ଲେଖା: ଶିଶିର ସାହୁ ମନୋଜ

ଚିନ୍ମୟ ଶବ୍ଦଟି ଵିଶେଷତଃ ଏକ ନାମଵାଚକ ଶବ୍ଦ ଭାଵେ ଵ୍ୟଵହୃତ ହୋଇଥାଏ । ଅନ୍ଯ ରାଜ୍ୟର ଲୋକଙ୍କ ଅପେକ୍ଷା ଏହି ନାମ ଵ୍ଯଵହାର କରୁଥିଵା ଓଡ଼ିଆ ଲୋକଙ୍କ ସଂଖ୍ୟା ଅଧିକ । ପୁଅ ପିଲାଙ୍କ ଛଡ଼ା ଝିଅ ପିଲାଙ୍କ ନାମ ମଧ୍ୟ ଚିନ୍ମୟୀ ରଖାଯାଏ ‌‌। ଚିତ୍ ଶବ୍ଦରେ ସଂଜାତାର୍ଥେ ମୟ ଯୋଡା଼ଯାଇ ଚିନ୍ମୟ ଶବ୍ଦର ନିରୁକ୍ତି ନିର୍ଣ୍ଣୟ କରାଯାଇଛି ‌।

ଚିନ୍ମୟ ଶବ୍ଦର ଵିଶେଷଣ ଅର୍ଥ ହେଉଛି 
୧. ଜ୍ଞାନମୟ 
୨. ଚୈତନ୍ଯମୟ
୩. ଆଧ୍ଯାତ୍ମିକ
୪. ଵିଶୁଦ୍ଧ ବୌଦ୍ଧିକତା ଯୁକ୍ତ ଵ୍ଯକ୍ତି 
୫. ଆତ୍ମିକ

ସେଇଭଳି ଏ ଶବ୍ଦ ଵିଶେଷ୍ୟ ଭାଵେ ଵ୍ୟଵହୃତ ହେଲେ ତାହା ଈଶ୍ଵର, ପରମେଶ୍ବର ଵା ପରତ୍ମାମାଙ୍କୁ ବୁଝାଇଥାଏ । ପ୍ରକୃତରେ ଚିନ୍ମୟ ଶବ୍ଦଟି ଈଶ୍ଵର, ଭଗଵାନ, ପରମାତ୍ମା ଆଦି ଶବ୍ଦର ଏକ ଶାସ୍ତ୍ରୀୟ ପ୍ରତିଶବ୍ଦ ।

ଆମ ପୂର୍ଵଜମାନେ ଈଶ୍ଵରଙ୍କ ନାମ ନେଵା ପାଇଁ ନିଜ ସନ୍ତାନ ମାନଙ୍କୁ ରାମ, କୃଷ୍ଣ, ଭଗଵାନ ଓ ଈଶ୍ଵର ଆଦି ନାମ ଦେଵାର ପରମ୍ପରା ଆରମ୍ଭ କରିଥିଲେ । ସେଇ ପରମ୍ପରାରେ ଆଉ ଏକ ନାମ ହେଉଛି ଏଇ ଚିନ୍ମୟ ଶବ୍ଦ !!!

ଏଇ ଶବ୍ଦରେ ଚିତ୍ ଓ ମୟ ଵା ମୟଟ୍ ପ୍ରତ୍ୟୟ ରହିଛି । ଚିତ୍ ଶବ୍ଦ ଏଠାରେ କଦାଚିତ୍, କିଞ୍ଚିତ୍ ଆଦି ଶବ୍ଦରେ ଵ୍ୟଵହୃତ ଚିତ୍ ପ୍ରତ୍ଯୟ ନୁହେଁ ନା ଓଡ଼ିଆ ଦେଶଜ ଶବ୍ଦ ଅଟେ ! ଚିନ୍ମୟ ଶବ୍ଦରେ ଶାସ୍ତ୍ରୀୟ ଚିତ୍ ଶବ୍ଦର ଵ୍ଯଵହାର ଵିଶେଷ୍ଯ ଭାଵେ ହୋଇଛି ।

