ଲେଖା: ଶିଶିର ମନୋଜ ସାହୁ
~ ରାଣୀଗୁମ୍ପା ଶିଳାଲେଖର ଚିତ୍ର ଓ ଖାରବେଳଙ୍କ ଜୀଵନୀ ~
ରାଣୀଗୁମ୍ଫା ଉପର ମହଲାରେ ଖୋଦିତ ଚିତ୍ରାଵଳୀ (ଫଳକ ନମ୍ବର ୨)କୁ ଅନୁଧ୍ୟାନ କରି ବରପାଲି ନିଵାସୀ ପ୍ରଖ୍ୟାତ ଐତିହାସିକ ସ୍ଵର୍ଗୀୟ ନଵୀନ କୁମାର ସାହୁ ଏ ସମ୍ବନ୍ଧରେ ନିମ୍ନୋକ୍ତ ଵର୍ଣ୍ଣନା ପ୍ରଦାନ କରିଥିଲେ । “ଥରେ ସିଂହପଥର ରାଜା ସପରିଵାର ଵନଵିହାର କରି ଶେଷରେ ଅରଣ୍ୟ ମଧ୍ୟରେ ଥିଵା ଏକ ପଦ୍ମପୋଖରୀକୁ ସ୍ନାନ କରିଵା ପାଇଁ ଆସିଲେ । ତାହା ପୂର୍ଵରୁ ଏକ ଦନ୍ତାହାତୀ କେତେକ ହସ୍ତିନୀଙ୍କ ସହ ଉକ୍ତ ପୋଖରୀର ପଦ୍ମଵନରେ ଉନ୍ମୁକ୍ତ ହୋଇ କ୍ରୀଡ଼ା କରୁଥାନ୍ତି । ରାଜା ହସ୍ତୀପଲକୁ ତଡ଼ିଵା ନିମନ୍ତେ ଉଦ୍ୟମ କରିଵାରୁ ଦନ୍ତା ବଳଟି କ୍ରୁଦ୍ଧ ହୋଇ ତାଙ୍କୁ ଆକ୍ରମଣ କଲା । ସେ ସାହସର ସହିତ ତାଙ୍କର ସମ୍ମୁଖୀନ ହେଲେ ଏଵଂ ଉଭୟ ଦଳ ମଧ୍ୟରେ କିଛକାଳ ଖଣ୍ଡଯୁଦ୍ଧ ଚାଲିଲା । ସେତେବେଳେ ରାଜନନ୍ଦିନୀ ନିଜ ଜୀଵନକୁ ଭ୍ରୂକ୍ଷେପ ନକରି ହସ୍ତୀ ସମ୍ମୁଖକୁ ଆସି ତାହା ଉପରକୁ ନିଜର ଅଙ୍ଗାଭରଣମାନ ନିକ୍ଷେପ କଲେ । ହସ୍ତୀଟି କ୍ଷତଵିକ୍ଷତ ହୋଇ ପଛଘୁଞ୍ଚା ଦେଲା, ମାତ୍ର ସେହି ସଂଘର୍ଷରେ ରାଜପୁରୁଷ ସାଂଘାତିକ ଭାଵରେ ଆହତ ହେଲେ । ରାଜ ଜେମା ତାଙ୍କୁ ନିକଟସ୍ଥ ଏକ ଗିରିଗୁହାକୁ ଶୁଶ୍ରୂଷା ନିମନ୍ତେ ଘେନିଗଲେ ।
ହସ୍ତୀଦଳ ସହ ସଂଘର୍ଷ ଚାଲିଥିଵା ସମୟରେ କେତେଜଣ ମହିଳା ଭୟବିହ୍ଵଳା ହୋଇ ଇତସ୍ତତଃ ପଳାୟନ କରିଥିଲେ । ସେମାନଙ୍କ ମଧ୍ୟରେ ଥିଵା ରାଜାଙ୍କର ଏକ ଅନୁଚରୀ ଜଣେ ପ୍ରଭାଵଶାଳୀ ଵ୍ୟକ୍ତିଙ୍କ ଗୁପ୍ତଚରୀ ରୂପେ କାର୍ଯ୍ୟ କରୁଥିଵା ଅନୁମିତ ହୁଏ । ରାଜ କନ୍ୟାଙ୍କୁ ଲାଭ କରିଵା ନିମନ୍ତେ ସେହି ପୁରୁଷଙ୍କର ବହୁଦିନରୁ ଗୁପ୍ତ ଅଭିଳାଷ ଥିଲା ଏଵଂ ଅନ୍ତଃପୁରର ସେହି ପରିଚାରକା ଥିଲା ତାଙ୍କ ଉଦ୍ଦେଶ୍ୟ ପୂରଣର ସହକାରିଣୀ । ସେହି ଲମ୍ଫଟ ପୁରୁଷ ଗୁପ୍ତଚରୀ ଠାରୁ ରାଜାଙ୍କର ଦୁରାଵସ୍ଥା ସମ୍ପର୍କରେ ସମ୍ବାଦ ପାଇଵା ମାତ୍ରେ ରାଜକନ୍ୟାକୁ ଲାଭ କରିଵା ଲାଳସାରେ ଅସ୍ଥିର ହୋଇ ଉଠିଲେ । ଗୁପ୍ତଚରୀ ତାଙ୍କୁ ପଥ କଢ଼ାଇ ଗିରିଗୁହାକୁ ନେଇଗଲା । ସେଠାରେ ସେ ରାଜପୁରୁଷଙ୍କୁ ଆହତ ଓ ଅସହାୟ ଅଵସ୍ଥାରେ ଦେଖି ନିର୍ମମ ଭାବେ ହତ୍ୟା କଲା ଏଵଂ ରାଜକନ୍ୟାଙ୍କୁ ଅପହରଣ କରିଵା ନିମନ୍ତେ ବଳପ୍ରୟୋଗ କଲା ।
ସେହି ଵୀରତରୁଣୀ ନିଜ ସମ୍ମାନ ରକ୍ଷା ନିମନ୍ତେ ମୃତ ପିତାଙ୍କର ଅସ୍ତ୍ରଧରି ତାଙ୍କର ପ୍ରତିରୋଧ କଲେ । ମାତ୍ର ଅଳ୍ପକାଳ ପରେ ସେ ଦ୍ବନ୍ଦ୍ବ ଯୁଦ୍ଧରେ ପରାଭୂତା ମନ୍ଦିନୀ ହେଲେ । ସୌଭାଗ୍ୟଵଶତଃ ସେତେବେଳେ ଖାରବେଳ ସଦଳବଳେ ସେହି ଅରଣ୍ୟରେ ପାରିଧି ଵିଜେ କରିଥାନ୍ତି । ସମ୍ରାଟଙ୍କର ସେନା କୋଳାହଳରେ ଵନଭୂମି ହଠାତ୍ ମୁଖରିତ ହୋଇ ଉଠିଲା । ସେହି ଲମ୍ପଟ ପୁରୁଷ ଭୟଭୀତ ହୋଇ ରାଜଜେମାଙ୍କୁ ଅରଣ୍ୟରେ ଏକାକିନୀ ଛାଡ଼ି ପଳାୟନ କଲେ ।
ଇତ୍ୟଵସରରେ ଖାରବେଳଙ୍କ ଦ୍ଵାରା ଶରଵିଧ ହୋଇ ଦ୍ରୁତଗାମୀ ମୃଗଟିଏ ନିକଟସ୍ଥ ଏକ ଵୃକ୍ଷ ମୂଳରେ ଟଳି ପଡ଼ିଲା । ସମ୍ରାଟ ଅଶ୍ଵପୃଷ୍ଠରୁ ଅଵତରଣ କରି ନିଜେ ସେହି ଆହତ ମୃଗ ଆଡ଼କୁ ଅଗ୍ରସର ହେଲେ । ନିକଟକୁ ଯାଇ ଦେଖିଲେ, ଜଣେ ତରୁଣୀ ଵୃକ୍ଷ ଶାଖାରେ ବସି ଆଶ୍ରୟ ପ୍ରାର୍ଥନା କରୁଛନ୍ତି । ତାଙ୍କର ପରିଚୟ ଲାଭ କରି ଖାରବେଳ ତାଙ୍କୁ ଅଭୟ ପ୍ରଦାନ କଲେ ଏଵଂ ଆଦର ସହ ନିଜ ପ୍ରାସାଦକୁ ଘେନି ଆସିଲେ । ସିଂହପଥ ରାଜକନ୍ୟାକୁ ଉଦ୍ଧାର କରି ଆଣିଥିଵା ଉପଲକ୍ଷରେ ରାଜାଧାନୀ କଳିଙ୍ଗ ନଗରୀରେ ନୃତ୍ୟଗୀତ ସହ ଵିଵିଧ ଉତ୍ସଵ ଆୟୋଜିତ ହୋଇଥିଲା । ଖୋଦିତ ଚିତ୍ରରେ ଖାରବେଳ ନିଜେ ସେହି ନଵାଗତା ରାଜକନ୍ୟାଙ୍କୁ ପାଖରେ ବସାଇ ନୃତ୍ୟ ସଂଗୀତ ଉପଭୋଗ କରୁଥିଵାର ଦେଖାଯାନ୍ତି । ଚିତ୍ରାବଳୀର ସର୍ଵଶେଷ ଅଂଶରେ ସମ୍ରାଟ ସେହି ରାଜକନ୍ୟାଙ୍କ ସହିତ ଵିଵାହ ବନ୍ଧନରେ ଆଵଦ୍ଧ ହୋଇ ପ୍ରମୋଦ ଉଦ୍ୟାନରେ ଵିହାର କରୁଥିଵାର ଦୃଶ୍ୟ ଦେଖିଵାକୁ ମିଳେ । ରାଣୀଗୁମ୍ଫାର ତଳ ମହଲାର ଡ଼ାହାଣ ପାର୍ଶ୍ଵରେ ଖୋଦିତ ଏକ ଚିତ୍ରାଵଳୀରେ ସମ୍ରାଟ ଖାରବେଳ ଉଭୟ ରାଣୀଙ୍କ ମଧ୍ୟରେ ଉପଵିଷ୍ଟ ହୋଇଥିଵା ଦେଖାଯାନ୍ତି । ଅନେକ ଚିତ୍ରାଵଳୀକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଖାରବେଳଙ୍କ ସହ ଉଭୟ ମହିଷୀ ଵିଭିନ୍ନ ଅଵସରରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥିତ ହେଉଥିଲେ । ସମ୍ବଵତଃ ହାତୀଗୁମ୍ଫା ଶିଳାଲେଖ ଖାରବେଳଙ୍କ ରାଜତ୍ଵର ଚତୁର୍ଦ୍ଦଶ ଵର୍ଷରେ ଗଢ଼ା ହୋଇଥିଲା, କାରଣ ଏଥିରେ ରାଜତ୍ଵର ତ୍ରୟୋଦଶ ଵର୍ଷ ପର୍ଯ୍ୟନ୍ତ କାର୍ଯ୍ୟକଳାପର ଵର୍ଷାନୁଵର୍ଷ ଵିଵରଣୀ ମିଳିଥାଏ । ତାର ପରଵର୍ତ୍ତୀ ଇତିହାସ ଆଜି ମଧ୍ୟ ଅନ୍ଧକାର ମଧ୍ୟରେ ରହିଛି । ଏଣୁ ଖାରବେଳ ସର୍ଵମୋଟ କେତେ ଵର୍ଷ ରାଜତ୍ଵ କରିଥିଲେ ଏଵଂ କେତେ ଵର୍ଷ ଜୀଵିତ ଥିଲେ ତାହା କୁହାଯାଇପାରୁନାହିଁ ।”
ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଦୀର୍ଘ ‘ଖାରବେଳ’ କାଵ୍ଯ ରେ ସେହି ଚିତ୍ରାଵଳୀକୁ ଭିନ୍ନ ରୂପରେ ପ୍ରକାଶ କରିଛନ୍ତି । ପଣ୍ଡିତ ନୀଳକଣ୍ଠ ତାଙ୍କର ‘ଖାରବେଳ’ କାଵ୍ଯ ରେ ଇତିହାସ ଓ କଳ୍ପନାକୁ ମିଶାଇ ଅତୀଵ ସୁନ୍ଦର ଭାବେ ତାହା ଵର୍ଣ୍ଣନା କରିଅଛନ୍ତି । ନୀଳକଣ୍ଠଙ୍କର ‘ଖାରବେଳ’ କାଵ୍ଯ ର କଥାନୁସାରେ ସେତେବେଳେ ଭାରତର ସମ୍ରାଟ ଥାଆନ୍ତି ପ୍ରଵଳ ପ୍ରତାପୀ ଐରପୁତ୍ର ଖାରବେଳ । ତାଙ୍କ ଵିଶାଳ ସାମ୍ରାଜ୍ୟକୁ ଲାଗି ସିନ୍ଧୁନଦୀର ପଶ୍ଚିମ ଦିଗରେ ଅଵସ୍ଥିତ ଥିଲା ଦ୍ରାଵିଡ଼ମାନଙ୍କ ଦ୍ଵାରା ଅଧ୍ଯୁଷିତ ଏକ କୃଷକ ରାଜ୍ୟ କୃଷକପୁର ଯହିଁର ରାଜଧାନୀ ଥିଲା ସିଂହପଥ ।
ବଲୁଚିସ୍ଥାନର Kalat ଅଞ୍ଚଳକୁ ସେହି ଅଞ୍ଚଳ ଭାବେ ଚିହ୍ନଟ କରାଯାଇପାରେ ଯେଉଁଠି ଆଜି ବି ଗୋଟାଏ ଦ୍ରାଵିଡ଼ ଭାଷା ଚଳୁଅଛି ତାହାର ନାମ Brahui । ଏହି ରାଜ୍ୟର ବୃଦ୍ଧ ରାଜା ଵର୍ତ୍ତମାନର ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ପୂର୍ଵରେ ଥିଵା ସେହିସମୟର ବଜିର ରାଜ୍ୟର କନ୍ଯା ‘ଧୂସି’ଙ୍କୁ ପାଳନ କରିଥିଲେ ।
ଖାରବେଳ ପ୍ରଥମେ “ପଟଳ”ରେ ଛାଉଣୀ କରି କୃଷକମାନଙ୍କୁ ଯୁଦ୍ଧରେ ସାଥି କରିଵାକୁ ଲୋଡ଼ୁଥାନ୍ତି । ଏହିପରି ସମୟରେ ଦିନେ ସଞ୍ଜବେଳେ ଘୋଡ଼ାରେ ଚଢ଼ି ନଈ ପଶ୍ଚିମ ପାଖକୁ ବୁଲିବାକୁ ଯାଇ ଫେରିବା ବାଟ ଜାଣି ପାରିଲେ ନାହିଁ। ଦୂରରେ କେତେଗୁଡ଼ିଏ କୃଷକ ବାଳିକା ଖେଳୁଥିଲେ ଓ କୂଳରେ ପଥର ଉପରେ ବସିଥିଲେ “ଧୂସି” । ଖାରବେଳ ଧୂସିଙ୍କୁ ବାଟ ପଚାରି ଫେରି ଆସିଥିଲେ । ଏହି “ଧୂସି”ଙ୍କ ସହିତ ପ୍ରଥମ ସାକ୍ଷାତରେ ହିଁ ଉଭୟଙ୍କର ପ୍ରଣୟର ସୂ୍ତ୍ରପାତ ହୋଇଥିଲା । ଏହାପରେ କୃଷକ ଜାତି ଖାରବେଳଙ୍କୁ ସାହାଯ୍ୟ କରିଵା ପାଇଁ ପ୍ରତିଶ୍ରୁତି ଦେଵାପରେ କୃଷକ ରାଜାଙ୍କ ସୈନ୍ଯମାନଙ୍କୁ ନେଇ ‘ଧୂସି’ ବଜିର ରାଜପୁ୍ତ୍ରର ଛଦ୍ମବେଶରେ ଖାରବେଳଙ୍କ ସୈନ୍ଯଵାହିନୀରେ ଯୋଗ ଦେଇଥିଲେ।
ଏହି ସମୟରେ ଦତ୍ତିମ(ଡିମେଟ୍ରିୟସ୍; କାଵ୍ଯରେ ନୀଳକଂଠ ଏହାଙ୍କର ଦତ୍ତିମ ନାମ ରଖିଛନ୍ତି) ଚକ୍ରାନ୍ତ କରି ରାତିରେ ବଜିର ରାଜଧାନୀ ସିଂହପଥ ଆକ୍ରମଣ କରିଥିଲେ । ସେନାପତି “ଧୂସି” ଆଗରୁ ଏହା ଜାଣିପାରି କେତେକ କୃଷକ ଓ କଳିଙ୍ଗସେନା ନେଇ ବାହାରପଟୁ ଦତ୍ତିମଙ୍କୁ ଘେରି ରହିଲେ । ଦତ୍ତିମ ଉଭୟଆଡ଼ୁ ଆକ୍ରାନ୍ତହୋଇ ପରାସ୍ତ ହେଲେ, ଖାରବେଳ ମଧ୍ଯ ଯୁଦ୍ଧରେ ଆହତ ହୋଇଥିଲେ। ଏହାପରେ ଖାରବେଳ ସୁସ୍ଥ ହୋଇ ରାଜଧାନୀ ‘ପଟଳ’କୁ ଫେରିଵା ପରେ କୃଷକପୁରରେ ଖାରବେଳ ଧୂସିଙ୍କୁ ଚିହ୍ନିଲେ । ଏଇଠାରେ ହିଁ କାଵ୍ୟର ମିଳନାତ୍ମକ ସମାପ୍ତି ଘଟିଛି ।
ଦତ୍ତିମ ଵା ଡିମେଟ୍ରିୟସ୍’ଙ୍କୁ ଖାରବେଳ ସିନ୍ଧୁନଦୀର ପଶ୍ଚିମ ପାର୍ଶ୍ଵରୁ ପରାସ୍ତ କରି ଖେଦି ଦେଇଥିଵା ଜଣାଯାଏ । ସେଇଭଳି ରାଣୀଗୁମ୍ଫାର ଉପରମହଲାରେ ଥିଵା ଚିତ୍ରାଵଳୀରେ ଧୂସିଙ୍କର ଵୀରତାର କଥା ରହିଛି ବୋଲି କେତେକ ଗଵେଷକଙ୍କ ମତ । ସମ୍ଭଵତଃ ପଣ୍ଡିତ ନୀଳକଣ୍ଠ ଏଇ ଚିତ୍ରାଵଳୀ ସହ ଇତିହାସର ସମ୍ମିଶ୍ରଣରେ ‘ଖାରବେଳ’ କାଵ୍ଯ କାହାଣୀଟି ସୃଷ୍ଟି କରିଅଛନ୍ତି ।