ଲେଖା: ନିରଞ୍ଜନ ସାହୁ

ହେ ଅନ୍ତର୍ଯ୍ୟାମୀ !
ଭକ୍ତର ଅନ୍ତର କଥା ଜାଣି ତମେ ତ ସେଦିନ ସେହି ବ୍ରାହ୍ମଣ ଯୁବକଙ୍କୁ କେନ୍ଦୁବିଲ୍ଵରୁ ନେଇ ଆସିଲ ଶ୍ରୀକ୍ଷେତ୍ରକୁ । ଗୋଟିଏ ବୃକ୍ଷ ମୂଳରେ କୁଡିଆଟିଏ କରି ରହିବାକୁ ପ୍ରବର୍ତ୍ତାଇଲ ମଧ୍ୟ। କୁଡ଼ିଆରେ ଅବସ୍ଥାନ କରି ବ୍ରାହ୍ମ ମୂହୁର୍ତ୍ତରୁ ସ୍ନାନ ସମାପନ ସହ ମାଧବ ଉପାସନା ପରେ ନିତ୍ୟ ନୈମିତ୍ତିକ କାର୍ଯ୍ୟ ନିର୍ଘଣ୍ଟ ହୋଇଗଲା ସେହି ଯୁବକଙ୍କର ତମର ଦର୍ଶନ ପାଇଁ । ସାମାନ୍ୟ ଆହାର ପରେ ପୁଣି ଉପାସନା ।

ତମର ଦାରୁବ୍ରହ୍ମ ରୂପରେ ବିହ୍ଵଳିତ ହୋଇ, ସେଇଠି ସେ ଦେଖୁଥିଲେ ତାଙ୍କର ପ୍ରିୟ ମାଧବଙ୍କୁ । ମାଧବ ଓ ଦାରୁବ୍ରହ୍ମ ତ ଏକ ଓ ଅଭିନ୍ନ !

ଭକ୍ତିର ଦର୍ଶନ ବିଦ୍ୟା ରୂପାନ୍ତରିତ ହୋଇଗଲା ପ୍ରେମ ଦର୍ଶନ ବିଦ୍ୟାରେ ।ଭକ୍ତିବିଜ୍ଞାନର ବାଲିବନ୍ଧ କ’ଣ ସମ୍ଭଳା ପଡ଼ିପାରେ ପ୍ରେମଭକ୍ତି ନିକଟରେ ? ମନରେ ସଂଗୋପିତ ପ୍ରେମଧାରା ଭକ୍ତି ସହ ମିଶ୍ରିତ ହୋଇ ସୃଷ୍ଟି କଲା ଅନିର୍ବଚନୀୟ ଆନନ୍ଦ !

ହେ ସଚ୍ଚିଦାନନ୍ଦ !
ତମେ ତ ସତ୍, ଚିତ୍, ଆନନ୍ଦର ମୂର୍ତ୍ତିମନ୍ତ ଅବତାର ! ସେହି ସୁଧାମୟ ଭକ୍ତି ଓ ପ୍ରେମର ସ୍ଵଛ ଜଳରାଶିରେ ଅବଗାହନ କରି ବ୍ରାହ୍ମଣ ଯୁବକ ଆବିଷ୍କାର କଲେ ମାଧବ ଓ ଦାରୁବ୍ରହ୍ମଙ୍କ ମଧ୍ୟରେ ପରମ ପ୍ରେମମୟ ଶ୍ରୀକୃଷ୍ଣ ଓ ହ୍ଲାଦିନୀ ଅଂଶ ସମ୍ଭୁତା ଶ୍ରୀରାଧାଙ୍କୁ।

ଏ ସବୁ ତ ଥିଲା ପୂର୍ବ ନିର୍ଦ୍ଧାରିତ !

ବେଶୀ ଦିନ ଅପେକ୍ଷା କରେଇବାକୁ ତମେ ଚାହୁଁ ନ ଥିଲ ବୋଧେ ହେ ଗୋପୀନାଥ ! ତମର ଲୀଳାକୁ ବର୍ଣ୍ଣନା କରିବାର ସମୟ ନିକଟରୁ ନିକଟତର ହେଉଥିଲା ।

ଏବଂ ସେଇଥିପାଇଁ ?

ପୂର୍ଣ୍ଣତା ଲାଭ କରିବା ଉଦ୍ଦେଶ୍ୟରେ ସେହି ବ୍ରାହ୍ମଣ ଯୁବକଙ୍କ ସକାଶେ ବିଧି ନିର୍ଦ୍ଦିଷ୍ଟ କରି ଦେଇଥିଲ ତମେ । ହୃଦୟରେ ଲୁକ୍କାୟିତ ପ୍ରେମ ଭାବକୁ ଆହୁରି ଛନ୍ଦମୟ କରିବା ପାଇଁ ସେଦିନ ପ୍ରତ୍ୟୁଷରେ ପହଞ୍ଚି ଗଲେ ଦକ୍ଷିଣର ଜନୈକ ବ୍ରାହ୍ମଣ ଦେବଶର୍ମା, ସ୍ଵକନ୍ୟା ପଦ୍ମାବତୀଙ୍କୁ ଧରି !


ହେ ପରଂବ୍ରହ୍ମ !
ସ୍ଵପ୍ନାଦେଶ କରି ବ୍ରାହ୍ମଣ ଯୁବକ ଜୟଦେବଙ୍କୁ ଛନ୍ଦି ଦେଇଥିଲ ସେଦିନ ରାସନୃତ୍ୟ ପଟ୍ଟୟସୀ ପଦ୍ମାବତୀଙ୍କ ସହ ଯେ କି ଆସିଥିଲେ ଦେବଦାସୀ ଭାବେ ସମର୍ପିତ ହେବାକୁ ତମରି ପାଦପଦ୍ମରେ ।

ମଧୁସୂଦନ !
ଏ କି ବିରୋଧାଭାସ ! ଦେବଦାସୀ ଯେ କାଳେ କାଳେ ଚିରକୁମାରୀ , ଯୁଗେ ଯୁଗେ ତମକୁ ସମର୍ପିତ ! ସେ କେବଳ ତମରି ପାଇଁ । ତେବେ ତମକୁ ସମର୍ପିତ ପଦ୍ମାବତୀ କିପରି ଛନ୍ଦି ହୋଇଗଲେ ଜୟଦେବଙ୍କ ସାଥିରେ, ପୁଣି ତମରି ଆଦେଶରେ ?

ସେହି ଯୁବକ ବ୍ରାହ୍ମଣ ଜୟଦେବଙ୍କ ଭିତରେ ତମେ କ’ଣ ଦେଖିଥିଲ ନିଜକୁ ! ସେଇଥିପାଇଁ ହେ ବିଦ୍ଗଧ ମାଧବ, ଆପଣେଇ ନେଇଥିଲ କି ପଦ୍ମାବତୀଙ୍କୁ ? ରାଧାରାଣୀ ପଦ୍ମାବତୀ ରୂପେ ଏବଂ ଶ୍ରୀକୃଷ୍ଣ ଜୟଦେବ ରୂପରେ ସତରେ ତେବେ କ’ଣ ଧରାବତରଣ ହୋଇଥିଲେ ନିଜର ଲୀଳା ପ୍ରଚାର ସହ ଅନୁପମ ଶ୍ରୀଗୀତଗୋବିନ୍ଦ ରଚନା କରିବାକୁ ? ଏହାହିଁ ସତ୍ୟ ହେ ପୁରୁଷୋତ୍ତମ ।

ଦିନ ପରେ ଦିନ ଅତିକ୍ରାନ୍ତ ହେଉଥିଲା । ଜୟଦେବ ଦେଖିବାକୁ ପାଇଲେ ମାଧବଙ୍କୁ ଦାରୁବ୍ରହ୍ମଙ୍କ ବିଗ୍ରହ ମଧ୍ୟରେ ।

ରାସଲୀଳା ହିଁ ଭଗବତ ପ୍ରେମର ପରିପୂର୍ଣ୍ଣତା ପ୍ରକାଶ କରେ । ଏହି ଭଗବତ ଭକ୍ତି ହିଁ ବିଧି ଭକ୍ତି ଓ ରୁଚି ଭକ୍ତି । ବିଧିଭକ୍ତି ଠାରୁ ରୁଚି ଭକ୍ତି ବା ରାଗାତ୍ମିକା ଭକ୍ତି ହିଁ ଶ୍ରେୟସ୍କର । ରାଗାତ୍ମିକା ଭକ୍ତିରେ ଭଗବାନ ପ୍ରିୟତମ। ଅଲୌକିକ ଆନନ୍ଦର ଆସ୍ଵାଦନ କରି ଭଗବତ ଧାମ ଲାଭ କରେ ଭକ୍ତ । ଏହାହିଁ ଅଚିନ୍ତ୍ୟ ଭେଦାଭେଦ। ଏହି ରାଗାତ୍ମିକା ଭକ୍ତି ସଂଚାରିତ ହୋଇଥିଲା  ଯୁବବ୍ରାହ୍ମଣ ଜୟଦେବଙ୍କ ମନ, ପ୍ରାଣ, ହୃଦୟରେ ! ତେଣୁ ଜୟଦେବ ତଲ୍ଲୀନ ହୋଇ ଯାଇଥିଲେ ପୂର୍ଣ୍ଣବ୍ରହ୍ମଙ୍କ ମଧ୍ୟରେ, ଯେଉଁଠି କେବଳ ମାଧବ ହିଁ ମାଧବ ! ସେଥି ସହ ପଦ୍ମାବତୀ ମଧ୍ୟ !

ହେ ରାଧାମାଧବ !
ତମ ବିନୁଁ ଅନ୍ୟ ଗତି ନଥିଲା । ତମର ଓ ହ୍ଲାଦିନୀ ଅଂଶ ସମ୍ଭୁତା ଶ୍ରୀରାଧାଙ୍କର ସ୍ୱର୍ଗୀୟ ପ୍ରେମର ଚିତ୍ର ଚିତ୍ରିତ ହୋଇ ଉଠୁଥିଲା ନାରାୟଣ ରୂପୀ ଜୟଦେବ ଓ ରାଧିକାରୂପୀ ପଦ୍ମାବତୀଙ୍କ ହୃଦୟ କନ୍ଦରରେ ।

ଏବେ ଋତୁରାଜଙ୍କ ସମୟ ଉପନୀତ।
ତାଙ୍କ ଆଗମନରେ ପ୍ରବାହିତ ହେଉଛି ଶିଶିର। କୁମୁଦ ଫୁଟି ଉଠିଛି।ମଳୟର ସ୍ପର୍ଶ ଛତ୍ରେ ଛତ୍ରେ । କୋଇଲିର କୁହୁତାନ, ମଧୁର ଗୁଞ୍ଜନ ଶାନ୍ତ ପରିବେଶକୁ କରି ଦେଉଛି ସଂଗୀତମୟ। କଅଁଳ ପତ୍ରର ଶୋଭା ମନ ହରଣ କରୁଛି ।ବନ କର୍ପୁର ମିଶାଇ ହସି ଉଠିଛି । ରସି ଉଠୁଛନ୍ତି ମାନିନୀ ବୃନ୍ଦ ।ପୁଷ୍ପ ବାଟିକା ହୋଇଉଠିଛି ସୌଗନ୍ଧମୟ । ସୃଷ୍ଟିରେ ଜନ୍ମ ନେଉଛି କାମଭାବ । ପ୍ରତୀକ୍ଷା କରୁଛି ପ୍ରେୟସୀ ତା’ର ପ୍ରେମିକକୁ ।

ଏବଂ ଏହି ସମୟରେ, ବୃନ୍ଦାବନରେ ?…..
ରୂପମୟୀ, ଲାସ୍ୟମୟୀ ଶ୍ରୀରାଧା ଅଧିକ ବିରହୀ ହୋଇଉଠିଛନ୍ତି , ଅପେକ୍ଷା କରୁଛନ୍ତି ପ୍ରେମାବତାର ଶ୍ରୀକୃଷ୍ଣଙ୍କ ଆଗମନକୁ ବ୍ୟାକୁଳ ଚିତ୍ତରେ ମିଳନ ପାଇଁ ।

ଏହି ଅପେକ୍ଷାରୁ ମିଳନ ପର୍ଯ୍ୟନ୍ତ ହିଁ ଗୀତଗୋବିନ୍ଦ ! ହେ ମଧୁସୂଦନ, ସେଦିନ ଜୟଦେବଙ୍କ ଲେଖନୀରେ ହିଁ ଚିତ୍ରିତ କରି ଦେଇଥିଲ:
“ଯଦି ହରିସ୍ମରଣେ ସରସଂ ମନୋ ଯଦି ବିଳାସ କଳାସୁ କୁତୁହଳମ୍, 

ମଧୁର କୋମଳକାନ୍ତ ପଦାବଳୀ ଶୃଣୁ ତଦା ଜୟଦେବ ସରସ୍ଵତୀମ୍ ।”

ଅର୍ଥାତ୍, “ହେ ରସଗ୍ରାହୀ ଭକ୍ତ ମଣ୍ଡଳୀ ! ଯଦି ରାଧାମାଧବଙ୍କ ସ୍ମରଣରେ ତୁମ ମନ ରସାଣିତ ହୋଇଛି , ଯଦି ନୃତ୍ୟଗୀତ ପ୍ରଭୃତି ବିଳାସ କଳା ପ୍ରତି ତୁମ ମନରେ କୌତୁହଳ ଜାତ ହୋଇଛି, ତେବେ ଶୁଣିବାକୁ ସୁଖକର ମଧୁର, କୋମଳ ଓ ସୁନ୍ଦର ପଦାବଳୀରେ ରଚିତ ଜୟଦେବଙ୍କ ବାଣୀ ଅର୍ଥାତ୍, ଗୀତଗୋବିନ୍ଦ ଶ୍ରବଣ କର ।”

ହେ ଅପ୍ରାକୃତ ପ୍ରେମ ମୂର୍ତ୍ତି ରାଧାହରି !
କବିରାଜ ଜୟଦେବ ସୃଷ୍ଟି କରି ଚାଲିଲେ କମନୀୟ ଗୀତଗୋବିନ୍ଦ, ଗାଇ ଚାଲିଲେ ଲଳିତ ମଧୁର ସଂଗୀତ, ତାଳେ ତାଳେ ନୃତ୍ୟରତା ପଦ୍ମାବତୀ ନୂପୁର ନିକ୍ଵଣିତ ଛନ୍ଦ ସହ ସମର୍ପି ଦେଇ ଚାଲିଲେ ଶ୍ରୀଜଗନ୍ନାଥଙ୍କ ବଡ଼ସିଂହାର ବେଶ ସମୟରେ ଉଭୟ ଦମ୍ପତି। ଏହି ଅନୁପମ ସୃଷ୍ଟିରେ ପ୍ରତିଫଳିତ ହେଲା ବାରଟି ସର୍ଗ, ଚବିଶଟି ଗୀତ, ଓ ବାଆସ୍ତରୀଟି ଶ୍ଳୋକ । ଅଲୌକିକ ଭାବଧାରା ଯୁକ୍ତ ପଦାବଳୀ ସନ୍ନିବେଶିତ ହୋଇ ଉଠିଲା ସମଗ୍ର କାବ୍ୟରେ । ତାହା ଥିଲା ତମର ସ୍ଵଲୀଳା ଜୟଦେବଙ୍କ ଗୀତଗୋବିନ୍ଦ ଗୀତ ଓ ପଦ ମାଧ୍ୟମରେ ବିଶ୍ଵକୁ ଜଣାଇଦେବା ପାଇଁ ।

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago