ନଳୁଆ କେଳା

ଲେଖା: ଦେଵ ତ୍ରିପାଠୀ
ଦିନେ ଆହତ କ୍ରୌଞ୍ଚର ବେଦନାବିଦ୍ଧ ଦୃଶ୍ୟ ମହର୍ଷି ବାଲ୍ମିକୀଙ୍କ କଣ୍ଠରେ ଭରିଥିଲା ଆର୍ଯ୍ୟଭୂମିର ଆଦ୍ୟ କବିତା; ଶରବିଦ୍ଧ ହଂସ ଗୌତମ ବୁଦ୍ଧଙ୍କୁ କରିଥିଲା ଉତ୍ତାଳ କରୁଣାରେ ଆର୍ଦ୍ର, ନିଷ୍ଠୁର ବ୍ୟାଧର ଆଚରଣରୁ ସୃଷ୍ଟି ହେଇଥିଲା ଏ ଜାତିର ମହାକାବ୍ୟ ‘ରାମାୟଣ’ ଏବଂ ଆଉ ଜଣେ ଲଭିଥିଲେ ଆଲୋକିତ ପଥର ସନ୍ଧାନ – ମହାନିର୍ବାଣ ।
ଅଥଚ, ଆକାଶ ଓ ମାଟିକୁ ଛୁଉଁଥିବା, ମୁକ୍ତି ଓ ଉଲ୍ଲାସର ସଙ୍ଗୀତ ଗାଉଥିବା, ବର୍ଣ୍ଣବିଭାମୟ ବରପୁତ୍ର ବିହଙ୍ଗମାନଙ୍କୁ ଅକ୍ତିଆର ଅବା ଶିକାର କରିବାର ବିଭତ୍ସ ଜୀବନଧାରା ବାଛି ନେଇଛନ୍ତି ପ୍ରକୃତି କୋଳର କିଛି ମଣିଷ ! ସେକଥା ଚଢ଼େଇର ଅବୁଝା କାକଳି ପରି ଚିର ରହସ୍ୟମୟ !
କଟକ-ବାଲେଶ୍ୱର ରାଜପଥରେ ପାଣିକୋଇଲିରୁ ବ୍ୟାସନଗର ରାସ୍ତାରେ ୯/୧୦କି.ମି.ର ରାସ୍ତା ! ରାସ୍ତାକଡ଼ରେ ବିହଙ୍ଗବିହୀନ ବିଦେଶୀ ବୃକ୍ଷରାଜି, ଖାଁ ଖାଁ ନିଷ୍ଫଳା ଚାଷଜମି, ଧୂଆଁଳିଆ ଦିଗବଳୟ, ନିଜ ଚାରିପାଖର କୋଳାହଳ ଭିତରେ ପଥଚାରୀ ହୁଏତ ମନେ ପକାଉଥିବ ଅବିଭକ୍ତ କଟକ ଜିଲ୍ଲାର ସେଇ ନୈସର୍ଗିକ ପ୍ରାକୃତିକ ସମୃଦ୍ଧିକୁ ! ସବୁ ଅବା ମଣିଷର ସର୍ବଗ୍ରାସୀ ଆଁ ଭିତରେ ଆଜି ହଜିଯାଇଛି ! ଦିନେ କେବେ ଏ ଅଞ୍ଚଳ ଥିଲା ଜଙ୍ଗଲ ପରିପୂର୍ଣ୍ଣ ଆଉ ନିକଟର #କୁଆଖିଆ, #ପାଣିକୋଇଲି, #ଶଙ୍ଖଚିଲା, #ହଳଦୀବସନ୍ତ ଭଳି ଗାଁ ଓ ବଜାରମାନ ! ପକ୍ଷୀଙ୍କ ନାମରେ ବିଦିତ ଗାଁ ଜନବସତି ମାନ ଲାଗୁଥିଲା ପ୍ରକୃତି ପ୍ରତି କୃତଜ୍ଞ ମଣିଷର ଭକ୍ତିପୂତ ପ୍ରଣାମ ପରି !
ସେଇ ଶଙ୍ଖଚିଲା ଗାଁରେ ବାସ କରନ୍ତି ଅସୁମାରୀ କଳା ଆଉ କୌଶଳର କରିତକର୍ମା ! କେବେ ସେମାନେ ସାପ ଖେଳାନ୍ତି ତ କେବେ #ଧୁଡ଼ୁକି ବଜାନ୍ତି, କେବେ ଅବା #ନାଉତୁମ୍ବା ! ଦଶରା ସମୟରେ ଖଣ୍ଡାପୂଜା କରନ୍ତି, #ବାଡ଼ିଖେଳ, ତରବାରୀଖେଳ ପ୍ରଦର୍ଶନ କରନ୍ତି । ଝିଅମାଇପେ #ବାଉଁଶରାଣୀ ସାଜନ୍ତି, #ଚିତା କୁଟାନ୍ତି, ପସରା ଧରି ଗାଁ ଗାଁରେ ଶଙ୍ଖା, ପାଣିକାଚ, ପାନପତ୍ର, କଣ୍ଢେଇ, ବେକମାଳି, ମନୋହରୀ ଚିଜ ବିକନ୍ତି ! (ଏବକୁ ଅବଶ୍ୟ ଏ ଦୃଶ୍ୟ ସବୁ ସାତସପନ !)
ଚିରଦୁର୍ବାର, ଦୁଃସାହସିକ ଜୀବନପଥର ଯାତ୍ରୀ ସେମାନେ ! ଅଠା, କାଠି, ନଳ ଓ ପକ୍ଷୀଙ୍କୁ ନେଇ ସେମାନଙ୍କ ଜୀବନ ଭୂଗୋଳ । ସେମାନେ #ନଳୁଆ_କେଳା ! ମହର୍ଷି ବାଲ୍ମିକୀଙ୍କ କଣ୍ଠରେ ଆର୍ଯ୍ୟଭୂମିର ଆଦ୍ୟ କବିତା ଫୁଟାଇଥିବା ସମ୍ପ୍ରଦାୟ ! ଆବହମାନ କାଳରୁ ପ୍ରକୃତି କୋଳରେ ବଢ଼ିଛନ୍ତି ସେମାନେ ! ତେବେ #ମଧୁପୁର ଗଡ଼ର ପ୍ରଜାପ୍ରେମୀ ରାଜାଙ୍କ ଶାସନରେ ସ୍ଥାପିତ ହୋଇଥିଲା ଶଙ୍ଖଚିଲା, ମଧୁବନ, ମୁଗପାଳ, ଆନ୍ଦୋଳା ଆଦି ସ୍ଥାନରେ କେଳାବସ୍ତିମାନ । ଗ୍ରାମଦେବତୀ ଖଣ୍ଡୁଳାଇଙ୍କ ପାଇଁ ରାଜା ଖୋଳାଇଥିଲେ ପଥରପାହାଚ ଘେରା ପୁଷ୍କରିଣୀଟିଏ ! ପୁଷ୍କରିଣୀ ପ୍ରତିଷ୍ଠା ଦିନ ଦ୍ଵୀପଦାଣ୍ଡି ମଥାନରେ ଉଡ଼ି ଆସି ବସିଲା ଶୁଭପକ୍ଷୀ ଶଙ୍ଖଚିଲଟିଏ ! ନଳୁଆକେଳାଙ୍କ ବସ୍ତିଟି ନାମିତ ହେଲା କ୍ରମ ଅବଲୁପ୍ତ ଦୁଷ୍ପ୍ରାପ୍ୟ ଚଢ଼େଇଟିର ନାଁରେ !
ନଳୁଆ କେଳା ! ଏକାଗ୍ରତାର ମୂର୍ତ୍ତିମନ୍ତ ସାଧକ ! ସେଥିପାଇଁ ଧ୍ୟାନଯୋଗର ଏକତମ ଗୁରୁ ରୂପେ ଉଦ୍ଧବ ଗ୍ରହଣ କରିଥିଲେ ସେମାନଙ୍କୁ ! ନଳୁଆ କେଳାର ନଖଦର୍ପଣରେ ଥାଏ ଅରଣ୍ୟର ଭୂଗୋଳ, ଋତୁଚକ୍ରର ନକ୍ସା । କେଉଁ ଅରଣ୍ୟରେ କେଉଁ ବିଶେଷ ପକ୍ଷୀର ନିବାସ, କେଉଁ ବୃକ୍ଷରେ କେଉଁ ଋତୁରେ ଫୁଲ ଫୁଟେ, ଫଳ ଧରେ; କେଉଁ ଚଢ଼େଇ କ’ଣ ଖାଇବାକୁ ଭଲ ପାଏ- ସେ ସବୁ ତା’ର ନଳଶାସ୍ତ୍ରର ମଙ୍ଗଳାଚରଣ । ଅଭ୍ୟାସ ଓ ଅନୁଭୂତିର କୌଳିକ ଚାଟଶାଳୀରେ ସେ ଆପଣାଛାଏଁ ଖଡ଼ିପାଠ ଶିଖିଯାଏ । କୋଚିଲା ଫଳ ପାଚିଲେ ନିଶ୍ଚୟ #କୋଚିଲାଖାଇ ଆସିବ; ହରଡ଼ କିଆରୀରେ ବସିବ #ହରଡ଼_ଚଢ଼େଇ; ଦେବଦାରୁ ଗହଳରେ ଫଳ ଖାଇବ #ବାଦୁଡ଼ି; ଶୁଆ ମକା ପିଜୁଳି ରଙ୍କଣା; #ଗୋବରା_ଚଢ଼େଇ କି ସୁଆଦିଆ ଲାଗେ ଜଙ୍ଗଲି ବୁଦାର କୋଳି; ପାରାକୁ ପ୍ରଲ୍ଲୁବ୍ଧ କରେ ସୋରିଷ, ମାଣ୍ଡିଆ କ୍ଷେତ; #କଜଳପାତି, ବଣି ଜଙ୍ଗଲରୁ ଖୁଣ୍ଟନ୍ତି ପୋକ !
ନଳୁଆ କେଳା ଜାଣେ ବହୁବିଧ ପକ୍ଷୀଙ୍କର କାକଳି ଓ କୁହାଟ । କେଉଁଟି ମିଳନର ଆତୁରତା ତ କେଉଁଟି ଆତଙ୍କର ଚିତ୍କାର, ପୁଣି କେଉଁ ସୁର ମନ ଉଲୁସାଏ । ସବୁ କଳରବ ଭିତରେ ପ୍ରମୂର୍ତ୍ତ ଓ ଅନତିକ୍ରମଣୀୟ ଚଢ଼େଇର ମିଳନ-କୁହାଟକୁ ଅନୁକରଣ କରି ସେ ଡାକେ ଚଢ଼େୟାଣୀକୁ, ଗଛ ତଳେ ମୁଣ୍ଡରେ ଡ଼ାଳପତ୍ର ବାନ୍ଧି ଛପି ରହିଥାଏ କେଳା ! ଯୌନଉଚ୍ଚାଟ ହୋଇ ଧାଇଁ ଆସେ ଚଢ଼େୟାଣୀ । ତେବେ ମିଳନର ଆବେଶରେ ନୁହେଁ ! ଅଠାକାଠିରେ ପକ୍ଷରେ ଛନ୍ଦି ଛଟପଟ ହୁଏ ଚଢ଼େୟାଣୀ !
ଓସ୍ତ ଗଛର ବହଳ କ୍ଷୀରରୁ ପ୍ରସ୍ତୁତ ହୁଏ ଅଠା । ବାଉଁଶ ନଳୀରେ ସଂଗୃହୀତ ଅଠାରେ ବୁଡ଼ି ରହିଥାଏ ସରୁ ସରୁ ବାଉଁଶକାଠି । ଛଡ଼ି ବାଉଁଶରୁ ପ୍ରସ୍ତୁତ ହୁଏ #ନଳ । ପ୍ରତ୍ୟେକ ଛଡ଼ି ଛ’ ଫୁଟ ଉଚ୍ଚତାର । ତେଲରେ ପଚେଇ, ନିଆଁରେ ସେକି ସେ ବାଉଁଶକୁ କରାହୁଏ ଶକ୍ତ ଓ କୀଟ-ନିରୋଧକ । ମୂଳପଟ ନଳର ରନ୍ଧ୍ର ବଡ଼ ଏବଂ ଅଗଟି ସରୁ । ମୂଳଟିକୁ ଅଧିକ ବଳିଷ୍ଠ ଓ ନିଖୁଣ କରିବାକୁ ବେତପାତିଆ ଭିଡ଼ା ହୋଇଥାଏ । ଗୋଟିଏ ନଳର ଅଗ୍ର ଭାଗରେ ଆଉ ଗୋଟିଏ ନଳର ମୂଳକୁ ଯୋଡ଼ି, ସନ୍ତର୍ପଣରେ ଯୋଖି ଯୋଖି ସୁଉଚ୍ଚ ବୃକ୍ଷର ତୀଖ ଯାଏ ଲମ୍ବାଇ ଦିଆଯାଏ, ସବା ଅଗ ବାଉଁଶ ନଳୀରେ ସଂଯୁକ୍ତ ହୋଇଥାଏ #ଅଠାକାଠି । ଗଛ ତୀଖ ଡାଳରେ ନିଶଙ୍କରେ ବସିଥାଏ ପକ୍ଷୀ, ରହି ରହି ଶୁଣାଉଥାଏ କାକଳି । ଏଣେ ନିଃଶ୍ବାସ ରୁନ୍ଧି ସନ୍ତର୍ପଣରେ ପତ୍ରର ଗହଳ ଭେଦ କରି ବଢ଼ି ଚାଲିଥାଏ ନଳ । ପକ୍ଷୀଟି ଏବେ ଅଠାକାଠିରେ ଧରା ଦେବାକୁ ବାଧ୍ୟ । କେଳା ନଳ ଯୋଖୁ ଯୋଖୁ ପକ୍ଷୀ ଯେ ତରକା ହୋଇ ଉଡ଼ି ଚାଲି ନ ଯାଏ, ତା ନୁହେଁ, କିନ୍ତୁ ପକ୍ଷୀଧରା କୌଶଳଟି ପୁନଃ ପୁନଃ ଅଭ୍ୟାସ ଉପରେ ନିର୍ଭର ରଖି କ୍ରମେ ପାଲଟିଯାଇଥାଏ ଏକ ନିପୁଣ କୁଶଳୀ ବିଦ୍ୟା । ସେହି ଧ୍ୟାନସ୍ଥ ମୁହୂର୍ଭରେ କେଳାର ଏକମାତ୍ର ଲୟ ପକ୍ଷୀ ! ପୃଥ୍ବୀର କୌଣସି ଦୃଶ୍ୟ ଓ ଶବ୍ଦ ତା’ ଆଖି, କାନ ଭେଦିପାରେ ନାହିଁ !
ଖାଲି ବାଉଁଶ ନଳ ନୁହେଁ କାଇମ ବା #କାଣ୍ଡିଆ ଏବଂ ତେଣ୍ଡା ଦ୍ଵାରା ମଧ୍ୟ ଚଢ଼େଇ ଶିକାର କରେ ନଳୁଆ କେଳା । କାଣ୍ଡିଆ ଓସ୍ତ ଅଠା ଜର୍ଜରିତ ଏକ ଗୋଜିଆ ବାଉଁଶ କାଠି । ମାଟିରେ ହାଲୁକା ଭାବେ ପୋତା ଏଇ କାଣ୍ଡିଆର ଏକ ପ୍ରାନ୍ତରେ ମୋଟାସୂତାରେ ବନ୍ଧା ହୋଇଥାଏ ଝିଣ୍ଟିକା, କଲିକତରା ଜାତୀୟ ପୋକ, ଅନ୍ୟ ପ୍ରାନ୍ତରେ ବନ୍ଧା ହୋଇଥାଏ ପଥର ଡେଣୁଆ । ଚଢ଼େଇଟି ପୋକ ଝାମ୍ପିବାକୁ ଆସି କାଣ୍ଡିଆ ଅଠାରେ ଧରାପଡ଼େ । ଡେଣୁଆର ଭାରି ଓଜନ ତା’ର ଡେଣାକୁ କରିଯିଏ ପରିଶ୍ରାନ୍ତ । ତ୍ରିଶୂଳ ଭଳି ଏକ ତେଣ୍ଟା ସାହାଯ୍ୟରେ କେଳାମାନେ ମାଛ, କଇଁଚ ମାରିବା ସହ ପକ୍ଷୀ ଶିକାର ବି କରନ୍ତି ।
ପ୍ରକୃତି ଉପରେ ସାମଗ୍ରିକ ଭାବେ ନିର୍ଭର କରି ଦିନେ ମଣିଷ ବଞ୍ଚୁଥୁଲା, ଏବେ ବି ପ୍ରକୃତିକୁ ଛାଡ଼ି ବଞ୍ଚିପାରିବ ନାହିଁ ! ପାଣି, ପବନ, ସୂର୍ଯ୍ୟାଲୋକ, ଶସ୍ୟ ସବୁ କିଛି ପ୍ରକୃତିର ବରଦାନ । ଦିନେ ଥିଲା ଭରା ଜଙ୍ଗଲ, ଭେଳା ଭେଳା ଚଢ଼େଇ, ଫସଲ କ୍ଷେତ ନଷ୍ଟ କରିବାକୁ ଆସୁଥିଲେ ସେମାନେ । ଏକ ନିର୍ଦ୍ଦିଷ୍ଟ କୌଶଳରେ ଅଭ୍ୟସ୍ତ ନଳୁଆ କେଳା ସନ୍ତର୍ପଣରେ ଚଢ଼େଇକୁ ଧରି ବିକ୍ରି କରୁଥିଲା କିମ୍ବା ନିଜେ ମାଂସ ଖାଉଥିଲା ।
ଶୀକାରୀ ହେଲେ ମଧ୍ୟ ନଳୁଆ କେଳା ଜୀଏଁ ଏକ ଶୃଙ୍ଖଳିତ ଜୀବନ ! ବସ୍ତିର ଥାଏ ଏକ ଅଲିଖିତ ଆଚରଣବିଧି ! ଗାଁର କଳିତକରାଳ ସମାଧାନ ହୁଏ ଗ୍ରାମସଭାରେ ! ପ୍ରତି ସଂକ୍ରାନ୍ତିରେ ବସ୍ତିଟି ଯାକର ଘର କେଳାଙ୍କ ପ୍ରତିନିଧି ଏକାଠି ହୁଅନ୍ତି । ଚାନ୍ଦାଭେଦା ଆଦାୟ ହୁଏ । ଗାଁରେ ପରବ ପାଳନ ହୁଏ ।
ନଳୁଆ କେଳାଙ୍କ ବଡ଼ ପରବ ଦଶରା । ପ୍ରତି ଘରେ କଳସପୂଜା । ଗାଁ ଦେବସ୍ଥାନ ପୋଖରୀକୁ କଳସଯାତ୍ରା ହୁଏ । ଚାକିରୀ, ବୃତ୍ତିରେ ଗାଁ ବାହାରେ ରହିଥିବା ଲୋକେ ଗାଁକୁ ଆସନ୍ତି l ନୂଆ ଲୁଗା ପିନ୍ଧି ଦେବୀଙ୍କୁ ଆବାହନ କରନ୍ତି । କଳସ ନ ଉଠିବା ଯାଏ କାହାରିକୁ ଭିକ୍ଷା ଦିଆଯାଏ ନାହିଁ । ତା’ ପରେ ମନ ଖୁସିରେ ଅଣ୍ଟି ଭରି ଖାଦ୍ୟ, ଭିକ୍ଷା ଓ ପଇସା ଭିକାରୀଙ୍କୁ ଦିଆଯାଏ । ଏଥିପାଇଁ ସେଦିନ ଗାଁ ବସ୍ତିରେ ଭିକାରୀଙ୍କ ଭିଡ଼ । ଶୁଭପକ୍ଷୀ #ଭଦଭଦଳିଆ ଉଡ଼ାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଏ । ପୂର୍ବରୁ ରାଜାଙ୍କ ପାଇଁ ଭଦଭଦଳିଆ ଉଡ଼ା ଯାଉଥିବାରୁ ମଧୁପୁର ଗଡ଼ର ରାଜା ଖଞ୍ଜି ଦେଇଥିଲେ କେଳାଙ୍କ ପାଇଁ ଜମି, ବସାଇଥିଲେ ବସ୍ତି ।
ଦଶରା ପର୍ବରେ ନିଜସ୍ବ-ଖଣ୍ଡାପୂଜା, ନଳପୂଜା ହୁଏ । ଏହା ବାହାରେ #ଦୁତିଆ_ଓଷା, #ପ୍ରଥମାଷ୍ଟମୀ, #ସୁଦଶାବ୍ରତ, #ଖୁଦୁରୁକୁଣୀ_ଓଷା ପରି ଖାଣ୍ଟି ଓଡ଼ିଆ ପରବ ପାଳନ୍ତି କେଳାଏ ଏବଂ କେବେ କେବେ ସତ୍ୟନାରାୟଣ ପାଲା, ଅଷ୍ଟପ୍ରହରୀ ଓ ସଂକୀର୍ତ୍ତନ ହୁଏ । ଚୈତ ପୁନେଇଁରେ ଗାଁ ଠାକୁରାଣୀଙ୍କ ପାଖରେ ଜନ୍ତାଳ ହୁଏ । ପ୍ରତ୍ୟେକେ ଗାଁ ମୁଣ୍ଡ ବରଗଛ ପାଖେ ନିଜ ନିଜ ଆସ୍ଥାନ ଜମାଇ ରୋଷାଇ କରି ଏକାଠି ପତ୍ରି ଭୋଜନରେ ମଉଜ ରଚନ୍ତି ।
ନଳୁଆ କେଳାଙ୍କର ଅଛି ଯେପରି ନିଜସ୍ୱ ଏକ ଭାଷା, ଜୀବନ ଜୀଇଁବାର ସେପରି ଏକ ବୈଚିତ୍ର୍ୟମୟ ପରିଭାଷା । ଏମାନଙ୍କ ଭାଷାରେ ପାଣିକୁଆ-ପନକୋଡ଼ି, ବାଦୁଡ଼ି-ବାଦୁର୍, ହରଡ଼ ଚଢ଼େଇ-ହରିଆଲ, କାଉ-କବା ଇତ୍ୟାଦି; ସେମିତି ନିଷ୍ଠୁର ବ୍ୟାଧର ଜୀବନ ଜୀଇଁବାର କାରଣ ମଧ୍ୟ ରହସ୍ୟମୟ !
ଆମ ଲୋକକଥାରେ ରହିଛି ନଳୁଆ କେଳାର ମାର୍ମିକ ଉପସ୍ଥିତି ! ଆମର ପଲ୍ଲିଗୀତି କହେ,
“ନଳୁଆ କେଳାରେ ନଳୁଆ କେଳା,
ନଳ ଧରି ତୁହି ବଣକୁ ପଳା,
ଚଢ଼େଇ ମାରିବୁ ମେଳାକୁ ଭେଳା ।’’
ପକ୍ଷୀକୁ କବଳିତ କରିବାର ମୁଖ୍ୟ ସରଞ୍ଜାମ ‘ଅଠାକାଠି’ ମଧ୍ୟ ପରିଚୟ ଲଭିଛି ଅନେକ ପ୍ରାଚୀନ ଓ ଆଧୁନିକ ସଙ୍ଗୀତରେ,
“ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା,
ଅଠାକାଠି ପଞ୍ଜୁରୀରେ ନ ଦିଏ ଧରା’’
ଅବା
“ପୀରତି ତୋର, ଦୂରୁ ଜୁହାର,
ଅଠାକାଠି ପରି ଲାଗୁଛି . .।”
ପ୍ରତ୍ୟେକ କୌଳିକ ବୃତ୍ତିର ମର୍ଯ୍ୟାଦା ଓ ସମ୍ମାନ ଅଛି ଏବଂ ସାମାଜିକ ଆବଶ୍ୟକତା ନେଇ ଆମେ ପ୍ରତ୍ୟେକ ଜନସମୂହର ସେବା କରୁଛେ, ନିଜ ନିଜର ଭୂମିକା ତୁଲାଇଛେ, ଆତ୍ମସମ୍ମାନ ଓ ସ୍ଵାଭିମାନର ସହ ବଞ୍ଚୁଛେ । ବଞ୍ଚିଛନ୍ତି ନଳୁଆ କେଳା ! ମାତ୍ର କୌଳିକ ବୃତ୍ତି ପ୍ରତି ହୀନମନ୍ୟତାର ସହିତ ! ହଁ, ଏବେ ସମୟ ବଦଳିଛି, ଉଭେଇ ଯାଉଛି ଅରଣ୍ୟ, ମରି ହଜି ଯାଇଛନ୍ତି ନାନା ବର୍ଣ୍ଣ, ବୈଚିତ୍ର୍ୟ ଓ କାକଳିର ଦେବସୁତଗଣ; ଯିଏ ଆମ ସକାଳକୁ କରୁଥିଲେ ସଙ୍ଗୀତମୟ, ପରିବେଶକୁ ପବିତ୍ର, ଫସଲ କ୍ଷେତକୁ କୀଟମୁକ୍ତ । ବଣର ଫଳ ଓ କୋଳି ଖାଇ ସେମାନଙ୍କ ପୁରୀଷରେ ସୃଷ୍ଟି ହେଉଥିଲା ପୃଥିବୀରେ ନୂଆ ଅରଣ୍ୟ । ଅରଣ୍ୟକୁ ଛାଡ଼ି ପକ୍ଷୀ ରହିପାରିବ ନାହିଁ- ସେ ଗଛରେ ଆଶ୍ରା ନେବ, ଡ଼ାଳରେ ବସା ବାନ୍ଧିବ, ଫଳ ଖାଇବ । ପୃଥିବୀରୁ ଏବେ ହଜିଗଲେଣି ସହସ୍ରାଧିକ ପ୍ରକାରର ପକ୍ଷୀ ! ପକ୍ଷୀ ପରି ଜାତି ଓ ବୃତ୍ତିରେ ଉଭେଇ ଯାଉଛନ୍ତି ନଳୁଆ କେଳା !
ତଥ୍ଯ ଓ ଗବେଷଣା: ପରିବେଶବିତ ଅଭୟ ସିଂହ

Leave a Comment

Your email address will not be published. Required fields are marked *

Scroll to Top