All Rights ReservedView Non-AMP Version
  • Homepage
  • ପର୍ଯ୍ୟଟନ ଆକର୍ଷଣ
  • ରାଜରାଜୁଡା କ୍ଷେତ୍ର
ରାଜରାଜୁଡା କ୍ଷେତ୍ର

ଥୁଆମୂଳ ରାମପୁର

 

ଲେଖା: ଦେଵ ତ୍ରିପାଠୀ

ଆମ ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ’ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ, ବିଭମମଣ୍ଡିତ କଳାହାଣ୍ଡି ବହୁବିଧ ଐତିହ୍ୟରେ ସମୃଦ୍ଧ।

ଆର୍ଯ୍ୟ ଓ ଅନାର୍ଯ୍ୟ ଉଭୟ ସଂସ୍କୃତିର ମିଳନଭୂମି ‘କଳାର ହାଣ୍ଡି’ କଳାହାଣ୍ଡି ନୈସର୍ଗିକ ପ୍ରାକୃତିକ ଶୋଭାରେ ମଣ୍ଡିତ । ସେପରି ଅପରୂପ ସମ୍ଭାରରେ ବିମଣ୍ଡିତ ଜିଲ୍ଲାର କ୍ଷୁଦ୍ର ସହରଟି ଥୁଆମୂଳ ରାମପୁର ।

ଶସ୍ୟଶ୍ୟାମଳାପୂର୍ଣ୍ଣ ଏଇ କ୍ଷୁଦ୍ର ସହରର ଶୋଭାରେ ଆକର୍ଷିତ ହୋଇ ତତ୍କାଳୀନ ପାଟରାଜା ରାମଚନ୍ଦ୍ର ଦେବ ୧୮୯୧ ମସିହାରେ ଭିତ୍ତିପ୍ରସ୍ତର କରାଇଥିଲେ ଏକ ରାଜବାଟୀର । ଇଂ ଇନ୍ଦ୍ରମଣି କରଙ୍କ ଯୋଜନାରେ ଥୁଆମୂଳ ରାମପୁର ସମେତ ଧର୍ମଗଡ଼, କୋକସରା, ଜୟପାଟଣା, କଲମପୁର, ବଡ଼କୁଟୁରୁ ଇତ୍ୟାଦି ଅଞ୍ଚଳର କୁଶଳୀ କାରିଗରଙ୍କ କାରୁକାର୍ଯ୍ୟ ଚାତୁରୀରେ ୧୪ ବର୍ଷର ଅକ୍ଳାନ୍ତ ପରିଶ୍ରମରେ ଗଢ଼ି ଉଠିଥିଲା ଭବ୍ୟ ରାଜବାଟୀ ! ସିଙ୍ଗାରି ଘାଟି ଦେଇ ହାତୀ ଦ୍ଵାରା ବିଶାଳ ପଥରଖଣ୍ଡମାନ ବୁହାହୋଇ ଆସିଥିଲା ସୁଦୂର ଦେପୁରରୁ !

ସ୍ବାଧୀନତା ପରବର୍ତ୍ତୀ ସମୟରେ ଐତିହାସିକମାନେ ଏ ରାଜ୍ୟର ଅନ୍ୟ ଐତିହ୍ୟମୟ ଅଞ୍ଚଳଗୁଡ଼ିକ ପରି ଏ ଅଞ୍ଚଳର ଇତିହାସ ଅଧ୍ୟୟନ କରିବାର ଆବଶ୍ୟକତା କେଜାଣି କାଇଁ ଅନୁଭବ କରିପାରି ନାହାଁନ୍ତି ! ଅଥଚ ଥୁଆମୂଳ ରାମପୁର ସମେତ କଳାହାଣ୍ଡି ଜିଲ୍ଲା ଦିନେ ଥିଲା ସଂସ୍କୃତି, ଶିକ୍ଷା, ବାଣିଜ୍ୟ, ଲୋକନୃତ୍ୟ ଇତ୍ୟାଦି କ୍ଷେତ୍ରରେ ସମୁନ୍ନତ, ସମୃଦ୍ଧ ! ସ୍ବାଧୀନତା ସଂଗ୍ରାମରେ ଜିଲ୍ଲାର ମଧ୍ୟ ଥିଲା ବହୁ ଉଲ୍ଲେଖନୀୟ ଭୂମିକା ! ବିଷମଗିରି, ମହୁଲପାଟଣା, ମାଣ୍ଡିବିଶି, ଥୁଆମୂଳ, କାଶୀପୁର, କର୍ଲାପାଟ ଓ ଦେପୁର ପରି ୭ଟି ଗଡ଼ ସହିତ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼ିଥିଲେ ତୁମୁଳ ସଂଗ୍ରାମ । ଓଡ଼ିଶା ଇତିହାସରେ ସମ୍ପୂର୍ଣ୍ଣ ଅନାଲୋଚିତ ଏ ସବୁ ସଂଗ୍ରାମର ରୂପରେଖ ପ୍ରସ୍ତୁତି ପରି ଅନେକ ବୀରୋଚିତ କାର୍ଯ୍ୟାବଳୀର ସାକ୍ଷୀ ଏଇ ରାଜବାଟୀ !

ବସ୍ତରର ଦାନ୍ତେବାଡ଼ାଠାରୁ ଜୟପୁର, ବିଜୟନଗରମ୍, ରାୟଗଡ଼ ଓ ଭବାନୀପାଟଣାର ଅଧିବାସୀଙ୍କ ସହ ଏ ଅଞ୍ଚଳର ସୁସମ୍ପର୍କ ଗଢ଼ି ଉଠିଥିଲା । ଏକତ୍ର ଭାବେ ବହିଶତ୍ରୁଙ୍କୁ ପ୍ରତିରୋଧ କରିବାର କ୍ଷମତା ହାସଲ ସହିତ ଏ ସମସ୍ତ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ଓ ବାଣିଜ୍ୟିକ କାରବାରରେ ଉନ୍ନତି ହୋଇ ପାରିଥିଲା ! କହିବା ବାହୁଲ୍ୟ, ଏସବୁ ପ୍ରଗତିଶୀଳ କାର୍ଯ୍ୟାବଳୀର ସୂତ୍ରପାତ ଏବଂ ପରିଚାଳନା ହେଉଥିଲା ଥୁଆମୂଳ ଗଡ଼ରୁ ! ଏପରିକି ଜୟପୁର ଓ କର୍ଲାପାଟ ରାଜାଙ୍କ ମଧ୍ୟର ଦୀର୍ଘ ଦିନର ତିକ୍ତତାର ଅବସାନ ଘଟାଇ ସନ୍ଧି/ବନ୍ଧୁତା ସ୍ଥାପନ କରିବାରେ ଏଇ ଗଡ଼ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା !

ଏକଦା, ଥୁଆମୂଳ ରାମପୁର ଥିଲା ଚିଣ୍ଡକ, ଚିଣ୍ଡକ ନାଗବଂଶୀ, ସୋମବଂଶୀ ତଥା ଗଙ୍ଗବଂଶୀ ରାଜାମହାରାଜାଙ୍କ ଆଧିପତ୍ୟ ର କ୍ଷେତ୍ର ! ଅନେକ ଘଟଣା ଦୁର୍ଘଟଣା ସାଉଣ୍ଟିଥିବା ଏଇ ରାଜବାଟୀ, ରାଜାରାଜୁଡ଼ା ଶାସନର ମୂକସାକ୍ଷୀ ! ଇର୍ଲିପାଟ ପ୍ରଗଣାର କେନ୍ଦ୍ରବିନ୍ଦୁ ଥିବା ଏକ ରାଜବାଟୀରେ ପାଟରାଜାମାନେ ଦିନେ ପରିଚାଳନା କରୁଥିଲେ ନିଜସ୍ଵ ଅଦାଲତ !

କଳାହାଣ୍ଡି ଜିଲ୍ଲାର ଅନ୍ୟତମ ତନ୍ତ୍ରସାଧନା ପୀଠ ଥୁଆମୂଳ ରାମପୁର ଗୌରବମଣ୍ଡିତ ହୋଇଛି ଅନେକ ତନ୍ତ୍ରସାଧକଙ୍କ ସାଧନାର ଭୂମି ଭାବେ । ରାଜବାଟୀ ଆଖପାଖରେ ରହିଛି ତନ୍ତ୍ରଦେବତା ଖଣ୍ଡୁଆଳ ତଥା ଭୈରବୀଙ୍କ ସହିତ ମାଣିକେଶ୍ବରୀଙ୍କ ମନ୍ଦିର । କଳାହାଣ୍ଡିର ଇଷ୍ଟଦେବୀ ମାଣିକେଶ୍ଵରୀଙ୍କ ପୀଠ ସହିତ ରାଜବାଟୀର ଏକ ଗୁପ୍ତଦ୍ଵାର ସଂଯୁକ୍ତ ବୋଲି ଧାରଣା ରହିଛି !

ବିଶ୍ୱାସ କରାଯାଏ, ମଧ୍ୟ ଭାରତର ଆଦିବାସୀ ଏବଂ ଦକ୍ଷିଣ ଭାରତର ଅଣଆଦିବାସୀମାନେ ନିଜ ନିଜ ଅଞ୍ଚଳର ଖାଦ୍ୟଶସ୍ୟ, ମିଷ୍ଟାନ୍ନ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଣି ଏଠାରେ ବିକ୍ରୟ କରୁଥିଲେ, ଏବଂ ଏଠାକାର ବନଜାତ ଦ୍ରବ୍ୟମାନ କ୍ରୟ କରି ନେଉଥିଲେ ! ମଧ୍ୟ ଭାରତୀୟ  ଆଦିବାସୀଙ୍କ ଦ୍ଵାରା ସିଙ୍ଗାରି ଘାଟିର ମଧ୍ୟଭାଗରେ ନିର୍ମିତ ଇଷ୍ଟଦେବୀ ବଏନ୍ ଜାରେନ୍‘ଙ୍କ ପୁରାତନ ମନ୍ଦିରଟି ପ୍ରମାଣିତ କରାଏ ଏ ବାଣିଜ୍ୟିକ ଇତିହାସକୁ !

ଏବେ ସମୟ ବଦଳିଛି ! ବଦଳିଯାଇଛି ରାଜବାଟୀର ପ୍ରକୃତ ସ୍ବରୂପ ! ହରାଇବସିଛି ନିଜର ଅସ୍ତିତ୍ବ ଆଉ ପରିଚୟ ! ଦିନେ ଇତିହାସର ଗାରିମାମୟ ଗାଥା ବଖାଣୁଥିବା ସେଇ ଭବ୍ୟ ରାଜବାଟୀ ଆଜି ନିଷ୍ପ୍ରଭ, ନିର୍ବାକ, ସ୍ପନ୍ଦନହୀନ !

Spread the love
admin

Next ଦେବୀଙ୍କ ବାହାନ »
Previous « ମାଆ ମାଆ ବୋଲି ଡାକୁଛ କି ମୋତେ
Leave a Comment
Share
Published by
admin
Tags: ଥୁଆମୂଳ ରାମପୁର
6 years ago

    Related Post

  • ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ
  • ବଡ଼ମ୍ବାର ଜଗନ୍ନାଥ ମନ୍ଦିର
  • ଦର୍ପଣୀ କୋଠି

Recent Posts

  • ଇତିହାସ

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

3 hours ago
  • ଭାଷା ଓ ସାହିତ୍ୟ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago
  • ଇତିହାସ

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago
  • ମହାମନିଷୀଗଣ

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago
  • ରାଜରାଜୁଡା କ୍ଷେତ୍ର

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago
  • ଅନ୍ୟାନ୍ୟ

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago
All Rights ReservedView Non-AMP Version
  • L