ଗୋପାଳଚନ୍ଦ୍ର ପ୍ରହରାଜ

ଲେଖା: ସୁଦର୍ଶନ ଆଚାର୍ଯ୍ୟ
~ ଗୋପାଳଚନ୍ଦ୍ର ପ୍ରହରାଜ ବ୍ୟକ୍ତି ଓ ବ୍ୟକ୍ତିତ୍ଵ ~
ପାରଳାଖେମୁଣ୍ଡିର ଅଦ୍ଭୁତକର୍ମା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ରଚନାବଳୀ ସଂଗ୍ରହ ଅବସରରେ ଦିନେ କୌତୂହଳବଶତଃ କଟକ ଫେରିବା ରାସ୍ତାରେ ବାଣପୁରର ସ୍ୱନାମଧନ୍ୟ ସ୍ୱର୍ଗତ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଘରେ ଯାଇ ପହଞ୍ଚିଲି । ସେ ଥିଲେ ପଣ୍ଡିତ ନନ୍ଦଶର୍ମାଙ୍କ ପ୍ରିୟ ଛାତ୍ର । ତାଙ୍କ ରଚନା ଖାତାର ଅଲେଖା ପୃଷ୍ଠାଗୁଡ଼ିକରେ ନନ୍ଦ ତାଙ୍କ ପ୍ରବନ୍ଧ ଓ ଆଲୋଚନାଗୁଡ଼ିକୁ ଲେଖିଥିଲେ । ପୁଣି ଡାକ୍ତର ପଣ୍ଡା ଗୋପୀନାଥ ନନ୍ଦଙ୍କ ଗ୍ରନ୍ଥାବଳୀ ସମ୍ପାଦନା କରିଥିଲେ। ସେତେବେଳେ ପଣ୍ଡିତ ମହାଶୟଙ୍କ କାବ୍ୟ ଓ ନାଟକଗୁଡ଼ିକର ପ୍ରଥମ ସଂସ୍କରଣଗୁଡ଼ିକ ମୁଁ ହିଁ ଯୋଗାଇ ଦେଇଥିଲି। ନନାଙ୍କ ଘନିଷ୍ଠ ବନ୍ଧୁ ଭାବରେ ସେ ଥିଲେ ମୋର ପିତୃତୁଲ୍ୟ ଭକ୍ତିଭାଜନ । ତାଙ୍କ ସୁଯୋଗ୍ୟ ଜ୍ୟେଷ୍ଠପୁତ୍ର ଶ୍ରଦ୍ଧେୟ ଡାକ୍ତର ବସନ୍ତ କୁମାରଙ୍କ ସହିତ ପୂର୍ବରୁ ଆନ୍ତରିକ ସମ୍ପର୍କ ଥିଲା । ତେଣୁ ପଣ୍ଡିତ ନନ୍ଦ ଶର୍ମାଙ୍କ ସମ୍ପର୍କରେ ଅଧିକ କିଛି ତଥ୍ୟ ପାଇବାର ଆଶା ନେଇ ମୁଁ ତାଙ୍କ ଘରେ ଅତିଥି ହେଲି । ତାଙ୍କ ଦ୍ବିତୀୟ ପୁତ୍ର ସ୍ଵାଧୀନ କୁମାର ପିତାଙ୍କ ସଂଗୃହୀତ ଓ ଆବିଷ୍କୃତ ରଚନାବଳୀକୁ ଯତ୍ନର ସହିତ ରଖିଥିବା ଦେଖି ବହୁତ ଖୁସି ଲାଗିଲା । ପିତାଙ୍କ ସମ୍ପତ୍ତି ଉପଭୋଗ କରିବାରେ ସନ୍ତାନମାନେ ସାଧାରଣତଃ ଆଗ୍ରହୀ, କିନ୍ତୁ ପିତାଙ୍କ ସାରସ୍ଵତ ସମ୍ପତ୍ତିକୁ ରକ୍ଷା କରି ତା’ର ପରିପ୍ରଚାର ପାଇଁ କେତେଜଣ ପୁତ୍ର ବା ଆଗ୍ରହ ପ୍ରକାଶ କରିଥାନ୍ତି !
ସ୍ଵାଧୀନ ତାଙ୍କ ନନାଙ୍କ ସମସ୍ତ ସଂଗ୍ରହ ଓ ପାଣ୍ଡୁଲିପି ଆଣି ମୋ ଆଗରେ ଥୋଇ ଦେଲେ ଏବଂ ସେଗୁଡ଼ିକର ପ୍ରକାଶନ ପାଇଁ ତାଙ୍କ ବ୍ୟାକୁଳତା ପ୍ରକାଶ କଲେ। ଏହି ବିପୁଳ ପାଣ୍ଡୁଲିପି ଭିତରୁ ପଣ୍ଡିତ ନନ୍ଦ ଶର୍ମାଙ୍କ ସମ୍ପର୍କରେ ତ ଅଧିକ କିଛି ତଥ୍ୟ ମିଳିଲା ନାହିଁ, କିନ୍ତୁ ଗୋଟିଏ ପାଣ୍ଡୁଲିପି ମୋତେ ବିଶେଷ ଆକୃଷ୍ଟ କଲା । ତାହା ଥିଲା ଓଡ଼ିଶାର ଅନ୍ୟ ଜଣେ ଅଦ୍ଭୁତ ସାହିତ୍ୟ ସାଧକ ସ୍ବର୍ଗତ #ଗୋପାଳଚନ୍ଦ୍ରପ୍ରହରାଜ‘ଙ୍କ ଜୀବନାଲେଖ୍ୟ। ଏହାର କାରଣ ହୁଏତ ଥିଲା କାକତାଳୀୟ। ମୁଁ କଟକ ଫେରନ୍ତା ରାସ୍ତାରେ ପ୍ରହରାଜ ଗ୍ରନ୍ଥାବଳୀ ଉପରେ ଆଖି ପକାଉଥାଏ । ଆମ ସମୟର ବରିଷ୍ଠ ଓ ନିଷ୍ଠାପର ସାହିତ୍ୟ ଓ ସଂସ୍କୃତି ଗବେଷକ ଅଧ୍ୟାପକ ଡକ୍ଟର ଗୌରାଙ୍ଗ ଚରଣ ଦାସ ଗ୍ରନ୍ଥାବଳୀଟିକୁ ଶ୍ରଦ୍ଧାର ସହିତ ଉପହାର ଦେଇଥାନ୍ତି ।
ଏହାର ତିନୋଟି ଭାଗ ପ୍ରକାଶ ପାଇସାରିଥାଏ। ଗୌରାଙ୍ଗଙ୍କ ଅନୁସନ୍ଧିତ୍ସା, ଅଧ୍ୟବସାୟ ଏବଂ ସଙ୍କଳନରୀତି ଅନୁକରଣୀୟ । ଏହାର ପ୍ରଥମ ଭାଗ ପ୍ରଥମ ଖଣ୍ଡର ‘ଆମୁଖ’ରେ ସେ ବହୁ ସୂତ୍ର ଗୋପାଳଚନ୍ଦ୍ର ପ୍ରହରାଜ ମହୋଦୟଙ୍କ ଗ୍ରାମବାସୀ, ବୟୋବୃଦ୍ଧ ସହକର୍ମୀ, ପୀତାମ୍ବରୀଙ୍କ ସମ୍ପର୍କୀୟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତକାର ଏବଂ ରାଧାନାଥ ଟ୍ରେନିଂ ସ୍କୁଲର ତ୍ରୈମାସିକ ମୁଖପତ୍ର ‘ଜିଜ୍ଞାସୁ’ରେ ପ୍ରକାଶିତ ପ୍ରହରାଜଙ୍କ ଆତ୍ମଜୀବନୀ ସହିତ ତାଙ୍କ ରଚନାସମ୍ଭାର ମଧ୍ୟରୁ ତଥ୍ୟ ସଂଗ୍ରହ କରି ସ୍ୱର୍ଗତ ପ୍ରହରାଜଙ୍କ ଜୀବନବୃତ୍ତ ନିଜସ୍ଵ ମନୋଜ୍ଞ ଶୈଳୀରେ ଉପସ୍ଥାପନ କରିଛନ୍ତି । ପ୍ରହରାଜଙ୍କ ସାରସ୍ଵତ ବ୍ୟକ୍ତିତ୍ଵ ଯେପରି ବିଚିତ୍ର, ତାଙ୍କ ପାରିବାରିକ ଓ ସାମାଜିକ ବ୍ୟକ୍ତିତ୍ଵ ତତୋଽଧିକ ବୈଚିତ୍ର୍ୟମୟ । ଏଣୁ ଗୋପାଳଚନ୍ଦ୍ରଙ୍କ ଶ୍ରଦ୍ଧାସ୍ପଦ ବନ୍ଧୁ, ଚିକିତ୍ସକ, ଭାଷାକୋଷର କେବଳ ସହାୟକ ନୁହଁନ୍ତି ପ୍ରଥମ ଗ୍ରାହକ ଓ ପ୍ରକାଶିତ ଖଣ୍ଡର ପ୍ରଥମ ପ୍ରାପକ, ପାରିବାରିକ ଜୀବନ ସହିତ ଅନ୍ତରଙ୍ଗ ଭାବେ ସଂପୃକ୍ତ ଏବଂ ସୁଖଦୁଃଖର ସମଭାଗୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ଲିଖିତ ଜୀବନୀଟିରେ କିଛି ନୂତନ ତଥ୍ୟ ଥିବାର ସମ୍ଭାବନା, ଏହାର ପ୍ରକାଶନ ପାଇଁ ପ୍ରୋତ୍ସାହିତ କଲା।
ଏହି ଜୀବନୀଟି ତାଙ୍କ ‘ଆମୁଖ’ର ପରିପୂରକ ଥିବା ଯୋଗୁଁ ଅଧ୍ୟାପକ ଗୌରାଙ୍ଗ ଏହାର ଆଶୁ ପ୍ରକାଶନ ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ତାଗିଦ୍ କଲେ । ମୁଁ ପୁଣି ଥରେ ସ୍ଵାଧୀନ ବାବୁଙ୍କ ଦ୍ବାରସ୍ଥ ହେଲି। ପାଣ୍ଡୁଲିପିଟି ହସ୍ତାନ୍ତର କରିବା ପାଇଁ ସେ ଦ୍ବିଧା ପ୍ରକାଶ କଲେ ନାହିଁ, ବରଂ ଆଗ୍ରହର ସହିତ ସମ୍ମତ ହେଲେ । କିନ୍ତୁ ମୂଳ ପାଣ୍ଡୁଲିପିଟିକୁ ତାଙ୍କ ସଯତ୍ନ ସଂଗ୍ରହ ମଧ୍ଯରୁ ଉତ୍‌ଖାତ କରିବା ପାଇଁ ମୁଁ ଚାହିଁଲି ନାହିଁ । ଏଣୁ ସେ ସମ୍ପୂର୍ଣ୍ଣ ପାଣ୍ଡୁଲିପିଟିର ଜେରକ୍ସ ପ୍ରତିଲିପି ସହିତ କୃତଜ୍ଞତା ପତ୍ର ଏବଂ ବର୍ତ୍ତମାନ ଏହାର ପ୍ରକାଶନ ଯଥାଶୀଘ୍ର ମୋ ଠିକଣାରେ ପଠାଇ ଦେଲେ ।
ବର୍ତ୍ତମାନ ଏହାର ପ୍ରକାଶନ ଭାର ମୋ ମୁଣ୍ଡ ଉପରେ। ବହି ଓ ଲେଖକଙ୍କ ନାଁ ଶୁଣିବାମାତ୍ରେ ଫ୍ରେଣ୍ଡ୍ ପବ୍ଲିସରର ଶ୍ରଦ୍ଧେୟ ସୁଧାଂଶୁ ପାଣ୍ଡୁଲିପିଟିକୁ ଯଥାଶୀଘ୍ର ପ୍ରକାଶ କରିବା ପାଇଁ ବ୍ୟଗ୍ରତା ପ୍ରକାଶ କଲେ। #ବାଣପୁର ସହିତ ତାଙ୍କ ସମ୍ପର୍କ ଭୂମିଗତ। ସହଦେବବାବୁ ବାଣପୁରିଆ। ଭୀମପୁର ତାଙ୍କ ଜନ୍ମସ୍ଥାନ।
ଭାଷାକୋଷର ପୁନଃମୁଦ୍ରଣ ଏବଂ ଇଣ୍ଟରନେଟରେ ସ୍ଥାନାୟନ ଫଳରେ ପୁନଃ ଚର୍ଚ୍ଚା ମଧ୍ୟକୁ ଆସିଥିବା ସ୍ବର୍ଗତ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସେଠାର ଜଣେ ଲେଖକଙ୍କ ଦ୍ବାରା ପ୍ରସ୍ତୁତ ଜୀବନୀ ପ୍ରକାଶ କରିବା ପାଇଁ #ଆଗ୍ରହାତିଶଯ୍ୟ ପ୍ରକାଶ ପାଇବା ସ୍ଵାଭାବିକ । ମୁଁ ଭାରମୁକ୍ତ ହେଲି। ଉଭୟ ସୁପୁତ୍ର ସ୍ବାଧୀନ କୁମାର ପଣ୍ଡା ଏବଂ ଫ୍ରେଣ୍ଡସ୍ ପବ୍ଲିସର୍ସ ଏଥିପାଇଁ #ଧନ୍ୟବାଦାର୍ହ
(9)
ଓଡ଼ିଶାର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ ବିଭିନ୍ନ ସମୟରେ ସାରସ୍ବତ ପ୍ରତିଯୋଗିତାମାନଙ୍କରେ ବିଜୟୀ ସାହିତ୍ୟିକମାନଙ୍କୁ ପୁରସ୍କାରମାନ ପ୍ରଦାନ କରିଥାନ୍ତି । ଏଥିପାଇଁ ବଦାନ୍ୟ ରାଜା ମହାରାଜା ଏବଂ ସାହିତ୍ୟ ପ୍ରେମୀମାନଙ୍କ ଗଚ୍ଛିତ ଅର୍ଥରେ ପାଣ୍ଠି ସୃଷ୍ଟି ହୋଇଥାଏ । ଦାତାଙ୍କ ଅଭିଳାଷକ୍ରମେ ବିଭିନ୍ନ ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୁଏ, ଯଥା— ତାଳଚେର ପଦକ, ହିନ୍ଦୋଳ ପୁରସ୍କାର, ଗୌରୀଶଙ୍କର ପୁରସ୍କାର, ପରଶୁରାମ ପାତ୍ର ପୁରସ୍କାର ଇତ୍ୟାଦି।
ଏହି କ୍ରମରେ ୧୯୫୯ ମସିହାରେ ସ୍ୱର୍ଗତ ଡା. ରାଧାଚରଣ ପଣ୍ଡାଙ୍କ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜୀବନୀ ସମ୍ପର୍କରେ ଲେଖାଯାଇଥିବା ଦୀର୍ଘ ପ୍ରବନ୍ଧଟି ଗୌରୀଶଙ୍କର ପୁରସ୍କାର ପାଇଁ ମନୋନୀତ ହୋଇଥିଲା। ଅତୀତରେ ଉତ୍କଳ ସାହିତ୍ୟ ସମାଜ ଦ୍ଵାରା ପୁରସ୍କୃତ ରଚନାବଳୀ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶ ପାଉଥିଲା । କିନ୍ତୁ ବିଶ୍ଵନାଥ କରଙ୍କ ପରେ ଏହି ରଚନାଗୁଡ଼ିକ ପ୍ରକାଶ ପାଇବା ସମ୍ଭବ ହେଲା ନାହିଁ ।
ଡା.ପଣ୍ଡାଙ୍କ ପ୍ରବନ୍ଧଟି ମଧ୍ୟ ତାଙ୍କ ସ୍ତୁପୀକୃତ ପାଣ୍ଡୁଲିପି ସଂଗ୍ରହ ମଧ୍ୟରେ ପଡ଼ି ରହିଥିଲା । ୧୯୨୯ ମସିହାରୁ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସହିତ ଡା. ପଣ୍ଡାଙ୍କ ସାରସ୍ବତ ଓ ବ୍ୟକ୍ତିଗତ ସମ୍ପର୍କ ।
#ଭାଷାକୋଷ‘ର ଯେଉଁ ନିଶା ଗୋପାଳ ଚନ୍ଦ୍ରଙ୍କୁ ଘାରିଥିଲା ତାହା ପାଣ୍ଡୁଲିପି ପ୍ରସ୍ତୁତି ପରେ ହଠାତ୍ ଛାଡ଼ିଗଲା । ସେ ହଠାତ୍ ଚତୁର୍ଦ୍ଦିଗ ଶୂନ୍ୟ ଦେଖିଲେ । ଏଡ଼େ ବିରାଟ ଗ୍ରନ୍ଥର ପ୍ରକାଶନ ସମ୍ଭବ ନୁହେଁ ବୋଲି ଏକ ନୈରାଶ୍ୟବୋଧ ସ୍ଥିତପ୍ରଜ୍ଞ ଗୋପାଳଚନ୍ଦ୍ରଙ୍କୁ ବିବ୍ରତ କରିଥିଲା। ସେ ତା: ୧୧ ।୭।୧୯୨୯ ଦୈନିକ ଆଶାରେ ଲେଖାଟିଏ ପ୍ରକାଶ କରିଥିଲେ– “ପନ୍ଦର ବରଷର ତପସ୍ୟା ଅରଣ୍ୟରୋଦନରେ ଯିବ।”
ପ୍ରବନ୍ଧଟି ପାଠ କରି ଡା. ପଣ୍ଡା ଉତ୍ସାହପ୍ରଦ ଚିଠିଟିଏ ଲେଖି ଗ୍ରନ୍ଥ ପ୍ରକାଶନ ପାଇଁ ପାଞ୍ଚୋଟି ଟଙ୍କା ଡାକରେ ପଠାଇ ଦେଇଥିଲେ। ଗୋପାଳଚନ୍ଦ୍ର ପ୍ରହରାଜ ଫେରାଇ ଥିବା ଉତ୍ତର ଥିଲା- “ତମର ଚିଠି ଓ ଟଙ୍କା ପାଇଲି– କିନ୍ତୁ ଏ ଟଙ୍କା ପାଣିରେ ପଡ଼ିଲା ବୋଲି ଜାଣ। ଯେହେତୁ, ‘ନାଇଁ ପୁଅ ପେଟରେ, ପୁଅର ବାପ ଖଡ଼ୁ ଗଢ଼ାଉଛି ବନମାଳୀପୁର ହାଟରେ’ମୋର ପାଣ୍ଡୁଲିପି ଲେଖା ସରିନି ପୁଣି ସଫେଇ ଶେଷ ହେଲେ ଯାଇ ପ୍ରେସ୍‌କୁ ଦେବି । ତମ ଟଙ୍କା ମୋ କାନ୍ଥଠଣାରେ ପୋତି ରଖିଲି । ସଫେଇ ଲେଖି ପ୍ରେସ୍‌କୁ ପାଣ୍ଡୁଲିପି ଗଲାବେଳେ ସେ ଟଙ୍କା ପ୍ରଥମ ବହନ ଦେବି।” ଏହି ସମୟରୁ ଜୀବନର ଶେଷ ପର୍ଯ୍ୟନ୍ତ ଗୋପାଳ ଚନ୍ଦ୍ର ମାଧ୍ୟମରେ ହେଉ କିମ୍ବା ସାକ୍ଷାତ୍ରରେ ହେଉ ନିଜ ଜୀବନର ସୁଖଦୁଃଖ ରାଧାଚରଣଙ୍କ ନିକଟରେ ବଖାଣିବା ପାଇଁ କୁଣ୍ଠା କରୁନଥିଲେ ।
ଏ ସମ୍ପର୍କର ଆଧାରରେ ଲିଖତ ଜୀବନୀଟିର ପ୍ରାମାଣିକତାକୁ ପରିପୁଷ୍ଟ କରିବା ପାଇଁ ସେ ବହୁ ଚିଠିର ଉଦ୍ଧୃତି ସନ ଓ ତାରିଖ ସହିତ ଦେଇଛନ୍ତି । ଦୁଇଟି ଚିଠିର ପ୍ରତିଲିପି ପରିଶିଷ୍ଟରେ ସଂଯୋଜିତା ଅନ୍ୟ ଚିଠିଗୁଡ଼ିକ କାହିଁ କେଉଁଠି ହଜି ଗଲାଣି । କିନ୍ତୁ ଡା. ପଣ୍ଡା ଜୀବନରେ କେବେ ମିଛ କହିନାହାଁନ୍ତି, ବରଂ ସତ କହି ବିପନ୍ନ ହୋଇଛନ୍ତି। ଏଣୁ ତାଙ୍କ ବକ୍ତବ୍ୟକୁ ଅସତ୍ୟ ବୋଲି କହିବା ଆଉ ଏକ ଅସତ୍ୟ ।
ପ୍ରହରାଜଙ୍କ ପରି ସ୍ବର୍ଗତ ପଣ୍ଡାଙ୍କ ରଚନାରେ ଭାଷାର ଯାଦୁକରୀ ଶକ୍ତି ଅବଶ୍ୟ ନାହିଁ, କିନ୍ତୁ ଗୋପାଳଚନ୍ଦ୍ର ପ୍ରହରାଜ ମହୋଦୟଙ୍କ ପରି ଏକ ଅନନ୍ୟ ପ୍ରତିଭାକୁ ଚିହ୍ନିବା ଓ ଚିହ୍ନାଇବା ପାଇଁ ଏ ଜୀବନୀଟି ଯେ ଏକାନ୍ତ ଉପାଦେୟ, କହିବା ବାହୁଲ୍ୟ ମାତ୍ର।
(ଲେଖକ ରାଧାଚରଣ ପଣ୍ଡାଙ୍କ “ଗୋପାଳଚନ୍ଦ୍ର ପ୍ରହରାଜ ବ୍ୟକ୍ତି ଓ ବ୍ୟକ୍ତିତ୍ଵ” ପୁସ୍ତକରୁ ଗୃହୀତ)
ଉପସ୍ଥାପନା: ଶିଶିର ମନୋଜ ସାହୁ
Spread the love

Leave a Reply

Your email address will not be published. Required fields are marked *