ଲେଖା: ଦେଵ ତ୍ରିପାଠୀ
୧୯୫୨ ମସିହା, ବାଙ୍କାବଜାର, କଟକ ।
କୌଣସି ଏକ କାମରେ ତରବର ହୋଇ ଚାଲିଯାଉଥିଲେ ବିଜୁବାବୁ । ସୁମଧୁର ସଙ୍ଗୀତ ଓ ବାଦ୍ୟ ଶୁଣି ଗୋଟେ ଚାଳଘର ଭିତରକୁ ଆସିଗଲେ ସେ । ନୃତ୍ୟସଙ୍ଗୀତ ସହ କେଉଁ ଏକ ନାଟକର ରିହରସାଲ୍ ଦେଖିଥିଲେ ସେଇ ଚାଳଘର ଭିତରେ, ସେଇ ଚାଳଘରଟି ଥିଲା ଓଡ଼ିଆ ମଞ୍ଚଦୁନିଆଁର ବିଶାଳ ପରୀକ୍ଷାଗାର ! ଓଡ଼ିଆ ନାଟକ ଓ ମଞ୍ଚର ଭବିଷ୍ୟତ ଯେ ସେଇ ଅଧାଭଙ୍ଗା ଦଦରା ଚାଳଘରେ ହୋଇ ପାରେନା, ସେ କଥା ହୃଦୟଙ୍ଗମ କରି ସେଇ ଚାଳଘରକୁ ଭାଙ୍ଗି ସେଠାରେ ଭବ୍ୟ ନାଟ୍ୟଶାଳା ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ ବିଜୁବାବୁ । କହିବା ବାହୁଲ୍ୟ, ପରଦିନଠୁ ହିଁ କାର୍ଯ୍ୟ ଆରମ୍ଭ ହୋଇ ପ୍ରାୟ ବରଷକ ଭିତରେ ଯେଉଁ କୋଠାଟି ନିର୍ମିତ ହେଲା, ସେ ଥିଲା ଐତିହାସିକ ଜନତା ରଙ୍ଗମଞ୍ଚର ନୂତନ ଅବତାର !
ଆଧୁନିକତାର ରଙ୍ଗୀନ ଚାପରେ ସଂସ୍କୃତିର ସ୍ବର୍ଗ କୁହାଯାଉଥିବା କଟକରେ ଲୋକସଂସ୍କୃତି, ଲୋକକଳା, ପରମ୍ପରା ଆଦିକୁ ବଞ୍ଚାଇ ରଖିବା ପାଇଁ ସଭିଏଁ ତତ୍ପର ଥିଲେ ହେଁ ସହରର ପ୍ରାଚୀନ ଐତିହ୍ୟରାଜି କିନ୍ତୁ ଧୀରେ ଧୀରେ ଧୂଳିସାତ ହେବାକୁ ବସିଛି । ଦିନ ଥିଲା, କଟକ ନଗର ଏବଂ ଆଖପାଖ ଅଞ୍ଚଳର କଳାକାର ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ଉତ୍କଳୀୟ କଳାସଂସ୍କୃତିର ବାହକ ସାଜିଥିଲେ । ନାଟକ, ରଙ୍ଗମଞ୍ଚ, ଚଳଚ୍ଚିତ୍ର ଅବା ସଙ୍ଗୀତ ସବୁକିଛି ତ ଆରମ୍ଭ ଏଇ ସହରରୁ । କିନ୍ତୁ ସମ୍ପୃକ୍ତ ସାଧକମାନଙ୍କ ସାଧନାର ପୀଠଗୁଡ଼ିକର ରକ୍ଷଣାବେକ୍ଷଣ ନିମନ୍ତେ ନା ସହରର ବୁଦ୍ଧିଜୀବୀ ନା ପ୍ରଶାସନ କେହି ବିବେକର ତାଗିଦ ଅନୁଭବ କରୁଛନ୍ତି !
ବର୍ତ୍ତମାନର ମାରୁଆଡ଼ି ସ୍କୁଲ ଥିବା ସ୍ଥାନଟି କିନ୍ତୁ ଥିଲା ଓଡ଼ିଶାରେ ରଙ୍ଗମଞ୍ଚର ଏନ୍ତୁଡ଼ିଶାଳ । ୧୮୭୬ ମସିହାରେ ବଙ୍ଗୀୟ କଳାକାର ଆସି ଏଠାରେ ନାଟକ ପରିବେଷଣ କରୁଥିଲେ । କଳାପ୍ରେମୀ କଟକୀ ଦର୍ଶକଙ୍କ ମଧ୍ୟରେ ନାଟକ ଆଦିର ଆଦୃତିକୁ ଧ୍ୟାନରେ ରଖି ଉତ୍ତର ଭାରତ, ରାଜସ୍ଥାନ, ମହାରାଷ୍ଟ୍ରରୁ କଳାକାର ଆସି ଲୋକନୃତ୍ୟ ସହିତ ନାଟକମାନ ପରିବେଷଣ କରୁଥିଲେ । ୧୮୮୫ ମସିହାରେ ଗଣକବି ବୈଷ୍ଣବ ପାଣି ନିଜ ଜନ୍ମମାଟିରେ ଗୀତିନାଟ୍ୟ ଅଭିନୟ ପାଇଁ ମଞ୍ଚର ଅବତାରଣା କରିଥିଲେ ମଧ୍ୟ, ଓଡ଼ିଶା ମାଟିରେ ପ୍ରଥମ ସୌଖିନ ମଞ୍ଚର ସ୍ଥାପନା ହେଲା, ୧୮୮୭ ମସିହାରେ, କଟକରେ ! ପରବର୍ତ୍ତୀ ୧୦/୧୧ ବର୍ଷ ଭିତରେ ସହରରେ ଏକାଧିକ ମଞ୍ଚ ସ୍ଥାପିତ ହୋଇ ରଙ୍ଗମଞ୍ଚର ଧାରାକୁ ବେଗଶାଳୀ କରାଇଥିଲେ ମଧ୍ୟ ବାସ୍ତବବାଦ ଠାରୁ ଦୂରେଇ ରହି ଆସିଥିବା କାରଣରୁ ସେସବୁ ନାଟକ ଦର୍ଶକଙ୍କୁ ଠାରୁ ଧୀରେ ଧୀରେ ଦୂରେଇ ଗଲେ ।
୧୯୩୯ ମସିହାରେ ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ସ୍ଥାପନ କରିଥିଲେ ଓଡ଼ିଶା ଥିଏଟର ନାମକ ନାଟ୍ୟସଂସ୍ଥା । ଲୋକାଭିମୁଖୀ ନାଟକମାନ ରଚନା ଓ ପରିବେଷଣ କରିବା କାରଣରୁ ସଂସ୍ଥାଟି ଥିଲା ବିଶେଷ ଲୋକପ୍ରିୟ ! ୧୯୫୨ ମସିହା ପର୍ଯ୍ୟନ୍ତ ଏକ ଚାଳଘରେ ଏହି ସଂସ୍ଥାର ନାଟକ ପ୍ରଦର୍ଶିତ ହେଉଥିଲା । ୧୯୫୩ ମସିହାରେ ବିଜୁବାବୁଙ୍କ ସହାୟତାରେ ଯେଉଁ ରଙ୍ଗମଞ୍ଚ ମଣ୍ଡପ ନିର୍ମିତ ହେଲା, ସେଠାରେ କେତେଜଣ କଳାକାର ଏବଂ ବିଭକ୍ତ ଅନ୍ନପୂର୍ଣ୍ଣା ଥିଏଟର ଓ ଓଡ଼ିଶା ଥିଏଟରର କଳାକାର ମିଶି ତା’ର ନାମ ଦେଲେ ଜନତା ରଙ୍ଗମଞ୍ଚ ! ରଙ୍ଗମଞ୍ଚଟିର ନାମକରଣ କରିଥିଲେ ସ୍ବୟଂ ବିଜୁବାବୁ !
ଜନତା ରଙ୍ଗମଞ୍ଚକୁ ଗଢ଼ିଥିଲେ ଓଡ଼ିଶା କଳା ଜଗତର କେତେ କେତେ ପ୍ରତିଭାଶାଳୀ ! ଜନତା ରଙ୍ଗମଞ୍ଚ ମଧ୍ୟ ଓଡ଼ିଶା ମାଟିକୁ ଭେଟି ଦେଇଥିଲା ଅସୁମାରୀ କଳାକାର ! କୁହାଯାଏ, ଯିଏ ଯେଡ଼େ ଅଭିନେତା ହେଉ ନା କାହିଁକି, ଜନତା ରଙ୍ଗମଞ୍ଚରେ ଅଭିନୟ ନ କଲା ପର୍ଯ୍ୟନ୍ତ ଅଭିନୟ ଜୀବନ ଅଧୁରା ରହିଯାଏ !
ଅସୁମାରୀ କଳାକାର ତଥା କଳାସାଧକଙ୍କ ସାଧନା ଓ ସ୍ବପ୍ନର ପୀଠ ଜନତା ରଙ୍ଗମଞ୍ଚ କିନ୍ତୁ ବିଲୀନ ହୋଇଗଲା ୧୯୯୯ ମହାବାତ୍ୟାରେ ! ତଥାପି ସହରର କଳାପ୍ରେମୀ ବୁଦ୍ଧିଜୀବୀ ଏବଂ OSSTA (ଓଷ୍ଟା) ପରି ଶିକ୍ଷକ ସଂଘ ବହୁ କଷ୍ଟ ସ୍ବୀକାର କରି ଚାନ୍ଦାଭେଦା କରି ପୁନଃ କାର୍ଯ୍ୟକ୍ଷମ କରାଇଥିଲେ ଏଇ ମଞ୍ଚକୁ ! ଏସି ଏବଂ ଦାମୀ ଚଉକିର ଅଭାବ କିନ୍ତୁ ଅଟକାଇ ପାରି ନ ଥିଲା ନାଟ୍ୟପ୍ରେମୀ କଟକିଆଙ୍କୁ ! ସବୁ ସତ୍ତ୍ୱେ ୨୦୧୦ ମସିହା ଏପ୍ରିଲ ମାସ ଶେଷ ସପ୍ତାହରେ ‘ମାଟିର ମଣିଷ’ ନାଟକ ମଞ୍ଚସ୍ଥ ପରେ ଚିରନିଦ୍ରାରେ ଶୋଇଗଲା ଐତିହାସିକ ଜନତା ରଙ୍ଗମଞ୍ଚ ।
ସେ ମଞ୍ଚକୁ ଆଉଥରେ ରଙ୍ଗାୟିତ କରିବାକୁ ଆଜି ନା ଅଛନ୍ତି ସେଭଳି ନିଷ୍ଠାବାନ ତ୍ୟାଗୀ କଳାକାର ନା ବିଜୁବାବୁ ! ସହରର ବୁଦ୍ଧିଜୀବୀ ରଙ୍ଗମଞ୍ଚକୁ ଐତିହ୍ୟକେନ୍ଦ୍ର ଭାବେ ଘୋଷଣା ପାଇଁ ଦାବି କରି ଆଶାବାନ୍ଧି ବସିଛନ୍ତି ଯାହା !
ଚିତ୍ର: ‘ସମାଜ’ ଓ ଶ୍ରୀକାନ୍ତ ସିଂହ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…