ଗୀତଗୋବିନ୍ଦ

ଲେଖା: ନିରଞ୍ଜନ ସାହୁ

ହେ ମାଧବ !
ରାଗାତ୍ମିକା ଭକ୍ତିର ଏହି ବାରଟି ସର୍ଗ ଭଗବତ୍ ଲୀଳା ମାଧ୍ୟମରେ ଗୀତଗୋବିନ୍ଦ ମହାକାବ୍ୟରେ ପ୍ରକାଶିତ। ତାହାହିଁ ତମର ନିଜ କଥା । ପ୍ରାଚୀ ଉପତ୍ୟକାର ଦ୍ଵାଦଶ ମାଧବ ବୋଧେ ଏହି ଦ୍ଵାଦଶ ସର୍ଗର ଭିତ୍ତି ! ହ୍ଲାଦିନୀ ଅଂଶ ସମ୍ଭୁତା ଶ୍ରୀରାଧା ଓ ମାଧବଙ୍କ ଲୀଳା ସ୍ଵଛ ଦର୍ପଣରେ ପ୍ରତିବିମ୍ବ ତୋଳିଲା ଏହି ମର୍ମରେ :

ତମ ସ୍ଵଲୀଳା ପ୍ରଚାର ପ୍ରସାର କରିବାର ମାଧ୍ୟମ ହୋଇ ଉଠିଲେ ଜୟଦେବ । ଏପଟେ ମହାକବିଙ୍କୁ ପ୍ରେରଣା ଯୋଗାଇ ଦେଉଥିଲେ ପଦ୍ମାବତୀ। ଶ୍ରୀରାଧା ଥିଲେ ତମର ଅଂଶ ସମ୍ଭୁତା ଏବଂ ତମେ ନିଜେ ଥିଲ ଅପ୍ରାକୃତ ପ୍ରେମ ମୂର୍ତ୍ତି । ତାହା ହିଁ ତ ପଦ୍ମାବତୀ ଓ ଶ୍ରୀଜୟଦେବ ! ହେ ପ୍ରେମସ୍ଵରୂପ, ନିଜ ଇଚ୍ଛାରେ ଏହି ଭଳି ଯୁଗଳମୂର୍ତ୍ତି ମଧ୍ୟରେ ତମେ ସତରେ କୁଆଡ଼େ ପ୍ରକଟିତ ! ତମ ବଂଶୀର ମଧୁରସ୍ଵନ ଥିଲେ ଯେମିତି ଥିଲେ ଜଗତଜନନୀ ଶ୍ରୀରାଧା, ସେହିପରି କବିରାଜ ଜୟଦେବଙ୍କର ସ୍ଵନ ଥିଲେ ପଦ୍ମାବତୀ । ସେଇଥିପାଇଁ ସେ ତମର ଚରଣ ଚାରଣ ଚକ୍ରବର୍ତ୍ତୀ !

ମେଘୈର୍ମେଦୁରମମ୍ବର ବନଭୁବଃ ଶ୍ୟାମାସ୍ତମାଳଦ୍ରୁମେ,
ର୍ନକ୍ତଂ ଭୀରୁରୟଂ ତ୍ଵମେବ ତଦିମଂ ରାଧେ ଗୃହଂ ପ୍ରାପୟ ।।
ଇତଥଂ ନନ୍ଦନିଦେଶତଶ୍ଚଳିତୟୋଃ ପ୍ରତ୍ୟଧ୍ଵକୁଞ୍ଜଦ୍ରୁମଂ,
ରାଧାମାଧବୟୋର୍ଜୟନ୍ତି ଯମୁନାକୂଳେ ରହଃ କେଳୟଃ,
ବାଗଦେବତା ଚରିତ ଚିତ୍ରିଜଚିତ୍ତସଦ୍ମା,
ପଦ୍ମାବତୀ ଚରଣଚାରଣ ଚକ୍ରବର୍ତ୍ତୀ ।।

ଆରମ୍ଭ କରାଇଲ ଗୀତଗୋବିନ୍ଦ ପଦ୍ୟାବଳୀ । ତାହା ଯେମିତି ଥିଲା ତମର ମୁଖ ନିସୃତ । ଦଶାବତାର ସୃଷ୍ଟି କରି ଦଶବିଧ ରୂପ ଆଙ୍କି ଦେଇ କହି ଉଠିଲ :
ଶ୍ରୀ ଜୟଦେବ ବକବେରିଦ ମୁଦିତ ମୁଦାରଂ,
ଶୃଣୁ ଶୁଭଦଂ ସୁଖଦଂ ଭବସାରଂ
କେଶବଧୃତ !
ଦଶବିଧରୂପ ଜୟ ଜଗଦୀଶ ହରେ ।

ଏବଂ ତାପରେ ପ୍ରଥମ ସର୍ଗ !

ହେ ଦାମୋଦର !
ରାଧିକାଙ୍କ ବିରହ ଜ୍ୱାଳା ବର୍ଣ୍ଣିତ ହେଲା ଗୀତଗୋବିନ୍ଦ ମହାକାବ୍ୟର ଏ ସର୍ଗରେ । ବସନ୍ତ ଋତୁରେ ପ୍ରସ୍ଫୁଟିତ ବାସନ୍ତୀ କୁସୁମରେ ତନୁ ଲତିକା ସୁସଜ୍ଜିତ କରି ପ୍ରତୀକ୍ଷା କରିଥିଲେ ହେଁ ପ୍ରାଣପ୍ରିୟ ଶ୍ରୀକୃଷ୍ଣଙ୍କୁ ନ ପାଇ ଶ୍ରୀରାଧା ହୋଇଉଠିଛନ୍ତି ବିରହାତୁରା। ଶ୍ରୀରାଧାଙ୍କ ବିରହ ଭାବକୁ ଲକ୍ଷ୍ୟ କରି, ସଖୀ ବସନ୍ତ ରାଗରେ ଗାଇ ଉଠିଛନ୍ତି –

“ଲଳିତ ଲବଙ୍ଗ ଲତା ପରିଶୀଳନ କୋମଳ ମଳୟ ସମୀରେ,
ମଧୁକର ନିକର ନିଲମ୍ବିତ କୋକିଳ କୂଜିତ କୁଞ୍ଜ କୁଟୀରେ ।
ବିହରତି ହରିରିହ ସରସ ବସନ୍ତେ,
ନୃତ୍ୟତି ଯୁବତି ଜନେନ ସମଂସଖି ! ବରହି ଜନସ୍ୟ ଦୂରେନ୍ତ ।”

ଏବଂ ଏହି ସର୍ଗର ନାମ ଦେଇଦେଲ ସାମୋଦ ଦାମୋଦର ।

ହେ କେଶବ !
ଗୀତଗୋବିନ୍ଦ ମହାକାବ୍ୟର ଦ୍ଵିତୀୟ ସର୍ଗରେ ଶ୍ରୀକୃଷ୍ଣ ପ୍ରଣୟିନୀ ଶ୍ରୀରାଧାଙ୍କ ମନୋଭାବନା ନିଭୃତ ଲତା କୁଞ୍ଜରେ ପ୍ରକଟିତ । ଉତ୍କଣ୍ଠିତା ଶ୍ରୀରାଧାଙ୍କ କାମ ଉଚ୍ଚାଟନ ଶ୍ରୀକୃଷ୍ଣଙ୍କ ରତି ବିଳାସ ମାଧ୍ୟମରେ ସାବଲୀଳ ହୃଦୟସ୍ପର୍ଶୀ ଧାରାରେ ପରିବେଷିତ ହୋଇଉଠିଛି ଏହି ସର୍ଗରେ :

“ବିହରତି ବନେ ରାଧା ସାଧାରଣ ପ୍ରଣୟେ ହରୌ,
ବିଗଳିତ ନିଜୋତ୍ କର୍ଷଦୀକ୍ଷାଃ ବଶେନ ଗତାନ୍ୟତଃ ।
କୂଚିଦପି ଲତାକୁଞ୍ଜେ ଗୁଞ୍ଜନ୍ମଧୁ ବ୍ରତମଣ୍ଡଳୀ,
ମୃଖରଶିଖରେ ଲୀନା ଦୀନା ଦୀନାପ୍ୟୁବାଚ ରହଃ ସଖିଂ ।।
ଏହି ସର୍ଗର ନାମ ଦେଇଦେଲ ସେଦିନ କାବ୍ୟରେ ଅକ୍ଳେଶ କେଶବ !

ହେ ମଧୁସୂଦନ !
କାମ ମାଧ୍ୟମରେ କାମକୁ ଜୟ କରିବା ହିଁ ଭଗବତ୍ ସାକ୍ଷାତକାରର ଗାରିମା । ଭଗବାନ ଶ୍ରୀକୃଷ୍ଣଙ୍କ ମନୋବେଦନା, ପ୍ରେୟସୀ ବିରହ ବ୍ୟଥା, ଅନୁରାଗ ଓ ଅନୁତାପର ଜ୍ଵାଳା ମାର୍ମିକ ଧାରାରେ ଅଭିବ୍ୟକ୍ତ ଗୀତଗୋବିନ୍ଦ ମହାକାବ୍ୟର ତୃତୀୟ ସର୍ଗରେ ।

“କିଂ କରିଷ୍ୟତି କିଂ ବଦିଷ୍ୟତି ସା ଚିରଂ ବିରହେଣ,
କିଂ ଧନେନ ଜନେନ କିଂ ମମ କିଂ ଜୀବିତେନ ଗୃହେଣ ।
ଚିନ୍ତୟାମି ତଦାନନଂ କୁଟୀଳଭ୍ରୁ କୋପ ଭରେଣ,
ଶୋଣପଦ୍ମମିବୋପରି ଭ୍ରମତାକୁଳଂ ଭ୍ରମରେଣ।”
ଏବଂ ଏହି ସର୍ଗର ନାମ ଦେଇଦେଲ ତମ କାବ୍ୟରେ ମୁଗ୍ଧ ମଧୁସୁଦନ ।

ହେ ମାଧବ !
ବିରହାତୁର ଓ ବ୍ୟାକୁଳ ଚିତ୍ତ ବାସୁଦେବଙ୍କୁ ଶ୍ରୀରାଧାଙ୍କ ପ୍ରିୟ ସଖି ଲଳିତା ସାକ୍ଷାତ କରି ରାଧାରାଣୀଙ୍କ ବିରହ ଜ୍ୱାଳା ଓ ଦଶା ଅତି ଭାବୋତୀର୍ଣ୍ଣ ଧାରାରେ ବ୍ୟକ୍ତ କରିଛନ୍ତି :

“ବିଲଖତି ରହସି କରଙ୍ଗ ମଦେନ ଭବନ୍ତକ ସମଶର ଭୂତଂ,
ପ୍ରଣମତି ମକରମଧୋ ବନିଧାୟ କରେ ଚ ଶରଂ ନବଚୁତଂ ।
ପ୍ରତିପଦ ମିଦମପି ନଗଦିତ ମାଧବ ତବ ଚରଣେ ପତିତାହଂ,
ତ୍ଵୟି ବିମୁଖେ ମୟିସପଦି ସୁଧନିଧି ରପିତନୁ ତେ ତନୁଦାହଂ ।”
ଏବଂ ଏହି ସର୍ଗର ନାମ ରଖିଦେଲ ସ୍ନିଗ୍ଧ ମାଧବ ! 

ହେ ପୁଣ୍ଡରୀକ୍ଷାକ !
ତମକୁ ସାକ୍ଷାତ ପରେ ରୂପବତୀ ସଖି ଲଳିତା ଶ୍ରୀରାଧାଙ୍କ ନିକଟରେ ପହଞ୍ଚିଲେ ଏବଂ ତମର ବିରହବେଦନା ପ୍ରକଟ କରିବା ଆରମ୍ଭ କଲେ। ଦୁହିଁଙ୍କ ପୀରତି ଓ ବିରହଜ୍ୱାଳାରେ ଅଭିଭୂତ ହୋଇ ପ୍ରେରଣ କଲେ ଶ୍ରୀରାଧାଙ୍କୁ ଅଭିସାରିକା ସାଜି ତମରି ପାଖକୁ:

“ରତି ସୁଖସାରେ ଗତମଭିସାରେ ମଦନ ମନୋହର ବେଶମ୍ ,
ନ କରୁ ନିତମ୍ବିନି ! ଗମନ ବିଲମ୍ବନ ମନୁସରତଂ ହୃଦୟେଶମ୍ ।
ଧୀର ସମୀରେ ଯମୁନା ତୀରେ ବସତି ବନେ ବନମାଳୀ ,
ପୀନପୟୋଧର ପରିସର ମର୍ଦ୍ଦନ ଚଞ୍ଚଳ କରଯୁଗଶାଳୀ ।”
ଏବଂ ଏହି ସର୍ଗର ନାମ ଦେଇଦେଲ ସାକାଂକ୍ଷ ପୁଣ୍ଡରୀକା ।

ହେ ମାଧବ !
ସଖି ଲଳିତା ଓ ବିଶାଖା ଲତା କୁଞ୍ଜରେ ବିରହ ବିଧୁରା ଶ୍ରୀରାଧାଙ୍କ ଅଭିସାର ଗମନ ଅସମର୍ଥତା ସନ୍ଦର୍ଶନ ପୂର୍ବକ କାମପୀଡ଼ା ଅବସନ୍ନ ଗୋବିନ୍ଦଙ୍କ ନିକଟରେ ରାଧିକାଙ୍କ ଦଶା ବର୍ଣ୍ଣନା କରିଛନ୍ତି । ଷଷ୍ଠ ସର୍ଗରେ ମାତ୍ର ତିନୋଟି ଶ୍ଲୋକର ଅବତାରଣା :–

“ରତୋସୁକ ! କାନ୍ତପଥପ୍ରତୀକ୍ଷା ସମ୍ପାଦୟନ୍ତୀ ମୃଦୁପୁଷ୍ପତଳ୍ପେ,
ଇତସ୍ତତଃ ପ୍ରେରିତ ଦୃଷ୍ଟରାରାର୍ତ୍ତା ଶ୍ୟାମାତନୁ ର୍ଗୁଣ୍ଡକିରୀ ପ୍ରତିଷ୍ଠା ।
ପଶ୍ୟତି ଦିଶି ଦିଶି ରହସି ଭବତଂ,
ତ୍ଵଦଧୁର ମଧୁର ମଧୁନି ପିବନ୍ତଂ,
ନାଥ ହରେ ସୀଦତି ରାଧା ବାସଗୃହେ ।”
ଏବଂ ଏହି ସର୍ଗର ନାମ ଜୟଦେବଙ୍କ ଦ୍ଵାରା ନାମିତ କଲ କୁଣ୍ଠ ବୈକୁଣ୍ଠ

ହେ ରସିକନାଗର ନାରାୟଣ !
ପ୍ରୀତି ପାଳିବା ଭାରି କଷ୍ଟ । ଅସୀ ଧାରରେ ଚାଲିବା ସଦୃଶ । ଟିକିଏ ଭୁଲ ହୋଇଗଲେ ସବୁ କିଛି ଓଲଟ ପାଲଟ । ପୁଣି ସାମାନ୍ୟ ସନ୍ଦେହ ହଳାହଳ ବିଷ ଯେମିତି ! ସେଦିନ ସନ୍ଦେହ କରି ପକାଇଲେ କାହିଁକି କେଜାଣି ଶ୍ରୀରାଧା ? ସତରେ ଆଜି ଏ କୁଞ୍ଜକୁ ନ ଆସି, କୁଞ୍ଜବିହାରୀ କ’ଣ ତାହେଲେ ଅନ୍ୟ କେଉଁ କୁଞ୍ଜରେ ରାତ୍ରି ଯାପନ କଲେ ? ଜୀବନ ପ୍ରତି ଅନାସକ୍ତ ହୋଇ ଯମୁନାରେ ଝାସ ଦେବାକୁ ଇଚ୍ଛା ଜାଗ୍ରତ ହେଲା ଜଗଜ୍ଜନନୀ ମା ରାଧାଙ୍କର । ଏହାହିଁ ସପ୍ତମ ସର୍ଗ ଏବଂ ତମେ ଏଠାରେ ନିଜ ଇଚ୍ଛାରେ ନାମିତ ହୋଇଗଲ ନାଗର ନାରାୟଣ ନାଁ ରେ,
 
“ନାୟାତଃ ସଖି ନିର୍ଦ୍ଦୟୋ ଯଦି ଶଠାସ୍ତ୍ଵଂ ଦୂତି କିଂ ଦୁୟସେ ,
ସ୍ଵଛନ୍ଦଂ ବହୁ ବଲ୍ଲଭଃ ସ ରମତେ କିଂ ତତ୍ର ତେ ଦୂଷଣଂ ।
ପଶ୍ୟାଦ୍ୟ ପ୍ରିୟ ସଙ୍ଗମାୟ ଦୟିତସ୍ୟ କଷ୍ୟମାଣଂ ଗୁଣୈ,
ରୁକ୍ତଣ୍ଠାର୍ତ୍ତିଭରାଦିବ ସ୍ଫୁଟଦିଦଂ ଚେତଃ ସ୍ଵୟଂ ଯାସ୍ୟତି ।”

ହେ ଲକ୍ଷ୍ମୀପତି ! 
ପ୍ରେମ ତ ସର୍ବଦା ସ୍ଵର୍ଗୀୟ । ତଥାପି ପ୍ରେମାସିକ୍ତ ପ୍ରେୟସୀ ଚାହେଁ ତା’ର ପ୍ରେମିକର ଉପସ୍ଥିତି ସବୁ ସମୟରେ । ଯଦି ଆପଣାର ମନର ମଣିଷ ଅଭିସାରିକା ସାଜି ଥିବା ପ୍ରେୟସୀ ନିକଟରେ ଉପସ୍ଥିତ ନ ହୁଏ, ସେଇଠି ଆରମ୍ଭ ହୁଏ ଅଭିମାନ, ସନ୍ଦେହ ଏବଂ ଧିକ୍କାର କରିବା ପାଇଁ ମନ ଆଗେଇ ଆସେ । ଜର୍ଜରିତ ଶ୍ରୀରାଧାଙ୍କର ଅପେକ୍ଷାର ଅନ୍ତ ଘଟିନାହିଁ । ତେଣୁ ଆରମ୍ଭ ହୋଇଛି ଧିକ୍କାର, କୃଷ୍ଣଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ । ପ୍ରେମମୟ ଶ୍ରୀହରି ସେହି ସମୟରେ ଉପସ୍ଥିତ ହୋଇ କ୍ଷମା ଭିକ୍ଷା କରିବା ହିଁ ଅଷ୍ଟମ ସର୍ଗ । ବିପ୍ରଲବ୍ଧା ନାୟିକା କିନ୍ତୁ ଇର୍ଷାରେ ଜର୍ଜରିତା ଏବଂ ଏହି ସର୍ଗର ନାମ ଦେଇଦେଲ ବିଲକ୍ଷ ଲକ୍ଷ୍ମୀପତି

“ଦର୍ଶନ ପଦଂ ଭବଧରଗତଂ ମମ ଜନୟତି ଚେତସି ଖେଦଂ,
କଥୟତି କଥମଧୁନାପି ମୟା ସହ ତବ ବଗୁରେ ତଦଭେଦଂ।
ବହିରିବ ମଳିନତରଂ ତବ କୃଷ୍ଣ ମନେଽପି ଭବିଷ୍ୟତି ନୁନଂ,
କଥମଥ ବଞ୍ଚୟସେ ଜନ ମନୁଗତେ ମସମଶର ଜୁରଦୁନଂ ।”

ହେ ବନମାଳୀ !
ରତିସୁଖ ବଂଚିତା, ମଦନ ବାଣରେ ପୀଡ଼ିତା, ଦୁଃଖତ ହୃଦା, ବିଷର୍ଣ୍ଣ ମାନସା ଶ୍ରୀରାଧାଙ୍କ ମନୋଭାବନା ଚିନ୍ତା କରିବା କ’ଣ ତମ ପାଖରେ ସମ୍ଭବ ହେଲା ନାହିଁ ? ସେ ତେଣୁ ଚିତ୍ରିତ ହେଲେ କଳହାନ୍ତରିତା ନାୟିକା ଭାବରେ ନବମ ସର୍ଗରେ, ତମରି କାବ୍ୟ ଗୀତଗୋବିନ୍ଦରେ ! ସେଥିପାଇଁ ତ ମାନିନୀ ରାଧିକା ତମକୁ ବିଦାୟ କରିଦେଲେ । ସଖୀ କିନ୍ତୁ ଶ୍ରୀକୃଷ୍ଣଙ୍କ ଗୁଣ ଓ ପ୍ରେମଲୀଳା ବର୍ଣ୍ଣନା କରିବାରେ ଲାଗିଥିଲେ :

“ହରି ରୂପ ଯାତୁ ଦଦତୁ ବହୁ ମଧୁରଂ,
କିମତି କରୋଷି ହୃଦୟମତି ବିଧୂରଂ,
ଶ୍ରୀ ଜୟଦେବ ଭଣିତମତି ଲଳିତଂ,
ସୁଖୟତୁ ରସିକଜନଂ ହରିଚରିତଂ।”

ଏହି ସର୍ଗର ନାମ ଦେଇଦେଲ ସେଦିନ ମୁଗ୍ଧମୁକୁନ୍ଦ

ହେ ଚତୁର୍ଭୁଜ !
ତମେ ତ ମାନବୀୟ ଲୀଳା ପ୍ରଦର୍ଶନ କରିବା ପାଇଁ ମର୍ତ୍ତ୍ୟଲୋକକୁ ଆସିଥିଲ ଏବଂ ହ୍ଲାଦିନୀ ଅଂଶ ସମ୍ଭୁତା ଶ୍ରୀରାଧାଙ୍କୁ ପ୍ରେରିତ କରିଥିଲ ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରିବା ପାଇଁ । ତମେ ତ ସ୍ରଷ୍ଟା ! ତମର ଲୀଳାକୁ କିଏ ବା ଆକଳନ କରିପାରେ ? ତେଣୁ ସବୁ କିଛି ଭିଆଇବା ପରେ ଆସି ପହଁଚିଲ କୁଞ୍ଜରେ ସନ୍ଧ୍ୟାକାଳରେ ଏବଂ ଶ୍ରୀରାଧାଙ୍କ ମାନଭଞ୍ଜନ କରିବା ପାଇଁ ଚାଟୁବାଣୀ ପ୍ରୟୋଗରେ ଲାଗିପଡି଼ଲ । ହେ ମାଧବ ! ସେଦିନ ଗୀତଗୋବିନ୍ଦ କାବ୍ୟର ଦଶମ ସର୍ଗର ଶ୍ରୀବୃଦ୍ଧି କରେଇଲ କୁଆଡ଼େ ବ୍ରାହ୍ମଣ ଯୁବକ ଜୟଦେବଙ୍କ କୁଟୀରରେ ଅପୂର୍ଣ୍ଣ ରହିଥିବା ପଦଟିରେ ନିଜ ହାତରେ ଲେଖିଦେଇ ପର ପଦଟି ? ହଁ ନିଶ୍ଚିତ ଭାବେ ହେ ଗୋପୀନାଥ, ତମେ ଆସି ପହଞ୍ଚିଲ, ଛଦ୍ମବେଶୀ ମାଧବ ରୂପରେ ଓ ଦର୍ଶନ ଦେଲ ପଦ୍ମାବତୀଙ୍କୁ !

“ସ୍ଥଳ କଛଳଗଞ୍ଜନଂ ମମ ହୃଦୟ ରଞ୍ଜନମ୍
ଜନିତ-ରିତରଙ୍ଗପରଭାଗମ୍ ।
ଭଣ ମସୃଣ-ବାଣି କରବାଣି ଚରଣ ଦ୍ଵୟମ୍
ସରସ ଲସଦଲକ୍ତ ରାଗମ୍ ।
ସ୍ମର-ଗରଳ-ଖଣ୍ଡନଂ ମମ ଶିରସି ମଣ୍ଡନମ୍ ।
ଦେହି ପଦ-ପଲ୍ଲବ ମୁଦାରମ୍ ।
ଜ୍ଵଳତି ମୟି ଦାରୁଣୋ ମଦନକଦନାନଳୋ
ହରତୁ ତଦୁପହିତ-ବିକାରମ୍ ।”

ମାନଭଞ୍ଜନ କରିବା ପାଇଁ ପ୍ରୟୋଗ କଲ ଏତେ ଚତୁରତା ! ସେଥିପାଇଁ ତ ତମେ ହିଁ ଜୟଦେବ ରୂପୀ ଗୋବିନ୍ଦ ! ନିଜେ ସେହି ଲୀଳା ଓ ତମ ଗୁଣର ବର୍ଣ୍ଣନା କରିଲ ଏହି ସର୍ଗକୁ ଚତୁର ଚତୁର୍ଭୁଜ ନାମରେ ! କେତେ ଲୀଳା ସତେ ପ୍ରଭୋ !


ହେ ଦାମୋଦର !
ବିରହ ବିଧୁରା ଶ୍ରୀରାଧା ବହୁ ପ୍ରତୀକ୍ଷିତ ଶ୍ରୀକୃଷ୍ଣଙ୍କ ସାନିଧ୍ୟ ଲାଭ ପୂର୍ବକ ପ୍ରାଣପ୍ରିୟଙ୍କ ସହ ମିଳିତ ହେବା ପାଇଁ ବ୍ୟାକୁଳ । ମାନଭଞ୍ଜନ ତ ହୋଇ ସାରିଛି । ତେଣୁ ଏହି ପରିସ୍ଥିତିର ସୁଯୋଗ ନେବା ପାଇଁ ପ୍ରେୟସୀ ରାଧିକେ ଅତ୍ୟନ୍ତ ଆଗ୍ରହୀ ହୋଇ ଉଠିଛନ୍ତି । ପରମ ପ୍ରେମମୟ ଶ୍ରୀକୃଷ୍ଣଙ୍କୁ ଦେଖିବା ମାତ୍ରେ ନୟନ ଯୁଗଳ ପୂର୍ଣ୍ଣ ହୋଇଯାଇଛି ଅପୂର୍ବ ଆନନ୍ଦର ଅଶ୍ରୁରେ । ଗୀତଗୋବିନ୍ଦ କବି ଜୟଦେବଙ୍କ ଏହାହିଁ ଏକାଦଶ ସର୍ଗ !

“ଶଶିକିରଣ ଛୁରିତୋଦରଜଳଧରସୁନ୍ଦର ସୁକୁସୁମ କେଶଂ,
ତିମିରୋଦିତ ବିଧୁମଣ୍ଡଳ ନିର୍ମଳ ମଳୟଜତିଳକ ନିବେଶଂ ।
ବିପୁଳ ପୁଲକଭର ଦନ୍ତୁରିତଂ ରତିକେଳି କଥାଭିରଧୀରଂ,
ମଣିଗଣ କିରଣ ସମୂହ ସମୁଜ୍ଜ୍ଵଳ ଭୁଷଣ ସୁଭଗ ଶରୀରମ୍ ।
ଏବଂ ଏହି ସର୍ଗର ନାମ ଦେଇଦେଲ ସେଦିନ ସାନନ୍ଦ ଦାମୋଦର !

ହେ ମଦନମୋହନ !
ବହୁ ମାନ ଅଭିମାନ, ସନ୍ଦେଶ ପ୍ରେରଣ, ମାନଭଞ୍ଜନ ଶେଷ ହୋଇ ଆସୁଥିଲା । ବସନ୍ତ ଋତୁର ସନ୍ଧ୍ୟାରେ ଚନ୍ଦ୍ରମାଙ୍କ ଶୀତଳ କିରଣ ସହ ଜ୍ୟୋତ୍ସ୍ନା ବିଚ୍ଛୁରିତ ରଜନୀ ନଇଁ ନଇଁ ଆସିବାକୁ ପ୍ରୟାସ ଆରମ୍ଭ କରିଦେଉଥିଲା । ଚତୁଃପାର୍ଶ୍ଵ ସୁଗନ୍ଧ ଆମୋଦିତ । ମୟୁର ନୃତ୍ୟର ତାଳେ ତାଳେ ଭ୍ରମରର କଳଗୁଞ୍ଜନ ସହ ବନରାଜି ନିନାଦିତ । ବିରହୀ ହୋଇଉଠିଛନ୍ତି ଆହୁରି ବିରହୀ । ହୃଦୟରେ ପ୍ରତିକ୍ରିୟା ପ୍ରକାଶିତ, ପ୍ରେମ ବିଭବ ବିରାଜିତ। ମଦନର ପୁଷ୍ପଶରରେ କ୍ଷତ ପ୍ରେମୀଯୁଗଳ କାମ ପ୍ରବାହର ଫାନ୍ଦରେ ଆବଦ୍ଧ, ମୁକୁଳିବାର ପଥରୋଧ । ସ୍ଵର୍ଗ ସମ୍ପଦ ଖସି ଆସିଛି ପୃଥ୍ବୀ ବକ୍ଷକୁ । ରସରାଜ ଶ୍ରୀକୃଷ୍ଣ କେଳିରେ ଉପସ୍ଥିତ । ସମ୍ମୁଖରେ ସୁଶ୍ରୀ ଶ୍ରୀରାଧା । ନିଃସଙ୍ଗତାର ଅନ୍ତ ଘଟିଛି । ନୂଆ ନଟପଟଳୀ ମୁକୁଟଙ୍କ ଶ୍ରୀଅଙ୍ଗରେ ହତାଶାର ଚିହ୍ନ ଲୁପ୍ତ । ପ୍ରବଳ ଆବେଗରେ ମିଳନ ହେଲା ସୌନ୍ଦର୍ଯ୍ୟ ଓ ଆବେଗର ବିଷୟୀଭୂତ ବିଗ୍ରହ ମାଧବ ଓ ଶ୍ରୀରାଧାଙ୍କର । ଚିର ଅଭିଳଷିତ ରତିକେଳିର କୌତୁକ ବର୍ଣ୍ଣିତ ହେଲା ଦ୍ଵାଦଶ ସର୍ଗରେ । ସମ୍ଭୋଗ ଶୃଙ୍ଗାର ଓ ରତିକେଳି ପରିବେଷଣ ପୂର୍ବକ ପୀତାମ୍ବରଙ୍କ ପ୍ରୀତ୍ୟର୍ଥେ ଏହି ସର୍ଗର ନାମ ଦେଇଦେଲ ସୁପ୍ରୀତ ପୀତାମ୍ବର ।

“ଅଧର ସୁଧାରସମୁପାନୟ ଭାମିନି ଜୀବୟ ମୃତମିବ ଦାସଂ,
ତ୍ଵୟି ବିନିହିତମାସଂ ବିରହାନଳ ଦଗଧନି ପୁଷମ୍ ବିଳାସଂ ।
ଶଶିମୁଖି ! ମୁଖରାୟ ମଣିରସନାଗୁଣ ମନୁଗୁଣ କଣ୍ଠନିନାଦଂ,
ଶ୍ରୂତିପୁଟଯୁଗଳେ ପିକରୁତ ବିକଳେ ଶମୟ ଛିରାଦବସାଦଂ ।”

ଶ୍ରୀରାଧାକୃଷ୍ଣଙ୍କ ଦିବ୍ୟପ୍ରେମ ଲୀଳା ପରିବେଷଣ ମାଧ୍ୟମରେ ପରଂବ୍ରହ୍ମ ପ୍ରାପ୍ତିର ଶ୍ରେୟ ମାର୍ଗ ନିର୍ଦ୍ଧାରଣ ପୂର୍ବକ ଅଚିନ୍ତ୍ୟ ଭେଦାଭେଦ ମତର ଆଦ୍ୟ ପ୍ରବର୍ତ୍ତକ ଭୂମିକା ତମରି ଇଙ୍ଗିତରେ ଜୟଦେବଙ୍କ ମାଧ୍ୟମରେ ବିଶ୍ଵବିଦିତ, ବିଶ୍ଵବନ୍ଦିତ କରେଇଲ ହେ ମାଧବ ! 

ହେ ରାଧାମାଧବ !
ତମର ସେହି ଅପ୍ରାକୃତ ପ୍ରେମ ମୂର୍ତ୍ତି ସ୍ଵରୂପକୁ ଦଣ୍ଡବତ କରି ଶ୍ରୀଅଙ୍ଗର ପାଦତଳେ ଧୂଳିକଣିକା ହୋଇ ଲାଖି ରହିବାକୁ ବ୍ୟାକୁଳ ଆମେ ହେ କେଶବ !

1 thought on “ଗୀତଗୋବିନ୍ଦ”

  1. ଜୟ ଜୟ ଗୋବିନ୍ଦ । ପାଦେ କୋଟି ଜୁହାର । ଜୟ ଜୟଦେବ , କୋଟି ଦଣ୍ଡବତ ପ୍ରଣାମ ।

Leave a Comment

Your email address will not be published. Required fields are marked *

Scroll to Top