ଶାସ୍ତ୍ରୀୟ ଚିତ୍ ଶବ୍ଦର ନିମ୍ନଲିଖିତ ଅର୍ଥ ରହିଛି,
୧. ଜ୍ଞାନ
୨. ଚିତ୍ତବୃତ୍ତି
୩. ଚୈତନ୍ଯ
୪. ଚେତନା (ଚିତ୍ତ ଶବ୍ଦ ଏହି ଅର୍ଥରେ ନିଷ୍ପନ୍ନ)
୫. ଆତ୍ମା (ଚିଦାତ୍ମା ହେଉଛି ଆତ୍ମାର ଏକ ଅଂଶ)
୬. ଅଗ୍ନି (ଚିତା ଶବ୍ଦ ଏହି ଅର୍ଥରେ ଵ୍ଯଵହୃତ)

ଏହି ଚିତ୍ ଶବ୍ଦର ମୂଳ ହେଲା ଚିତ୍ ଧାତୁ ଯାହାର ମୂଳ ଅର୍ଥ ଥିଲା ଜାଣିଵା, ବୋଧ କରିଵା ।

ସେହିପରି ମୟ ଵା ମୟଟ୍ ଏକ ପ୍ରତ୍ୟୟ ଯାହା ନିମ୍ନଲିଖିତ ଅର୍ଥରେ ଵିଶେଷ୍ଯ ଶବ୍ଦ ସହିତ ଯୁକ୍ତ ହୋଇଥାଏ,
୧. ପୂର୍ଣ୍ଣତାବୋଧକ
✓ମୟାମୟ ସଂସାର
✓କଣ୍ଟକମୟ ବନ

୨. ଵ୍ଯାପ୍ତ୍ଯର୍ଥେ
✓ଜଳମୟ ଦେଶ
✓ବାଲୁକାମୟ ସ୍ଥାନ

୩. ବିକାରାର୍ଥେ
✓ସ୍ବର୍ଣ୍ଣମୟ ଘଟ 
✓ରତ୍ନମୟ ଅଙ୍ଗୁରୀୟ
✓ ମୃଣୟ ପାତ୍ର

୪. ବାହୁଲ୍ଯାର୍ଥେ
✓କଙ୍କରମୟ ସ୍ଥାନ
✓ନଦୀମୟ ଦେଶ

୫. ସ୍ବରୂପାର୍ଥେ
✓ଗଜମୟ ସେତୁ

୬. ଗୁଣାର୍ଥେ (ଗୁଣ ଥିଵା ଅର୍ଥରେ)
✓ମାଯାମୟ ସଂସାର
✓ଦଯାମୟ ପ୍ରଭୂ
✓ପ୍ରେମମୟ ହୃଦୟ।

୭. ପୁରୀକ୍ଷାର୍ଥେ (ଅମୁକର ବିଷ୍ଠା)
✓ଗୋମୟ(ଗୋବର)

ଚିନ୍ମୟ ଶବ୍ଦରେ ଚିତ୍ ଶବ୍ଦ ସହ ଗୁଣ ଥିଵା ଅର୍ଥରେ ମୟ ପ୍ରତ୍ଯୟ ଯୁକ୍ତ ହୋଇଛି । ତେଣୁ ଜ୍ଞାନ ଥିଵା ଵ୍ଯକ୍ତି ଚିନ୍ମୟ ପଦଵାଚ୍ଯ ଅଟନ୍ତି । ତେଵେ ଜୀଵଙ୍କ ମଧ୍ୟରେ କେହିବି ନାହିଁ ଯେ ସଂସାରର ସମସ୍ତ ଜ୍ଞାନର ଅଧିକାରୀ ହୋଇଥିଵ କିନ୍ତୁ ଯିଏ ସଂସାରର ସମସ୍ତ ଜ୍ଞାନର ଅଧିକାରୀ କେଵଳ ସେ ହିଁ ଚିନ୍ମୟ ଅଟେ ଏଵଂ କେଵଳ ପରମାତ୍ମା ଵା ଈଶ୍ଵର ହିଁ ଏଭଳି ଶକ୍ତିର ଅଧିକାରୀ ଅଟନ୍ତି । 
© ଶିଶିର ସାହୁ ମନୋଜ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago