Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ନିରଞ୍ଜନ ସାହୁ
ଊନବିଂଶ ଶତାବ୍ଦୀରେ ଭାରତରେ ନବଜାଗରଣ ବା ରେନେସାଁର ପ୍ରବାହ ଐତିହାସିକମାନେ ନିର୍ଣ୍ଣୟ କରିଛନ୍ତି । ଆଧୁନିକ ଯୁଗରେ ମନୁଷ୍ୟର ନୂତନ ଚିନ୍ତାଧାରାର ଉତ୍ସ ହିଁ ରେନେସାଁ । ମଧ୍ୟଯୁଗୀୟ ଭାରତୀୟ ଚିନ୍ତା ପ୍ରଧାନତଃ ଈଶ୍ୱର ଓ ଧର୍ମକୈନ୍ଦ୍ରିକ । ଏହି ଚିନ୍ତାର ବିପରୀତଧର୍ମୀ ଭାବେ ହିଁ ଆରମ୍ଭ ହୋଇଥିଲା ନବଜାଗରଣ ବା ରେନେସାଁ । ଏହାର ମୂଳ ଜୀବନଦର୍ଶନ ମାନବମୁଖୀନତା ବା ମାନବତାବୋଧ ବା Humanism । ମଧ୍ୟଯୁଗୀୟ ଆଧ୍ୟାତ୍ମ ବିଦ୍ୟା ସ୍ଥାନରେ ପ୍ରାଚୀନ Classical ଯୁଗୀୟ ବିଦ୍ୟାର ପୁନରୁଜ୍ଜୀବନ ପାଇଁ ଆରମ୍ଭ ହୋଇଥିଲା ପ୍ରଚେଷ୍ଟା ସାରା ଦେଶରେ । ଅବଶ୍ୟ ସେତେବେଳକୁ ବିଦେଶୀ ରାଷ୍ଟ୍ରସମୂହ ଏହି ନବଜାଗରଣର ସ୍ଵାଦ ବେଶ୍ ଉପଲବ୍ଧି କରି ସାରିଥିଲେ ଏବଂ ସାମାଜିକ, ସାଂସ୍କୃତିକ ଜୀବନରେ ନୂତନ ଚିନ୍ତାଧାରାର ଅଭ୍ୟୁଦୟ ଘଟି ସାରିଥିଲା । ଇଂରେଜ ଶାସନର ପ୍ରଭାବ ହେତୁ ଭାରତୀୟ ସମାଜ ଓ ଜନମାନସରେ ନୂତନ ଜାଗରଣ ସୃଷ୍ଟି ହୋଇ ଆସୁଥିଲା । ବିଦ୍ୟାଚର୍ଚ୍ଚା ହେତୁ ମଣିଷ ମନର ସମ୍ପଦ, ଚିନ୍ତାର ଐଶ୍ୱର୍ଯ୍ୟ, କଳ୍ପନାର ମହତ୍ତ୍ଵ, ଶାସ୍ତ୍ରାତିରିକ୍ତ ସ୍ଵତନ୍ତ୍ର ମୂଲ୍ୟବୋଧର ପରିପ୍ରକାଶ ଘଟି ଆସୁଥିବା ବେଳେ ନବଜାଗରଣର ଆଦର୍ଶ ଓ ପ୍ରେରଣାରେ ଅନେକ ଭାରତୀୟ ଉଦବୁଦ୍ଧ ହୋଇ ସାରିଥିଲେ ।
ଏହି ଭଳି ଏକ ସନ୍ଧିକ୍ଷଣରେ ଓଡ଼ିଆ ସାହିତ୍ୟରେ ଆବିର୍ଭାବ ହୁଏ ଗଦ୍ୟଶିଳ୍ପୀ ଫକୀରମୋହନ ସେନାପତିଙ୍କର । ନବଜାଗରଣର ସ୍ରୋତ ଓଡ଼ିଶାରେ କ୍ଷୀଣ ଥିଲେ ସୁଦ୍ଧା ପଡ଼ୋଶୀ ବଙ୍ଗଦେଶରେ ମାଇକେଲ ମଧୁସୂଦନ ଦତ୍ତ, ଦେବେନ୍ଦ୍ରନାଥ ଠାକୁର, ରାଜା ରାମମୋହନ ରାୟ, ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ଆଦି ମନିଷୀଗଣଙ୍କର ବ୍ୟକ୍ତିତ୍ଵ ବେଶ୍ ପ୍ରଶସ୍ତ ରୂପେ ବିକଶିତ । ପୁନଶ୍ଚ, ଶିକ୍ଷା କ୍ଷେତ୍ରରେ ୧୮୩୫ ରେ ଭାରତବର୍ଷରେ ଇଂରାଜୀ ଶିକ୍ଷା ପ୍ରଚଳନ (Mackle) ଏବଂ ୧୮୪୪ରେ ଇଂରାଜୀ ଶିକ୍ଷାକୁ ଯୋଗ୍ୟତାର ମାନଦଣ୍ଡ ଭାବେ ସ୍ଵୀକୃତି ପ୍ରଦାନ ହେତୁ ଏ ଦେଶରେ ଏକ ନୂତନ ଶିକ୍ଷିତ ମଧ୍ୟବିତ୍ତ ଗୋଷ୍ଠୀର ସୃଷ୍ଟି ହେଲା । ଫକୀରମୋହନଙ୍କ ସାହିତ୍ୟ ଏଇଭଳି ଏକ ଭିତ୍ତିଭୂମି ଉପରେ ଦଣ୍ଡାୟମାନ ହୋଇ ଏକକ ଭାବେ ଓଡ଼ିଆ ମଧ୍ୟବିତ୍ତ ଗୋଷ୍ଠୀର ସାହିତ୍ୟ ହୋଇ ଉଠିଲା । ଅତଏବ ଓଡ଼ିଶାରେ ଏହି ଗୋଷ୍ଠୀର ଜୀବନଯାତ୍ରା, ଆଶା ଆକାଙକ୍ଷା, ସବଳତା, ଗୁଣ, ଦୋଷ ଦୁର୍ବଳତା ଇତ୍ୟାଦି ଚିତ୍ରିତ ହୋଇ ଉଠିଲା ତାଙ୍କ ସାହିତ୍ୟରେ । ସାଧାରଣ ଲୋକଙ୍କ ପାଇଁ ଏହି ସାହିତ୍ୟ ହୋଇ ଉଠିଲା ସୁଖପାଠ୍ୟ ଓ ହୃଦୟସ୍ପର୍ଶୀ । ଏହି ଦୃଷ୍ଟିରୁ ଫକୀରମୋହନ ସାହିତ୍ୟ ହିଁ ତଦାନୀନ୍ତନ ଉତ୍କଳର ଦର୍ପଣ !
~ ଯୁଗରୁଚିରେ ଆପେକ୍ଷିକ ପ୍ରାଧାନ୍ୟ ~
ଗଦ୍ୟ ଓ ପଦ୍ୟ ମଧ୍ୟରେ ଆପାତ ପାର୍ଥକ୍ୟ ଥିଲେ ହେଁ ଗଦ୍ୟ ପଦ୍ୟର ସହଯୋଗ ବ୍ୟତୀତ ସାହିତ୍ୟ ସମ୍ପୂର୍ଣ୍ଣ ନୁହେଁ । କେହି କେହି କହନ୍ତି, ଗଦ୍ୟ ଓ ପଦ୍ୟ ମଧ୍ୟରେ ମୌଳିକ ପାର୍ଥକ୍ୟ ଅଳ୍ପ । ଯୁଗର ରୁଚି ଓ ଆବଶ୍ୟକତା ଅନୁଯାୟୀ ଏ ଦୁଇଟିର ପ୍ରାଧାନ୍ୟ ପ୍ରକାଶିତ । ଫକୀରମୋହନଙ୍କ ସାହିତ୍ୟ ସୃଷ୍ଟି ବେଳକୁ ଭାରତବର୍ଷ ଓ ଓଡ଼ିଶାର ରାଜନୈତିକ, ସାମାଜିକ, ସାଂସ୍କୃତିକ, ପରାଧୀନତା, ଭାଷା ତଥା ଆଞ୍ଚଳିକ ବୈଷମ୍ୟ ଓ ସ୍ଥିତିକୁ ବିଚାରକୁ ନିଆଯିବା ସମ୍ପୂର୍ଣ୍ଣ ରୂପେ ବିଧେୟ । ଊନବିଂଶ ଶତାବ୍ଦୀରେ ମିଶନାରୀ ରଚନା, ସମ୍ବାଦପତ୍ର, ପାଠ୍ୟପୁସ୍ତକ, ସାହିତ୍ୟ ପତ୍ରିକା, ମୁଦ୍ରାଯନ୍ତ୍ର ପ୍ରତିଷ୍ଠା ମାଧ୍ୟମରେ ଆଧୁନିକ ସାହିତ୍ୟର ଅଭିବୃଦ୍ଧି ଘଟୁଥିଲା ।
ଆଉ ଏକ ପକ୍ଷରେ ଓଡ଼ିଆ ଭାଷାର ବିଲୋପ ପାଇଁ ପ୍ରତିବେଶୀ ମାନଙ୍କର ଷଡ଼ଯନ୍ତ୍ର ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ସଜାଗ ରହିବାକୁ ଯଥେଷ୍ଟ ଖୋରାକ ଯୋଗାଉ ଥିଲା । ଏହି ସନ୍ଧିକ୍ଷଣରେ ଉତ୍କଳପ୍ରାଣ ଗୌରୀଶଙ୍କର, କୁଳବୃଦ୍ଧ ମଧୁସୂଦନଙ୍କର ଓଡ଼ିଶାର ଏକତ୍ରୀକରଣ କରିବା ଉଦ୍ଦେଶ୍ୟରେ ଜାତି ନନ୍ଦିଘୋଷକୁ ଆଗେଇ ନେବା ପାଇଁ ସତତ ପ୍ରଚେଷ୍ଟା ସହ ଓଡ଼ିଶା ପ୍ରଦେଶର ପ୍ରାତଃ ସ୍ମରଣୀୟ ଟି.ଇ. ରେଭେନ୍ସା ଓ ଜନ୍ ବୀମସ୍ ସାହେବଙ୍କ ପ୍ରେରଣା । ସାହିତ୍ୟକୁ ପ୍ରଗତିଶୀଳ କରି ଭାରତୀୟ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାକୁ ଫକୀରମୋହନ, ରାଧାନାଥ, ଗଙ୍ଗାଧର, ମଧୁସୂଦନ ରାଓ ଓ ବିଶ୍ଵନାଥ କର ଆଦିଙ୍କ ପ୍ରୟାସ । ରାଧାନାଥ, ଗଙ୍ଗାଧର କାବ୍ୟକାର, ଗୀତିକବିତା ମଧ୍ୟରେ ମଧୁସୂଦନଙ୍କ ସାର୍ଥକତା ! ଗଦ୍ୟ ସାହିତ୍ୟରେ ପ୍ରକୃଷ୍ଟ ବିକାଶ ଫକୀରମୋହନଙ୍କ ନିମନ୍ତେ ଅପେକ୍ଷିତ ଥିଲା ! ନିଜ ସାଧନାରେ ଗଦ୍ୟଶିଳ୍ପୀ ଫକୀରମୋହନ ଏହାକୁ ଅଭାବନୀୟ ସୁଷମା ମଣ୍ଡିତ ଓ ସମୃଦ୍ଧି ସମ୍ପନ୍ନ କରିଥିଲେ ।
~ ଫକୀରମୋହନଙ୍କ ଗଦ୍ୟ ସୃଷ୍ଟିର ଦୁଇଟି ପର୍ଯ୍ୟାୟ ~
୧ମ ପର୍ଯ୍ୟାୟ (କ):
ତାଙ୍କର ଗଦ୍ୟ ସାହିତ୍ୟ ସୃଷ୍ଟିରେ ଦୁଇଟି ପର୍ଯ୍ୟାୟ ସୁସ୍ପଷ୍ଟ । ଫକୀରମୋହନଙ୍କ ଲେଖା ଆରମ୍ଭ ହୁଏ ୧୮୬୬ ମସିହା ପୂର୍ବରୁ । ସେତେବେଳକୁ ବାଲେଶ୍ଵରରେ ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା ସ୍ଥାପନ ହୋଇ ନଥାଏ । ମାତ୍ର ଫକୀରମୋହନ ନିଜେ ଉପଲବ୍ଧି କରିଥିଲେ ଭାଷା ସୁରକ୍ଷା କେତେ ଆବଶ୍ୟକ । ତେଣୁ ପ୍ରଥମେ ରଚନା କଲେ ‘ରାଜପୁତ୍ର ଇତିହାସ’ । ୧୮୬୬ରୁ ୧୮୭୦ ମଧ୍ୟରେ ଲିଖିତ ହେଲା ଜୀବନ ଚରିତ ଏବଂ ଭାରତବର୍ଷର ଇତିହାସ (୨ଖଣ୍ଡ )। ସେତେବେଳେ ବଙ୍ଗଳା ଭାଷାର ଅଭାବନୀୟ ଉନ୍ନତି, ପରମ ଆକର୍ଷଣୀୟ, ଅଲଘଂନୀୟ ପ୍ରଭାବ ! ତେଣୁ ପ୍ରତିବେଶୀ ବଙ୍ଗଳାର ଲେଖକମାନଙ୍କର ସାହିତ୍ୟ ସୃଷ୍ଟି ପ୍ରଭାବିତ କରିଥିଲା ତାଙ୍କୁ । ମାତୃଭାଷାର ଉନ୍ନତି ନହେଲେ ଚିରକାଳ ଜାତି ଅବଜ୍ଞାତ ହେବ, ଏହି ଆଶଙ୍କାରେ ମାତୃଭାଷାର ସମୃଦ୍ଧି ଲକ୍ଷ୍ୟରେ ପ୍ରାଣପାତ ଉଦ୍ୟମ ହେଲା ତାଙ୍କର ସଂକଳ୍ପ । ଏହା ଥିଲା ତାଙ୍କର ଦିବାନିଶି ଭାବନା । ତେଣୁ ପୁସ୍ତକ ରଚନା ପାଇଁ ବଦ୍ଧପରିକର ହୋଇ ଆରମ୍ଭ କଲେ ୧୮୬୫ ମସିହାରେ ‘ରାଜପୁତ୍ର ଇତିହାସ’ । ସାହିତ୍ୟ ସାଧନା ସମ୍ପର୍କରେ — “ଖଣ୍ଡିଏ ବଙ୍ଗଳା ନୂତନ ପୁସ୍ତକ ହସ୍ତଗତ ହେଲେ ମୁଁ ଅନେକ ବେଳ ପର୍ଯ୍ୟନ୍ତ ତାହା ହସ୍ତରେ ଧରି ଓଲଟ ପାଲଟ କରି ଚତୁର୍ଦ୍ଦିଗ ଦେଖେ ଏବଂ ମନରେ କରେଁ କେବେ ଉତ୍କଳ ଭାଷାରେ ଏପରି ଖଣ୍ଡିଏ ପୁସ୍ତକ ବାହାରିବ, ଅଜ୍ଞାତସାରରେ ଗୋଟିଏ ଦୀର୍ଘ ନିଶ୍ଵାସ ପଡ଼ିଯାଏ ।”
ବଙ୍ଗଳା ଭାଷାରେ ପ୍ରକାଶିତ ହେଉଥିବା ମାସିକ ପତ୍ରିକା ‘ବିବିଧାର୍ଥ ସଂଗ୍ରହ, ସାପ୍ତାହିକ ସୋମପ୍ରକାଶ ଓ ଏଜୁକେଶନ ଗେଜେଟ୍’ ପଢ଼ି ଓଡ଼ିଆରେ ସେ ଧରଣର ସମ୍ବାଦପତ୍ର ବାହାର କରିବା ଥିଲା ତାଙ୍କର ପୋଷିତ ସ୍ଵପ୍ନ । ସେତେବେଳେ ବଙ୍ଗ ସରକାର ଯେଉଁ ଭାବରେ ସାହିତ୍ୟକୁ ଉତ୍ସାହିତ କରୁଥିଲେ, ସାହିତ୍ୟ ସମିତି ମାନ ଗଢୁ଼ଥିଲେ, ତାହା ଓଡ଼ିଶାରେ ସ୍ଵପ୍ନ ପ୍ରାୟ ଥିଲା । ତେଣୁ କ୍ଷୋଭ ଆସିଥିଲା ଫକୀରମୋହନଙ୍କ ମନରେ — “ସେ ସମୟରେ ଉତ୍କଳ ଭାଷାର ଉନ୍ନତି ସାଧନ ମୋର ଏକମାତ୍ର ଲକ୍ଷ୍ୟ ଥିଲା । ଅନ୍ୟାନ୍ୟ କାର୍ଯ୍ୟରେ ନିଯୁକ୍ତ ଥାଇ ମଧ୍ୟ କେବଳ ସେହି ବିଷୟ ମନ ମଧ୍ୟରେ ଚିନ୍ତା କରୁଥାଏ । ବଙ୍ଗ ଭାଷାରେ ଦିନକୁ ଦିନ ଯେପରି ନୂତନ ନୂତନ ପୁସ୍ତକମାନ ପ୍ରକାଶିତ ହେଉଅଛି, କି ଉପାୟରେ ଉତ୍କଳ ଭାଷାରେ ସେହିପରି ପୁସ୍ତକ ବାହାରିବ, ଏହାହିଁ ଉଦ୍ଦେଶ୍ୟ ।” ଏହି ଆବେଗ ଓ ଆଗ୍ରହ ପରବର୍ତ୍ତୀ କାଳରେ ତାଙ୍କୁ ପଣ୍ଡିତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ପ୍ରତିଷ୍ଠିତ’ ସାପ୍ତାହିକ ସୋମପ୍ରକାଶ ‘ରେ ଲେଖିବାକୁ ସୁଯୋଗ ଦେଇଥିଲା ଏବଂ କିଛି କିଛି ଲେଖୁଥିଲେ ମଧ୍ୟ ।
୧ମ ପର୍ଯ୍ୟାୟ (ଖ) / ଜୀବନ ଚରିତ:
ଓଡ଼ିଆ ଭାଷାରେ ପୁସ୍ତକ ଅଭାବ ଯୋଗୁଁ କିଛି ବଙ୍ଗାଳୀ ବାବୁମାନଙ୍କ ବିଦ୍ରୁପ ଦୂର କରିବା ପାଇଁ ବଙ୍ଗଳାର କୃତବିଦ୍ୟ ପାଠ୍ୟ ପୁସ୍ତକ ଲେଖକ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ରଚନାର ଅନୁବାଦ ୧୮୬୬ ମସିହାରେ ପ୍ରକାଶିତ ହେଲା କଲିକତା ବାପ୍ଟିଷ୍ଟ ମିଶନ ପ୍ରେସରୁ ଫକୀରମୋହନଙ୍କ ଦ୍ଵାରା । ଈଶ୍ଵରଚନ୍ଦ୍ରଙ୍କ ଜୀବନ ଚରିତ ମୌଳିକ ନୁହେଁ । ବଙ୍ଗୀୟ ଛାତ୍ରଙ୍କର ଚରିତ୍ର ଗଠନ ଉଦ୍ଦେଶ୍ୟରେ ବିଦ୍ୟାସାଗର ମହୋଦୟ ରବାର୍ଟ ଓ ଉଇଲିୟମ ଚେମ୍ବର୍ସଙ୍କ Biography (୧୮୩୫) ଅବଲମ୍ବନରେ ବହୁ ବିଶିଷ୍ଟ ବିଦେଶୀ ବୈଜ୍ଞାନିକ, ଦାର୍ଶନିକ, ଲେଖକ, ଜ୍ଞାନପିପାସୁ ବ୍ୟକ୍ତିମାନଙ୍କ ଜୀବନ କଥା ତାଙ୍କ ସଂକଳନରେ ସ୍ଥାନିତ କରିଥିଲେ । ଏହି ଭଳି ପୁସ୍ତକ ଛାତ୍ରବୃତ୍ତି ପାଇଁ ନିରୂପିତ ହୋଇଥିବାରୁ ଏବଂ ‘ଓଡ଼ିଶାର ଛାତ୍ରଛାତ୍ରୀ ବଞ୍ଚିତ ନ ହୁଅନ୍ତୁ’, ଏହି କଥା ଚିନ୍ତା କରି ୧୮୪୯ ମସିହାରେ ସଙ୍କଳିତ ଏହି ପୁସ୍ତକ ଅବଲମ୍ବନରେ ରଚିତ ହୋଇଥିଲା ଓଡ଼ିଆ ‘ଜୀବନ ଚରିତ’ । ଏହା ଥିଲା ପ୍ରତ୍ୟକ୍ଷରେ ଓଡ଼ିଆ ଛାତ୍ରଙ୍କର ଜ୍ଞାନବୃଦ୍ଧି ଓ କଲ୍ୟାଣ ସାଧନ ପାଇଁ ଉଦ୍ଦିଷ୍ଟ ଏବଂ ପରୋକ୍ଷରେ ଭାଷା ବିଲୋପ ସପକ୍ଷବାଦୀଙ୍କୁ ଏକ ବ୍ରହ୍ମଚାପୁଡ଼ା ।
୧ମ ପର୍ଯ୍ୟାୟ (ଗ) :ଭାରତବର୍ଷର ଇତିହାସ:
‘ଭାରତବର୍ଷର ଇତିହାସ’ ଥିଲା ଏକ ଉଲ୍ଲେଖନୀୟ କୀର୍ତ୍ତି । ଏହା ଦୁଇ ଭାଗରେ ପ୍ରକାଶିତ। ପ୍ରଥମ ଭାଗ ୧୯୬୯ ଓ ଦ୍ଵିତୀୟ ଭାଗ ୧୮୭୦ରେ ପ୍ରକାଶିତ । ଉତ୍କଳର ଛାତ୍ର ବୃତ୍ତି ପାଇଁ ଏହା ଥିଲା ପାଠ୍ୟପୁସ୍ତକ । ଏହି ପୁସ୍ତକ ପାଇଁ ସେ ସମୟର ସ୍କୁଲ ଇନ୍ସପେକ୍ଟର ସାତଶହ ଟଙ୍କା ଓ ଟି.ଇ. ରେଭେନ୍ସା ସାହେବ ତିନିଶହ ଟଙ୍କା ପୁରସ୍କାର ଦେଇଥିଲେ । ଏ ସମ୍ପର୍କରେ ଗଦ୍ୟଶିଳ୍ପୀ ଫକୀରମୋହନ ଉଲ୍ଲେଖ କରିଛନ୍ତି – “ମୁଁ ତିନି ବରଷ ଯାବତ୍ କାଳ ବହୁ ପରିଶ୍ରମ ସ୍ଵୀକାର ପୂର୍ବକ ଏହି ଇତିହାସ ଖଣ୍ଡକ ସଂଗ୍ରହ କରିଅଛି । ଏହି ପୁସ୍ତକ ବିଶେଷର ଅନୁବାଦ ବା ଗ୍ରନ୍ଥବିଶେଷରୁ ସଂଗୃହୀତ ହୋଇ ନାହିଁ । ଶ୍ରୀଯୁକ୍ତ ବାବୁ ତାରିଣୀଚରଣଙ୍କ ଭାରତବର୍ଷର ଇତିହାସ ଓ ଶ୍ରୀଯୁକ୍ତ ବାବୁ ନୀଳମଣି ବସାକଙ୍କ ରଚିତ ଇତିହାସ ଓ ଶ୍ରୀଯୁକ୍ତ ବାବୁ କୃଷ୍ଣଚନ୍ଦ୍ର ରାୟଙ୍କ ରଚିତ ଇତିହାସ ଓ ଶ୍ରୀଯୁକ୍ତ ବାବୁ କେଦାରନାଥ ଦତ୍ତ ରଚିତ ଭାରତବର୍ଷର ଇତିହାସ ଏବଂ ବିବିଧାର୍ଥ ସଂଗ୍ରହ ମାସିକ ପତ୍ରିକା ଏବଂ ଶ୍ରୀଯୁକ୍ତ ବାବୁ କାଳୀପ୍ରସନ୍ନ ଦତ୍ତ ରଚିତ ଚରିତ ମଞ୍ଜରୀ ଏହି କେତେଖଣ୍ଡ ପୁସ୍ତକ ଅବଲମ୍ବନ କରି ଏହା ସଂଗ୍ରହ କରିଅଛି ।”
ଏହି ପୁସ୍ତକ ଲେଖାରେ ଗଦ୍ୟଶିଳ୍ପୀ ଫକୀରମୋହନ କିନ୍ତୁ ନିଜର ମୌଳିକତା ହରାଇ ନଥିଲେ । ମନୋଗ୍ରାହୀ ଗଳ୍ପଗୁଡ଼ିକରେ ସେତେବେଳେ ତାଙ୍କର ସ୍ଵରୂପ ପ୍ରକାଶ ପାଇଥିଲା ଅବଶ୍ୟ । ବାବରଙ୍କ ବିଳାସ, ସୁରା ପାନ, ମାମୁଦଙ୍କ ରାଜ୍ୟ ଶାସନ ସହ ମାମୁଦ୍ ଓ କବି ଫିରୁଦାସୀଙ୍କ ବୃତ୍ତାନ୍ତ ଚିତ୍ରଣ ଆହୁରି ରସାଣିତ କରିଥିଲା ବିଷୟ ଗୁଡ଼ିକୁ । ଏଥିରେ ଫକୀରମୋହନଙ୍କ ଅନ୍ତର୍ନିହିତ ସୃଜନୀ ପ୍ରଷ୍ଫୁଟିତ । ପାଠ୍ୟପୁସ୍ତକ ଭାବେ ଏହା ରଚିତ ହୋଇଥିଲେ ସୁଦ୍ଧା ଐତିହାସିକ ତଥ୍ୟ ନିର୍ଣ୍ଣୟ ଓ ସିଦ୍ଧାନ୍ତ ମଧ୍ୟରେ ଫକୀରମୋହନ ସ୍ଵଦେଶୋତଖାତ୍ ଜାତିକୁ ଆତ୍ମସ୍ଥ କରି ଜାତୀୟ ଜାଗୃତିର ସ୍ଵପ୍ନ ଦେଖିବାକୁ ପଛାଇ ନାହାନ୍ତି । ଏହା ଓଡ଼ିଆ ସାହିତ୍ୟରେ ଏକକ, ଅନୁପମ ଓ ମୌଳିକ ନିଶ୍ଚିତ ଭାବେ । କିନ୍ତୁ ବିଡ଼ମ୍ବନା ଏହି ଯେ, ସେ ସମୟରେ ଓଡ଼ିଆ ପାଠ୍ୟପୁସ୍ତକକୁ କେନ୍ଦ୍ର କରି ଉତ୍କଳ ଦୀପିକା, ସମ୍ବାଦ ବାହିକା, ସାହିତ୍ୟ ଦର୍ପଣ ଇତ୍ୟାଦି ପତ୍ରିକା ମାନଙ୍କର ଅଶୋଭନୀୟ ମସୀ ଆନ୍ଦୋଳନ ଯେଉଁଭଳି ଭାବେ ଚାଲିଲା, ତାର ଶରବ୍ୟ ମଧ୍ୟ ହୋଇଥିଲା ଏହି ଭାରତବର୍ଷର ଇତିହାସ । ପୁଣି ପାଠ୍ୟକ୍ରମର ପରିବର୍ତ୍ତନ ଓ ଗତି ବଦଳି ଯିବାରୁ ଏହି ପୁସ୍ତକ ଅଧିକ କାଳ ବିଦ୍ୟାଳୟ ମାନଙ୍କରେ ଚଳି ପାରିଲା ନାହିଁ । ତଥାପି ଗଦ୍ୟଶିଳ୍ପୀ ଫକୀରମୋହନ କୃତ ‘ଭାରତବର୍ଷର ଇତିହାସ’ ଏଇ ଜାତିର ଜୀବନ ଚରିତ ଓ ଜାତିର ପ୍ରାଣ ସ୍ପନ୍ଦନ ସହ ଥିଲା ସମ୍ପୂର୍ଣ୍ଣ ଜଡ଼ିତ ।
ଗୋଟିଏ ପରାଧୀନ ଓ ବିଖଣ୍ଡିତ ଜାତିର ଆତ୍ମଚେତନାର ଜାଗୃତି ନିମିତ୍ତ ଫକୀରମୋହନଙ୍କ ପ୍ରାଣର ଆକୃତି, ଜାତିପ୍ରୀତି, ସୀମାହୀନ ମମତାବୋଧ ଜଡ଼ିତ ସାହିତ୍ୟ ସୃଷ୍ଟିର ଅଭିପ୍ସା — ଏହି ସୂତ୍ର ନ ବୁଝିଲେ ଫକୀରମୋହନ ସେନାପତିଙ୍କ ଇତିହାସ ଓ ଅନ୍ୟାନ୍ୟ ସୃଷ୍ଟି ସମୂହ ଆମମାନଙ୍କ ନିକଟରେ ଅସ୍ପଷ୍ଟ ରହିବା ବିଚିତ୍ର ନୁହେଁ !!
ପଞ୍ଚଦଶ ଶତାବ୍ଦୀରେ ୟୁରୋପୀୟ ରେନେସାଁ ପର୍ଯ୍ୟନ୍ତ ଭାରତୀୟ ଭାଷା, ସାହିତ୍ୟ ଥିଲା ଜନଜୀବନର ଦାରିଦ୍ର୍ୟ ଓ ସଙ୍କଟ ମଧ୍ୟରେ । ରେନେସାଁ ସଂସ୍କୃତିର ନବଜନ୍ମ ୟୁରୋପୀୟ ଜୀବନ ତଥା ସାହିତ୍ୟର ଗତିପଥରେ ଏକ ନୂଆ ମୋଡ଼ ଫିଟେଇ ଦେଇଥିଲା । ଏହି ପଞ୍ଚଦଶ ଶତାବ୍ଦୀରେ ୟୁରୋପରେ ସଂସ୍କୃତିର ନବଜନ୍ମ ଫଳରେ ସମାଜ ତଥା ବ୍ୟକ୍ତି ଜୀବନର ସକଳ କ୍ଷେତ୍ରରେ ଏକ ନୂତନ ସୃଜନଶୀଳ ଆଲୋଡ଼ନର ସୂତ୍ରପାତ ହୋଇଥିଲେ ହେଁ ଭାରତରେ ଊନବିଂଶ ଶତାବ୍ଦୀର ଶେଷ ପାଦ ପର୍ଯ୍ୟନ୍ତ ସେପରି ଆଲୋଡ଼ନ ଓ ଅଭ୍ୟୁଦୟ ପରିଲକ୍ଷିତ ହୋଇପାରିନଥିଲା । ୟୁରୋପୀୟ ରେନେସାଁ ଓ ତଥାକଥିତ ଭାରତୀୟ ରେନେସାଁ ମଧ୍ୟରେ ଚାରି ଶତାବ୍ଦୀର ବ୍ୟବଧାନ ! ତତ୍କାଳୀନ ଭାରତବର୍ଷର ସଂସ୍କୃତିର ଆଲୋଡ଼ନ-ହୀନ-ବଦ୍ଧ- ପଲ୍ଵଳ ଏହି ୟୁରୋପୀୟ ସାହିତ୍ୟ, ସଂସ୍କୃତି, ଜୀବନଚର୍ଯ୍ୟା, ବୈଜ୍ଞାନିକ ଦୃଷ୍ଟିକୋଣ ଆଦିର ଅନୁଶୀଳନରେ ହୋଇଉଠିଥିଲା ପ୍ରାଣବନ୍ତ । ଏହାହିଁ ଭାରତବର୍ଷ ଇତିହାସରେ ରେନେସାଁ ବା ପୁନର୍ନବା ବା ସଂସ୍କୃତିର ନବଜନ୍ମ ବା ବିଦ୍ୟାର ପୁନରୁଜ୍ଜୀବନ ବା Revival of Learning ।