ସୌରଭିତ ସୃଷ୍ଟି: କଵି ଵୈକୁଣ୍ଠନାଥ ପଟ୍ଟନାୟକ
ସଵୁଜ ଯୁଗର ପ୍ରଖ୍ୟାତ କଵି ଵୈକୁଣ୍ଠନାଥ ପଟ୍ଟନାୟକଙ୍କ କଵିତା “ଦୋଳପୂର୍ଣ୍ଣିମା” ମଧ୍ୟରେ ଚିତ୍ରିତ ହୋଇଅଛି ପୃଥିଵୀର ସବୁଠାରୁ ସୁନ୍ଦର ଋତୁ ଵସନ୍ତ ଋତୁର ଚିତ୍ର ! ଦୋଳ ପର୍ଵ ସହିତ, ହୋଲି ସହ ଵସନ୍ତ ଋତୁ କିପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ତାହା ଏହି କଵିତା ପାଠକଲେ ହୃଦୟଙ୍ଗମ କରି ହୁଏ ।
ଵସନ୍ତ ଋତୁ ବିନା ଦୋଳ ଓ ହୋଲିଖେଳର ରଙ୍ଗ ଫିକା ପଡି଼ଯିଵ । ପୃଥିଵୀରେ ପ୍ରତିଵର୍ଷ ଵସନ୍ତ ଋତୁ ନ ଆସିଲେ ଆମେ କୋଇଲି, ଆମ୍ବ ଠାରୁ ଶହ ଶହ ପୁଷ୍ପ ଯାଏଁ ସବୁକିଛି ହରେଇ ଦେଵା ! ଏବେ ବି ସମୟ ଅଛି ଚାଲନ୍ତୁ ପୃଥିଵୀର ସବୁଜିମା ରକ୍ଷାପାଇଁ ଶପଥ ନେଵା । ଜଙ୍ଗଲ ଜଳେଇ ଦେଲେ ଵସନ୍ତ ଋତୁର ଏହି ଅଲୌକିକ ସୌନ୍ଦର୍ଯ୍ୟ କେବେ ବି ଦେଖି ହେଵ ନାହିଁ ଵରଂ ଅଧିକରୁ ଅଧିକ ଗଛ ଲଗାଇ ଚାଲନ୍ତୁ ଆମେ ପୃଥିଵୀ ଓ ତାହାର ଏହି ମନୋହର ଵସନ୍ତ ଋତୁକୁ “ଵିଶ୍ଵତାପନ” ଠାରୁ ରକ୍ଷା କରିଵାର ମହନୀୟ କର୍ମରେ ଵ୍ରତୀ ହେଵା !!!
~ ଦୋଳପୂର୍ଣ୍ଣିମା ~
ଫଗୁଣ ପୂନିଅ ଚାନ୍ଦ !
ବାନ୍ଧ ସଜନି ବାନ୍ଧ,
ପୀରତି ନିଵିଡ଼ ଭୁଜ ବନ୍ଧନେ
ଲୟ ହେଉ ଅଵସାଦ !
ଫଗୁଣ ପୂନିଅ ଚାନ୍ଦ !
ଵିଶ୍ଵ କଣ୍ଠୁ ଆଜି ,
ସଙ୍ଗୀତ ଉଠେ ବାଜି !
ଏଇତ ଛନ୍ଦ ଗୀତି,
ଆଦର ମମତା ପ୍ରୀତି,
ଆଦର ମମତା ପ୍ରୀତି,
କଳ୍ପନା କାହିଁ ଧାଏଁ,
ଅନ୍ତରେ ପୁଣି
ବାହାରେ ଖେଳଇ
ଜୋଚ୍ଛନାର ଆହାଲଦ
ଫଗୁଣ ପୂନିଅ ଚାନ୍ଦ !
କେଉଁ ସଜେ ଆଜି ପରଶି ଗଲାଣି
ଚୋରା ମଳୟର ଵାଣୀ
ଶୂନ୍ୟେ ଭାସଇ ଅମୃତ ପରା
ପିଅ ଗୋ ସଜନୀ ଛାଣି ।
ଜୋଛନା ପ୍ଲାଵନେ ସରଗ ମର୍ତ୍ତ୍ୟ
ପଡ଼ ନାହିଁ କିଛି ବୁଝା
ମୁକ୍ତ ପଵନେ ଗଗନେ ଭୁଵନେ
ନଵ ଵସନ୍ତ ପୂଜା !
ଗୋଲାପ ମଦିରା-ରାଗେ,
ତୁମେ ନଵ ଅନୁରାଗେ,
ରଞ୍ଜିତ କର ପ୍ରାଣ,
ଆଣ ଗୋ ଅଵିର ଆଣ,
ଦିଅ ବୋଳି ମୋର ଦେହେ,
ନଵ ଵସନ୍ତ ସ୍ନେହେ !
ଅନ୍ତର ଭର ଵାସେ
ମନ୍ଦ ସୁନ୍ଦର ହାସେ !
ମାତି ଉଠୁ ପ୍ରାଣ ଵିଶ୍ଵ ସହିତେ
ଭୁଲି ସଂଶୟ ଵାଦ !
ଫଗୁଣ ପୂନିଅ ଚାନ୍ଦ !
ଆଜି ଜୋଛନାରେ ଫୁଟିଛି ଗୋଲାପ
ଫୁଟିଛି ମଧୁର ମଲ୍ଲୀ
ଯୌଵନ ଵନେ ନଵ-ଵସନ୍ତ
ଉତ୍ସଵ ନୁହେଁ କଳି ।
ଭୁଲ ଭୁଲ ସବୁ ସଂଶୟ ଦୁଃଖ
ଆନନ୍ଦ ନିଅ ବାରି !
କ୍ଷଣକର ପ୍ରୀତି ପୁଲକେ ନିଅ ଗୋ
ଜୀଵନ ଅମର କରି
ଉଜାଡ଼ କର ଗୋ ମାଧଵୀ ଜୋଛନା
ନାହିଁ ଭୟ ପରମାଦ
ଫଗୁଣ ପୂନିଅ ଚାନ୍ଦ !
କୋକିଳ ଉଠଇ ଗାଇ,
ଵକୁଳ ଗନ୍ଧରେ ବାଇ,
ପରାଣେ ତା ଚପଳତା
ପୀରତି ମଧୁର ଵ୍ୟଥା
ଚାରୁ କିଶଳୟେ ଲତା—
ପାଦପର ମାଦକତା
ଅକଳନ ଆଜି
କିଂଶୁକ ଵନେ
ଗରଵେ ତୋଳିଛି ମଥା !
ନାହିଁ ନାହିଁ ଅଵସାଦ !
ଫଗୁଣ ପୂନିଅ ଚାନ୍ଦ !
ଵିଶ୍ଵର ନରନାରୀ
ସକଳେ ଆମେ ଗୋ ଆଳି !
ଵୃଦ୍ଧ ତରୁଣ ଯାତ୍ରୀ,
ଉଠ ଆନନ୍ଦେ ମାତି !
ନଵ ଵସନ୍ତେ କଵି,
ରଞ୍ଜିତ ଵାଳ ରଵି,
ଆହ୍ଵାନ କରେ ମଧୁ ଉତ୍ସଵେ
ଖୋଲ ଗୋ ଦୁଆର ଖୋଲ
ଆଜି ପିରତୀର ଦୋଳ !
ଆସ ଗୋ ଆସ ଗୋ ଶିଶୁ
ତୁମ ସଂଗୀତ ମିଶୁ,
ଏ ମୋର କ୍ଷୁଵ୍ଧ ପ୍ରାଣେ,
ଉଛୁଳି ଜୀଵନ ଗାନେ,
ପୌଷ ମରଣ ଭୟ
ଅଵହେଳେ ଆଜି ଜୟ !
ମୁକ୍ତ କର ଗୋ ପ୍ରାଣ;
ଭର ଵସନ୍ତ ଗାନ,
ମଞ୍ଜୁ କୁସୁମ ଗନ୍ଧ,
ମନ୍ଦ ମଳୟ ଛନ୍ଦ,
ଉଜ୍ବଳ ଦିଗ ଭାଗ,
ଜୀଵନ ଦେଵତା ଜାଗ !
ନଵୀନ କୁନ୍ଜେ ଶୁଭଇ କାହାର
ମନ୍ଦ ମୂରଲୀ ନାଦ
ଫଗୁଣ ପୂନିଅ ଚାନ୍ଦ !
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago