ଲେଖା: ଶିଶିର ସାହୁ ମନୋଜ

ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ କାମ କମ୍ ଖଥା ବେଶୀ ! ଯେତେବେଳେ କାମ କମ୍ ହୋଇଯାଏ ସେତେବେଳେ ସ୍ଵକୃତ୍ୟ ଛୋଟ କାର୍ଯ୍ୟକୁ ବଡ଼ କରି ଦେଖେଇବା ତଥା ତହିଁରୁ ମାନସିକ ଶାନ୍ତି ପାଇବା ହେତୁରୁ ବହୁତ ଶ୍ରମ କରିବାକୁ ଯାଇ କେତେ ଯେ ସତ ମିଛ କହିବାକୁ ହୋଇଥାଏ । ଏମିତି ମିଛୁଆ ଲୋକଙ୍କୁ ସମାଜରୁ ଗୋଷ୍ଠପଣ୍ଡିତ, ଗପଡି଼ ତଥା ଭୁରୁଡ଼ା ଆଦି ଉପନାମ ମିଳିଥାଏ ।

ଆମ ଭାଷାରେ ଏଭଳି କୃତ୍ୟକୁ ଦାମ୍ଭିକପଣ, ଚାତର, ଢଢମ, ମୁହଁ ଭୁରୁଡୁ଼, ପୁରୁଢ଼ି(ଡି଼) ଵା ପ୍ରୌଢୀ଼ ତଥା ମୁହଁ ବାଲିଙ୍ଗିପଣ କୁହାଯାଏ ।

ହିନ୍ଦୀରେ ଏଭଳି ଲୋକଙ୍କୁ ଢପୋରଶଂଖ କୁହାଯାଏ । ଏହା ସହିତ ସମଧୃତ ଥିବା ଭାଷାକୋଷର ପୃଷ୍ଠା ୩୨୧୯ ରେ କେନ୍ଦ୍ରାପଡା଼ ଅଞ୍ଚଳରେ ପ୍ରଚଳିତ ଏକ ଶବ୍ଦ ‛ଡଫଲ ଶଙ୍ଖ’ ର ଉଲ୍ଲେଖ ରହିଛି ଏଵଂ ହିନ୍ଦୀର ‛ଢପୋର ଶଂଖ’ ଶବ୍ଦ ସହିତ ଏହାର ଅର୍ଥ ମିଶିଯାଏ ।

ଉଭୟ ଶବ୍ଦର ଅର୍ଥ ଏହିପରି:
‛ଯେ ତିଳକୁ ତାଳକରି କହିବୁଲେ; ବାହାପିଆ’

ବୃହତ ହିନ୍ଦୀ ଶବ୍ଦକୋଷ ଅନୁସାରେ:
“ଢପୋର ଶଂଖ ଶବ୍ଦର ମାନକ ରୂପ ‘ଢପୋଲ ଶଙ୍ଖ’ ଅଟେ (କେଉଁଠି କେଉଁଠି ଡଫୋର(ଲ) ଶଙ୍ଖ ବି ଚଳୁଅଛି) । ଢପୋଲ ଶବ୍ଦର ଵ୍ୟୁତ୍ପତ୍ତି ସଂସ୍କୃତ ଦର୍ପଵତ୍ ରୁ ହୋଇଅଛି । ସଂସ୍କୃତର ଦର୍ପଵତ୍ ଶବ୍ଦ ପ୍ରାକୃତରେ ଦପ୍ପୁଲ୍ଲ ଅଟେ । 

ପ୍ରାକୃତ ‛ଦପ୍ପୁଲ୍ଲ’ ଶବ୍ଦ କାଳାନ୍ତରରେ ‛ଦପୁଲ୍ଲ’ରୁ ‛ଦପୁଲ’ ହୋଇ ଶେଷରେ ‛ଢପୋଲ’ ତଥା ‛ଢପୋର’ ହୋଇଯାଇଛି ।”

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଅନୁଶୀଳନରୁ ଏ ଶବ୍ଦର ସମ୍ପୂର୍ଣ୍ଣ ଭିନ୍ନ ଦିଗ ମିଳିଥାଏ । 

ଭାଷାକୋଷର ୩୨୧୯ ତମ ପୃଷ୍ଠାରେ ‛ଡଫୋର’ ବୋଲି ଏକ ଶବ୍ଦ ଗଡ଼ଜାତ ଅଞ୍ଚଳରେ ଚଳୁଥିବା ଉଲ୍ଲେଖ ରହିଛି ଏଵଂ ଏହି ଶବ୍ଦ ପାଖରେ “ଡମ୍ଫା ଦେଖ” ବୋଲି ଲେଖା ହୋଇଛି ।

ଡମ୍ଫା ଶବ୍ଦ ଏହି ଅବିଧାନର ୩୨୨୨ତମ ପୃଷ୍ଠାରେ ରହିଛି । ଡମ୍ଫା ଶବ୍ଦ ସହ ଦମ୍ଭ ଶବ୍ଦର ସମଧୃତଗତ ସମ୍ପର୍କ ଥିବା ତଥା ଏ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ଡମ୍ଫ ଧାତୁ ବୋଲି କୁହାଯାଇଛି ।

ଏହି ଡମ୍ଫା [ଵିଶେଷଣ] ଶବ୍ଦର ଅନେକ ଅର୍ଥ ! ଯଥା:
୧■ ଡବାଡବା; ବାଦଦୂକ, ପ୍ରଗଲ୍ଭ; ବହୁଭାଷୀ
୨■ ଆଗଚଲା; ଆଗବୋଲା
୩■ ଉଦ୍ଧତ
୪■ ଫମ୍ଫା; ପୋଲା (ଡବା; ଦର୍ଵି) 
୫■ ଯେ ଖୁବ୍ କହେ କିନ୍ତୁ କାର୍ଯ୍ୟରେ କିଛି କରେ ନାହିଁ
୬■ [ଵିଶେଷ୍ୟ]—ଆନଦ୍ଧ ବାଦ୍ଯବିଶେଷ; ଡେମ୍ଫ ନାଗରୀ

ଏଠାରେ ଡମ୍ଫା ଶବ୍ଦର ପ୍ରଥମ ତଥା ପଞ୍ଚମ ଅର୍ଥ ସହିତ ଡଫଲଶଙ୍ଖ ଓ ଡଫୋର ଶଙ୍ଖ ଶବ୍ଦଦ୍ୱୟର ଆର୍ଥଗତ ସାମଜସ୍ୟ ସହଜେ ଅନୁମେୟ । 

ତେଣୁ ଭାଷାକୋଷ ଅନୁସାରେ ଡଫୋର, ଡଫଲ, ଡଫା, ଡମ୍ଫାଳିଆ ଆଦି ଶବ୍ଦ ସମଧୃତ ଅଟେ ।

‛ଡମ୍ଫା’ ଓ ଢପୋରଶଙ୍ଖର ‛ଢପୋର’ ଶବ୍ଦଦ୍ଵୟ ଯେ ସମଧୃତ ଏ ଵିଷୟରେ କେତେକ ଯୁକ୍ତିଯୁକ୍ତ ମତ:

◆ ହିନ୍ଦୀରେ ‛ଡଫୋରନା’ ବୋଲି ଏକ କ୍ରିୟାଶବ୍ଦ ରହିଛି ଯାହାର ଅର୍ଥ ଚିତ୍କାର କରିବା ଅଟେ । କୁହାଯାଏ ଡଫୋରରୁ ହିଁ ଡଫୋରନା କ୍ରିୟାଶବ୍ଦ ହୋଇଅଛି । ଡଫୋରର ଏକ ଅର୍ଥ ବେଶୀକୁହା ଗୁଣ ଆଉ ବେଳେ ବେଳେ ଅଧିକ କହୁଥିବା ଲୋକ ଭାଵାଵେଗରେ ଚିତ୍କାର ବି କରିପକାନ୍ତି । ପୁଣି ଚିତ୍କାର କଲାବେଳେ ଜଣେ ଭୀଷଣ ଶବ୍ଦ କରେ । ଏଣୁ ଓଡ଼ିଆ ଭାଷାର 
→ଡମ୍ଫା, ଡଫା ଡମ୍ଫ ଧାତୁ, ଦମ୍ଭ ଧାତୁ 
→ଡମ୍ଫ ଓ ଦମ୍ଭ ଧାତୁ ସହ ସମଧୃତ ସମ୍ପର୍କ ଥିବା ଡମ୍ ଧାତୁ ଯହିଁରୁ ଡଭରା, ଡହରା, ଡମ୍ବର, ଡମ୍ବରୁ ଆଦି ଶବ୍ଦ ନିଷ୍ପନ୍ନ କରାଯାଇଛି ।
ଏ ସମସ୍ତ ଶବ୍ଦଗୁଡି଼କର ମୂଳ ଓ ମୂଖ୍ୟ ଅର୍ଥ ଶବ୍ଦ କରିବା ହିଁ ଅଟଇ ।

◆ ଦର୍ପ ଶବ୍ଦର ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ଦୃପ ଧାତୁ ନିର୍ଣ୍ଣୟ କରାଯାଇଛି ।
ଏହି ଦୃପ୍ ଧାତୁର ଦୁଇଟି ମୁଖ୍ୟ ଅର୍ଥ 
କ. ସଂଦୀପ୍ତ କରିବା
ଖ. ଅହଂକାର କରିବା

ଦୀପ୍ତି ପାଇବା ଅର୍ଥରେ ଦର୍ପଣ ଶବ୍ଦକୁ ନିଷ୍ପନ୍ନ କରାଯାଇଥିଲା ବେଳେ ଅହଂକୃତ ହେବା ଅର୍ଥରୁ ଦର୍ପ ଶବ୍ଦକୁ ନିଷ୍ପନ୍ନ କରାଯାଇଛି । ଦୃପ୍ ଧାତୁର ମୂଳ ଅର୍ଥ ମଧ୍ୟରେ ଶବ୍ଦ କରିବା ନାହିଁ ଏଣୁ ବହୁତ ସମ୍ଭଵ ଦର୍ପଵତ୍ ନୁହେଁ ଵରଂ ଦମ୍ଭ, ଡମ୍ଫା, ଡଫା ଆଦି ଶବ୍ଦ ଗୁଡି଼କ ଏହି ଢପୋର ଶବ୍ଦ ସମଧୃତ ଅଟଇ ।

© ଶିଶିର ସାହୁ ମନୋଜ 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago