ଲେଖା: ଦେଵ ତ୍ରିପାଠୀ
ଯଦି କେହି ମୟୂରଭଞ୍ଜ ଜିଲ୍ଲାର ଖିଚିଂର ମା’ କୀଚକେଶ୍ୱରୀ ମନ୍ଦିର ଦର୍ଶନ କରିବାର ସୌଭାଗ୍ୟ ଲଭିଥିବ ସେ କରୁଣାମୟୀ ମା’ଙ୍କର ମହିମାର ପରାକାଷ୍ଠା ଅଙ୍ଗେ ଅଙ୍ଗେ ନିଭାଇଥିବ, ଆହୁରି ମଧ୍ୟ ଦର୍ଶନ ପାଇଥିବ ମୁଗୁନିପଥରରେ ନିର୍ମିତ ଭାରତର ଏକମାତ୍ର ପ୍ରାଚୀନ ମନ୍ଦିର ମଧ୍ୟରେ ମାଙ୍କର ଦିବ୍ୟମୂର୍ତ୍ତିର । ଏକଦା ଏଇ ମୁଗୁନି ପଥରରେ ନିର୍ମିତ ମନ୍ଦିର ହିଁ ପ୍ରେରଣା ଯୋଗାଇଥିଲା ସେ ଅଞ୍ଚଳର ଶିଳ୍ପୀକୁଳଙ୍କୁ ଏଇ ପଥରକୁ ନେଇ ଅମୂଲ୍ୟ ଶିଳ୍ପଟିଏ ଗଢିତୋଳିବା ପାଇଁ, ନିର୍ଜୀବ ପଥର ଦେହରେ ଅବିସ୍ମରଣୀୟ କଳାର ସ୍ପର୍ଶ ଆଙ୍କି ଦେବାପାଇଁ, ପାଷାଣକୁ ଅହଲ୍ୟାରେ ପରିଣତ କରିବା ପାଇଁ, ପଥରକୁ ସ୍ବେଦ ଓ ସଂଘାତର ମନଛୁଆଁ କବିତାରେ ବଦଳାଇ ଦେବା ପାଇଁ ।
ପୁରାଣ ବର୍ଣ୍ଣିତ ତଥା ଐତିହାସିକ ରାଜ୍ୟ କୀଚକଗଡଠାରୁ ମାତ୍ର ଏକ କି.ମି. ଏବଂ ବାରିପଦା ମହାନଗରୀଠାରୁ ପ୍ରାୟ ଦେଢ଼ଶହ କି.ମି. ଦୂରରେ ଅବସ୍ଥିତ କେଶନାର ପଥରମୂର୍ତ୍ତି ଶିଳ୍ପୀଙ୍କ ଦଶନ୍ଧି ଦଶନ୍ଧିର ସିଦ୍ଧି ଓ ସାଧନାର କମନୀୟ ରୂପ ଏଇ କଳାମୁଗୁନି ପଥରରେ ନିର୍ମିତ ମୂର୍ତ୍ତି କେବଳ ଆମ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶରେ ଏକମାତ୍ର । ଭାରତର ଅନ୍ୟ ଅଞ୍ଚଳରେ ଦେଖିବାକୁ ମିଳେନା ।
କେଶନାର ଅନତିଦୂରେ ଖଇରୀ ନଦୀର ଚଳଚଞ୍ଚଳ ସୁଅ ଯେମିତି ପଥରମୂର୍ତ୍ତି ଶିଳ୍ପୀକୁ ଜୀବନର ସଙ୍ଗୀତ ଶୁଣାଏ । ସାରାଦିନର କ୍ଲାନ୍ତି ପରେ ନଈକୂଳର ଶୀତଳ ପବନର ସ୍ପର୍ଶ କ୍ଳାନ୍ତ ଶ୍ରାନ୍ତ ଶିଳ୍ପୀକୁ ଦିଏ ନୂଆ ଜୀବନ । ଏଠି ସକାଳର ନୁଆ ସୁରୁଜ ସହ ପ୍ରେରଣାପ୍ରାପ୍ତ ଶିଳ୍ପୀଟି ପହଞ୍ଚିଯାଏ ପଥରର ଖାଦାନରେ । ଅଳ୍ପ ଖୋଦେଇରୁ (ପ୍ରାୟ ୫/୧୦ଫୁଟ) ମିଳେ କଳାମୁଗୁନିପଥର, ଆଉ ପ୍ରତିଟି ମୁଗୁନିପଥର ପାଏ ଜୀବନ୍ନ୍ୟାସ, ସେଇ ଶିଳ୍ପୀର ନିହାଣ ଓ ମୁଗୁରର ସ୍ପର୍ଶରେ ।
କଳା ମୁଗୁନିପଥରରେ କେଶନାର ୨୦୦ରୁ ଉର୍ଦ୍ଧ୍ୱ ଶିଳ୍ପୀକୁଳ ଗଢିତୋଳନ୍ତି ଭଳିକି ଭଳି ମୂର୍ତ୍ତି; କୃଷ୍ଣ, ଶିବ, ଗଣେଶ, ବୁଦ୍ଧ, ହନୁମାନ, ନଟରାଜ, ବୃଷଭ, ନର୍ତ୍ତକୀ, ଚାମୁଣ୍ଡା, କାରୁକାର୍ଯ୍ୟମୟ ବିଭିନ୍ନ ଆସବାବପତ୍ର ଆହୁରି କେତେ କଣ । ଆମ ରାଜ୍ୟର ବିଭିନ୍ନ ମନ୍ଦିରଗାତ୍ରରେ ଶୋଭିତ କଳାମୁଗୁନି ପଥରମୂର୍ତ୍ତି ପ୍ରାୟ ଏଠାରୁ ସୃଷ୍ଟ । ଶ୍ରୀଲଙ୍କା, ନେପାଳ, ଭୁଟାନ ଇତ୍ୟାଦି ହିନ୍ଦୁରାଷ୍ଟ୍ରଗୁଡିକୁ ମୂର୍ତ୍ତିସବୁ ଏଠାରୁ ପଠାଯାଇଥାଏ । ରାଜ୍ୟ ଭିତରେ ବିଶେଷତଃ ଭୁବନେଶ୍ୱର ଓ କଟକର ବ୍ୟବସାୟୀ ଏ ମୂର୍ତ୍ତିଗୁଡିକୁ ନେଇ ବିକ୍ରି କରନ୍ତି ।
ଏବେ କିନ୍ତୁ ସମୟ ବଦଳିଛି, ପରିଶ୍ରମ ଓ ସମୟ ତୁଳନାରେ ଅର୍ଥକମ୍ ହେଉଥିବାରୁ କେଶନାର ପଥରମୂର୍ତ୍ତି ଶିଳ୍ପୀଗଣ ଏ ଶିଳ୍ପ ପ୍ରତି ବୀତସ୍ପୃହ । ଭୁବନେଶ୍ୱରର ଦଲାଲେ ଲାଭ ଅର୍ଜନ୍ତି ଲକ୍ଷ ଲକ୍ଷରେ କିନ୍ତୁ ନିରୀହ ଶିଳ୍ପୀ ହୁଏ ବଞ୍ଚିତ, ପ୍ରାପ୍ୟରୁ । ଏବେ ମାର୍କେଟିଂ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିଲେ ମଧ୍ୟ ଶିଳ୍ପୀମାନଙ୍କର ଆର୍ଥିକ ଉନ୍ନତି ପରିଦୃଶ୍ୟ ହୁଏନାହିଁ ।
ତଥାପି କେଶନାରେ ଓଡ଼ିଆ ଶିଳ୍ପକଳା ବଞ୍ଚିଛି । ଓଡ଼ିଆଶିଳ୍ପୀ ତେଲଲୁଣର ସଂସାର ନିକଟରେ ମୁଣ୍ଡ ନୁଆଁଇ ନାହିଁ । ସେହି ଶିଳ୍ପୀମାନଙ୍କର ଜୀବନର ଏକମାତ୍ର ଅବଲମ୍ବନ ଏଇ କଳାମୁଗୁନିପଥର ଶିଳ୍ପ। ଏଇ କଳା ମୁଗୁନିପଥର ଦେଇଆସିଛି ଯୁଗଯୁଗର ହଳସିଦ୍ଧି ଓ ବଞ୍ଚିରହିବାର ଆତ୍ମପ୍ରସାଦ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 months ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 months ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 months ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 months ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 months ago