ଲେଖା: ଶ୍ରୀକାନ୍ତ ସିଂହ

କଟକ ଜିଲ୍ଲାର କେତୋଟି ଗଡ଼ଜାତ ଅଞ୍ଚଳ ମଧ୍ୟରେ ନରସିଂହପୁର ଗଡ଼ଜାତ ହେଉଛି ଅନ୍ୟତମ l ପାହାଡ଼, ପର୍ବତ, ଝରଣା, ଅରଣ୍ୟ, ପ୍ରାଚୀନ ମନ୍ଦିର ଓ ବୌଦ୍ଧ କିର୍ତ୍ତୀରାଜି ପାଇଁ ଏହି ଅଞ୍ଚଳ ସୁପରିଚ l କଟକ ଜିଲ୍ଲାର ପ୍ରସିଦ୍ଧ ଦେଓଝର ଓ ଡାବରଖୋଲ ଜଳପ୍ରପାତ ଏହି ଅଞ୍ଚଳରେ ଅବସ୍ଥିତ l

ଦେବଭୂମି ନରସିଂହପୁର ଅଞ୍ଚଳରେ ଅଷ୍ଟଶମ୍ଭୁ ମନ୍ଦିର ସମୂହ ରହିଛି l ସେଥି ମଧ୍ୟରେ ଚମ୍ପାନାଥ ମନ୍ଦିର ହେଉଛି ଅନ୍ୟତମ l ଏହି ପ୍ରାଚୀନ ମନ୍ଦିରଟି ନରସିଂହପୁରର ଚମ୍ପେଶ୍ୱର ଗ୍ରାମରେ ଅବସ୍ଥିତ l କୁହାଯାଏ ଏକ ଚମ୍ପାଗଛ ମୂଳରେ ଶିବଲିଙ୍ଗ ପୂଜା ପାଉଥିବାରୁ ତାହାଙ୍କୁ ଚମ୍ପାନାଥ ଓ ଏ ଅଞ୍ଚଳରେ ସେ ସମୟରେ ବହୁ ସଂଖ୍ୟକ ଚମ୍ପାଗଛ ରହିଥିବାରୁ ଲୋକମୁଖରେ ଏହି ଅଞ୍ଚଳଟି ଚମ୍ପାଦେଇପୁର ଓ ପରବର୍ତ୍ତୀ ସମୟରେ ଚମ୍ପେଶ୍ୱର ନାମରେ ପରିଚିତ l


ଚମ୍ପାନାଥ ମନ୍ଦିର ନିର୍ମାଣ ସମ୍ପର୍କରେ କୌଣସି ପ୍ରାମାଣିକ ଐତିହାସିକ ତଥ୍ୟ ଜଣା ନ ଥିଲେ ବି ଜନଶ୍ରୁତିରୁ ଯାହା ଜଣାଯାଏ ଏହି ମନ୍ଦିର ସମୂହ ଅଷ୍ଟମ ବା ନବମ ଶତାବ୍ଦୀରେ ଭୌମକର ଶାସକଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା l ମନ୍ଦିର ପରିସରରେ ପଡ଼ି ରହିଥିବା କାରୁକାର୍ଯ୍ୟପୂର୍ଣ୍ଣ ପାଷାଣ ଭଗ୍ନାବଶେଷରୁ ବି ମନ୍ଦିରଟିର ପ୍ରାଚୀନତା ଅନୁମାନ କରିହୁଏ l



ସାଧାରଣତଃ ଶିବ ମନ୍ଦିର ଗୁଡ଼ିକର ମୁଖଶାଳା ପୂର୍ବ ଦିଗକୁ ଥିବା ବେଳେ ଏହି ମନ୍ଦିରର ମୁଖଶାଳା କିନ୍ତୁ ପଶ୍ଚିମାଭିମୁଖୀ l କାରଣ ସମ୍ପର୍କରେ ଯାହା ଜଣାଗଲା ତାହା ହେଉଛି, ଜଣେ ଚଷାପୁଅ କୁଆଡ଼େ ବିଲ ମଝିରେ ଥାଇ ସୁମଧୁର ସ୍ୱରରେ ଶିବ ସ୍ତୋତ୍ର ପାଠ କରୁଥିଲେ ଆଉ ଏହି ସମୟରେ ତାଙ୍କୁ ଶୁନ୍ୟବାଣୀ ହେଲା ଯେ ପୂର୍ବାଭିମୁଖୀ ମୁଖଶାଳା ଆଡକୁ ମୁହଁ କରି ସ୍ତୋତ୍ରଗାନ କରିବା ପାଇଁ ମାତ୍ର ଅଭିମାନୀ ଚଷା ଜଣକର ଉତ୍ତର ଥିଲା ମୋ ସଙ୍ଗୀତ ଯଦି ଏତେ ପସନ୍ଦ ତେବେ ମୁଖଶାଳା ପଶ୍ଚିମକୁ କରି ଶ୍ରବଣ କରାଯାଉ l ରାତି ପହିଲା ପରେ ସତକୁ ସତ ଚମ୍ପାନାଥ ମନ୍ଦିର ମୁଖଶାଳାଟିର ମୁଖ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ପରିବର୍ତ୍ତନ ହୋଇଯାଇଥିଲା l ଏହା ଥିଲା ଭକ୍ତ ଓ ଭଗବାନଙ୍କ ସମ୍ପର୍କର ଏକ ସୁନ୍ଦର ଆଖ୍ୟାୟିକା l



ଆଉ ଏକ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗରେ ଅସୁର ରାଜା ବାଣାସୁର ଚମ୍ପାନାଥ ଠାରୁ ପାଞ୍ଚ କିଲୋମିଟର ଦୂର ମହାନଦୀ କୂଳରେ ଥିବା ଏକ ପର୍ବତ ଉପରେ ନିଜର ଗଡ଼ ସ୍ଥାପନ କରିଥିଲେ l ସେହି ପର୍ବତଟି ବର୍ତ୍ତମାନ ବାଣାସୁର ପର୍ବତ ବା ବାଣେଶ୍ୱରନାସି ନାମରେ ଏବଂ ଗ୍ରାମଟି ପଦାମାଳପାଟଣା ନାମରେ ପରିଚିତ l



କୁହାଯାଏ ରାକ୍ଷସରାଜ ବାଣାସୁର ପ୍ରତିଦିନ ଚମ୍ପାନାଥଙ୍କୁ ଦର୍ଶନ ଓ ପୂଜା ଆରାଧନା କଲାପରେ ହିଁ ଅନ୍ନଜଳ ଗ୍ରହଣ କରୁଥିଲେ l ମାତ୍ର ବର୍ଷା ଋତୁରେ ମହାନଦୀରେ ବନ୍ୟା ସମୟରେ ଚମ୍ପାନାଥଙ୍କୁ ଦର୍ଶନ କରିବା ସମ୍ଭବ ନ ହେବାରୁ ପର୍ବତ ଉପରେ ନିଜ ଗଡ଼ରେ ଆଉ ଏକ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ; ଯାହାକି ବର୍ତ୍ତମାନ ପଦ୍ମେଶ୍ବର ନାମରେ ପରିଚିତ l ଏହି ମନ୍ଦିରଟି ପଦାମାଳପାଟଣା ଗ୍ରାମର ବାଣେଶ୍ୱର ବା ବାଣେଶ୍ୱରନାସି ପର୍ବତ ଉପରେ ଅବସ୍ଥିତ l ଏହି ପର୍ବତରୁ ମଧ୍ୟ ବୌଦ୍ଧ ସମ୍ପ୍ରଦାୟର ଅନେକ ଗୁଡ଼ିଏ ପ୍ରାଚୀନ ଧ୍ବଂସାବଶେଷ ପ୍ରାପ୍ତ ହୋଇଥିବାରୁ ସମ୍ପୂର୍ଣ୍ଣ ପାହାଡ଼ଟି ଏବେ ଭାରତୀୟ ପତ୍ନତତ୍ତ୍ୱ ବିଭାଗ ବା Archeological Survey Of India [ASI] ଦ୍ୱାରା ସଂରକ୍ଷିତ ଓ ସୁରକ୍ଷିତ l



ପଦ୍ମେଶ୍ବର ମନ୍ଦିରଟି ଅର୍ଦ୍ଧଭଗ୍ନ ଅବସ୍ଥାରେ ଦଣ୍ଡାୟମାନ l ଏହି ମନ୍ଦିରଟି ଦଶମରୁ ଏକାଦଶ ଶତାବ୍ଦୀ ମଧ୍ୟ୍ୟରେ ସୋମବଂଶୀ ଶାସକଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଅନୁମେୟ l ମନ୍ଦିର ଗାତ୍ରରେ ବହୁ ସୁନ୍ଦର କାରୁକାର୍ଯ୍ୟମାନ ଦେଖିବାକୁମିଳେ l ଗର୍ଭଗୃହସ୍ଥ ଶିବଲିଙ୍ଗଟି ଆକାରରେ ବୃହତ ଓ କଳା ମୁଗୁନି ପଥରରେ ନିର୍ମିତ l ଅନ୍ୟ ପକ୍ଷରେ ଚମ୍ପାନାଥ ମନ୍ଦିର ଶିବଲିଙ୍ଗଟି ଆକାରରେ ଛୋଟ ଓ ଭୂମିପତନ ଠାରୁ ପ୍ରାୟ ତିନି ଚାରିଫୁଟ ତଳେ ସ୍ଥାପିତ l ଚମ୍ପାନାଥ ମନ୍ଦିର ପରିସରରେ ଅନ୍ୟ କେତୋଟି ମନ୍ଦିରରେ ଶିବଲିଙ୍ଗ ପ୍ରତିଷ୍ଠା ହୋଇଥିବାବେଳେ ମନ୍ଦିର ଗାତ୍ରରେ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ରହିଛି l



ପଦ୍ମେଶ୍ବର ମନ୍ଦିର ଗାତ୍ରରେ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ସହିତ ମୁଖ୍ୟ ମନ୍ଦିରର ଚାରି କୋଣରେ ଚାରୋଟି ଶିବଲିଙ୍ଗ ଆଣ୍ଠୁ ଉଚ୍ଚର ଅର୍ଦ୍ଧ ନିର୍ମିତ ମନ୍ଦିରରେ ପ୍ରତିଷ୍ଠା ହୋଇଛି l ମନ୍ଦିର ପରିସରସ୍ଥ ଅନ୍ୟ ଏକ ମନ୍ଦିରରେ ବିଶାଳ ଏକ ଦେଵୀ ମୂର୍ତ୍ତି ରହିଛି ଯାହାଙ୍କୁ ଦୁର୍ଗାଦେଵୀ ରୂପେ ଅବିହିତ କରାଯାଉଛି ମାତ୍ର ଦେଵୀ ମୂର୍ତ୍ତିଟିର ରୂପରେଖ ବୌଦ୍ଧ ମୂର୍ତ୍ତି ସହିତ ସାମଞ୍ଜସ୍ୟ ଥିବା ଜଣାଯାଏ l ଅର୍ଥାତ ଏହା କୌଣସି ଏକ ହିନ୍ଦୁ ମୂର୍ତ୍ତି ପରି ଜଣାପଡ଼େନାହିଁ l ତେବେ ମୂର୍ତ୍ତିଟି  ଖୁଵ ସୁନ୍ଦର, କମନୀୟ ଓ ଲାବଣ୍ୟ l


ଚମ୍ପାନାଥ ମନ୍ଦିର ଅନ୍ୟ ଏକ କାରଣ ପାଇଁ ମଧ୍ୟ ପ୍ରସିଦ୍ଧ ! ମନ୍ଦିର ପରିସରସ୍ଥ ପୁଷ୍କରିଣୀ ଓ ତା ମଧ୍ୟରେ ଥିବା ବିରାଟକାୟ କଇଁଛ l ଏହି କଇଁଛଗୁଡ଼ିକ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ l ଖଈ, ଉଖୁଡା ଓ କିଛି ଖାଦ୍ୟ ପଦାର୍ଥ ଦେଲେ ଖାଇବା ପାଇଁ କଇଁଛଗୁଡ଼ିକ ପାହାଚ ଉପରକୁ ଉଠିଆସନ୍ତି l ଗୋଟେ ଗୋଟେ କଇଁଛର ଓଜନ ପ୍ରାୟ ୩୦/୪୦କି.ଗ୍ରା.ରୁ ଅଧିକ ହେବ l

(Image: go2india.in)

ଚମ୍ପାଦେଇପୁରର ପ୍ରାଚୀନ ଚମ୍ପାନାଥ ମନ୍ଦିର ଓ ବାଣେଶ୍ବରନାସିର ପଦ୍ମେଶ୍ୱର ମନ୍ଦିର ଦୁଇଟିକୁ ବର୍ଷର ଯେ କୌଣସି ସମୟରେ ବୁଲିଯାଇ ହେବ, ଆଉ ଏହି ଦୁଇ କିର୍ତ୍ତୀରାଜିକୁ ସ୍ୱଚକ୍ଷୁରେ ଦେଖିବା ମଧ୍ୟ ଏକ ସୌଭାଗ୍ୟର କଥା l

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago