ଲେଖା: ଦେଵ ତ୍ରିପାଠୀ

 

ଗୋପଠାରୁ ମାତ୍ର ୩କି.ମି ଦୂରର ବୟାଳିଶବାଟି ଗ୍ରାମ । ସେ ଗ୍ରାମରେ ଅବସ୍ଥିତ ମହାର୍ଘ କାରୁକାର୍ଯ୍ୟରେ ଭରା ଏକ ଭବ୍ୟ ଅଥଚ ଅବହେଳିତ, ଅପାଙ୍କ୍ତେୟ ମନ୍ଦିର ! ପ୍ରାଚୀନଦୀ ଅବବାହିକାରେ ଏହି ସୁନ୍ଦର ମନ୍ଦିରଟି ତତ୍କାଳୀନ ଗଙ୍ଗବଂଶୀ ରାଜାମହାରାଜାଙ୍କ (ଚୋଡ଼ଗଙ୍ଗ, ଲାଙ୍ଗୁଳା ନରସିଂହ ଦେବ ଇତ୍ୟାଦି) ଇଷ୍ଟଦେବୀ ମା’ ଗଙ୍ଗେଶ୍ୱରୀଙ୍କ ମନ୍ଦିର । କିଛି ଗବେଷକ ଏହି ଗଙ୍ଗେଶ୍ୱରୀ ମନ୍ଦିର ଭୌମକର ବଂଶୀୟ ରାଜାମାନଙ୍କ ଦ୍ଵାରା ନିର୍ମିତ ବୋଲି ଦାବି କରନ୍ତି ।


ଜନଶ୍ରୁତି ଏବଂ ଲୋକମୁଖରେ ପ୍ରଚାରିତ କିମ୍ବଦନ୍ତୀ କହେ, କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରତିଷ୍ଠା ସମୟରେ ମହାରାଜା ନରସିଂହ ଦେବଙ୍କ ସମେତ, ମନ୍ଦିରର ସୂତ୍ରଧର ଶିବେଇସାମନ୍ତରାୟ, ମନ୍ଦିର ନିର୍ମାଣ ସମ୍ପୃକ୍ତ ସମସ୍ତ କର୍ମକର୍ତ୍ତା, ୧୨୦୦ ଶିଳ୍ପୀ ସଭିଏଁ ଏକତ୍ରିତ ହେଉଥିଲେ ଏଇ ଐତିହାସିକ ପ୍ରାଚୀ ଅବବାହିକାରେ । ଭବ୍ୟ କୋଣାର୍କ ମନ୍ଦିରର ରୂପରେଖ ପ୍ରସ୍ତୁତ କରିବା ହୁଏତ ଏତେ ସହଜ ନ ଥିଲା । ମୂଳ କୋଣାର୍କର ଶେଷରୂପ ବା ଡିଜାଇନ୍ ସର୍ବସ୍ବୀକୃତ ହେବାପୂର୍ବରୁ ଗଢାଯାଇଥିଲା ଏହି କ୍ଷୁଦ୍ର ଗଙ୍ଗେଶ୍ୱରୀ ମନ୍ଦିର । ପରବର୍ତ୍ତୀ ସମୟରେ ପୂର୍ଣ୍ଣଧାର୍ଯ୍ୟ ହୋଇଥିଲା କୋଣାର୍କ ମନ୍ଦିରର ରୂପ ।

କିମ୍ବଦନ୍ତୀ ଯାହା ବି କହୁ ନା କାହିଁକି, ମା ଗଙ୍ଗେଶ୍ୱରୀଙ୍କ ଏଇ ମନ୍ଦିରଟି ଆମରି ପ୍ରିୟ କୋଣାର୍କ ମନ୍ଦିରଠାରୁ କୌଣସି ଗୁଣରେ କମ୍ ନୁହେଁ


ପ୍ରାଚୀନଦୀର କୂଳରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମକୁ ଯେ ଋଦ୍ଧିମନ୍ତ କରିଥିଲା; ତାହାର ପ୍ରମାଣ ଏଇ ବହୁ କିମ୍ବଦନ୍ତୀର ନାୟିକା ତଥା ବିସ୍ମୟ ଯାଦୁକରୀ ଶିଳ୍ପକଳାର ଜୀବନ୍ତ ଆଲେଖ୍ୟ ଏଇ ଗଙ୍ଗେଶ୍ୱରୀ ମନ୍ଦିର । ଐତିହାସିକ ଓ ଗବେଷକଙ୍କ ଠାରୁ କାହିଁ କେତେ ଦୂରେ ଥିବା ଏଇ ମନ୍ଦିରଟି ଥିଲା ଅରମାଭର୍ତ୍ତି ଦୁଃସ୍ଥ ପରିବେଶରେ । ତେବେ ଐତିହ୍ୟବିମୁଖ ପ୍ରଶାସନ ଠାରୁ କୌଣସି ପଦକ୍ଷେପର ଆଶା ନ ପାଇ ସ୍ଥାନୀୟ ଜନତା ଏବଂ କିଛି ଐତିହ୍ୟପ୍ରେମୀ ବ୍ୟକ୍ତିଙ୍କ ସହଯୋଗରେ ମନ୍ଦିରଟି ପୁନର୍ଜନ୍ମ ଲଭିଅଛି ବର୍ଷକ ତଳେ । 


ମୁକ୍ତେଶ୍ଵର ମନ୍ଦିରର ତୋରଣ ପରି ଭ୍ରମ ସୃଷ୍ଟିକରେ ଏଇ ମନ୍ଦିରର ଅନନ୍ୟ ତଥା ବିରଳ ମୁଖଶାଳା । ମନ୍ଦିର ଗାତ୍ରରେ ଦେଖିବାକୁ ମିଳେ ଧ୍ୟାନରତ ମଣିଷ ଓ ନାରୀ, ଦେବଦେବୀଙ୍କ ମୂର୍ତ୍ତି, ନାରୀମୂର୍ତ୍ତି ମାନଙ୍କ ଶରୀରରେ ହାର ଓ ବିଭିନ୍ନ ଅଳଙ୍କାର, ବିଭିନ୍ନ ପଶୁପକ୍ଷୀ, ପୁଷ୍ପରାଜି, କ୍ରୀଡାନତ ନର୍ତ୍ତକନର୍ତ୍ତକୀ, ନାଗକନ୍ୟା ଏବଂ ନାଗପୁରୁଷ, ଉଲଗ୍ନ ଅଥବା ମୈଥୁନରତ ନାରୀପୁରୁଷ, ବିଭିନ୍ନ ପୌରାଣିକ କଥାବସ୍ତୁ ଇତ୍ୟାଦିର ସ୍ଥାପତ୍ୟ ।



ତେବେ ମନ୍ଦିରର ପାର୍ଶ୍ବଦେବାଦେବୀ ଭାବେ କେବଳ ମା’ ବରାହୀଙ୍କ ଅପୂର୍ବ ସୁନ୍ଦର କମନୀୟ ଏବଂ ଅକ୍ଷତ ମୂର୍ତ୍ତି ବିଦ୍ୟମାନ, ମନ୍ଦିରର ଅନ୍ୟ ଏକ ଗାତ୍ରରେ ଐରାବତ ଉପରେ ଇନ୍ଦ୍ରଦେବଙ୍କ ବିରଳ ଅଥଚ ଖଣ୍ଡିତ ମୂର୍ତ୍ତି ଶୋଭପାଏ । ତେବେ ପାର୍ଶ୍ଵଦେବାଦେବୀଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ୟ ସ୍ଥାନସବୁ ଶୂନ୍ୟ ।

କୋଣାର୍କଠାରୁ ଅନତି ଦୂରରେ ଏପରି ଯାଦୁକାରୀ କଳାଚାତୁର୍ଯ୍ୟରେ ଉଦ୍ଭାସିତ ଏଇ ମନ୍ଦିରଟି ଯେ ଆମ ରାଜ୍ୟର ପର୍ଯ୍ୟଟନ ପାଇଁ କେତେ ସମ୍ଭାବନା ଧରି ରଖିଛି ! ଯୁଦ୍ଧରେ ପରାସ୍ତ ସୈନିକଟି ପରି ପ୍ରତିଭାତ ଦୁଃସ୍ଥ ତଥା ଅପରିବ୍ୟାପ୍ତ ଅଥଚ ବିରଳ କୃତି ଓ କୀର୍ତ୍ତିର ମହାର୍ଘପଣର ଅଧିକାରୀ ଏଇ ଗଙ୍ଗେଶ୍ୱରୀ ମନ୍ଦିର । 

Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago