ଲେଖା: ରବୀନ୍ଦ୍ର କୁମାର ରଣା
ଓଡିଶାର ପ୍ରାଚୀନ କିର୍ତ୍ତୀ ଓ ଐତିହ୍ୟକୁ ଦେଖିଲେ ଏହା ସ୍ପଷ୍ଟ ଯେ ସର୍ବାଧିକ କିର୍ତ୍ତିରାଜି ସୋମବଂଶୀ ଓ ଗଙ୍ଗବଂଶୀ ରାଜାମାନଙ୍କ ସମୟରେ ନିର୍ମାଣ କରା ଯାଇଛି । ଏହି ସମୟରେ ନିର୍ମିତ ମନ୍ଦିର ଗୁଡିକର ଆକାର ଯେମିତି ବୃହତ ଏଥିରେ ଖୋଦିତ ପ୍ରତିମା ଓ କାରୁକାର୍ଯ୍ୟ ମଧ୍ଯ ସେମିତି ଆକର୍ଷଣୀୟ ଓ ମନଲୋଭା ।
ମୁଖ୍ୟତଃ ଦଶମ ଶତାବ୍ଦୀ ଓ ତା’ ପରବର୍ତ୍ତୀ ସମୟରେ ଉପକୂଳ ଓଡିଶାରେ ଗଙ୍ଗବଂଶୀମାନଙ୍କର ସୁନ୍ଦର କିର୍ତ୍ତିରାଜିମାନ ଦେଖିବାକୁ ମିଳେ । ତେବେ ଏହି ଗଙ୍ଗବଂଶୀୟ କିର୍ତ୍ତିରାଜି ମଧ୍ୟରୁ ଡେଲାଙ୍ଗ ନିକଟସ୍ଥ ଘୋରାଡିଆ ଗ୍ରାମରେ ଏକାଦଶ ଶତାବ୍ଦୀରେ ନିର୍ମିତ ସୋମନାଥ ମନ୍ଦିର ଏକ ସୁନ୍ଦର ମନ୍ଦିର । ମନ୍ଦିରଟି ବହୁତ ବଡ଼ ନ ହେଲେ ମଧ୍ୟ ରେଖା ଶୈଳୀରେ ନିର୍ମିତ ମୂଳମନ୍ଦିର ଓ ପାର୍ଶ୍ଵମନ୍ଦିର ଗୁଡ଼ିକରେ ବହୁତ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳେ । ମୁଖ୍ୟତଃ ଏହି ମନ୍ଦିରର ଗଠନ ଶୈଳୀ ପଞ୍ଚାୟତନ ଆକାରର ଅର୍ଥାତ ମୁଖ୍ୟ ମନ୍ଦିରର ଚାରିକୋଣରେ ଚାରୋଟି ପାର୍ଶ୍ଵମନ୍ଦିର ପରସ୍ପର ବିପରୀତ ମୁଖୀ ।
ମୂଳ ମନ୍ଦିରଟି ପଶ୍ଚିମାମୁଖୀ ଏବଂ ମନ୍ଦିରର ବେଢା ଛୋଟ । ସମସ୍ତ ମନ୍ଦିର କାନ୍ଥରେ ସୁନ୍ଦର କାରୁକାର୍ଯ୍ୟ, ତାହା ମଧ୍ୟରେ କାର୍ତ୍ତିକେୟ, ଗଣେଶ, ଭୈରବ ଓ ଅନେକ ଦେବାଦେବୀଙ୍କ ଖୋଦିତ ପ୍ରତିମା ରହିଛି । ତେବେ ଏହି ସୁନ୍ଦର ମନ୍ଦିରଟି ଖୋର୍ଦ୍ଧାରୁ ଡେଲାଙ୍ଗ ଯାଇଥିବା ମୁଖ୍ୟ ରାସ୍ତାର ଡେଲାଙ୍ଗ ବଜାରର କିଛି କି.ମି. ପୂର୍ବରୁ ଡାହାଣକୁ ୧କି.ମି. ଦୂରରେ ଘୋରାଡିଆ ଗ୍ରାମରେ ଅବସ୍ଥିତ । ଏହି ଗ୍ରାମର ଆରମ୍ଭରୁ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ପ୍ରସିଦ୍ଧ ବଣିବକ୍ରେଶ୍ଵର ମନ୍ଦିର ପଡିବ ଯାହା ଅତୀବ ସୁନ୍ଦର ଓ ଏହାର ଏକ ସୁନ୍ଦର ଲୋକକଥା ମଧ୍ୟ ରହିଛି । ଗାଁ ଭିତରେ ସୋମନାଥ ମନ୍ଦିର ଓ ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ରାଧାକାନ୍ତ ମଠ ମଧ୍ୟ ରହିଛି ।