ଲେଖା: ସୁଶାନ୍ତ ସାହୁ
ଶୁଦ୍ରକବି ସାରଳା ଦାସ ମହାଭାରତର କଥାବସ୍ତୁକୁ ଉତ୍କଳୀୟତାରେ ଭରିଦେଇଛନ୍ତି। ସେ ଓଡି଼ଆ ମହାଭାରତରେ ଅନେକ ମୌଳିକ ଉପାଖ୍ୟାନ ସଂଯୋଜିତ କରିଛନ୍ତି ଯାହା ସଂସ୍କୃତ ମହାଭାରତ କିମ୍ବା ଅନ୍ୟ କୌଣସି ପୁରାଣ ଗ୍ରନ୍ଥରେ ଦେଖିବାକୁ ମିଳେନାହିଁ। ନବଗୁଞ୍ଜର ଉପାଖ୍ୟାନ ମଧ୍ୟ ଆଦିକବିଙ୍କର ସେହିପରି ଏକ ନୂତନ କଳ୍ପନା।
ଉପାଖ୍ୟାନ ଅନୁଯାୟୀ ଅଗ୍ନିଦେବଙ୍କ ଚକ୍ରାନ୍ତରେ ଦ୍ରୌପଦୀଙ୍କ କକ୍ଷ ପ୍ରବେଶ ସର୍ତ୍ତ ଭଗ୍ନ କରି ଅର୍ଜୁନ ୧୨ ବର୍ଷ ପାଇଁ ବନବାସକୁ ଚାଲିଗଲେ। ସେ ମଣିଭଦ୍ର ପର୍ବତରେ ଅବସ୍ଥାନ କରିବା ସମୟରେ ସଖା ଶ୍ରୀକୃଷ୍ଣ ତାଙ୍କୁ ଦେଖା କରିବା ପାଇଁ ଯାଇଥିଲେ। ବନ୍ଧୁସୁଲଭ ଗୁଣ ତଥା ଅର୍ଜୁନଙ୍କ ଭକ୍ତିର ପରିକ୍ଷା କରିବା ପାଇଁ କେଶବ ଏକ ଅଦ୍ଭୁତ ପ୍ରାଣୀର ସ୍ବରୂପ ଧାରଣ କଲେ। ସେହି ଅଦ୍ଭୁତ ପ୍ରାଣୀର ମୁଖଟି ଥିଲା କୁକ୍କୁଟର, ଗ୍ରୀବା ମୟୁରର, ବୃଷଭର ଚୁଳ, ସିଂହ କଟି, ସର୍ପ ଲାଞ୍ଜ, ପଛ ଦୁଇଟି ଗୋଡ଼ ମଧ୍ୟରୁ ବାମ ଗୋଡ଼ଟି ବ୍ୟାଘ୍ରର ଏବଂ ଦକ୍ଷିଣ ଗୋଡ଼ଟି ଘୋଟକର। ଆଗ ଦୁଇଟି ଗୋଡ଼ ମଧ୍ୟରୁ ବାମଟି ଥିଲା ହସ୍ତୀର ଏବଂ ଅନ୍ୟଟି ଥିଲା ଏକ ପଦ୍ମ ପୁଷ୍ପ ଧରିଥିବା ମନୁଷ୍ୟର ହସ୍ତ।
ନବଗୁଞ୍ଜରର ବିଚିତ୍ର ଋପ ଦେଖି ଅର୍ଜୁନ ପ୍ରଥମେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଥିଲେ ମଧ୍ୟ ପରେ ଏହା ବିଷ୍ନୁମାୟା ବୋଲି ବିଚାର କରି ନବଗୁଞ୍ଜରଙ୍କୁ ପ୍ରଣାମ କଲେ। କବିଙ୍କ ଲେଖନୀରୁ:-
‘ଏମନ୍ତ ସ୍ୱରୂପ ଜୀବ ମୋର ଦେଖିଲାତ ନାହିଁ
ମାୟା ସ୍ବରୂପ ପ୍ରାୟେ ଦିଶୁଅଛି ମୋତେ ୟେହି
ମାୟା ରୂପ ଅବା କମଳାର କାନ୍ତ
ମୋତେ କଷଣ କରିବାକୁ ଅବା ଅଇଲେ ପଦ୍ମନେତ୍ର’ ।।
ଯଦି ତାତ୍ତ୍ବିକ ଦୃଷ୍ଟିକୋଣରୁ ବିଚାର କରାଯାଏ ତେବେ ଏହି ନଅଗୋଟି ପ୍ରାଣୀ ହେଉଛନ୍ତି ନଅଗୋଟି ଗୁଣର ପ୍ରତୀକ। କୁକ୍କୁଟର ମୁଖ ନିରୀହତାର, ମୟୁରର ଗ୍ରୀବା ସୌନ୍ଦର୍ଯ୍ୟର, ବୃଷଭ ଚୁଳ ସୃଜନଶକ୍ତିର, ସିଂହକଟି ପରାକ୍ରମର, ସର୍ପ ଖଳତାର, ବ୍ୟାଘ୍ରପାଦ ଶକ୍ତିର, ଘୋଟକ ପାଦ ତେଜର, ହସ୍ତୀପାଦ ଜ୍ଞାନର, ମନୁଷ୍ୟର ହସ୍ତ ମାନବିକତା ତଥା ପଦ୍ମ ପୁଷ୍ପ ହେଉଛି ଭକ୍ତିର ପ୍ରତୀକ।
ମାତ୍ର ସବୁସ୍ଥାନରେ ନବଗୁଞ୍ଜରର ସ୍ବରୂପରେ ସମାନତା ନଥାଏ କେଉଁଠି ସେ ପଦ୍ମ ପୁଷ୍ପ ଧାରଣ କରିଥିବା ସ୍ଥଳେ ଅନ୍ୟ କେଉଁଠି ଚକ୍ର ଧାରଣ କରିଥିବା ଦେଖାଯାଇ ଥାଏ। ଶ୍ରୀମନ୍ଦିରର ନାଟମଣ୍ଡପରେ ଏକ ନାରୀ ମସ୍ତକ ଥିବା ନବଗୁଞ୍ଜର ଦେଖିବାକୁ ମିଳିଥାଏ।
ଗଞ୍ଜପା ପରମ୍ପରାରେ ମଧ୍ୟ ନବଗୁଞ୍ଜର ଦେଖିବାକୁ ମିଳନ୍ତି, ସାଧାରଣତଃ ପୁରୀ ଏବଂ ଗଞ୍ଜାମରେ ନବଗୁଞ୍ଜର ରାଜା ଓ ଅର୍ଜୁନ ମନ୍ତ୍ରୀ ଥାଇ ଗଞ୍ଜପା ମିଳେ।
ଓଡି଼ଶାର ନବଗୁଞ୍ଜର ଭଳି ଦକ୍ଷିଣ ଭାରତର ବିଭିନ୍ନ ଦେବସ୍ଥଳ ମାନଙ୍କରେ ଶିବଙ୍କର ଶରଭ ଅବତାର ଦେଖିବାକୁ ମିଳନ୍ତି। ଶରଭଙ୍କର ଆଠଗୋଟି ପାଦ ରହିଛି। ପୁରାଣର ବର୍ଣ୍ଣନା ଅନୁସାରେ ପୁରାକାଳରେ ଶରଭ ନାମକ ଏକ ପକ୍ଷୀ ରହିଥିଲା ଯିଏକି ସିଂହ ଏବଂ ହାତୀଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଥିଲା। ଶରଭ ପକ୍ଷୀରୁ ଶରଭ ଅବତାରର ପରିକଳ୍ପନା। ନୃସିଂହଙ୍କୁ ଶାନ୍ତ କରିବା ନିମନ୍ତେ ଶିବ ଶରଭ ଅବତାର ଧାରଣ କରିଥିଲେ।
~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…
~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…
~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…
~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…
~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…
~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…