ସୌରଭିତ ସୃଷ୍ଟି: ବ୍ରଜନାଥ ବଡ଼ଜେନା
ତୀବ୍ର ବ୍ୟଙ୍ଗ, ଯମକ ଓ ଶ୍ଲେଷପୂର୍ଣ୍ଣ କଟାକ୍ଷ ଆଦିର ବ୍ୟଙ୍ଗକାର ବ୍ରଜନାଥ ବଡ଼ଜେନାଙ୍କ “ଛାମୁଙ୍କୁ ଚିଟାଉ” ବା “ରାଜାଙ୍କୁ ଛଳୋକ୍ତି ” କବିତା l
~ ଛାମୁଙ୍କୁ ଚିଟାଉ ~
ଗୋସେଇଁ ଛ’ ହାତୀ ବାସରେ ରଖିଛ
ଦେଇ ତହିଁ କେତେ ଗଣ୍ଠି,
ମୋର ଛ’ହାତୀ ବା ସରେ ରଖିଅଛି
ଦେଇ ତହିଁ କେତେ ଗଣ୍ଠି l ୧ ।
ଭାବାର୍ଥ: ରାଜା ନିଜ ଛ ଘର ହାତୀଙ୍କୁ ଯତ୍ନରେ ବାନ୍ଧି ରଖିଛନ୍ତି, ମୁଁ ମୋର ଛିଣ୍ଡା ଛ ହାତୀ ଲୁଗାକୁ ଗଣ୍ଠି ପକେଇ ରଖିଛି l
ପ୍ରଭୁ ସୈନ୍ଧବ ଖୋଜୁଛ, ଛାମୁଙ୍କୁ
ମିଳୁ ନାହିଁ ଆଛା ରୂପେ,
ମୁହିଁ ନିତିହିଁ ସୈନ୍ଧବ ଖୋଜଇ
ମିଳୁ ନାହିଁ ଅନୁରୂପେ l ୨ ।
ଭାବାର୍ଥ: ରାଜାଙ୍କୁ ମନ ମୁତାବକ ସୈନ୍ଧବ ଲବଣ ମିଳୁନି, ମୋ ପାଖରେ ଆଦୌ ସୈନ୍ଧବ ଲବଣ ହିଁ ନାହିଁ l
ବିଜେ ହେଲାବେଳେ ଚନ୍ଦ୍ର ସୂର୍ଯ୍ୟ ତ୍ରାସ
ପ୍ରଭୁଙ୍କ ଗଭାରେ ଶୋହେ,
ଘରେ ବସିଥିଲେ ଚନ୍ଦ୍ର ସୂର୍ଯ୍ୟ ତ୍ରାସ
ମୋ ଶିରରେ ଶୋଭା ପାଏ l ୩ ।
ଭାବାର୍ଥ: ରାଜା ବିଜେ ହେଲାବେଳେ ଚନ୍ଦ୍ର ସୂର୍ଯ୍ୟ ଛତା ତାଙ୍କ ମୁଣ୍ଡ ଉପରେ ରହେ, ମୋ ଭଙ୍ଗା କୁଡ଼ିଆରେ ଚନ୍ଦ୍ର ସୂର୍ଯ୍ୟ ମୋତେ କଷ୍ଟ ଦିଅନ୍ତି l
ଗୋସେଇଁଙ୍କ ନାଁ ଚାର ଏ ମଣ୍ଡଳ ଯାକ ଖ୍ୟାତ କରୁଛନ୍ତି,
ମୁହିଁ ନାଚାର ଏ ମଣ୍ଡଳ ଯାକରେ ମୋତେ ସମସ୍ତେ ଜାଣନ୍ତି । ୪ ।
ଭାବାର୍ଥ: ରାଜାଙ୍କ ନା ଏ ଚାରି ମଣ୍ଡଳରେ ବିଖ୍ୟାତ, ମୁଁ ମଧ୍ୟ ନାଚାର, ଉପାୟ ଶୂନ୍ୟ ବୋଲି ବିଖ୍ୟାତ l
ପ୍ରଭୁଯେ ମୁକୁତା ସରି ମଣ୍ଡନରେ
ବିଭୁତି ଭୂଷଣ ମୟେ,
ମୁଁ କୁତା ସରି ମଣ୍ଡନ ହୋଇ ଅଛି
ବିଭୁତି ଭୂଷଣ କାୟେ l ୫ ।
ଭାବାର୍ଥ: ରାଜା ମୁକ୍ତା ହାର ଓ ବିଭିନ୍ନ ସୁଗନ୍ଧରେ ମଣ୍ଡିତ, ମୁଁ କୁକୁର ପରି ଧୂଳି ଧୂସରିତ l
ଗୋସେଇଁ ତଣ୍ଡି ବାନ୍ଧି ଦେଇ ଆପଣା ମୁଲକ ସମ୍ଭାଳି ଅଛ,
ମୁଁ ତଣ୍ଡି ଦେଇ ଘର ରଖି ଅଛି, ବୁଝାଯାଉ ନୋହେ ମିଛ l ୬ ।
ଭାବାର୍ଥ: ରାଜା ଲୋକଙ୍କ ମୁହଁରେ ତୁଣ୍ଡି ବାନ୍ଧି ଦେଇ ଶାସନ କରୁଛନ୍ତି, ମୁଁ ନଡ଼ା ଅଭାବରୁ ତଣ୍ଡି (ତାଳପତ୍ର)ରେ ଛପର କରିଛି l
ଗୋସେଇଁ ଥିବା ଦଶ ପାଞ୍ଚ ଚାଙ୍ଗୁଡ଼ା ମୋହର ଘରେ,
ବିଚାରୁଛି ମୁହିଁ ଅଛି ଦଶ ପାଞ୍ଚ ଚାଙ୍ଗୁଡ଼ା ମୋହର ଘରେ l ୭ ।
ଭାବାର୍ଥ: ରାଜାଙ୍କ ଘରେ ପାଞ୍ଚ ଦଶ ଚାଙ୍ଗୁଡ଼ି ସୁନା ମୋହର ଅଛି, ମୋ ପାଖରେ ମଧ୍ୟ ଖାଲି ଚାଙ୍ଗୁଡ଼ି ପାଞ୍ଚ ଦଶଟି ଅଛି l
ନୂଆ ଗାଆଁ ମୋତେ ଦିଆ ହୋଇଛି ଯେ
ଯୁଗ ଯୁଗାନ୍ତ ପଡିଆ,
ବାଘ ପୁଅ ତହିଁ ସାକ୍ଷାତ ଜନ୍ମାଏ
ପ୍ରଭୁ ଜାଣୁ ଅଛ ଏହା l ୮ ।
ଛାମୁଁଏ ନିରାଶ ହେବାରୁ ଲେଶରେ
ପରଦେଶ ଠାଏ ଯାଇଁ,
ଗୁଣ ଥିବା ଘେନି ଶହେ କି ପଞ୍ଚାଶ
ସେଠାରୁ ଅର୍ଜି ଆଣଇ l ୯ ।
ରାଜାଙ୍କ କଥାନୁସାରେ ଭଣିତା ନ କରି ଦୀନକୃଷ୍ଣ କାରାରୁଦ୍ଧ, “ଛାମୁ ଯାହା ଦେଲେ ହରଷେ . .” ବ୍ୟଙ୍ଗୋକ୍ତି କରି କବି ଯଦୁମଣି ଗୁଣୀ ବିନାୟକଙ୍କ ଠାରୁ ପାଇ ଥିଲେ ଦୁଇ ବାଟି “ବିଷ୍ଠା” l କିନ୍ତୁ ପୃଷ୍ଠପୋଷକତା ଅଭାବରୁ ନିରାଶ ବ୍ରଜନାଥ ବଡ଼ଜେନା ନିର୍ଭୀକ ଭାବେ ଦଣ୍ଡ ମୁଣ୍ଡ କର୍ତ୍ତା ଢେଙ୍କାନାଳ ରାଜା ତ୍ରିଲୋଚନଙ୍କୁ ‘ଛାମୁଙ୍କୁ ଚିଟାଉ’ ବାଣୀ ଶୁଣାଇଥିଲେ l ବହୁ କୁଟୁମ୍ବୀ ଏ କବି “ପିଠି ଅଣ୍ଟା ବେକ ଲାଗି ଗଲାଣି ମୋ ପିଠି ଲେଖାରୁ କେବଳ . . ” ପରି ଲେଖିଥିଲେ ମଧ୍ୟ ରାଜାନୁଗ୍ରହ ନ ପାଇ ଶେଷ ଜୀବନରେ ଶ୍ରୀକ୍ଷେତ୍ର ପୁରୀ ଚାଲି ଯାଇଥିଲେ l
ଇତିହାସରେ ଏପରି ନିର୍ଭୀକ ବ୍ୟଙ୍ଗକାର ବିରଳ l
ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…