ଲେଖା: ଦେଵ ତ୍ରିପାଠୀ
ସ୍ବାଧୀନତା ସଂଗ୍ରାମର ସ୍ବର୍ଣ୍ଣଗର୍ଭା ଅଦୂର ଅତୀତ । ପଦଯାତ୍ରା ଓ ପାଣ୍ଠିସଂଗ୍ରହ ଲକ୍ଷ୍ୟରେ ଗାନ୍ଧିଜୀଙ୍କ ୧୯୩୪ରେ କଟକ ଆଗମନର କଥା । ଦର୍ଶନାଭିଳାଷୀ ଆବାଳବୃଦ୍ଧବନିତାଙ୍କୁ ହରିଜନ ପାଣ୍ଠି ନିମନ୍ତେ ଚାନ୍ଦା ମାଗୁଥାନ୍ତି ଗାନ୍ଧିଜୀ । ଯିଏ ଯାହାର ଶକ୍ତି ଅନୁସାରେ ଖୁସିମନରେ ଦାନ କରିବାର ଦୃଶ୍ୟ ଥାଏ ବେଶ୍ ଭାବୋଦ୍ଦୀପକ । ଏ ସମୟରେ ସମ୍ଭ୍ରାନ୍ତବଂଶୀୟ ଜଣେ ପକ୍ୱକେଶୀ ବୃଦ୍ଧାଙ୍କୁ ହାତ ପତାଇଥିଲେ ଗାନ୍ଧିଜୀ – “କୁଛ୍ ଦୋ”। “ଦୁଇ ପୁଅଙ୍କୁ ଦେଲି, ଦି’ ବୋହୂଙ୍କୁ ବି ଦେଲି, ନାତିନାତୁଣୀଙ୍କୁ ଦେଲି, ଆଉ ପୁଣି କ’ଣ ଦେବି ?” ବୃଦ୍ଧାଙ୍କ ଏ ଉତ୍ତର ବୁଝାଇବାକୁ ଯାଇ ଉପସ୍ଥିତ ବ୍ୟକ୍ତିଜଣେ ଚିହ୍ନାଇଦେଲେ ଯେ ବୃଦ୍ଧା ହେଉଛନ୍ତି ଖେରସ ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ପତ୍ନୀ ପଦ୍ମାବତୀ ଦେବୀ ।
ବୃଦ୍ଧା ପଦ୍ମାବତୀଙ୍କର ଗାନ୍ଧିଜୀଙ୍କୁ ପ୍ରଦତ୍ତ ସେଦିନର ସେହି ଉତ୍ତର ଭିତରେ ପ୍ରଚ୍ଛନ୍ନ ଥିଲା ଖେରସ ଚୌଧୁରୀ ପରିବାରର ସ୍ବାଧୀନତା ସଂଗ୍ରାମ ପାଇଁ ଆତ୍ମତ୍ୟାଗର ସିଦ୍ଧି ଓ ସ୍ବାକ୍ଷର । ମୁକ୍ତିସଂଗ୍ରାମଠାରୁ ଆରମ୍ଭ କରି ସର୍ବୋଦୟ ଆନ୍ଦୋଳନ ଓ ପରବର୍ତ୍ତୀ ସମୟରେ ଭୂଦାନ ଯଜ୍ଞବେଦୀରେ ବୃଦ୍ଧାଙ୍କ ଦୁଇପୁତ୍ର ଗୋପବନ୍ଧୁ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀ, ଦୁଇ ପୁତ୍ରବଧୂ ରମାଦେବୀ ଓ ମାଳତୀଦେବୀ ତଥା ନାତି ମନମୋହନ, ନାତୁଣୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ତ୍ୟାଗ ଯେପରି ଉତୁଙ୍ଗ, ସେପରି ଉଲ୍ଲେଖନୀୟ ।
ତେବେ ଋଷିପ୍ରତିମ ଗୋପବନ୍ଧୁ ଓ ସଂଗ୍ରାମୀ ନବକୃଷ୍ଣଙ୍କୁ ଜନ୍ମଦେଇ ମା’ ପଦ୍ମାବତୀଙ୍କ ଭିନ୍ନ ଆଉ ଜଣେ ମା’ ମଧ୍ୟ ଗର୍ବକରେ, ସେ ଜନ୍ମମାଟି ‘ଖେରସ’, ଜଗତସିଂହପୁର ସହର ନିକଟର ଛୋଟ ଗାଁଟିଏ ।
ସେଇ ନବକୃଷ୍ଣ ରେଭେନ୍ସା କଲେଜରେ ପାଠ ପଢିବା ସମୟରେ ପରାଧୀନ ଭାରତର ଦୁରବସ୍ଥା ଦେଖି ବିଚଳିତ ଭାବରେ ଅଧାରୁ ପାଠପଢା ଛାଡି ଯୋଗ ଦେଇଥିଲେ ସ୍ଵାଧୀନତା ଆନ୍ଦୋଳନରେ । ସାବରମତୀ ଆଶ୍ରମରେ ଦଶମାସର ରହଣି ତାଙ୍କୁ ସଚ୍ଚୋଟ ଲୋକସେବକ ହେବାରେ ସାହାଯ୍ୟ କରିଥିଲା ଏବଂ ଓଡ଼ିଶା ଫେରିଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ ।
