ଲେଖା: ଶିଶିର ସାହୁ ମନୋଜ

ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ କାମ କମ୍ ଖଥା ବେଶୀ ! ଯେତେବେଳେ କାମ କମ୍ ହୋଇଯାଏ ସେତେବେଳେ ସ୍ଵକୃତ୍ୟ ଛୋଟ କାର୍ଯ୍ୟକୁ ବଡ଼ କରି ଦେଖେଇବା ତଥା ତହିଁରୁ ମାନସିକ ଶାନ୍ତି ପାଇବା ହେତୁରୁ ବହୁତ ଶ୍ରମ କରିବାକୁ ଯାଇ କେତେ ଯେ ସତ ମିଛ କହିବାକୁ ହୋଇଥାଏ । ଏମିତି ମିଛୁଆ ଲୋକଙ୍କୁ ସମାଜରୁ ଗୋଷ୍ଠପଣ୍ଡିତ, ଗପଡି଼ ତଥା ଭୁରୁଡ଼ା ଆଦି ଉପନାମ ମିଳିଥାଏ ।

ଆମ ଭାଷାରେ ଏଭଳି କୃତ୍ୟକୁ ଦାମ୍ଭିକପଣ, ଚାତର, ଢଢମ, ମୁହଁ ଭୁରୁଡୁ଼, ପୁରୁଢ଼ି(ଡି଼) ଵା ପ୍ରୌଢୀ଼ ତଥା ମୁହଁ ବାଲିଙ୍ଗିପଣ କୁହାଯାଏ ।

ହିନ୍ଦୀରେ ଏଭଳି ଲୋକଙ୍କୁ ଢପୋରଶଂଖ କୁହାଯାଏ । ଏହା ସହିତ ସମଧୃତ ଥିବା ଭାଷାକୋଷର ପୃଷ୍ଠା ୩୨୧୯ ରେ କେନ୍ଦ୍ରାପଡା଼ ଅଞ୍ଚଳରେ ପ୍ରଚଳିତ ଏକ ଶବ୍ଦ ‛ଡଫଲ ଶଙ୍ଖ’ ର ଉଲ୍ଲେଖ ରହିଛି ଏଵଂ ହିନ୍ଦୀର ‛ଢପୋର ଶଂଖ’ ଶବ୍ଦ ସହିତ ଏହାର ଅର୍ଥ ମିଶିଯାଏ ।

ଉଭୟ ଶବ୍ଦର ଅର୍ଥ ଏହିପରି:
‛ଯେ ତିଳକୁ ତାଳକରି କହିବୁଲେ; ବାହାପିଆ’

ବୃହତ ହିନ୍ଦୀ ଶବ୍ଦକୋଷ ଅନୁସାରେ:
“ଢପୋର ଶଂଖ ଶବ୍ଦର ମାନକ ରୂପ ‘ଢପୋଲ ଶଙ୍ଖ’ ଅଟେ (କେଉଁଠି କେଉଁଠି ଡଫୋର(ଲ) ଶଙ୍ଖ ବି ଚଳୁଅଛି) । ଢପୋଲ ଶବ୍ଦର ଵ୍ୟୁତ୍ପତ୍ତି ସଂସ୍କୃତ ଦର୍ପଵତ୍ ରୁ ହୋଇଅଛି । ସଂସ୍କୃତର ଦର୍ପଵତ୍ ଶବ୍ଦ ପ୍ରାକୃତରେ ଦପ୍ପୁଲ୍ଲ ଅଟେ । 

ପ୍ରାକୃତ ‛ଦପ୍ପୁଲ୍ଲ’ ଶବ୍ଦ କାଳାନ୍ତରରେ ‛ଦପୁଲ୍ଲ’ରୁ ‛ଦପୁଲ’ ହୋଇ ଶେଷରେ ‛ଢପୋଲ’ ତଥା ‛ଢପୋର’ ହୋଇଯାଇଛି ।”

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଅନୁଶୀଳନରୁ ଏ ଶବ୍ଦର ସମ୍ପୂର୍ଣ୍ଣ ଭିନ୍ନ ଦିଗ ମିଳିଥାଏ । 

ଭାଷାକୋଷର ୩୨୧୯ ତମ ପୃଷ୍ଠାରେ ‛ଡଫୋର’ ବୋଲି ଏକ ଶବ୍ଦ ଗଡ଼ଜାତ ଅଞ୍ଚଳରେ ଚଳୁଥିବା ଉଲ୍ଲେଖ ରହିଛି ଏଵଂ ଏହି ଶବ୍ଦ ପାଖରେ “ଡମ୍ଫା ଦେଖ” ବୋଲି ଲେଖା ହୋଇଛି ।

ଡମ୍ଫା ଶବ୍ଦ ଏହି ଅବିଧାନର ୩୨୨୨ତମ ପୃଷ୍ଠାରେ ରହିଛି । ଡମ୍ଫା ଶବ୍ଦ ସହ ଦମ୍ଭ ଶବ୍ଦର ସମଧୃତଗତ ସମ୍ପର୍କ ଥିବା ତଥା ଏ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ଡମ୍ଫ ଧାତୁ ବୋଲି କୁହାଯାଇଛି ।

ଏହି ଡମ୍ଫା [ଵିଶେଷଣ] ଶବ୍ଦର ଅନେକ ଅର୍ଥ ! ଯଥା:
୧■ ଡବାଡବା; ବାଦଦୂକ, ପ୍ରଗଲ୍ଭ; ବହୁଭାଷୀ
୨■ ଆଗଚଲା; ଆଗବୋଲା
୩■ ଉଦ୍ଧତ
୪■ ଫମ୍ଫା; ପୋଲା (ଡବା; ଦର୍ଵି) 
୫■ ଯେ ଖୁବ୍ କହେ କିନ୍ତୁ କାର୍ଯ୍ୟରେ କିଛି କରେ ନାହିଁ
୬■ [ଵିଶେଷ୍ୟ]—ଆନଦ୍ଧ ବାଦ୍ଯବିଶେଷ; ଡେମ୍ଫ ନାଗରୀ

ଏଠାରେ ଡମ୍ଫା ଶବ୍ଦର ପ୍ରଥମ ତଥା ପଞ୍ଚମ ଅର୍ଥ ସହିତ ଡଫଲଶଙ୍ଖ ଓ ଡଫୋର ଶଙ୍ଖ ଶବ୍ଦଦ୍ୱୟର ଆର୍ଥଗତ ସାମଜସ୍ୟ ସହଜେ ଅନୁମେୟ । 

ତେଣୁ ଭାଷାକୋଷ ଅନୁସାରେ ଡଫୋର, ଡଫଲ, ଡଫା, ଡମ୍ଫାଳିଆ ଆଦି ଶବ୍ଦ ସମଧୃତ ଅଟେ ।

‛ଡମ୍ଫା’ ଓ ଢପୋରଶଙ୍ଖର ‛ଢପୋର’ ଶବ୍ଦଦ୍ଵୟ ଯେ ସମଧୃତ ଏ ଵିଷୟରେ କେତେକ ଯୁକ୍ତିଯୁକ୍ତ ମତ:

◆ ହିନ୍ଦୀରେ ‛ଡଫୋରନା’ ବୋଲି ଏକ କ୍ରିୟାଶବ୍ଦ ରହିଛି ଯାହାର ଅର୍ଥ ଚିତ୍କାର କରିବା ଅଟେ । କୁହାଯାଏ ଡଫୋରରୁ ହିଁ ଡଫୋରନା କ୍ରିୟାଶବ୍ଦ ହୋଇଅଛି । ଡଫୋରର ଏକ ଅର୍ଥ ବେଶୀକୁହା ଗୁଣ ଆଉ ବେଳେ ବେଳେ ଅଧିକ କହୁଥିବା ଲୋକ ଭାଵାଵେଗରେ ଚିତ୍କାର ବି କରିପକାନ୍ତି । ପୁଣି ଚିତ୍କାର କଲାବେଳେ ଜଣେ ଭୀଷଣ ଶବ୍ଦ କରେ । ଏଣୁ ଓଡ଼ିଆ ଭାଷାର 
→ଡମ୍ଫା, ଡଫା ଡମ୍ଫ ଧାତୁ, ଦମ୍ଭ ଧାତୁ 
→ଡମ୍ଫ ଓ ଦମ୍ଭ ଧାତୁ ସହ ସମଧୃତ ସମ୍ପର୍କ ଥିବା ଡମ୍ ଧାତୁ ଯହିଁରୁ ଡଭରା, ଡହରା, ଡମ୍ବର, ଡମ୍ବରୁ ଆଦି ଶବ୍ଦ ନିଷ୍ପନ୍ନ କରାଯାଇଛି ।
ଏ ସମସ୍ତ ଶବ୍ଦଗୁଡି଼କର ମୂଳ ଓ ମୂଖ୍ୟ ଅର୍ଥ ଶବ୍ଦ କରିବା ହିଁ ଅଟଇ ।

◆ ଦର୍ପ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ଦୃପ ଧାତୁ ନିର୍ଣ୍ଣୟ କରାଯାଇଛି ।
ଏହି ଦୃପ୍ ଧାତୁର ଦୁଇଟି ମୁଖ୍ୟ ଅର୍ଥ 
କ. ସଂଦୀପ୍ତ କରିବା
ଖ. ଅହଂକାର କରିବା

ଦୀପ୍ତି ପାଇବା ଅର୍ଥରେ ଦର୍ପଣ ଶବ୍ଦକୁ ନିଷ୍ପନ୍ନ କରାଯାଇଥିଲା ବେଳେ ଅହଂକୃତ ହେବା ଅର୍ଥରୁ ଦର୍ପ ଶବ୍ଦକୁ ନିଷ୍ପନ୍ନ କରାଯାଇଛି । ଦୃପ୍ ଧାତୁର ମୂଳ ଅର୍ଥ ମଧ୍ୟରେ ଶବ୍ଦ କରିବା ନାହିଁ ଏଣୁ ବହୁତ ସମ୍ଭଵ ଦର୍ପଵତ୍ ନୁହେଁ ଵରଂ ଦମ୍ଭ, ଡମ୍ଫା, ଡଫା ଆଦି ଶବ୍ଦ ଗୁଡି଼କ ଏହି ଢପୋର ଶବ୍ଦ ସମଧୃତ ଅଟଇ ।

© ଶିଶିର ସାହୁ ମନୋଜ 

admin

Share
Published by
admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

1 week ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

1 week ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

1 week ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago