ମହାମନିଷୀଗଣ

କୋମଳ ବୈଶ୍ୱାନର ମା’ ରମାଦେବୀ (ଅବିଜିତ ମାତୃତ୍ୱର ଦେବୀ)

ଡାକ୍ତର ପ୍ରଳୟ ନାୟକ

କଥା ଭୂଦାନ ଆନ୍ଦୋଳନ କାଳର । ସ୍ଥାନ ବଙ୍ଗ-ଓଡ଼ିଶା ସୀମାନ୍ତର ବାଈପାଟଣା ଅଞ୍ଚଳ ।

ସମାଜରେ ଭୂମିହୀନ ଓ ଜମିଦାରଙ୍କ ଭିତରର ଦୂରତ୍ୱ ମେଣ୍ଟେଇ ଗୋଟେ ସୁସ୍ଥ, ସମ-ସମାଜ ଗଠନର ସ୍ୱପ୍ନ ନେଇ ଆଗେଇ ଆସୁଛନ୍ତି କିଛି ଲୋକ । ପୁରୁଷଙ୍କ ପିନ୍ଧାରେ ଆଣ୍ଠୁ ଲୁଚୁନଥିବା ହାତକଟା ସୁତାରେ ତିଆରି ଛୋଟ ଧୋତି ଓ ଖଦଡ଼ ଚାଦର ଆଉ ସ୍ତ୍ରୀଙ୍କ ଦେହରେ ହାତବୁଣା ମୋଟ ଖଦଡ଼ ଛେଦା । ସେଇ ଖଦଡ଼ର ଶାୟା ଓ ଅଙ୍ଗୀ । ସମସ୍ତଙ୍କ ମୁହଁରେ ପଥଶ୍ରମକୁ ତୁଚ୍ଛ କରି ଝଲମଲ ଆଶାର ଔଜଲ୍ୟ । ଅପରୂପ କରୁଣାର ମୂର୍ତ୍ତି ମା’ମାନଙ୍କ କଣ୍ଠରୁ ଧ୍ୱନିତ ରାମଧୁନ । ସେ ଏକ ମହାର୍ଘ ଦୃଶ୍ୟ ।
                      
ସେ ଦଳକୁ ସ୍ୱାଗତ କରୁଥିଲେ ଜଳେଶ୍ବର ଅଞ୍ଚଳର ସମର୍ପିତ ଏକ ଦମ୍ପତି, ଶ୍ରୀଯୁକ୍ତ ସୁଧାଂଶୁ ଦାସ ଓ ଶ୍ରୀମତୀ ରେବା ଦାସ । ଅତ୍ୟନ୍ତ ଶାନ୍ତ, ସୁସଂବଦ୍ଧ ଭାବେ ଆଗେଇ ଆସୁଥିଲେ ସେ ଲୋକମାନେ । ଆଜିର ଶୋଭାଯାତ୍ରା ଭଳି ଅସଂସ୍କୃତ ସ୍ଲୋଗାନ ନଥିଲା, ନଥିଲା ରାସ୍ତା ବନ୍ଦ କରି ଅହଂବିଷରେ ଉବୁଟୁବୁ ଭାଷଣ । ସମସ୍ତେ ଆସୁଥିଲେ ଏକ ତୀର୍ଥଯାତ୍ରାରେ ଯାଉଥିବା ଦଳଟେ ଭଳି । ଏ ଯାତ୍ରା ଯେମିତି ତାଙ୍କ ପୂଜା । ଭାଷଣ ଯେମିତି ତାଙ୍କ ଆରାଧନାର ମନ୍ତ୍ରଉଚ୍ଚାର ।
                       


ରାସ୍ତାର ଦୁଇ ପାଖର ପ୍ରାନ୍ତର, ସୁବର୍ଣ୍ଣରେଖାର ତୀର ପୂର୍ଣ୍ଣ କରି ଜନସମୁଦ୍ର । ଜୟଘୋଷରେ ମୁଖରିତ ଗଗନ ପବନ । ଯୋଡହସ୍ତରେ ଆଗେଇ ଆସି ଗୋଟେ ଜାଗାରେ ଅଟକିଲେ ଅଭିଯାତ୍ରୀର ଦଳ । ଆଜି ଏଇଠି ଜନସଭା ଓ ବିଶ୍ରାମ ।

