ଉପସ୍ଥାପନା: ନିରଞ୍ଜନ ସାହୁ
~ ଢିଙ୍କି ~
ଆଗେ ଏମିତି ଗୋଟିଏ ଗାଁ ନଥିବ ଯେଉଁଠି ସାତ ଆଠଟା ଢିଙ୍କି ଦେଖିବାକୁ ମିଳିବ ନାହିଁ ! ତିନି ଚାରି କୁଟୁମ୍ବର ମଝିରେ ମଝିରେ ଗୋଟିଏ ଢିଙ୍କି ଥିବା ଥୟ, ନହେଲେ ଚାଉଳ ଠୁଁ ଆରମ୍ଭ କରି ଚୂନା ପର୍ଯ୍ୟନ୍ତ ପାଇବେ କିମିତି ? ସଂସାର ଚଳିବ କିମିତି? ଓଡ଼ିଆ ଘରର ପରବ ପାଳନ କରିବେ କିମିତି ? ଆମ ଢିଙ୍କିଶାଳର କଥା ହିଁ ଓଡ଼ିଆ ଜନଜୀବନର ଛବି ଗୋଟିଏ ଦୃଷ୍ଟିରୁ !
ଢିଙ୍କି ତ ଏବେ ବିଶ୍ରାମ ନେଉଛନ୍ତି କୌଣସି ବହିର ପୃଷ୍ଠାରେ, ଖାସ୍ ପିଲାମାନଙ୍କୁ ଜଣେଇବା ପାଇଁ ! କାଁ ଭାଁ ଗୋଟେ ଅଧେ ମିଳିଯାଇପାରେ କାହାର ସଙ୍ଗାରେ ରଖାଯାଇଥିବା ଅବସ୍ଥାରେ ! ତେବେ ଓଡ଼ିଆ ଜନଜୀବନର ଓ ସାହିତ୍ୟରେ ଏହି ମହାର୍ଘ ସମ୍ପତ୍ତି ଉପରେ ଦି’ ଧାଡ଼ି:
ଗୋହିରା ମଞ୍ଜକୁ ଶାଳୁଆ ଖୁମ୍ବଲୋ
ସୁଅମ ଗଣ୍ଠିରେ ଗାତ
ସାତ ପୁରୁଷଟା କଉଁ ସଜେ ଗଲା
କୁଟି କାଣ୍ଡି ଖାଉଁ ଭାତ ଲୋ
ଦେ ସମଲାଇ ଲୋ
ସମା କୁଟଇ ଧାନ
ଦି ସଉତୁଣୀ ଢିଙ୍କି ଲାଞ୍ଜିରେ
ଖାଆନ୍ତି ବଙ୍ଗାଳୀ ପାନ ।
ପରୁଡ଼ି ମଶିଣା କୁଙ୍କୁମ ନାଉଛି
ଢିଙ୍କି ଲାଞ୍ଜି ଠେଇ ପାଣି
ଢିଙ୍କି ଭରା ଟାହି ଟାପରା ମାରୁଛି
ଢିଙ୍କି କୁଟୁଛନ୍ତି ରାଣୀ ।
ଦେ ସମଲାଇ ଲୋ,
ସମା କୁଟଇ ଧାନ
ଦି ସଉତୁଣୀ ଢିଙ୍କି ଲାଞ୍ଜରେ
ବୁଲେଇ ବୁଲେଇ ଝାମ ।।
ଢିଙ୍କି କେଉଁ କାଠରେ ତିଆରି ଓ ଶରୀର ଭେଦ ହିଁ ଏହି ଦୁଇ ପଦ ମଧ୍ୟରେ ବର୍ଣ୍ଣିତ !
(#ମଧୁବାବୁଙ୍କ#ଏନ୍ତୁଡ଼ିଶାଳରଗୋଟିଏ ପିଣ୍ଡାରେ ୧୭୫ ବର୍ଷାଧିକ ବୟସ୍କ ଢିଙ୍କି !
ଧନ୍ୟ ଧନ୍ୟ ସେ ଢିଙ୍କି ! ଯିଏ କୁଳବୃଦ୍ଧଙ୍କୁ ତା ସମାରେ ପେଶା ହୋଇଥିବା ଚାଉଳ ଖୁଆଇଛି !
ଫଟୋ ସୌଜନ୍ୟ: କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଏନ୍ତୁଡ଼ିଶାଳର ବାମ ପାର୍ଶ୍ୱରେ ଥିବା
ଢିଙ୍କିଶାଳର ଢିଙ୍କି, ଯାହା ତାଙ୍କ ଜନ୍ମ ପୂର୍ବରୁ ବ୍ୟବହୃତ ମଲ୍ଲ ପରିବାର ଦ୍ଵାରା)
ଆମ ଓଡ଼ିଆ ଘରର ଢିଙ୍କି, ଆମ ନିତିଦିନିଆ ଚଳଣିରେ ଢିଙ୍କି ! ହିନ୍ଦୁ ଧର୍ମରେ ଢିଙ୍କି ! ମହର୍ଷି ନାରଦଙ୍କ କଥା ଦେଖୁନାହାନ୍ତି ! ଢିଙ୍କି ନହେଲେ ତାଙ୍କ ଯିବାଆସିବା ଯେ ବନ୍ଦ! ଆମ ଢିଙ୍କିଶାଳର ଢିଙ୍କି କିଛି ସାମାନ୍ୟ ନୁହେଁ ମ ଆଜ୍ଞା ! ସେ ତ ନଥିଲେ ଆମ ରୋଷେଇ ସଙ୍କଟ, ଖାଇବା ବନ୍ଦ ! ଏ ଆଜିର କଥା ନୁହେଁ, ଏଇ କେତେ ବର୍ଷ ହେଲା ସିନା ଆସିଗଲା ଚାଉଳ ହଲର୍ !
ଆମ ଢିଙ୍କି ପାଇଁ ଏକ ସ୍ବତନ୍ତ୍ର ଘର । ସେ ସେଇଠି ଅବସ୍ଥାପିତ । ସେଇଠୁ ଧାନ ପେଶା ହେବା ପରେ ଆମ ରୋଷେଇ, ଆମ ପିଠାପଣା ! ସେଥିପାଇଁ ତ ସେ ଆମ ଜୀବନରେ ଅପରିହାର୍ଯ୍ୟ ! ତେବେ ଓଡ଼ିଆ ଜନଜୀବନର ଅପରିହାର୍ଯ୍ୟ ବସ୍ତୁଟି ଅଲୋଡ଼ା କାହିଁକି ? ଆଜି ମଧ୍ୟ ବଞ୍ଚିଛି, ଆଉ ଅତୀତର ଆମ ଓଡ଼ିଆ ଜାତିର ସ୍ମୃତିରୁ:
ଦୁଲୁଦୁଲୁ ଢିଙ୍କି ଦୁଲକା
ବ୍ରହ୍ମା ନ ପାଇଲେ ତା’ ଭେଦ ଏକା,
ଦେ ସମକେଇ ଲୋ ସମା କୁଟଇ ଧାନ
ଢିଙ୍କି ଦେ ସମକେଇ ଲୋ
ସମା କୁଟଇ ଧାନ
ଦି ସଉତୁଣୀ ଢିଙ୍କି ଲାଞ୍ଜରେ
ଖାଆନ୍ତି ବଙ୍ଗାଳୀ ପାନ ।
ଦେ ସମକେଇ ଲୋ,
ସମା କୁଟଇ ଧାନ
ଦି’ ସଉତୁଣୀ ଢିଙ୍କି ଲାଞ୍ଜରେ
ବୁଲେଇ ବୁଲେଇ ଝାମ।
ଆମ୍ବ ଡାହି ଖଣ୍ଡି ଘୂଣ ଖାଇଲା ଲୋ
କରଞ୍ଜ ସବୁଠୁ ଟାଣ
ଓଡ଼ିଆ ଫାରଶା ସବୁ ମିଶାଇ ଲୋ
ସବୁ ଟାଣିନେଲା ଲୁଣ ଲୋ ।
ଦେ ସମକେଇ ଲୋ
ସମା କୁଟଇ ଧାନ
ଦି’ ସଉତୁଣୀ ଢିଙ୍କି ଲାଞ୍ଜରେ
ଖାଆନ୍ତି ବଙ୍ଗାଳୀ ପାନ।
ଗୋହରା ମଞ୍ଜକୁ ଶାଳୁଆ ଖୁମ୍ବଲୋ
ସୁଆମ ଗଣ୍ଠିରେ ଗାତ
ସାତ ପୁରୁଷଟା କଉଁ ସଜେ ଗଲା
କୁଟି କାଣ୍ଡି ଖାଉଁ ଭାତ ଲୋ ।
ଦେ ସମକେଇ ଲୋ
ସମା କୁଟଇ ଧାନ
ଦି’ ସଉତୁଣୀ ଢିଙ୍କି ଲାଞ୍ଜରେ
ଖାଆନ୍ତି ବଙ୍ଗାଳି ପାନ ।
(ଆମ #ଭାରତମଣିଙ୍କ ଘରେ କେତେ ଯତ୍ନରେ ସେହି ମହାନ ଭାରଦଣ୍ଡ ଢିଙ୍କି
କେମିତି ଆଜି ପର୍ଯ୍ୟନ୍ତ ବିଶ୍ରାମ ନେଉଛନ୍ତି ଓ ଗର୍ବର ସହ ଆନନ୍ଦିତ ହେଉଛନ୍ତି
ଦାସେ ଆପଣେଙ୍କୁ ନିଜ ସମାରେ ଧାନ କୁଟି ଖୁଆଇଥିବା ହେତୁ !
ଫୋଟୋ: ଭାରତମଣି ଗୋପବନ୍ଧୁ ଦାସଙ୍କ ସୁଆଣ୍ଡୋସ୍ଥିତ ଘର ଢିଙ୍କିଶାଳର ଢିଙ୍କି ଏବଂ
ଐତିହ୍ୟସ୍ଥଳୀ ମାନ୍ୟତା ପାଇଥିବା ସୁଆଣ୍ଡୋ ଷଠିଘରର ରାସ୍ତା ପାର୍ଶ୍ବ ଫଟୋ)
* ଏ ସମସ୍ତ ସଂଗ୍ରହ ଶ୍ରୀ ଚକ୍ରଧର ମହାପାତ୍ର, ଡଃ କୁଞ୍ଜବିହାରୀ ଦାଶଙ୍କ ପୁସ୍ତକର
ଲୋକବାଣୀ ସଂଗ୍ରାହକ — ଚକ୍ରଧର ମହାପାତ୍ର ଓ କନକ ମଞ୍ଜରୀ ଦେବୀ