ଲେଖା: ଦେଵ ତ୍ରିପାଠୀ

ରାଜଧାନୀ ଭୁବନେଶ୍ଵରର ସୁଦୂର ଉତ୍ତର ପଶ୍ଚିମ ଚନ୍ଦକା ଅଞ୍ଚଳରେ ପ୍ରବାହିତ ଛୋଟ ଛୋଟ ଝରଣା ମିଶି ‘ବଡଯୋର’ ନାଳ ନାମରେ ପରିଚିତ । ଏଇ ବଡଯୋର ଚନ୍ଦକାର ଯାମକା, ଡେରାଶକଣ୍ଟାବାଡ ଅଞ୍ଚଳରେ ଉତ୍ପତ୍ତି ହୋଇ କୁଜିମହଲ, ଶିଖରଚଣ୍ଡୀ ଦେଇ ରଘୁନାଥପୁର ନିକଟରେ ‘ତଳଯୋର’ ସହିତ ମିଶିଛି । ପୁନଶ୍ଚ ଏହା ପଥରଗାଡିଆ, ପଟିଆ, ମଞ୍ଚେଶ୍ୱର ମଧ୍ୟ ଦେଇ ଏକ ନାଳ ରୂପରେ ଚିରପ୍ରବାହିତ ।

ଏହି ପ୍ରବାହ ଭୁବନେଶ୍ୱରର ଉତ୍ତର-ପଶ୍ଚିମ, ଉତ୍ତର, ଉତ୍ତର-ପୂର୍ବ, ପୂର୍ବ ଓ ଦକ୍ଷିଣ ଦିଗ ପ୍ରଦକ୍ଷିଣ କରିଛି । ଏହାର ବର୍ତ୍ତମାନର ନାମ ଗଙ୍ଗୁଆ ହୋଇଥିଲା ବେଳେ ଏକାମ୍ର ପୁରାଣରେ ଏହାର ନାମ ଗନ୍ଧବତୀ ବୋଲି ଉଲ୍ଲେଖ ଅଛି । ଉକ୍ତ ପୁରାଣର ଆଠଟି ଅଧ୍ୟାୟ ବ୍ୟାପୀ ଗନ୍ଧବତୀ କୂଳରେ ଏକ ଦେବାସୁର ମହାସମରର ବର୍ଣ୍ଣନା ରହିଛି । ଏହି ମହାସମରରେ ଶୈବାସୁର ଓ ବୌଦ୍ଧିକ ଅସୁର ମାନଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶୈବାସୁରମାନଙ୍କ ବିଜୟ ହେବା ସହିତ ମହାଦେବ ତ୍ରିଭୁବନେଶ୍ୱର ବା ଲିଙ୍ଗରାଜଙ୍କର ମହିମାଗାନ କରାଯାଇଛି ।

ଐତିହାସିକଙ୍କ ମତରେ ଏହି ଗନ୍ଧବତୀର ଉଭୟ କୂଳରେ ମୌର୍ଯ୍ୟ ସମ୍ରାଟ ଅଶୋକ ଧଉଳିଠାରେ ଶିଳାଲେଖ ଓ ଭାସ୍କରେଶ୍ୱରଠାରେ ଅଶୋକସ୍ତମ୍ଭ ପ୍ରତିଷ୍ଠା କରିଥିଲେ । ମହାସମର ପରେ ଭାସ୍କରେଶ୍ୱର ଠାରେ ପ୍ରତିଷ୍ଠିତ ଅଶୋକସ୍ତମ୍ଭକୁ ଭାଙ୍ଗି ଏକ ବିଶାଳକାୟ ଶିବଲିଙ୍ଗରେ ପରିଣତ କରି ମନ୍ଦିରଟିଏ ଗଢିଦିଆଗଲା । ନାମ ରଖାଗଲା ଭାସ୍କରେଶ୍ୱର । ବୋଧହୁଏ ଶୈବ ଓ ହିନ୍ଦୁ ଜାଗରଣର ଏଇ ପ୍ରତୀକ ସ୍ଵରୂପ ଲିଙ୍ଗରାଜଙ୍କ ରୁକୁଣାରଥ ଗଠିତ କରାଯାଇ ପ୍ରଭୁଙ୍କୁ ତାଙ୍କ ରାଜଦାଣ୍ଡରେ ପରିକ୍ରମା କରାଗଲା ।

ଇତିହାସ ଅନୁସାରେ ସମସ୍ତ ସଭ୍ୟତା ଓ ସଭ୍ୟତାକେନ୍ଦ୍ରର ମୂଳରେ ଥାଏ ଏକ ପ୍ରେରଣାଦାୟିନୀ ନଦୀ । ସେପରି ଗନ୍ଧବତୀ ଥିଲା କୁରୁରାଜ୍ୟ କଳିଙ୍ଗର ସିଞ୍ଚରିଣୀ ନଦୀ, ଯାହା କି ରାଜଧାନୀ ଥିଲା ‘ଉତ୍ତର ବାହିନୀ’ । ତେଣୁ ଉତ୍ତର ବାହିନୀ ଠାରେ ଗଢିଉଠିଥିଲା ପବିତ୍ର ଶକ୍ତି ପୀଠମାନ ଏବଂ ବ୍ରହ୍ମେଶ୍ୱରପାଟଣା ଠାରେ ଥିଲା ଏହର ନଦୀବନ୍ଦର । ସେଇ ପବିତ୍ର ସିଞ୍ଚରିଣୀ ନଦୀ ଗନ୍ଧବତୀ ଆଜିର ଆଜି ‘ଗଙ୍ଗୁଆ’ – ଭୁବନେଶ୍ୱର ସହରଯାକର ନର୍ଦମାପାଣିକୁ ପିଇ ପିଇ ଆଜି ରୋଗାକ୍ରାନ୍ତ, ମୃତବତ୍ ।

ଏହି ଗଙ୍ଗୁଆର ଉଭୟ ପାର୍ଶ୍ଵରେ, ସୁଦୂର ଉତ୍ତର-ପଶ୍ଚିମ ପାର୍ଶ୍ଵର ଉତ୍ତର କୂଳରେ ଅବସ୍ଥାପିତ ବରିମୁଣ୍ଡା ଗାଁର ଲକ୍ଷେଶ୍ୱର ଓ ତାଙ୍କର ଭବ୍ୟମୂର୍ତ୍ତି ଏବଂ ଅସାଧାରଣ ପାର୍ଶ୍ଵଦେବତା; ମଞ୍ଚେଶ୍ୱର ଗାଁ ରେ ମଞ୍ଚାସୀନ ‘ପ୍ରଭୁ ମଞ୍ଚେଶ୍ୱର’ । ଦକ୍ଷିଣ କୂଳରେ ଅଛନ୍ତି ଦେବୀ ଶିଖରଚଣ୍ଡୀ ଓ ପଳାଶୁଣୀ ଗାଁର ଦେବୀ ଖଣ୍ଡେଶ୍ୱରୀ । ପଳାଶୁଣିଠାରେ ଗନ୍ଧବତୀ ରାଜଧାନୀର ପୂର୍ବ ସୀମା ମଣ୍ଡନକରି ଦକ୍ଷିଣାଭିମୁଖୀ ହୋଇଛି ।

ପଶ୍ଚିମକୂଳରେ ମହାଦେବ ଚିନ୍ତାମଣିଶ୍ୱର, ଭାସ୍କରେଶ୍ୱର, ମେଘେଶ୍ୱର, ବ୍ରହ୍ମେଶ୍ୱର, ଇନ୍ଦ୍ରେଶ୍ୱର (ରାଜାରାଣୀ – ଯେଉଁଠାରେ ଜଗନ୍ନାଥଙ୍କ ଛୋଟ ପ୍ରତିମାଟିଏ ଅଛି), ଚକ୍ରେଶ୍ୱରମା’ ଗୌରୀ ଅବସ୍ଥାପିତ ଥିବାବେଳେ ପୂର୍ବ କୂଳରେ ପଞ୍ଚୁପାଣ୍ଡବ ଗୁମ୍ଫାଗୋକର୍ଣ୍ଣେଶ୍ୱର ମନ୍ଦିର ଅବସ୍ଥିତ ।

ପୁନଶ୍ଚ ପଶ୍ଚିମକୂଳକୁ ସୁମଣ୍ଡିତ କରିଛନ୍ତି ସର୍ବତେଶ୍ୱର, ଜଗାମହାବୀର, ମଧ୍ୟମେଶ୍ୱର (ବୃହତାକାର ଲିଙ୍ଗ) ଓ ଦେବୀ ଭୁଆସୁଣୀ । ଏହି ସ୍ଥାନର ପୂର୍ବ କୂଳରେ ଅବସ୍ଥିତ କଳିଙ୍ଗ ରାଜ୍ୟର ଐତିହାସିକ ଶିଶୁପାଳଗଡ଼ (ଖ୍ରୀ.ପୂ. ୪ର୍ଥ ଶତାବ୍ଦୀ) ଚତୁର୍ପାର୍ଶ୍ୱରେ ଥିବା ଦୁର୍ଭେଦ୍ୟ ଗଡ଼ଖାଇର ଭୂମିକାକୁ ଶହ ଶହ ବର୍ଷ ଧରି ନିର୍ବାହ କରି ପରେ ଗନ୍ଧବତୀ ଉତ୍ତର ପଶ୍ଚିମାଭିମୁଖୀ ହୋଇ ଏକାମ୍ରର ପ୍ରସିଦ୍ଧ ତର୍ପଣଘାଟ ସୂକ୍ଷ୍ମେଶ୍ୱର, ପ୍ରଭୁ କପିଳେଶ୍ୱରଙ୍କ ପାଦପଦ୍ମ ଧୋଇ ଚିଲିକାଭିମୁଖୀ ଥିଲା ।

ଏଇ ଗନ୍ଧବତୀର ଧାରେ ଧରେ ରହିଛି ଏକ ବିଶାଳ ନଦୀର ଛାପ । ମାତ୍ର ରାଜଧାନୀର ବିକୃତ କଙ୍କ୍ରିଟ ରାକ୍ଷସର ଆଁ ଭିତରେ ସେ ଆଜି ମୃତ ।

Spread the love
admin

View Comments

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago