ଲେଖା: ବନ୍ଧନ ଦଳେଇ
ଧର୍ମବିଶ୍ଵାସ ବସା ବାନ୍ଧିଥାଏ ମଣିଷର ଅବଚେତନ ମନରେ ! ଉପରେ ଧର୍ମକୁ ଯେତେ ଆଖିଠାର ମାରୁଥିଲେ ମଧ୍ୟ ମନ ଭିତରେ ସଂପୂର୍ଣ୍ଣ ଆସ୍ଥା ରଖେ ଧର୍ମ ଉପରେ, ଆଶାଭରସା ରଖେ ଠାକୁରଙ୍କ ଉପରେ ! ଲକ୍ଷ୍ମୀନାରାୟଣ, ରାଧାକୃଷ୍ଣ, ଶିବପାର୍ବତୀ, ଗୁରୁନାନକ, ଯୀଶୁ, ଆଲ୍ଲା ସଭିଙ୍କ ପାଖରେ ସେ କରେ କରୁଣାଭିକ୍ଷା !
(ଚଉଧୁରୀ ବଜାର ଜୈନ ମନ୍ଦିର)
ଏହି ପରିପ୍ରେକ୍ଷୀରେ ସମାଜରେ, ସାହିରେ, ବସ୍ତିରେ ଗଢ଼ିଉଠେ ମଠ, ମନ୍ଦିର, ମସଜିଦ୍, ଗୀର୍ଜା ! କଟକବାସୀ ଏହି ମହାସ୍ରୋତରୁ ବାଦଯା’ନ୍ତେ ବା କିପରି ? କଟକର #ବାଉନ_ବଜାର_ତେପନ_ଗଳିରେ ଭରି ରହିଛନ୍ତି ଅନେକ ଦେବଦେବୀ ! ସେମାନେ କଟକବାସୀଙ୍କୁ ଅଭୟବର ପ୍ରଦାନ କରି ଶୁଭାଶିଷ ଢାଳୁଛନ୍ତି !
(ଚଉଧୁରୀ ବଜାର ଜୈନ ମନ୍ଦିର)
ଆହୁରି ମଧ୍ଯ, ୨୫୦୦ ବର୍ଷର ଏ ସହରରେ ସନାତନଧର୍ମର ବିଭିନ୍ନ ମତବାଦ ଯେପରି ପ୍ରାଧାନ୍ୟ ବିସ୍ତାର କରିଛି, ସନାତନଧର୍ମରୁ ବିସ୍ତରି ଥିବା ଜୈନଧର୍ମ ମଧ୍ୟ ପରିବ୍ୟାପ୍ତ ହେଇଛି ! ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ, ଜୈନ ସଂସ୍କୃତିର ଭାବଧାରା ବେଶ୍ ପରିପୁଷ୍ଟି ଲାଭ କରିଛି ଏଇ #କ୍ଷୁଦ୍ର_ଭାରତର ଭ୍ରମ ସୃଷ୍ଟି କରୁଥିବା ସହରରେ ! ଶହ ଶହ ବର୍ଷ ଧରି ସହାବସ୍ଥାନ କରି #ଭାଇଚାରାର_ସହର ଭାବେ ପରିଚିତ କରିଛନ୍ତି ଆମରି ପ୍ରିୟ କଟକକୁ !
ଓଡ଼ିଶାର ବିଭିନ୍ନ ସହରରେ ଜୈନ ଧର୍ମାବଲମ୍ବୀମାନେ ଅବସ୍ଥାନ କରୁଥିଲେ ମଧ୍ୟ, କେବଳ କଟକ ସହରରେ ହିଁ #ଶ୍ୱେତାମ୍ବର, #ଦିଗମ୍ବର, ତେରାପନ୍ତୀ ଆଦି ସମସ୍ତ ସମ୍ପ୍ରଦାୟର ଜୈନ ବାସ କରନ୍ତି ! #କଟକ ମାଟିରେ #ଜୈନସଂସ୍କୃତିର ଅଲିଭା ସ୍ବାକ୍ଷର ବହନ କରୁଥିବା ଚଉଧୁରୀ ବଜାରର ଦିଗମ୍ବର ଜୈନ ମନ୍ଦିର ଏବଂ ୧୯୭୪ ମସିହାରୁ କାଜିବଜାରରେ ସ୍ଥାପିତ ଶ୍ୱେତାମ୍ବର ଜୈନ ମନ୍ଦିରକୁ ଆମେ ବାଛିଥିଲୁ ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରାର ଏକ ପର୍ବ ଭାବେ !
#କାଜୀବଜାର ଜୈନ ମନ୍ଦିରରେ ପ୍ରବେଶ ନିଷେଧ ଥିବାରୁ ଉପସ୍ଥିତ ଭକ୍ତଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଶ୍ୱେତାମ୍ବର ଜୈନଙ୍କ ମନ୍ଦିରରେ ଦିଅଁଙ୍କ ଉନ୍ମୁକ୍ତ ଚକ୍ଷୁର ପ୍ରତିମା ପୂଜା ପାଆନ୍ତି ! ତେବେ ଚଉଧୁରୀ ବଜାର ଜୈନ ମନ୍ଦିର ପରିଦର୍ଶନ ସମୟରେ ଅଣଜୈନ କେୟାର ଟେକର ଜଣକ ଅତ୍ୟନ୍ତ ଶ୍ରଦ୍ଧାରେ ମନ୍ଦିର ବୁଲାଇ ଦେଖାଇବା ସହିତ ବିଭିନ୍ନ ପ୍ରତିମା ବାବଦରେ ବୁଝାଇଥିଲେ ! ତେବେ ଏଇ ସୁନ୍ଦର ଦେଉଳରେ ମୁଦ୍ରିତ ନୟନଧାରୀ ପ୍ରତିମା ବିଦ୍ୟମାନ ! ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସବୁ ସମ୍ପ୍ରଦାୟର ଜୈନ ମାନେ ୨୪ #ତୀର୍ଥଙ୍କର, ଭଗବାନ #ମହାବୀର ଙ୍କ ସମେତ ସେମାନଙ୍କ ଅନୁଗାମୀଙ୍କୁ ଉପାସନା କରିଥା’ନ୍ତି !
ସମସ୍ତ ସମ୍ପ୍ରଦାୟର ଜୈନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉପାସନା ବିଧି ଓ ଉପଚାରରେ ସାମଞ୍ଜସ୍ୟ ଦେଖାଦିଏ ! ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ନବଦିନ ବ୍ୟାପୀ ଏକ ସ୍ବତନ୍ତ୍ର ପର୍ବର ପାଳନ ହୁଏ ! ଚୈତ୍ର ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାବୀର ଜୟନ୍ତୀ ପାଳନ ଏକ ବିଶିଷ୍ଟ ଅବସର ଜୈନମାନଙ୍କ ପାଇଁ ! ଫାଲଗୁନ କୃଷ୍ଣ ଅଷ୍ଟମୀକୁ ପ୍ରଥମ ତୀର୍ଥଙ୍କରଙ୍କ ଧରାବତରଣ ଦିବସ ଭାବେ ପାଳନ କରନ୍ତି ଜୈନମାନେ। #ଅକ୍ଷୟ_ତୃତୀୟା, #କାର୍ତ୍ତିକ_ପୂର୍ଣ୍ଣିମା ଓ #ହୋଲି ଜୈନମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର ଦିନ ! ଏ ଅବସରରେ ସେମାନେ ତାଙ୍କର ପବିତ୍ରତମ ନାମ #ପଲିଟଣ (ଗୁଜରାଟ) ଓ #ସମେତଶିଖର(ବିହାର) ପରିଦର୍ଶନରେ ଯାଇଥା’ନ୍ତି !
କଟକ ଏବଂ ଆଖପାଖ ଅଞ୍ଚଳରୁ ବିଭିନ୍ନ ସମୟରେ ସଂଗୃହୀତ ଜୈନକୀର୍ତ୍ତି ଗୁଡ଼ିକର ସଂରକ୍ଷଣ ଲକ୍ଷ୍ୟରେ କଟକ ଉପକଣ୍ଠରେ ସ୍ଥାପିତ ହୋଇଛି ଏକ #ଜୈନ_ସଂଗ୍ରହାଳୟ ! ବହୁସଂଖ୍ୟକ ମୂର୍ତ୍ତିରେ ପରିପୂର୍ଣ୍ଣ ଏଇ ସଂଗ୍ରହାଳୟରୁ ଆବଶ୍ୟକ ସ୍ଥଳେ ରାଜ୍ୟର ବିଭିନ୍ନ ଜୈନ ମନ୍ଦିରକୁ ମୂର୍ତ୍ତି ଯୋଗାଇ ଦିଆଯାଇଥାଏ ।
(କାଜୀବଜାର ଜୈନ ମନ୍ଦିର)
ଜୈନ ଧର୍ମାବଲମ୍ବୀମାନେ ନିଜର ନିଷ୍ଠାପୂର୍ବକ ଧର୍ମପାଳନ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି ! କେୟାର ଟେକର ମହାଶୟଙ୍କ ଉକ୍ତି ଅନୁଯାୟୀ ଆଜିର ଆଧୁନିକ ଯୁବପିଢ଼ିଙ୍କ କ୍ଷେତ୍ରରେ ମଧ୍ୟ ଏହାର ବ୍ୟତିକ୍ରମ ଦେଖାଯାଏନି ! ଅତ୍ୟନ୍ତ କଷ୍ଟସାଧ୍ୟ ଉପଚାର ଓ ବିଧିବିଧାନ ପ୍ରତି ଯୁବସମାଜର ଶ୍ରଦ୍ଧା ଓ ସମ୍ମାନ ଅତ୍ୟନ୍ତ ପ୍ରଶଂସନୀୟ ।
ସନାତନ ଧର୍ମରୁ ହିଁ ଏକ ଶାଖା ଭାବେ ଅଙ୍କୁରିତ ହେବା ତଥା ଭାଇଚାରାର ସହର କଟକ ମାଟିରେ ଓଡ଼ିଆ ଓ ଗୁଜରାଟୀଙ୍କ ମଧ୍ୟରେ ଅପୂର୍ବ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ବଜାୟ ରହି ଆସୁଥିଲେ ମଧ୍ୟ କାଜୀବଜାର ଜୈନ ମନ୍ଦିର ଭକ୍ତମାନଙ୍କର ସେଦିନର ଅଦ୍ଭୁତ ବ୍ୟବହାର ଆମକୁ ଚକିତ କରିଥିଲା ସତ ! ଅପର ପକ୍ଷରେ ଆମ #ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର ପରିସରରେ ନିତିପ୍ରତି ପୂଜା ପାଇଁ ଆସୁଛନ୍ତି ଜୈନ ଧର୍ମର ଭଗବାନ ମହାବୀର ! ମନ୍ଦିରର କର୍ମକର୍ତ୍ତା କିମ୍ବା ପୁଜକଗଣ କେବେ ଅଣହିନ୍ଦୁ ଦିଅଁ ବୋଲି ଭାବି ନାହାଁନ୍ତି ସତ !
ଆଉ ଆମ ପ୍ରାଚୀନ #ଐତିହ୍ୟନଗରୀ କଟକ ଯେ କେବଳ ଉତ୍କଳରେ ବିଭିନ୍ନ ଯୁଗରେ ପ୍ରବାହିତ ଧାର୍ମିକ ତରଙ୍ଗମାଳାର ମୂକସାକ୍ଷୀ ରୂପେ ଦଣ୍ଡାୟମାନ ରହିଆସିଛି ତାହା ନୁହେଁ, ବରଂ ଏଇ ପ୍ରବାହସମୂହକୁ ମଧ୍ୟ ନିଜ ବକ୍ଷରେ ଧରିରଖିଛି ମହା ଆନନ୍ଦରେ !