ଲେଖା: ଦେଵ ତ୍ରିପାଠୀ
୧୧୮୦ ଖ୍ରୀଷ୍ଟାବ୍ଦ ପାଖାପାଖି କୌଣସି ସମୟ ।
ମହାରାଜା ଦ୍ଵିତୀୟ ଅନଙ୍ଗଭୀମ ଦେଵ ଚଉଦ୍ଵାର ରାଜବାଟୀରୁ ମହାନଦୀ ପାର ହୋଇ ଆସି ପହଞ୍ଚିଲେ ସେଠାରେ । ସେ ସ୍ଥାନଟିର କି ଅଜଣା ଆକର୍ଷଣ ଓ ମାହାତ୍ମ୍ୟ ସେ ଅନୁଭବ କଲେ, କ୍ଷଣିକେ ଯୋଜନା କରିଥିଲେ ସେଠାରେ ଗଡ଼ଟିଏ ପ୍ରତିଷ୍ଠା କରିବା ପାଇଁ ! ପରେ ପରେ ଗଢିଦେଲେ ବୀରରକ୍ତେ ଗଢା ଯା’ର ପିଣ୍ଡ ପୁଣ୍ୟମାଟି ବାରବାଟୀ ଦୁର୍ଗ, ଦୁର୍ଗ ମଧ୍ୟରେ ଦେଵୀ ଗଡଚଣ୍ଡୀଙ୍କୁ ପ୍ରତିଷ୍ଠା କରିଥିଲେ ମଧ୍ୟ ଦୁର୍ଗର ଈଶାଣକୋଣରେ ସ୍ଥାପିଲେ ଗଡେଶ୍ୱର ମହାଦେବଙ୍କ ମନ୍ଦିର । ବାରବାଟୀ ଦୁର୍ଗ, ଯାହାକୁ ପୁରୁଣା କାଳରେ ଗଡ଼ ବୋଲି କୁହାଯାଉଥିଲା ସେ ଗଡ଼ର ରକ୍ଷାକର୍ତ୍ତା ସାଜିଥିଲେ ସେ ଗଡ଼ର ଈଶ୍ୱର ଗଡେଶ୍ୱର । (କେହି କେହି ଗଡ଼ଗଡେଶ୍ୱର ମଧ୍ୟ କହିଥା’ନ୍ତି ।)
ଏ ଐତିହାସିକ ଗଡଗଡେଶ୍ୱର ମନ୍ଦିର ଶୈବପୀଠର ସ୍ଥାପନା ବାବଦରେ ଐତିହାସିକ ଗଣ ଭିନ୍ନ ଭିନ୍ନ ମତ ପୋଷଣ କରୁଥିଲେ ମଧ୍ୟ କଟକରୁ ପ୍ରାପ୍ତ ରାଜା ଅନଙ୍ଗଭୀମଙ୍କ ଜମିଦାନର ତାମ୍ରପଟ୍ଟା ଏବଂ ସେଥିରେ ନାଗରୀଲିପିରେ ଉଲ୍ଲିଖିତ ସମୟକୁ ତର୍ଜମା କରି ଏଇ ଭବ୍ୟ ଦେଉଳଟି ୧୨୨୯ରୁ ୧୨୩୯ ଖ୍ରୀଷ୍ଟାବ୍ଦ ମଧ୍ୟରେ ସ୍ଥାପନା ହେବାର ବିଚାର କରାଯାଏ ।
ଏଇ ଦେଉଳରେ ମହାପ୍ରଭୁ ଶିବଙ୍କ ଲିଙ୍ଗ ସାଙ୍ଗକୁ ଦେଵୀ ପାର୍ବତୀ, ଏକାଦଶ ରୁଦ୍ରାବତାର ଶ୍ରୀହନୁମାନ, ମା’ ଦକ୍ଷିଣକାଳୀ ଏବଂ ଅନ୍ୟାନ୍ୟ ପାର୍ଶ୍ଵଦେବାଦେଵୀ ପୂଜା ପାଇଥା’ନ୍ତି । ମନ୍ଦିରର ପ୍ରବେଶ ଦ୍ଵାର ନିକଟରେ ଦୃଶ୍ୟମାନ ହୁଏ ଚୈତନ୍ୟଙ୍କ ପଥରଖୋଦିତ ପାଦଚିହ୍ନ ।
ଏ ଦେଉଳର ମାହାତ୍ମ୍ୟ ଏପରି, ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କରିବା ନିମନ୍ତେ ନୈଷ୍ଠିକ ଶିବଭକ୍ତଗଣ ଗଡ଼ଗଡିଆ ଘାଟରୁ ମହାନଦୀର ପବିତ୍ର ଜଳ ସଂଗ୍ରହ କରି ଯାତ୍ରାରେ ବାହାରିବା ପୂର୍ବରୁ ପ୍ରଥମେ ଆରାଧନା କରିଥା’ନ୍ତି ମହାପ୍ରଭୁ ଗଡ଼େଶ୍ୱରଙ୍କୁ ।
କିମ୍ବଦନ୍ତୀ କହେ, ୧୫୧୦ ଖ୍ରୀଷ୍ଟାବ୍ଦରେ ଚୈତନ୍ୟଦେବ ଶ୍ରୀକ୍ଷେତ୍ର ଯିବା ବାଟରେ ହିଁ କଟକର ଗଡଗଡେଶ୍ୱର ଘାଟରେ ପହଞ୍ଚିଥିଲେ, ଏଠାକାର ନୈସର୍ଗିକ ପ୍ରାକୃତିକ ଶୋଭାରେ ବିମୋହିତ ହୋଇ ଏ ବାଲିରେ ଗଡିଯାଇଥିଲେ । ସେଥିପାଇଁ ଏ ଘାଟର ନାମ ହେଲା ଗଡ଼ଗଡ଼ିଆ ।
ତେବେ ଚୈତନ୍ୟଙ୍କ ଆଗମନର ବହୁ ଆଗରୁ ଏ ଦେଉଳବେଢାରେ ଆରମ୍ଭ ହୋଇସାରିଥିଲା ବାଲିଯାତ୍ରା । ଓଡ଼ିଆ ସାଧବପୁଏ ନୌକାରେ ଏ ଘାଟ ଦେଇ ଜାଭା, ସୁମାତ୍ରା ଆଦି ଅଞ୍ଚଳକୁ ବଣିଜ କରି ଫେରନ୍ତା ସମୟରେ ଏଇ ଗଡଗଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସେସବୁ ଅଞ୍ଚଳରୁ ଆଣିଥିବା ଚିଜଗୁଡିକର ବିପଣି ଲଗାଉଥିଲେ । ସେଇ ବିପଣିରାଶି ହିଁ ପରବର୍ତ୍ତୀ ସମୟରେ ଜନ୍ମଦେଲା ଐତିହାସିକ ଗଣଯାତ୍ରା ବାଲିଯାତ୍ରାକୁ !
ପ୍ରଭୁ ଗଡେଶ୍ୱର ମଧ୍ୟ ମା’ କଟକଚଣ୍ଡୀଙ୍କ ପରି ନଗରବାସୀଙ୍କ ଜୀବନକୁ କରିଆସିଛନ୍ତି କରୁଣାସିକ୍ତ, ଭାବାପ୍ଳୁତ । କଟକିଆ ବି ନଗରୀର ଅନ୍ୟତମ ଇଷ୍ଟଦେବ ପ୍ରଭୁ ଗଡେଶ୍ୱରଙ୍କୁ ଗ୍ରହଣ କରିନେଇଛନ୍ତି ଅତି ଆପଣାର ସାଥୀଭଳି ।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago