନରେ ! ଅଗଣିତ ଭକ୍ତ ଶିଷ୍ୟଙ୍କ ତତ୍ତ୍ୱାବଧାନରେ ଏକ ସୁନ୍ଦର ତୃଣାଚ୍ଛାଦିତ କୁଟୀରରେ ବାସ କଲେ ସେ !
ପରିସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ତୀବ୍ର ଜଳାଭାବ ସେ କାଳରେ ଅନ୍ୟ ଏକ ଦୁଃସହ ସମସ୍ୟା ଭାବେ ଉଭା ହେଲା ! ଦୀର୍ଘ କେତେ ଦୂରର କ୍ଷୀଣସ୍ରୋତା ନଦୀଟି ହିଁ ଥିଲା ଆଶ୍ରମର ଅନ୍ତେବାସୀଙ୍କ ସ୍ନାନଶୌଚ ପାନୀୟ ଜଳର ଏକମାତ୍ର ଆଧାର ! ସାଧୁଙ୍କ ଅଗଣିତ ଭକ୍ତଙ୍କ ଦୟା ଅବା ସୌଜନ୍ୟରୁ ଆଶ୍ରମବାସୀଙ୍କ ପାଇଁ ଖାଦ୍ୟଶସ୍ୟର ତିଳେ ମାତ୍ର ଅଭାବ ଅନୁଭୂତ ହେଉ ନ ଥିଲେ ମଧ୍ୟ ଜଳ ମୁନ୍ଦେ ପାଇଁ ଡହଳବିକଳ ହେଉଥିଲେ ସଭିଏଁ !
ତୀବ୍ର ଜଳକଷ୍ଟ ଓ ତଜ୍ଜନିତ କ୍ଳେଶକୁ ସିଦ୍ଧସନ୍ନ୍ୟାସୀ ଅଣଦେଖା କରୁ ନ ଥିଲେ । ଶିଷ୍ୟଗଣ ବ୍ରାହ୍ମମୁହୂର୍ତ୍ତରୁ ଦୂରସ୍ଥ ନଦୀତଟକୁ ଯାଇ ସ୍ନାନକର୍ମ ସମାପନ୍ତେ ବିଳମ୍ବରେ ଜଳପୂର୍ଣ୍ଣ କଳସିମାନ ଧରି ଫେରିବା ହେତୁରୁ ଧ୍ୟାନ, ତପ ପରି ଦିବ୍ୟ କର୍ମମାନ ବିଳମ୍ବିତ ଓ ପ୍ରଭାବିତ ହେଉଥିଲା, ଏବଂ ସେଇ କ୍ଳେଶରୁ ମୁକ୍ତି ପ୍ରଦାନ ପାଇଁ ଇଛାମୃତ୍ୟୁ ବରଣ କରିବାକୁ ଘୋଷଣା କଲେ ସେ !
ଶିଷ୍ୟ ଓ ଭକ୍ତ ଗଣଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା, ମାତ୍ର ସିଦ୍ଧତପସ୍ବୀ ଥିଲେ ନିଜ ସିଦ୍ଧାନ୍ତରେ ଅଟଳ ! ଅଧିକନ୍ତୁ ତାଙ୍କ ଇଛାମତେ ଆଶ୍ରମଟି ବାଲୁକାଗର୍ଭରେ ଲୀନ ହେଲା ଏବଂ ସମାଧି ନିକଟରେ କୂପଟିଏ ସୃଷ୍ଟି ହେଲା ! ବିସ୍ମୟକର ଭାବେ ସୁମଧୁର ନିର୍ମଳଜଳ ନିର୍ଝରିତ ହେଲା ଉକ୍ତ କୂପରୁ ! ସମାଧି ସ୍ଥାନରୁ ଲମ୍ବ ପତ୍ର ମେଲାଇ ଏକ ଅଦ୍ଭୁତ ବୃକ୍ଷର ଉଦ୍ଗମ ଥିଲା ଅନ୍ୟ ଏକ ବିସ୍ମୟ !
ତପସ୍ବୀଙ୍କ କ୍ଷୀଣକାୟ ତନୁ ପରି ବୃକ୍ଷଟି ଲମ୍ବ ଆକାରରେ ବଢ଼ିବାକୁ ଲାଗିଲା ! ଧୀରେ ଧୀରେ ଜଟାଜୁଟ ଛତ୍ରପ୍ରାୟ ପତ୍ରମାନ ମେଲିବାକୁ ଲାଗିଲା ! ସନ୍ନ୍ୟାସୀଙ୍କ ମସ୍ତକ ପରି ସେ ବୃକ୍ଷରେ ବିଶାଳକାୟ ଫଳ ଧରିଲା ! ସେ ଫଳର ଅନ୍ତରସ୍ଥ ଜଳ ଥିଲା ସୁମଧୁର, ଫଳର ଶହ ଥିଲା ତତୋଧିକ ସ୍ବାଦିଷ୍ଟ ! ଦୁନିଆଁର ସର୍ବଶ୍ରେଷ୍ଠ ଫଳ ବୋଲି ବିବେଚନା କରି ସେ ଫଳକୁ ଶିଷ୍ୟ ଓ ଭକ୍ତଗଣ ନାମିତ କଲେ #ଶ୍ରୀଫଳ ଭାବେ ! ତପସ୍ୱୀଙ୍କ ସଂଘର୍ଷମୟ ଜୀବନ ପରି ଅନୁର୍ବର ବାଲୁକାଗର୍ଭରୁ ଜୀବନ ଲଭିଥିଲା ସେଇ ବୃକ୍ଷ ! ପରିପୂର୍ଣ୍ଣ ହୋଇଥିଲା ସୁମଧୁର ଜଳ ଓ ସ୍ବାଦିଷ୍ଟ ଶସରେ !
ଓଡ଼ିଆଙ୍କ ସମେତ ଅର୍ଦ୍ଧାଧିକ ଭାରତୀୟଙ୍କ ପାଇଁ #ପବିତ୍ରତମ_ଫଳ ବୋଲି ମାନ୍ୟ ହେଉଥିବା ଏଇ #ନାରିକେଳ ଫଳର ଏମନ୍ତ ଇତିହାସ ! ଏମନ୍ତ କିମ୍ବଦନ୍ତୀ ! ବିଶାଳ ଭାରତବର୍ଷର କେତୋଟି ସମୁଦ୍ରକୁଳିଆ ରାଜ୍ୟରେ ପବିତ୍ର ଓ #ଦିବ୍ୟଫଳ ରୂପେ ମାନ୍ୟ ଏଇ ନାରିକେଳ ଏପରି କେତେ ଲୋକକଥା ଅବା କିମ୍ବଦନ୍ତୀକୁ ନେଇ ମହିମାନ୍ଵିତ !
ନାରିକେଳର ମହିମାଗାନ ବେଳେ ଆଉ ଏକ ଲୋକକଥା ମଧ୍ୟ ସ୍ବତଃ ମନକୁ ଆସେ । ମହାନ ସତ୍ୟନିଷ୍ଠ ରାଜା ତ୍ରିଶଙ୍କୁ ସ୍ୱଦେହରେ ସ୍ୱର୍ଗଲୋକ ଯିବାର ଆଶା ନେଇ ଯଜ୍ଞଟିଏ କଲେ, ସଫଳ ହୋଇ ସ୍ୱର୍ଗରେ ପଦାର୍ପଣ କରନ୍ତେ ଇର୍ଷାପରାୟଣ ଇନ୍ଦ୍ର ତାଙ୍କୁ ତଡ଼ିଦେଲେ । ତେବେ ଯାହାଙ୍କ ତପପ୍ରଭାବରେ ତ୍ରିଶଙ୍କୁ ସ୍ୱର୍ଗଯାତ୍ରା କରିପାରିଥିଲେ ସେଇ ମହାମୁନି ବିଶ୍ୱାମିତ୍ର ତାଙ୍କୁ ମଧ୍ୟାକାଶରେ ଅଟକାଇ ରଖିଲେ, ତେବେ ତପର ପ୍ରଭାବରେ ରାଜା ଆଜୀବନ ସେପରି ରହି ପାରିବେ ନାହିଁ ଜାଣି ବିଶ୍ୱାମିତ୍ର ରାଜାଙ୍କୁ ଏକ କାଠଗଣ୍ଡି ଦ୍ୱାରା ଝୁଲାଇ ରଖିଲେ । ବିଶ୍ୱାସ କରାଯାଏ ଯେ ସେ କାଠଗଣ୍ଡି ହିଁ ନାରିକେଳ ଗଛର ଗଣ୍ଡି ଏବଂ ରାଜା ତ୍ରିଶଙ୍କୁଙ୍କ ମସ୍ତକ ହିଁ ଏଇ ନାରିକେଳ । ତପପ୍ରଭାବରୁ ଜାତ କାରଣରୁ ଏଇ ନାରିକେଳ ବା #ନଡ଼ିଆ ଏତେ ପବିତ୍ର ।
ଏବେ ଠାରୁ ଆମ ରାଜ୍ୟରେ ପାର୍ବଣର ଅୟମାରମ୍ଭ । ସମସ୍ତ ପୂଜାପର୍ବାଣୀରେ ଅର୍ଘ୍ୟ ଭାବରେ ଉପଯୋଗ ହୁଏ ନାରିକେଳ । ଏକୋଇଶାରୁ ଦିଅଁମଙ୍ଗୁଳା ଯାଏଁ, ଘରପ୍ରତିଷ୍ଠାରୁ ଗୁଆନିମନ୍ତ୍ରଣ ଯାଏଁ, ବିବାହ ବେଦୀରେ, ରଥ ଉପରେ, ଯେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଆଗେ ଲୋଡ଼ାହୁଏ ଏଇ “ସବୁଜ ସୁବର୍ଣ୍ଣ” ଶ୍ରୀଫଳ ନାରିକେଳ । ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଏଇ ନାରିକେଳ । ଷାଠିଏ ପଉଟି ଭୋଗ ଗ୍ରହଣ କରୁଥିବା ଓଡ଼ିଆର ପ୍ରାଣପ୍ରିୟ କାଳିଆଠାକୁରଙ୍କ ଅତିପ୍ରିୟ ଏଇ ନାରିକେଳ । ମାଟି ବା ପିତଳର ଘଡ଼ିଟି ଉପରେ ନାରିକେଳ ରଖିଦେଲେ ସେ ହୋଇଯାଏ ସର୍ବଶୁଭର ପ୍ରତୀକ, ଅଗ୍ରପୂଜ୍ୟ ଗଣପତିଙ୍କ ପ୍ରତୀକ ।
ତେବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ତୁଳନାରେ ଆମ ରାଜ୍ୟରେ ନଡ଼ିଆକୁ ନେଇ ସେତେ ବ୍ୟବସାୟିକ କାରବାର ନାହିଁ, ଦେଶର ସମୁଦାୟ ନଡ଼ିଆ ଉତ୍ପାଦନର ୮% ଉତ୍ପାଦନ ଓଡ଼ିଶାରେ ହେଉଥିବା ସ୍ଥଳେ ତନ୍ମଧ୍ୟରୁ ୭୦% କେବଳ ପୁରୀ ଓ କଟକ ଜିଲ୍ଲାରୁ ହିଁ ଅମଳ ହୋଇଥାଏ ।
ନାରିକେଳର ବହୁବିଧ ବ୍ୟବହାର, ଉପକାରିତା ଓ ଏହି ବିଶିଷ୍ଟ ଫଳର ସଂରକ୍ଷଣ ଓ ପ୍ରସାରର ଆବଶ୍ୟକତାକୁ ଅନୁଭବ କରି ସେ ବାବଦରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ୨ ଦିନଟିକୁ #ବିଶ୍ୱ_ନାରିକେଳ_ଦିବସ ଭାବରେ ପାଳନ କରାଯାଇଆସୁଅଛି ।