ଜଗତସିଂହପୁର ଅନ୍ତର୍ଗତ ତରିକୁନ୍ଦ ଗ୍ରାମରେ ବାସ କରୁଥିବା ସମୟରେ ସେ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ଯ୍ୟ କରୁଥିଲେ, ଶିକ୍ଷା ଦେଉଥିଲେ, ସ୍କୁଲ ଚଳଉଥିଲେ । କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ “ସାରଥୀ” ଏବଂ ତା ପରେ “କୃଷକ” ନାମକ ପତ୍ରିକା ବାହାର କରିଥିଲେ । କୃଷିକ୍ଷେତ୍ରରେ ସେ ମଧ୍ୟ ଆଣିଥିଲେ ନବଜାଗରଣ ।
ନବକୃଷ୍ଣଙ୍କ ଅଦମ୍ୟ ପ୍ରଚେଷ୍ଟାର ଫଳ ସ୍ବରୂପ ସ୍ଥାପିତହୋଇଥିଲା ହୀରାକୁଦ ବନ୍ଧ, ଓଡ଼ିଶା କୃଷି ଓ ପଶୁଚିକିତ୍ସା ମହାବିଦ୍ୟାଳୟ ଏବଂ ବୁର୍ଲା ବୈଷୟିକ ମହାବିଦ୍ୟାଳୟ । ବହୁ ବିରୋଧ ସତ୍ତ୍ଵେ ତାଙ୍କ ଉଦ୍ୟମରେ ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହୋଇଥିଲା । ମଦବିରୋଧୀ ପଦକ୍ଷେପ ଥିଲା ତାଙ୍କ ମନ୍ତ୍ରୀତ୍ୱର ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ।
ଏଭଳି ଜନତାମନସ୍କ ଜନନେତା ଥିଲେ ପରମପୂଜ୍ୟ ନବକୃଷ୍ଣ ଚୌଧୁରୀ I ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ ଧରାବତରଣ କରିଥିବା ଓଡ଼ିଶାର ସେଇ ମହାବିପ୍ଳବୀ, ସମାଜବାଦୀ ନେତା, କୃଷକ, ପ୍ରଜା ତଥା ଭୂଦାନ ଆନ୍ଦୋଳନର ସେନାପତି, ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଭାରତଛାଡ଼ ଆନ୍ଦୋଳନର ଅଗ୍ରଣୀ ମହାରଥୀ, ଆଦର୍ଶବାଦୀ ଓ ସତ୍ୟନିଷ୍ଠ ରାଜନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ଲାଲବାହାଦୁର ଶାସ୍ତ୍ରୀ ଭାବରେ ପରିଚିତ ସେଇ ପ୍ରାତଃସ୍ମରଣୀୟ ମହାମନିଷୀଙ୍କ ବିଷୟରେ ଡଃ ମାୟାଧର ମାନସିଂହ ଲେଖିଛନ୍ତି ପଦେ:
“ଶୁଣ ନିରଞ୍ଜନ ଭାଇ,
ଫେରିଛି ମୁଁ ଦେଶ ଦେଶ ବୁଲି,
ତମ ଲାଗି ଆଣିଛି ସନ୍ଦେଶ,
ମନ୍ତ୍ରୀ ନୁହେଁ, ଉର୍ବରା ସେ ସାଥୀ ବୋଲି,
ଯାଅ ନାହିଁ ଭୁଲି . . ।”
୨୪ ଜୁନ୍ ୧୯୮୪ ମସିହାରେ ମହାପ୍ରୟାଣ ଲଭିଥିଲେ ନବକୃଷ୍ଣ ଚୌଧୁରୀ । ଦୁର୍ଭାଗ୍ୟ, ପ୍ରଚାରଧର୍ମୀ ରାଜନୀତିରୁ ଉର୍ଦ୍ଧ୍ୱରେ ଥିବାରୁ ଏହି ମହାପୁରୁଷଙ୍କ ନାମ ଆଜି କୌଣସି କୃତି, କୀର୍ତ୍ତି ବା ଶିଳାଲେଖରେ ଦେଖିବାକୁ ମିଳେ ନାହିଁ I
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…
View Comments
ଋଷି ପ୍ରତୀମ ମଣିଷ ଗୋଟିଏ , ଆଦର୍ଶର କିର୍ତ୍ତିମାନ୍ ସ୍ତମ୍ଭ ।