ସେ ଦଳରେ ଥିଲେ ଜଣେ ଅତ୍ୟନ୍ତ ସୁନ୍ଦରୀ ମହିଳା । ଚେହେରା ଦ୍ୟୁତିମନ୍ତ । ଦେହର ରଙ୍ଗ ସୁଗୌର । ମୁହଁରେ ମୂର୍ତ୍ତିମନ୍ତ ମାତୃତ୍ୱ ଓ ଆଭିଜାତ୍ୟର ଛଟା । ସେ ବିଶ୍ରାମ ନେଉଥିଲେ ଗୋଟେ ବିଦ୍ୟାଳୟର କୋଠରୀରେ । ପାଖରେ ନଥିଲେ କେହି । ଏକାକୀ ସେ କାନି ପାରି ଗଡ଼ିପଡ଼ିଥିଲେ ଦଣ୍ଡେ ।

ହା ହତୋସ୍ମି….! ଯୁଗେ ଯୁଗେ ମଣିଷ ଭିତରେ ବିଦ୍ୟମାନ ଯେଉଁ କାମର ବିଷ, ସେଥିରେ ଦଗ୍ଧ ନରକୁଳକଳଙ୍କ ଲୋକଟିଏ ପଶି ଆସିଲା ସେ କୋଠରୀ ଭିତରକୁ । ତାର ପାଦଶବ୍ଦ କିମ୍ବା ତା ବିକୃତ ଚେତନା-ସମ୍ଭୁତ ବିଷ-ବଳୟର ପ୍ରଭାବରେ ଭାଜିଗଲା ଦେବୀଙ୍କର ତନ୍ଦ୍ରା । ଆଖି ଖୋଲି ମୁଣ୍ଡରେ ଓଢଣା ଟାଣିନେଇ ସେ ସିଧାଚାହିଁଲେ ସେ ଲୋକଟି ଆଡ଼େ । ଆଖିରେ ତାଙ୍କର ଫୁଟି ଉଠିଲା ଅନନ୍ତ କରୁଣା-ସମ୍ଭୁତ ବିଷାଦ ଆଉ ଝରିପଡ଼ିଲା ଦୁଇଧାର ଲୁହ, ଛାତି ଥରେଇ ବାହାରି ଆସିଲା ଗୋଟେ ଦୀର୍ଘଶ୍ଵାସ !

ଅଟକି ଗଲା ଲୋକଟିର ଆଗକୁ ବଢ଼ୁଥିବା ପାଦ । ନତ ହେଲା ଦୃଷ୍ଟି । ସହସା ତା’ ମୁହଁରୁ ବାହାରି ଆସିଲା ଦୁର୍ବୋଧ୍ୟ ଚିତ୍କାର ଏକ । ତୀବ୍ର ଗତିରେ ସେ ଧାଇଁ ପଳେଇଲା ତା’ ଘରକୁ । ଆଶ୍ଚର୍ଯ୍ୟରେ ଲୋକେ ଚାହିଁଥିଲେ ତା ଆଡ଼େ, କିଛି ବୁଝି ନପାରି । ଧାଇଁଲେ ଦେବୀଙ୍କ କୋଠରୀ ଆଡ଼େ । ଦେବୀ ବସିଥିଲେ ଆଖିରେ ଆଖିଏ ଲୁହ ଓ କୋହ ନେଇ ।

କାମାନ୍ଧ ଲୋକଟି ଘରେ ଯାଇ ଜ୍ୱର ପୀଡ଼ିତ ହେଲା ଆଉ ଅଳ୍ପଦିନରେ ତେଜିଲା ସଂସାର । ଏମନ୍ତ ଯାହାଙ୍କର ମାତୃତ୍ବର ତେଜ, ଅଜେୟ ସତୀତ୍ଵ, ତାଙ୍କୁ ଜାତି ଆଉ କୋଉ ନାମରେ ଡାକନ୍ତା ଯେ . . ! ତେଣୁ ତାଙ୍କୁ ଦେଲା “ମାଆ”ର ସର୍ବୋତ୍ତମ ସମ୍ବୋଧନ । ଶ୍ରୀମତୀ ରମାଦେବୀ ଚୌଧୁରୀର ପ୍ରଲମ୍ବିତ ପ୍ରଶସ୍ତିମୟ ନାମରୁ ସେ ଉନ୍ନୀତ ହେଲେ ଜାତିର ସମ୍ବୋଧନରେ କେବଳ ମାଆକୁ . . “ମାଆ ରମାଦେବୀ”କୁ . . !
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

7 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago