ଲେଖା: ଦେଵ ତ୍ରିପାଠୀ
ଯଦି କେହି ମୟୂରଭଞ୍ଜ ଜିଲ୍ଲାର ଖିଚିଂର ମା’ କୀଚକେଶ୍ୱରୀ ମନ୍ଦିର ଦର୍ଶନ କରିବାର ସୌଭାଗ୍ୟ ଲଭିଥିବ ସେ କରୁଣାମୟୀ ମା’ଙ୍କର ମହିମାର ପରାକାଷ୍ଠା ଅଙ୍ଗେ ଅଙ୍ଗେ ନିଭାଇଥିବ, ଆହୁରି ମଧ୍ୟ ଦର୍ଶନ ପାଇଥିବ ମୁଗୁନିପଥରରେ ନିର୍ମିତ ଭାରତର ଏକମାତ୍ର ପ୍ରାଚୀନ ମନ୍ଦିର ମଧ୍ୟରେ ମାଙ୍କର ଦିବ୍ୟମୂର୍ତ୍ତିର । ଏକଦା ଏଇ ମୁଗୁନି ପଥରରେ ନିର୍ମିତ ମନ୍ଦିର ହିଁ ପ୍ରେରଣା ଯୋଗାଇଥିଲା ସେ ଅଞ୍ଚଳର ଶିଳ୍ପୀକୁଳଙ୍କୁ ଏଇ ପଥରକୁ ନେଇ ଅମୂଲ୍ୟ ଶିଳ୍ପଟିଏ ଗଢିତୋଳିବା ପାଇଁ, ନିର୍ଜୀବ ପଥର ଦେହରେ ଅବିସ୍ମରଣୀୟ କଳାର ସ୍ପର୍ଶ ଆଙ୍କି ଦେବାପାଇଁ, ପାଷାଣକୁ ଅହଲ୍ୟାରେ ପରିଣତ କରିବା ପାଇଁ, ପଥରକୁ ସ୍ବେଦ ଓ ସଂଘାତର ମନଛୁଆଁ କବିତାରେ ବଦଳାଇ ଦେବା ପାଇଁ ।
ପୁରାଣ ବର୍ଣ୍ଣିତ ତଥା ଐତିହାସିକ ରାଜ୍ୟ କୀଚକଗଡଠାରୁ ମାତ୍ର ଏକ କି.ମି. ଏବଂ ବାରିପଦା ମହାନଗରୀଠାରୁ ପ୍ରାୟ ଦେଢ଼ଶହ କି.ମି. ଦୂରରେ ଅବସ୍ଥିତ କେଶନାର ପଥରମୂର୍ତ୍ତି ଶିଳ୍ପୀଙ୍କ ଦଶନ୍ଧି ଦଶନ୍ଧିର ସିଦ୍ଧି ଓ ସାଧନାର କମନୀୟ ରୂପ ଏଇ କଳାମୁଗୁନି ପଥରରେ ନିର୍ମିତ ମୂର୍ତ୍ତି କେବଳ ଆମ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶରେ ଏକମାତ୍ର । ଭାରତର ଅନ୍ୟ ଅଞ୍ଚଳରେ ଦେଖିବାକୁ ମିଳେନା ।
କେଶନାର ଅନତିଦୂରେ ଖଇରୀ ନଦୀର ଚଳଚଞ୍ଚଳ ସୁଅ ଯେମିତି ପଥରମୂର୍ତ୍ତି ଶିଳ୍ପୀକୁ ଜୀବନର ସଙ୍ଗୀତ ଶୁଣାଏ । ସାରାଦିନର କ୍ଲାନ୍ତି ପରେ ନଈକୂଳର ଶୀତଳ ପବନର ସ୍ପର୍ଶ କ୍ଳାନ୍ତ ଶ୍ରାନ୍ତ ଶିଳ୍ପୀକୁ ଦିଏ ନୂଆ ଜୀବନ । ଏଠି ସକାଳର ନୁଆ ସୁରୁଜ ସହ ପ୍ରେରଣାପ୍ରାପ୍ତ ଶିଳ୍ପୀଟି ପହଞ୍ଚିଯାଏ ପଥରର ଖାଦାନରେ । ଅଳ୍ପ ଖୋଦେଇରୁ (ପ୍ରାୟ ୫/୧୦ଫୁଟ) ମିଳେ କଳାମୁଗୁନିପଥର, ଆଉ ପ୍ରତିଟି ମୁଗୁନିପଥର ପାଏ ଜୀବନ୍ନ୍ୟାସ, ସେଇ ଶିଳ୍ପୀର ନିହାଣ ଓ ମୁଗୁରର ସ୍ପର୍ଶରେ ।
କଳା ମୁଗୁନିପଥରରେ କେଶନାର ୨୦୦ରୁ ଉର୍ଦ୍ଧ୍ୱ ଶିଳ୍ପୀକୁଳ ଗଢିତୋଳନ୍ତି ଭଳିକି ଭଳି ମୂର୍ତ୍ତି; କୃଷ୍ଣ, ଶିବ, ଗଣେଶ, ବୁଦ୍ଧ, ହନୁମାନ, ନଟରାଜ, ବୃଷଭ, ନର୍ତ୍ତକୀ, ଚାମୁଣ୍ଡା, କାରୁକାର୍ଯ୍ୟମୟ ବିଭିନ୍ନ ଆସବାବପତ୍ର ଆହୁରି କେତେ କଣ । ଆମ ରାଜ୍ୟର ବିଭିନ୍ନ ମନ୍ଦିରଗାତ୍ରରେ ଶୋଭିତ କଳାମୁଗୁନି ପଥରମୂର୍ତ୍ତି ପ୍ରାୟ ଏଠାରୁ ସୃଷ୍ଟ । ଶ୍ରୀଲଙ୍କା, ନେପାଳ, ଭୁଟାନ ଇତ୍ୟାଦି ହିନ୍ଦୁରାଷ୍ଟ୍ରଗୁଡିକୁ ମୂର୍ତ୍ତିସବୁ ଏଠାରୁ ପଠାଯାଇଥାଏ । ରାଜ୍ୟ ଭିତରେ ବିଶେଷତଃ ଭୁବନେଶ୍ୱର ଓ କଟକର ବ୍ୟବସାୟୀ ଏ ମୂର୍ତ୍ତିଗୁଡିକୁ ନେଇ ବିକ୍ରି କରନ୍ତି ।
ଏବେ କିନ୍ତୁ ସମୟ ବଦଳିଛି, ପରିଶ୍ରମ ଓ ସମୟ ତୁଳନାରେ ଅର୍ଥକମ୍ ହେଉଥିବାରୁ କେଶନାର ପଥରମୂର୍ତ୍ତି ଶିଳ୍ପୀଗଣ ଏ ଶିଳ୍ପ ପ୍ରତି ବୀତସ୍ପୃହ । ଭୁବନେଶ୍ୱରର ଦଲାଲେ ଲାଭ ଅର୍ଜନ୍ତି ଲକ୍ଷ ଲକ୍ଷରେ କିନ୍ତୁ ନିରୀହ ଶିଳ୍ପୀ ହୁଏ ବଞ୍ଚିତ, ପ୍ରାପ୍ୟରୁ । ଏବେ ମାର୍କେଟିଂ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିଲେ ମଧ୍ୟ ଶିଳ୍ପୀମାନଙ୍କର ଆର୍ଥିକ ଉନ୍ନତି ପରିଦୃଶ୍ୟ ହୁଏନାହିଁ ।
ତଥାପି କେଶନାରେ ଓଡ଼ିଆ ଶିଳ୍ପକଳା ବଞ୍ଚିଛି । ଓଡ଼ିଆଶିଳ୍ପୀ ତେଲଲୁଣର ସଂସାର ନିକଟରେ ମୁଣ୍ଡ ନୁଆଁଇ ନାହିଁ । ସେହି ଶିଳ୍ପୀମାନଙ୍କର ଜୀବନର ଏକମାତ୍ର ଅବଲମ୍ବନ ଏଇ କଳାମୁଗୁନିପଥର ଶିଳ୍ପ। ଏଇ କଳା ମୁଗୁନିପଥର ଦେଇଆସିଛି ଯୁଗଯୁଗର ହଳସିଦ୍ଧି ଓ ବଞ୍ଚିରହିବାର ଆତ୍ମପ୍ରସାଦ ।
Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

17 minutes ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 day ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago