Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିବାଶିଷ ମହାପାତ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖାଯାଏ ଦେବୀପୂଜା । କାହିଁ କେଉଁ ଆବହମାନ କାଳରୁ ଏଠାରେ ବାସ କରୁଥିବା ଆଦିମ ଅଧିବାସୀମାନେ ନିଜର ସୁଖଦୁଃଖ, ହାରିଗୁହାରୀ ସମୟରେ କରିଥାନ୍ତି ଦେବୀ ଉପାସନା ତଥା ଦେବୀଙ୍କ ସାନ୍ନିଧ୍ୟ ଲାଭ ପାଇଁ ତଥା ଦେବୀଙ୍କୁ ଖୁସି କରିବା ପାଇଁ ଦେଇଥାନ୍ତି ନର, ପଶୁ ଅବା ପକ୍ଷୀ ବଳି । ଅବଶ୍ୟ ଆଜିକାଲି ନରବଳି ନାହିଁ ତଥା ପାଳନ କରାଯାଉନାହିଁ ଏ ସବୁ ଯାନିଯାତ୍ରା ସେହି ପୁରୁଣା ଦିନ ହିସାବରେ । କିନ୍ତୁ ଆଜିବି କର୍ପୁର ଉଡ଼ି ଗଲା ପରେ ବି ରହି ଯାଇଛି କନା ଖଣ୍ଡିକ । ବଳିଯାତ୍ରାରେ ପ୍ରାଚୀନ ତନ୍ତ୍ର ସାଧନାର ପୀଠ ସୁବର୍ଣ୍ଣପୁର ସହରରେ ଦେଖାଯାଇଥାଏ ଭିନ୍ନ ଏକ ପରମ୍ପରା ଯାହାର ତିଳେମାତ୍ର କୈାଣସି ଅଞ୍ଚଳରେ ପରିଲକ୍ଷିତ ହୋଇ ନ ଥାଏ । ଏହି ଅଷ୍ଟଚଣ୍ଡୀ ଦୈବୀ ଶକ୍ତି ପୀଠର ଆଦି ସ୍ଥାନ ହେଉଛି ମାଁ ଖମ୍ବେଶ୍ୱରୀଙ୍କ ମନ୍ଦିର । ଦୈବି ଆବାହନ ସମୟରେ ଏ ସବୁ ଅଞ୍ଚଳରେ ବାଜି ଉଠିଥାଏ ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର । ସେ ମଧ୍ୟରୁ “ଢ଼ୋଲ” ଅତି ମହତ୍ତ୍ୱପୂର୍ଣ୍ଣ । ଏହି ସୁବର୍ଣ୍ଣପୁର ଗଡ଼ଜାତ ରାଜ୍ୟର ରାଜଧାନୀରେ ଥିବା ଖମ୍ବେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଥିବା “ଚେପଟା ଢ଼ୋଲ୍”ର ଆକର୍ଷଣ ଓ ମହାତ୍ମ୍ୟ ରହିଛି ସବୁଠୁ ଅଲଗା । ଐତିହାସିକ ବଳି ଯାତ୍ରାର ପ୍ରାଚୀନତମ ପରମ୍ପରା ଏହି ଢ଼ୋଲ । ଲୋକ କଥା ଅନୁସାରେ ଯେତିକି ପୁରୁଣା ସୋନପୁର ସହରର ବଳିଯାତ୍ରା ସେତିକି ପୁରଣା ଏହି ଚେପଟା ଢ଼ୋଲ୍ । ଲୋକ କଥାନୁସାରେ ଖେମୁଣ୍ଡି ରାଜ୍ୟର ରାଜକୁମାରୀ ସୋନପୁର ରାଜାଙ୍କୁ ବାହା ହୋଇ ସୋନପୁର ରାଜ୍ୟର ପାଟରାଣୀ ହେଲେ । ଖେମୁଣ୍ଡି ରାଜା ରାଜକୁମାରୀଙ୍କ ସହିତ ଏକ ନବଧାତୁ ନିର୍ମିତ ଢ଼ୋଲ ସହିତି କିଛି ଢ଼ୁଲିଆଙ୍କୁ ପଠାଇଥିଲେ । ଅନେକ ଦିନ ଧରି ଏହି ଚେପଟା ଢ଼ୋଲ୍ ବଳିଯାତ୍ରାରେ ପାଟଢ଼ୋଲ ଭାବରେ କାମ କରିଆସୁଥିଲା । ଅନେକ ବର୍ଷ ପରେ ଅତି ପୁରୁଣା ହୋଇଯିବାରୁ ମହାରାଜା ବିରମିତ୍ରୋଦୟ ସିଂଦେଓ ଏହି ଢୋଲକୁ ମରାମତି ନ କରି ପାଣିରେ ଭସାଇ ଦେବା ପାଇଁ ଆଦେଶ ଦେଲେ । ପାଣିରେ ଭସାଇ ଦେଲା ପରେ ମଧ୍ୟ ମହାନଦୀର ସ୍ରୋତରେ ଭାସି ନଯାଇ ରାଜଘାଟରେ ଲାଗି ରହିଥିଲା । ରାଜାଙ୍କୁ ସ୍ୱପ୍ନାଦେଶ ହେଲା ପରେ ପାଣିରୁ ଉଦ୍ଧାର କରି ପୂଜା କରାଯାଉଥିଲା ସେଇ ଚେପଟା ଢୋଲ୍ । ପରେ ମହାରାଜା ସୁଧାଂଶୁ ଶେଖରଙ୍କ ସମୟରେ ଏଥିରେ ଲାଗିହୋଇଥିବା ନବରତ୍ନର ମରାମତି କରାଯାଇଥିଲା । ମରାମତି ସମୟରେ ଦେବୀ ସ୍ବୟଂ ଆବିର୍ଭାବ ହୋଇ କାର୍ଯ୍ୟ ନିରୀକ୍ଷଣ କରୁଥିଲେ । କାରିଗରକୁ କାହାର ମୁଖ ଭଳିଆ ଦେଖା ଯିବାରୁ ସେ ଛାନିଆରେ ଦଉଡ଼ି ପଳାଇଥିଲା ରାଜଗୁରୁଙ୍କ ପାଖକୁ । ସେଠାରେ ରାଜଗୁରୁ କାରିଗରଙ୍କୁ ଦେବୀଙ୍କ ମାହାତ୍ମ୍ୟ କଥା ବୁଝାଇଥିଲେ । ପରେ ସେ ରାଜି ହୋଇ ମରାମତି କାର୍ଯ୍ୟ ସମାପନ କରିଥିଲେ । ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମରାମତି କାର୍ଯ୍ୟ ସମାପନ ହୋଇଥିଲା । ଆଜି ମଧ୍ୟ ଏହି ଢ଼ୋଲ ନ ବାଜିଲେ ବରୁଆ ଦେହରେ ଦେବୀ ଆବିର୍ଭାବ ହୋଇନଥାନ୍ତି । କାଳିସି (ବରୁଆ) ଦେହରେ ଦେବୀଙ୍କୁ ଆବାହନ କରିବା ସମୟରେ ଏହି ଢ଼ୋଲରେ ବାଜିଥାଏ ଷୋହଳ ଭରନି ବାଦ୍ୟ ତଥା ମାଲେଶ୍ରୀଗାନ । ଏହି ପାଟ ଢ଼ୋଲର ବାଦ୍ୟରେ ଉପସ୍ଥିତ ଦର୍ଶକ ତଥା ବରୁଆଙ୍କୁ ଅଭିଭୂତ କରିଥାଏ । ଅଶ୍ଵିନ ମାସରେ ଷୋଳ ଦିନ ଧରି ପାଳିତ ହେଉଥିବା ଏହି ମହାବଳି ଯାତ୍ରାର ନବମୀ ରାତିରେ ବରୁଆ ଏହି ଢ଼ୋଲ ଉପରେ ସବାର ହୋଇ କଳାଧଳା ଛତ୍ର ଧରି ଖମ୍ବେଶ୍ୱରୀ ମନ୍ଦିରରୁ ସୁରେଶ୍ବରୀ ମନ୍ଦିରକୁ ବିଜେ କରିଥାନ୍ତି । ପର୍ଶୁରାମଙ୍କ ମାଟି ସୁବର୍ଣ୍ଣପୁର ସହରର ଏହି ମହାବଳି ଯାତ୍ରା ସହିତ ଏହି ଚେପଟା ଢ଼ୋଲ୍ ଅନନ୍ୟ ଇତିହାସର ଅଧିକାରୀ । ©️Odisha Stories
|
|