ଲେଖା: ନିରଞ୍ଜନ ସାହୁ
ବିଦ୍ୟା ଓ ସଂସ୍କୃତି ସଚେତନ ବାମଣ୍ଡା ରାଜ୍ୟରେ ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଜନ୍ମ ନେଇଥିଲେ ଓଡ଼ିଆ ସାହିତ୍ୟର ଏକ ବିସ୍ମୟ ପ୍ରତିଭା।ସାର୍ ବାସୁଦେବ ସୁଢଳଦେବ କର୍ତ୍ତୃକ ବାମଣ୍ଡାରେ ସମ୍ଭୂତ ନବ-ଜାଗରଣର ନୂତନ ଚିନ୍ତା ଓ ଚେତନାର ପୁଷ୍ପିତ ଉଦ୍ୟାନର ମହୀୟାନ ଫଳ ‘ଜଳନ୍ଧର ଦେବ’ ।
ଜଳନ୍ଧର ସ୍ରଷ୍ଟା ମାନସ ବାମଣ୍ଡାରେ ସୃଷ୍ଟ ଓ ବିକଶିତ ହୋଇ ସାମଗ୍ରିକ ଭାବେ ମାନବବାଦ ପ୍ରତିଷ୍ଠାରେ ସଫଳକାମ। ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ ଓ ନାଟ୍ୟକାର। ସେ ଓଡ଼ିଆ ସାହିତ୍ୟର ପ୍ରତିଟି ଦିଗକୁ ରୁଦ୍ଧିମନ୍ତ କରିଛନ୍ତି। ସମକାଳୀନ ପତ୍ରପତ୍ରିକାରେ ତାଙ୍କର ଅଜସ୍ର ରଚନା ପ୍ରକାଶିତ, କିନ୍ତୁ ଓଡ଼ିଆ ସାହିତ୍ୟର ଇତିହାସରେ ତାଙ୍କୁ ଏତେଟା ସମ୍ମାନ ପ୍ରଦାନ କରାଯାଇନାହିଁ। କେବଳ କତିପୟ ସମାଲୋଚକ ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇ କେବଳ ଜଳନ୍ଧର ଦେବଙ୍କ ନାମୋଚ୍ଚାରଣ କରି ନିଜକୁ ନିଜେ ସାବାସି ଦେବା ପାଇଁ ଚେଷ୍ଟା କରିଛନ୍ତି।
ଦ୍ଵାଦଶ ଶତାବ୍ଦୀ ଠାରୁ ବାମଣ୍ଡା ରାଜ୍ୟକୁ ଗଙ୍ଗବଂଶ ରାଜା ମାନେ ଶାସନ କରୁଥିଲେ। ଏହି ରାଜବଂଶର ପ୍ରତିଷ୍ଠାତା ଥିଲେ ସରଯୂଦେବ। ଏହାଙ୍କର ରାଜଧାନୀ ପ୍ରଥମେ ବାମଣ୍ଡା ଗ୍ରାମରେ ଥିବାରୁ ଏହି ଗ୍ରାମକୁ ବାମଣ୍ଡାଗଡ଼ ଓ ତାଙ୍କ ଦ୍ଵାରା ଶାସିତ ଅଞ୍ଚଳକୁ ବାମଣ୍ଡା ରାଜ୍ୟ କୁହାଯାଉଥିଲା। ଏହି ବଂଶର ଷୋଡ଼ଶ ରାଜା ରଘୁନାଥ ଦେବଙ୍କ ବଂଶଧର ବୀରବର ଦେବଙ୍କ ତୃତୀୟ ପୁତ୍ର ଜଳନ୍ଧର ଦେବ।
୧୮୭୨ ମସିହା ଅକ୍ଟୋବର ମାସ ୧୫ ତାରିଖରେ ଦେବଗଡ଼ ନିକଟସ୍ଥ ବଣିଆକିଲିଣ୍ଡା ଗ୍ରାମରେ ଜନ୍ମ ହୋଇଥିଲେ ଜଳନ୍ଧର ଦେବ। ଶୈଶବରୁ ମାତୃହୀନ ଜଳନ୍ଧରଙ୍କୁ ପିତା ବୀରବର ଦେବ ଅର୍ପଣ କରିଦେଲେ ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ମାତା ବିଜୟ କୁମାରୀଙ୍କୁ । ସେବେଳକୁ ରାଜା ସୁଢଳଦେବଙ୍କ ପ୍ରଥମା ପତ୍ନୀ ଗିରିଜା କୁମାରୀ ରାଜପୁତ୍ର ସଚ୍ଚିଦାନନ୍ଦଙ୍କୁ ଜନ୍ମଦେଇ ପରଲୋକ ଗମନ କରିସାରିଥାଆନ୍ତି। ତେଣୁ ରାଜମାତା ବିଜୟକୁମାରୀଙ୍କ ଉପରେ ନ୍ୟସ୍ତ ହେଲା ଉଭୟ ସଚ୍ଚିଦାନନ୍ଦ ଓ ଜଳନ୍ଧରଙ୍କ ଲାଳନପାଳନ ସାର୍ ବାସୁଦେବ ସୁଢଳଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ।
୧୮୮୨ ମସିହାରେ ବାସୁଦେବ ଉଚ୍ଚଶିକ୍ଷାର ପ୍ରସାର ପାଇଁ ପ୍ରତିଷ୍ଠା କଲେ ‘ରାଜକୁମାର ଉଚ୍ଚ ବିଦ୍ୟାଳୟ’। ୧୮୮୬ରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଲେ ପ୍ରଖ୍ୟାତ ବିଦ୍ୱାନ ବିଜୟଚନ୍ଦ୍ର ମଜୁମଦାର। ସେ ସମୟରେ ରାଜକୁମାର ସଚ୍ଚିଦାନନ୍ଦ ଓ ଜଳନ୍ଧର ସେହି ବିଦ୍ୟାଳୟର ଛାତ୍ର। ବିଜୟଚନ୍ଦ୍ର ମଜୁମଦାରଙ୍କ ତୀକ୍ଷ୍ମ ଅନ୍ତର୍ଦୃଷ୍ଟି, କୁସଂସ୍କାରମୁକ୍ତ ଆଧୁନିକ ଶିକ୍ଷାପ୍ରଣାଳୀ ଜଳନ୍ଧରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଫଳତଃ ସୃଜନଶୀଳ ମାନସର ଅଧିକାରୀ ହୋଇ ପାରିଥିଲେ ଜଳନ୍ଧର। ଆଧୁନିକ ଶିକ୍ଷା ସହ ପ୍ରାଚୀନ ଶାସ୍ତ୍ରସମୂହ, ସଂସ୍କୃତ, କାବ୍ୟ, ନାଟକ, ଅଳଙ୍କାର ଇତ୍ୟାଦି ସେ ବାମଣ୍ଡାସ୍ଥିତ ବହୁ ବିଦ୍ୱାନଙ୍କ ପାଖରୁ ଶିକ୍ଷା ପାଇଥିଲେ। ଅପରପକ୍ଷରେ ସାର୍ ବାସୁଦେବ ସୁଢଳଦେବଙ୍କ ଦୂରଦୃଷ୍ଟି, ବିଜ୍ଞାନ ସମ୍ମତ ଚିନ୍ତାଧାରା ଓ ରାଜନୀତି ନିଜର ଅଧ୍ୟବସାୟ ବଳରେ ଅକ୍ତିଆର କରିନେଇଥିଲେ, ଯାହା ପରବର୍ତ୍ତୀ କାଳରେ ତାଙ୍କୁ ଜଣେ ବିଦିତ ସାରସ୍ଵତ ସାଧକ, ବୈଧାନିକ, କୃଷକ, ବିଜ୍ଞାନପ୍ରେମୀ ଓ ସ୍ଵାଧୀନ ଚିନ୍ତାର ମଣିଷ ଭାବେ ପ୍ରତିପାଦିତ କରିଥିଲା।
୧୮୯୨ ମସିହା ଫେବୃଆରୀ ମାସରେ ଏଣ୍ଟ୍ରାନସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଘରୋଇ ଭାବେ ଜଳନ୍ଧର ଦେବ ସଂସ୍କୃତ ଶିକ୍ଷା କରିଥିଲେ। ବଳରାମ ବିଦ୍ୟାରତ୍ନ, ବିଶ୍ଵନାଥ ମହାପାତ୍ର, କାଳୀଚରଣ ବିଦ୍ୟାଭୂଷଣ, ପଣ୍ଡିତ ମଧୁସୂଦନ ବାଚସ୍ପତି ଇତ୍ୟାଦି ଶାସ୍ତ୍ରଜ୍ଞ ପଣ୍ଡିତମାନଙ୍କ ଠାରୁ ଶିକ୍ଷା ଗ୍ରହଣ ପରେ ତାଙ୍କର ଗଭୀର ପ୍ରବେଶ ହୋଇଥିଲା ବେଦବେଦାନ୍ତ, ଉପନିଷଦ, ଗୀତା, ପୁରାଣ, ବ୍ୟାକରଣ ସମୂହରେ। ଏହାର ପ୍ରତି ଶ୍ଳୋକକୁ ଗଭୀର ଅନ୍ତର୍ଦୃଷ୍ଟି ଦେଇ ସେ ନିରୀକ୍ଷଣ କରିଥିଲେ ଯାହା ଫଳରେ ରାମାୟଣ, ମହାଭାରତ, ଗୀତା ଓ ବେଦ ଉପରେ ଯୁକ୍ତିନିଷ୍ଠ ବିଶ୍ଳେଷଣ କରିବାରେ ସେ ସମର୍ଥ ହୋଇଥିଲେ। ଏହିକ୍ରମରେ ଡଃ ଶ୍ରୀନିବାସ ମିଶ୍ରଙ୍କ ଟିପ୍ପଣୀ ଉଲ୍ଲେଖଯୋଗ୍ୟ —
“ବିଦ୍ୟା ଓ ସଂସ୍କୃତି ସଚେତନ ବାମଣ୍ଡାର ପରିବେଶ ଲେଖକଙ୍କ ଚିତ୍ତରେ ଆଶ୍ଚର୍ଯ୍ୟଜନକ ଭାବେ ଜୀବନ ପ୍ରତି ଏକ ବୈଜ୍ଞାନିକ ହେତୁବାଦୀ ଦୃଷ୍ଟିଭଙ୍ଗୀର ବିକାଶ ଘଟାଇଥିଲା। ରାମାୟଣ ଓ ମହାଭାରତର ବିଚାର, ଭଗବତ୍ ଗୀତାର ମହତ୍ତ୍ଵ ନିରୂପଣ ମୂଳକ ପ୍ରବନ୍ଧରେ ଲେଖକଙ୍କ ବହୁ ଶାସ୍ତ୍ରଦର୍ଶିତା, ବିଶ୍ଳେଷଣ ପାଟକ ଓ ସ୍ଵାଧୀନ ଚିନ୍ତାର ପ୍ରକାଶ ଦେଖିବାକୁ ମିଳେ।”
୧୮୯୯ ମସିହାରେ ଏକ ଶକ୍ତିଶାଳୀ ଦୂରବିକ୍ଷଣ ଯନ୍ତ୍ର ପ୍ରତିଷ୍ଠା କଲେ ସାର୍ ବାସୁଦେବ ସୁଢଳଦେବ ଦେବଗଡ଼ ସ୍ଥିତ ‘ବିଜ୍ଞାନ ମନ୍ଦିର’ରେ, ଯାହା ଥିଲା ବାସୁଦେବ ସୁଢଳଦେବଙ୍କ ଅନନ୍ୟ କୀର୍ତ୍ତି। ପ୍ରଖ୍ୟାତ ବୈଜ୍ଞାନିକ ଯୋଗେଶଚନ୍ଦ୍ର ରାୟ ରେଭେନ୍ସା କଲେଜରୁ ବାରମ୍ବାର ଆସି ଏଠାରେ ଶିକ୍ଷକ ତଥା ଛାତ୍ରମାନଙ୍କ ସନ୍ଦେହ ମୋଚନ କରୁଥିଲେ। ଫଳରେ ଗ୍ରହନକ୍ଷତ୍ରଙ୍କ ଗତିବିଧି ଲକ୍ଷ୍ୟ କରିବା ସହଜସାଧ୍ୟ ହୋଇଥିଲା। ଆଗଧାଡିର ଛାତ୍ର ଭାବରେ ରାଜକୁମାର ସଚ୍ଚିଦାନନ୍ଦ ଓ ଜଳନ୍ଧର ଦେବ ଏ ସମସ୍ତ ବିଦ୍ୟାକୁ ଅକ୍ତିଆର କରି ନେଉଥିଲେ। ଫଳତଃ ପରବର୍ତ୍ତୀ ସମୟରେ ଜଳନ୍ଧର ଓଡ଼ିଆ ସାହିତ୍ୟକୁ ଦାନ କରିଥିଲେ ଜ୍ୟୋତିର୍ବିଦ୍ୟା ସମ୍ବଳିତ ଅନେକ ପ୍ରବନ୍ଧ। ଏହି ସବୁ ପ୍ରବନ୍ଧ ତାଙ୍କ ବିଜ୍ଞାନ ସାହିତ୍ୟକୁ ନୂତନ ପରିଚୟ ଦିଏ। ଜ୍ୟୋତିର୍ବିଦ୍ୟାର ଜୟ, ନକ୍ଷତ୍ର, ଧ୍ରୁବ, ବାର, ଗ୍ରହଣବିଚାର ପ୍ରଭୃତି ପ୍ରବନ୍ଧ ଏ ପର୍ଯ୍ୟନ୍ତ ଆମ ଓଡ଼ିଆ ବିଜ୍ଞାନ ସାହିତ୍ୟରେ ଅଦ୍ୱିତୀୟ।
ଜଳନ୍ଧର ଦେବ ଆଧୁନିକ ଓଡ଼ିଆ ସାହିତ୍ୟର ଜଣେ କୃତବିଦ୍ୟ ସାହିତ୍ୟ ସାଧକ। ସମାଜ ଓ ଜୀବନକୁ ପରିପୁଷ୍ଟ କରିବାକୁ ସେ ଆଦର୍ଶବାଦୀ, କର୍ମାଭିମୁଖୀ ସାହିତ୍ୟ ସର୍ଜନା ଉପରେ ଗୁରୁତ୍ବ ଦେଇଆସିଥିଲେ। ସାହିତ୍ୟ ସ୍ଥିର ନ ହୋଇ ଗତିଶୀଳ ହେଲେ ସମୃଦ୍ଧି ଆଡ଼କୁ ଅଗ୍ରସର ହୁଏ, ଏହାହିଁ ଥିଲା ତାଙ୍କ ରଚନାର ମୂଳମନ୍ତ୍ର। ତାଙ୍କର ସାହିତ୍ୟ ପ୍ରକୃତିରୁ ଜୀବନ୍ୟାସ ପାଇ ସଞ୍ଚରଣଶୀଳ। ସ୍ଵପ୍ନ ଓ କଳ୍ପନା ବିରହିତ ସାହିତ୍ୟ ରଚନା ତାଙ୍କର ଦୃଷ୍ଟିଭଙ୍ଗୀ। ବାସ୍ତବବୋଧ ଓ ହେତୁବାଦୀ ଦୃଷ୍ଟି ପରିଲକ୍ଷିତ ହୁଏ ତାଙ୍କ ସାହିତ୍ୟରେ। ପ୍ରବନ୍ଧମାନଙ୍କରେ ସେ ଦେଇଛନ୍ତି ନବଦିଗନ୍ତର ସନ୍ଧାନ। ପୁରାଣ ମାନଙ୍କର ବିଜ୍ଞାନ ସମ୍ମତ ଆଲୋଚନା କରି ସୃଷ୍ଟି କରିଛନ୍ତି ନୂଆ ଅଧ୍ୟାୟ। ଶୁଦ୍ଧ ପ୍ରବନ୍ଧ ରଚନାର ବଳିଷ୍ଠ ସାହିତ୍ୟିକ ସିଏ।
ଜଳନ୍ଧରଙ୍କର ଅଜସ୍ର ସୃଷ୍ଟି ଉତ୍କଳ ସାହିତ୍ୟ, ସହକାର, ଶଙ୍ଖ, ଉପହାର, ଆଲୋଚନା, ଭଞ୍ଜପ୍ରଦୀପ, ରସଚକ୍ର, ସମ୍ବଲପୁର ହିତୈଷିଣୀ, ଜହ୍ନମାମୁଁ (ବାମଣ୍ଡା) ପ୍ରଭୃତି ପତ୍ରିକାରେ ପ୍ରକାଶିତ। ଏହି ବିକ୍ଷିପ୍ତ ରଚନାବଳୀ ସମୂହ ଅବଶ୍ୟ ସଂକଳିତ ହୋଇ ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିଲା। ତନ୍ମଧ୍ୟରୁ ବିବାହ ବିଚାର, ବର୍ଣ୍ଣ, ଜାତି ଓ ସାହିତ୍ୟ, ବେଦ ଓ ହିନ୍ଦୁଧର୍ମ, ଡାଏରୀର କିୟଦଂଶ ( ସିଂହଳ ବୃତ୍ତାନ୍ତ), ଜଳନ୍ଧର ରଚନାବଳୀ, ଜଳନ୍ଧର ଦେବ ରଚନାବଳୀ, ଜଳନ୍ଧର ଗ୍ରନ୍ଥାବଳୀ ପ୍ରମୁଖ।
ଏକାଧାରରେ ସେ ଥିଲେ ଗାଳ୍ପିକ, କବି, ପ୍ରାବନ୍ଧିକ, ନାଟ୍ୟକାର, ଶିଶୁ ସାହିତ୍ୟିକ, ପତ୍ରିକା ସଂପାଦକ ସାହିତ୍ୟ କ୍ଷେତ୍ରରେ। କିନ୍ତୁ ପ୍ରକୃତରେ ସେ କେବଳ ସାହିତ୍ୟ ରଚନାରେ ସୀମିତ ନଥିଲେ।
ଜଣେ ସଂସ୍କାରକ, ଆଦର୍ଶ ଦେଵାନ, କୃଷକ, ଶିକାରୀ, ଚିତ୍ରକର, ଵକ୍ତା, ପରିବ୍ରାଜକ, ବିଚାରପତି (ବାମଣ୍ଡା ରାଜ୍ୟ), ଜାତିଭେଦ ବିରୋଧୀ, ସ୍ଥାପତ୍ୟବିଦ୍ୟା ବିଶାରଦ ଓ ସର୍ବୋପରି ଉଦାରଚେତା ମଣିଷ ଭାବେ ବିଦିତ ଜଳନ୍ଧର ଦେବ। ବାମଣ୍ଡା ରାଜସଭାରେ ରାଧାନାଥ ରାୟଙ୍କୁ ‘କବିବର’ (୧୩/୧୧/୧୮୯୩) ଓ ଫକୀରମୋହନ ସେନାପତିଙ୍କୁ ‘ସରସ୍ଵତୀ’ ଉପାଧି (୧୯୧୬) ରେ ଭୂଷିତ କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ଥିଲା। ସେ ଦୁଇଟି ସମ୍ବର୍ଦ୍ଧନା ସମାରୋହରେ ପ୍ରମୁଖ ବକ୍ତା ଥିଲେ ଜଳନ୍ଧର, ଯେ କି ଏହି ଦୁଇ ମହାନ୍ ପ୍ରତିଭାଙ୍କ ସାହିତ୍ୟ ଉପରେ ଦୀର୍ଘ ଭାଷଣ ଦେଇ ସମସ୍ତଙ୍କୁ ମୁଗ୍ଧ ଚକିତ କରିଦେଇଥିଲେ।
୧୦/୧୦/୧୯୪୯ ଠାରୁ ୦୨/୦୨/୧୯୫୨ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାରେ ଦୁଇଟି ଷ୍ଟାଡିଂଙ୍ଗ୍ କମିଟିର ସଦସ୍ୟ ଭାବରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଥିଲା ଓ ତାଙ୍କର ଚିନ୍ତାଧାରା ଗୃହୀତ ହୋଇଥିଲା।
ଏହି ବହୁମୁଖୀ ପ୍ରକୃତପକ୍ଷେ ଏକ ବିସ୍ମୟ। ଦୁଃଖର କଥା, ସାହିତ୍ୟିକ ଭାବରେ ସେତିକି ମର୍ଯ୍ୟାଦା ଦିଆ ହୋଇନାହିଁ ତାଙ୍କୁ, ଯେତିକି ସେ ପାଇବାର କଥା। ପ୍ରକାରାନ୍ତରେ ମଧ୍ୟ ତାଙ୍କର ଅନ୍ୟ ପ୍ରତିଭାର ମୂଲ୍ୟାଙ୍କନ କରାଯାଇନାହିଁ ଏ ଯାବତ୍। ଏହି ମହିୟାନ୍ ବ୍ୟକ୍ତିତ୍ଵ ୧୯୫୨ ମସିହା ଅକ୍ଟୋବର ମାସ ଛବିଶ ତାରିଖରେ ପଞ୍ଚ ମହାଭୂତରେ ଲୀନ ହୋଇଗଲେ। ଏହି ଦୁଃଖଦ ସମ୍ବାଦରେ ପ୍ରକାଶିତ ହୋଇଥିଲା ଦୈନିକ ଖବରକାଗଜ ‘ସମାଜ’ରେ ଏକ ଶ୍ରଦ୍ଧାଞ୍ଜଳି, ଡଃ ରାଧାନାଥ ରଥଙ୍କ ଦ୍ଵାରା। ଓଡ଼ିଆ ସାହିତ୍ୟର ବରେଣ୍ୟସ୍ରଷ୍ଟା ଡଃ ମାୟାଧର ମାନସିଂହଙ୍କ ଦୁଇ ଧାଡ଼ି ଉପସ୍ଥାପନା କରି ସେହି ପ୍ରଥିତଯଶାଙ୍କୁ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରୁଛି ‘ଅନ୍ତରଙ୍ଗ କଳିଙ୍ଗ’।
ଡଃ ମାୟାଧର ମାନସିଂହ – “ଗତ ଶତାବ୍ଦୀରେ, ଆରଣ୍ୟକ ରାଜ୍ୟ ବାମଣ୍ଡାରେ ପୁଣି ରାଜବଂଶରେ ଜାତ ହୋଇ ମଧ୍ୟ, ଜଳନ୍ଧର ଦେବ ଯେଉଁ ବଳିଷ୍ଠ ସ୍ଵାଧୀନଚିନ୍ତା ଓ ବୈଜ୍ଞାନିକ ଦୃଷ୍ଟିକୋଣ ଦେଖାଇ ଯାଇଛନ୍ତି ତାହା ପ୍ରକୃତରେ ବିସ୍ମୟକର। ସେ ଏ ଦେଶର ସର୍ବମାନ୍ୟ ଓ ଜନପ୍ରିୟ ପ୍ରାଚୀନ ମହାକାବ୍ୟଯୁଗ୍ମ ରାମାୟଣ ଓ ମହାଭାରତର ସମାଲୋଚନା କରି ଓଡ଼ିଶାରେ କୁସଂସ୍କାରଗ୍ରସ୍ତ ଜନତାର ପ୍ରିୟ ପ୍ରତିମାଗୁଡିକୁ ପ୍ରଥମ କରି ଭାଙ୍ଗି ଧୂଳିସାତ୍ କରିଯାଇଛନ୍ତି।”
ଡଃ ରାଧାନାଥ ରଥ/’ସମାଜ’ – “ଓଡ଼ିଶାର ପ୍ରବୀଣ ସାହିତ୍ୟିକ ଶ୍ରୀଯୁକ୍ତ ଜଳନ୍ଧର ଦେବ ଆଉ ଇହଧାମରେ ନାହାନ୍ତି। ଅକ୍ଟୋବର ଛବିଶ ତାରିଖ ସକାଳ ଦଶ ଘଣ୍ଟା ବେଳେ ତାଙ୍କର ହୃତପିଣ୍ଡ କ୍ରିୟା ହଠାତ୍ ବନ୍ଦ ହୋଇଯିବା ହେତୁ ତାଙ୍କର ତିରୋଧାନ ଘଟିଛି।
ଶ୍ରୀଯୁକ୍ତ ଜଳନ୍ଧର ଦେବଙ୍କର ଜନ୍ମ ବାମଣ୍ଡାର ରାଜପରିବାରରେ। ସେ ନିଜର ସାରା ଜୀବନ ସାହିତ୍ୟସେବା ଓ ଦେଶସେବା ପାଇଁ ଉତ୍ସର୍ଗ କରିଥିଲେ। ଓଡ଼ିଆ ପତ୍ରିକା ଗୁଡ଼ିକରେ ଜଣେ ଧାରାବାହିକ ଲେଖକ ରୂପେ ସେ ସର୍ବତ୍ର ପରିଚିତ। ଜୀବନରେ ସେ ବହୁ ପତ୍ରପତ୍ରିକା ମଧ୍ୟ ସଂପାଦନ କରି ଓଡ଼ିଆ ସାହିତ୍ୟକୁ ବଳିଷ୍ଠ ନେତୃତ୍ବ ଦେଇଛନ୍ତି। ତାଙ୍କର ସାହିତ୍ୟ ସାଧନା ନିର୍ଭୀକ, ସାହିତ୍ୟ ସମାଲୋଚନା ଉଚ୍ଚକୋଟୀର ପ୍ରବନ୍ଧ ଓ ଭ୍ରମଣ ବୃତ୍ତାନ୍ତ ପ୍ରତ୍ୟେକ ସାହିତ୍ୟିକଙ୍କ ଅନୁକରଣୀୟ। ମୃତ୍ୟୁର ଅଳ୍ପ କେତେ ମାସ ପୂର୍ବରୁ ତାଙ୍କ ପ୍ରଣୀତ ‘ସିଂହଳ ବୃତ୍ତାନ୍ତ’ ପୁସ୍ତକ ପ୍ରକାଶିତ ହୋଇଅଛି।
ସାହିତ୍ୟସେବା ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ଜଳନ୍ଧର ଦେବ ଜଣେ ସମାଜସେବୀ ରାଜନୀତିଜ୍ଞ ରୂପେ ମଧ୍ୟ ସୁପରିଚିତ। ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବ୍ୟବସ୍ଥାସଭାର ଜଣେ ବିଶିଷ୍ଟ ସଭ୍ୟ ଥିଲେ। ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ଓଡ଼ିଆ ସାହିତ୍ୟର ଜଣେ ବଳିଷ୍ଠ କର୍ଣ୍ଣଧାର ରୂପେ ଦେଶକୁ ନେତୃତ୍ଵ ଦେବା ପରେ ଆଜି ସେ ମରଧାମ ତ୍ୟାଗ କରିଅଛନ୍ତି ସତ୍ୟ କିନ୍ତୁ ତାଙ୍କର ସେହି ଅନାବିଳ ସାରସ୍ଵତ ସେବା ତାଙ୍କୁ ଚିରକାଳ ଅମର କରି ରଖିବ। ସ୍ଵର୍ଗତ ସାହିତ୍ୟରଥୀ ଜଳନ୍ଧରଙ୍କ ଉଦ୍ଦେଶ୍ୟରେ ଆମେ ଆଜି ଦେଶର ଶତ ଶତ ସାହିତ୍ୟିକ ବନ୍ଧୁମାନଙ୍କ ସହିତ ନିଜର ନମ୍ର ପ୍ରଣତି ଜଣାଉଛୁ। ସାହିତ୍ୟିକ ଜଳନ୍ଧରଙ୍କ ଆଦର୍ଶ ଦେଶରେ ଚିର ଅମ୍ଳାନ ରହୁ।”
ତଥ୍ୟ: ଡଃ ଫଣୀନ୍ଦ୍ର ଭୂଷଣ ନନ୍ଦ, ଜଳନ୍ଧର ଦେବ ଗ୍ରନ୍ଥାବଳୀ; ଡଃ ଶ୍ରୀନିବାସ ମିଶ୍ର, ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…
View Comments
ଜଳନ୍ଧର ଦେବ କେବଳ ସାହିତ୍ୟ ନୁହେଁ , ସବୁ କ୍ଷେତ୍ରରେ ଜଣେ ସଫଳ ପ୍ରତିଭା ।