* ତେଲ୍ ତଟେ ପ୍ରାଚୀନ କୀର୍ତ୍ତି
* କଳାହାଣ୍ଡିର ପ୍ରାଚୀନ କୀର୍ତ୍ତି
* ହତଭାଗ୍ୟ ଓଡ଼ିଶା
* କବି କରୁଣାକର
* କବି ନଳୀନାକ୍ଷ ମର୍ଦ୍ଦରାଜ
* କବି ବନମାଳୀ ଦାସ
* ଓଡି଼ଆଙ୍କ ଦରିଆପାରି
* ଓଡ଼ିଆ ସାମନ୍ତରାଜାଙ୍କ ଦରିଆପାରି
* ପ୍ରାଚୀନ ଉତ୍କଳର ପ୍ରତ୍ନ ସମ୍ପଦ
* ଓଡ଼ିଶାର ଦେବୀ ପୀଠ
* କେଶରକ୍ଷେତ୍ର ଚଣ୍ଡେଶ୍ଵର
* ଓଡ଼ିଶାର ଅଭ୍ୟୁଥାନ
* ଓଡ଼ିଶାର ଅତୀତ ଓ ଭବିଷ୍ୟତ
* ଓଡ଼ିଆ ଲିପିର କ୍ରମ ପରିଣାମ
* ଓଡି଼ଆଙ୍କ ନବବର୍ଷ
* ଗଙ୍ଗାଧର ମିଶ୍ର ଓ କୋଶଳାନନ୍ଦ ମହାକାବ୍ୟ
* Kalahandi Today
* Kalahandi , the Historic Past
( ଏସବୁ ପାଠ ନୂଆ ନୂଆ ଲାଗିଲା !)
 
ସେଦିନ ଥିଲା ୧୯୫୦ ମସିହା ଅପ୍ରେଲ ମାସ ୧୯ ତାରିଖ । ସେହି ବର୍ଷର ଆଦ୍ୟକାଳରେ ପ୍ରତିଷ୍ଠା ହୋଇଥାଏ ‘ଓଡ଼ିଶା ରାଜ୍ୟ ସଂଗ୍ରହାଳୟ’ ରାଜଧାନୀ ଭୁବନେଶ୍ବର ଠାରେ । କେଦାରନାଥ ଯୋଗ ଦେଲେ Assistant Curator ଭାବେ । ସହକର୍ମୀ ଥିଲେ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ, ଐତିହାସିକ ପରମାନନ୍ଦ ଆଚାର୍ଯ୍ୟ, ବିପିନ୍ ବିହାରୀ ନାଥ ଓ ସୁଶୀଲ ଚନ୍ଦ୍ର ଦେ । ଏହି ପଞ୍ଚସଖାଙ୍କ ସ୍ପର୍ଶରେ ଜୀବନ୍ୟାସ ପାଇଲା ନୂତନ ଭାବେ ପ୍ରତିଷ୍ଠିତ ମିଉଜିଅମ୍ । ବିଭିନ୍ନ ବିଭାଗୀକରଣ କରାଯାଇ କେଦାରନାଥଙ୍କ ଦାୟିତ୍ଵରେ ରହିଲା ଗବେଷଣା ଓ ପାଠାଗାର ବିଭାଗ । ସେତେବେଳକୁ କଳାହାଣ୍ଡି ଗଡ଼ଜାତ ଓଡ଼ିଶା ଅଧିନକୁ ଆସିଯାଇଥାଏ । ତେଣୁ କଳାହାଣ୍ଡି ରାଜନବରରେ ଥିବା ପୋଥି, ପ୍ରାଚୀନ ମୂର୍ତ୍ତି ଏବଂ ଅନ୍ୟାନ୍ୟ ସଂଗୃହୀତ ଅବଶେଷ ଗୁଡ଼ିକ ଓଡ଼ିଶା ମିଉଜିଅମକୁ ସ୍ଥାନାନ୍ତରିତ ହୋଇଗଲା । କେଦାରନାଥ ହୋଇଗଲେ ରାଜାଙ୍କ ପାଖରେ ଅପ୍ରିୟ ! ତେବେ ବୃହତ୍ତର ସ୍ଵାର୍ଥ ସମ୍ମୁଖରେ ଏ ସ୍ଵାର୍ଥଜନିତ ଅପ୍ରିୟତା ଥିଲା ମୂଲ୍ୟହୀନ !  
 
~ ସର୍ବଭାରତୀୟ ସ୍ତରରେ ଓଡ଼ିଆ ~
 
ବିଦ୍ୱାନ କେଦାରନାଥ ମହାପାତ୍ର ଥିଲେ ଏ ଓଡ଼ିଆ ଜାତିର #ଚଳନ୍ତି #ପାଠାଗାର ! ତାଳପତ୍ର ପୋଥି ଦାୟିତ୍ଵରେ ରହି ନୂତନ ତଥ୍ୟାବଳୀ, ନୂତନ ବିଷୟର ଅବତାରଣା, କାବ୍ୟିକତତ୍ତ୍ଵର ଆଲୋଚନା ମଧ୍ୟରେ ନିଜକୁ ନିମଜ୍ଜିତ କରିଦେଉଥିଲେ ସେ । ସଂଗୃହୀତ ତାଳପତ୍ର ପୋଥିଗୁଡ଼ିକ ପଢ଼ି, ତା’ର ବିଭାଗୀକରଣ କରି ନିର୍ଦ୍ଧାରିତ ବିଭାଗରେ ସାଇତିବା, ସଜେଇବା, ଟିପ୍ପଣୀ ଲେଖିବା ଥିଲା ତାଙ୍କର ମୁଖ୍ୟ କର୍ମ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପୋଥି ସଂଗ୍ରହ ଦୂରୁହ ହେଲେ ହେଁ ନିଷ୍ଠାବାନ କେଦାରନାଥ ଏ କାର୍ଯ୍ୟରେ ପାଇଥିଲେ ଅଭୂତପୂର୍ବ ସଫଳତା ।  
ଖଲ୍ଲିକୋଟର ଜଗନ୍ନାଥ ରଥ, ଚିକିଟିର କିଶୋର ଚନ୍ଦ୍ର ରାଜଗୁରୁ, ସାନଖେମୁଣ୍ଡିର ବାମଦେବ ରଥ, ଜଗତସିଂହପୁରର ଦେବ ମହାପାତ୍ର ଆଦି ପଣ୍ଡିତଙ୍କ ଘରୁ ବହୁ ଶ୍ରମ ସ୍ବୀକାର କରି ସଂଗ୍ରହ କଲେ ଅନେକ ଦୁର୍ଲ୍ଲଭ ତାଳପତ୍ର ପୋଥି । ସେ ସମୟରେ ସଂଗୃହୀତ ତାଳପତ୍ର ପୋଥିରେ ରହିଥିଲା ବେଦ, ବେଦାନ୍ତ, ଗଣିତ, ଆୟୁର୍ବେଦ, ଜ୍ୟୋତିଷ ଶାସ୍ତ୍ର, ବ୍ୟାକରଣ, ପୁରାଣ, କାବ୍ୟ, ମହାକାବ୍ୟ ଆଦି ଅନେକ କିଛି । ଉଦ୍ଧାର କରି ଅଧ୍ୟୟନ ଓ ଗବେଷଣା ସହ ଶତାଧିକ ପ୍ରବନ୍ଧ ରଚନା କଲେ କେଦାରନାଥ ଏବଂ ପ୍ରକାଶିତ ହେଲା Orissa Historical Research Journalରେ । ଫଳତଃ ଓଡ଼ିଶାର ଐତିହାସିକ, ସାହିତ୍ୟ ବିଭବ ସହ ବହୁ ବିଦ୍ୱାନ ମାନଙ୍କର ବିଦବତ୍ତା ଆନ୍ତର୍ଜାତୀୟ ସ୍ତରରେ ଉଦଘାଟିତ ହେଲା।ଏଇ ହିରଣ୍ୟଗର୍ଭା ସାଗର ରୂପୀ ଉତ୍କଳରୁ କେତେ କେତେ ଉପଳ ସଂଗ୍ରହ କରି ବିଶ୍ଵ ଦରବାରରେ ପରିଚିତ କରାଇବା ଏହି ମହତ୍ତର ମଣିଷଙ୍କ ଉଦ୍ଦେଶ୍ୟରେ ଆଭୂମ ପ୍ରଣାମ ।
 
ଅତୀତ ଇତିହାସର ବିଶଦ ଆଲୋଚନା ହେତୁ କେଦାରନାଥ ଏ ଜାତିର ଐତିହ୍ୟ ଉପରେ ସ୍ତମ୍ଭୀଭୂତ । ଅଧ୍ୟବସାୟ ଓ ଯୁକ୍ତିବାଦୀ ଗବେଷଣା ତାଙ୍କୁ ଆଣିଦେଇଥିଲା ଓଡ଼ିଶା ଉପରେ ସମ୍ପୂର୍ଣ୍ଣ ଜ୍ଞାନ। ପ୍ରାକ୍ତନ ଗବେଷକ ଜନ୍ ବିମସ୍, ହଣ୍ଟର, ମନମୋହନ ଚକ୍ରବର୍ତ୍ତୀ, ଶ୍ୟାମସୁନ୍ଦର ରାଜଗୁରୁ ଆଦି ରଚନା କରିଥିବା ଗବେଷଣାତ୍ମକ ପୁସ୍ତକର ତଥ୍ୟ ଠାରୁ ଆଉ କେତେ ପାଦ ଆଗେଇ ଯାଇଥିଲେ କେଦାରନାଥ । ଫଳତଃ ଉତ୍କଳ ଜନନୀଙ୍କ ବହୁ ବରପୁତ୍ରଙ୍କ ସମ୍ବନ୍ଧରେ ସନ୍ଧାନ ମିଳିଲା । ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କଲା ଓଡ଼ିଶା । ଆବିଷ୍କାରଗତ ତଥ୍ୟରେ ଆମେ ତାଙ୍କର ଉତ୍ତରଦାୟାଦଗଣ କେବଳ ନିଜକୁ ଗୌରବାନ୍ଵିତ ମନେ କରିବା ଛଡ଼ା ଆଉ କରିଛନ୍ତି କ’ଣ ? ସେଦିନ ଆମେ ସମସ୍ତେ କେମିତି ଚମତ୍କୃତ ହୋଇଥିଲେ !! ଏବେ ଟିକେ ନଜର ପକେଇ ଦେବା ସେହି ଚମତ୍କାର ତଥ୍ୟାବଳି ଉପରେ —  
 
*ପଞ୍ଚତନ୍ତ୍ର ପ୍ରଣେତା #ବିଷ୍ଣୁଶର୍ମା କଳିଙ୍ଗର !! ସେ ମାଠର ବଂଶୀୟ ରାଜା ଶକ୍ତିବର୍ମା ଓ ଅନନ୍ତ ଶକ୍ତିବର୍ମାଙ୍କ ସମୟରେ ରାଜଦରବାରରେ ସଭା ପଣ୍ଡିତ ଥାଇ #ପଞ୍ଚତନ୍ତ୍ର ରଚନା କରିଥିଲେ । 
 
* ସଂସ୍କୃତ କବି ମୁରାରୀ ମିଶ୍ର #ଅନର୍ଘ #ରାଘବ ନାଟକ ରଚନା କରି ରଥଯାତ୍ରାରେ ଅଭିନୀତ କରାଇଥିଲେ । 
 
* ଏକାଦଶ ଓ ଦ୍ଵାଦଶ ଶତାବ୍ଦୀରେ ରଚିତ ହୋଇଥିଲା —
କ) ଶତାନନ୍ଦ ଆଚାର୍ଯ୍ୟ (ପୁରୀ ଅଧିବାସୀ)ଙ୍କ ସତାନନ୍ଦ ସଂଗ୍ରହ, ରତ୍ନମାଳା ।
ଖ) ପଣ୍ଡିତ କୃଷ୍ଣ ମିଶ୍ର — ପ୍ରବୋଧ ଚନ୍ଦ୍ରୋଦୟ
ଗ) ନାରାୟଣ ସତକବି — ରାମାଭ୍ୟୁଦୟ କାବ୍ୟ
ଘ) ଗୋବର୍ଦ୍ଧନାଚାର୍ଯ୍ୟ — ଆର୍ଯ୍ୟ ସପ୍ତଶତୀ
ଙ) ଧୀରେନ୍ଦ୍ର ଉଦୟନାଚାର୍ଯ୍ୟ — ଗୀତଗୋବିନ୍ଦର ଭାବ ବିଭାବନୀ ଟୀକା (ଗୀତଗୋବିନ୍ଦ କାବ୍ୟର ପ୍ରଥମ ଟୀକାକାର)
**( ପୂର୍ବରୁ ଏହି ବିଦ୍ଵାନବୃନ୍ଦ ପରିଚିତ ଥିଲେ ହେଁ, ସେମାନେ ଯେ ଉତ୍କଳୀୟ, ଏହି କଥା ପ୍ରମାଣ କରିଥିଲେ କେଦାରନାଥ) 
 
~ ଓଡ଼ିଆଏ ସଂସ୍କୃତ ଭାଷାରେ ବି ବିଦ୍ୱାନ ~
 
କୌଣସି ସୃଷ୍ଟି ଲୁକ୍କାୟିତ ଭାବେ ରହିଥିଲେ, ତାକୁ ଖୋଜି ବାହାର କରିବା ପାଇଁ ଯଥେଷ୍ଟ ସାମର୍ଥ୍ୟ ଦରକାର । ସେହି ଭଳି ସାମର୍ଥ୍ୟ ଥିବା ଲୋକ ହିଁ ଅସାଧାରଣ ଭାବେ ପରିଚିତି ପାଏ । ଅଜାଣତରେ ରହିଯାଇଥିବା ବସ୍ତୁଟିର ଆତ୍ମପ୍ରକାଶରେ ଆବିଷ୍କାରକ ଯେମିତି ସମସ୍ତଙ୍କ ମନରେ ଚମକ ଖେଳାଇ ଦିଅନ୍ତି, ଐତିହାସିକ କେଦାରନାଥ ମହାପାତ୍ର ସେଇମିତି ଲୁଚି ରହିଥିବା ଅନେକ ବିଭବକୁ ଅକ୍ଷୁର୍ଣ୍ଣ ଭାବେ ଲୋକଲୋଚନକୁ ଆଣି ଆଶ୍ଚର୍ଯ୍ୟ ଚକିତ କରେଇଥିଲେ ଆମମାନଙ୍କୁ ! ଯେମିତି ଜଣେ ଯାଦୁକର ଥିଲେ ସେ !!
 
ଗଙ୍ଗମାନଙ୍କ ରାଜତ୍ଵ କାଳରେ ଉତ୍କଳୀୟ କବି ବିଦ୍ଵାନଗଣ ସଂସ୍କୃତ ଭାଷାରେ ରଚନା କରି ରୁଦ୍ଧିମନ୍ତ କରିଥିଲେ ସଂସ୍କୃତ ସାହିତ୍ୟକୁ –
 
* ଶଙ୍ଖଧର — ହାସ୍ୟାର୍ଣ୍ଣବ
* ବିଦ୍ୟାଧର — ଏକାବଳୀ
* କବି ଉମାପତି — ଅନନ୍ତ ବାସୁଦେବ ମନ୍ଦିରର ପ୍ରଶସ୍ତି
* ନାରାୟଣ ଦାସ — ସର୍ବାଙ୍ଗ ସୁନ୍ଦର ଟୀକା
* ଚଣ୍ଡି ଦାସ — କାବ୍ୟ ପ୍ରକାଶ ଦୀପିକା, ଧ୍ଵନି ସିଦ୍ଧାନ୍ତ ସଂଗ୍ରହ
* ରାଘବାନନ୍ଦ — ଛନ୍ଦ ଗୋବିନ୍ଦ, ଉଷା ପରିଣୟ
* କୃଷ୍ଣାନନ୍ଦ ସାନ୍ଧିବିଗ୍ରହକ — ସହୃଦୟାନନ୍ଦ ମହାକାବ୍ୟ
* ଚନ୍ଦ୍ରଶେଖର ମହାପାତ୍ର — ପୁଷ୍ପମାଳା ମହାର୍ଣ୍ଣବ
* କବିରାଜ ବିଶ୍ଵନାଥ — ସାହିତ୍ୟ ଦର୍ପଣ
 
କେବଳ ଏତିକି ନୁହେଁ । ପୂର୍ବରୁ ଦ୍ଵନ୍ଦାତ୍ମକ ଗବେଷଣା ହେତୁ ଯେଉଁ ଉତ୍କଳୀୟ ମାନେ ଅନ୍ୟ ପ୍ରତିବେଶୀ ଭୂଖଣ୍ଡର ବୋଲି ବିଦିତ ହେଉଥିଲେ, କେଦାରନାଥଙ୍କ ଗବେଷଣା, ବଳିଷ୍ଠ ତଥ୍ୟ ଯୋଗୁଁ ସେମାନେ ଉତ୍କଳୀୟ ଭାବେ ପରିଚିତି ପାଇଲେ, ଯାହାକୁ ମାନିନେବାକୁ ଅନ୍ୟ ଗବେଷକଗଣ ହୋଇଥିଲେ ବାଧ୍ୟ ! ତାଙ୍କ ଜ୍ଞାନ ଓ ଅଧ୍ୟବସାୟ ହେତୁ ଅତୀତର ଗୋଟିଏ ଗୌରବମୟ ଜାତି ତା’ର ପଶ୍ଚାତ୍ ଭାଗରେ ଦେଖିବାକୁ ପାଇଲା, “ସୂର୍ଯ୍ୟବଂଶ ରାଜତ୍ଵ କାଳର #କବିଚନ୍ଦ୍ର #ରାୟ, #ଦିବାକର #ମିଶ୍ର, #ଡିଣ୍ଡିମ #ଜୀବଦେବାଚାର୍ଯ୍ୟ, ଅଷ୍ଟାଦଶ ଚିନ୍ତାମଣି ପ୍ରଣେତା #ଗୋଦାବରୀ #ମିଶ୍ର, ଅଚିନ୍ତ୍ୟ ଭେଦାଭେଦ ମତବାଦର ପ୍ରତିଷ୍ଠାତା #ରାୟ #ରାମାନନ୍ଦ, #ଶମ୍ଭୁକର ବାଜପେୟୀ, ସଙ୍ଗୀତଜ୍ଞ କୃଷ୍ଣ ଦାସ ବଡ଼ଜେନା ମହାପାତ୍ର, ବାଜପେୟୀ ରାମଚନ୍ଦ୍ର ମିଶ୍ର, ଅଳଙ୍କାରିକ ବିଶ୍ଵନାଥ ସାମନ୍ତରାୟ ଯେ ଏଇ ଉତ୍କଳ ଭୂଖଣ୍ଡର !! (ସଂସ୍କୃତ ସାହିତ୍ୟକୁ ଉତ୍କଳର ଅବଦାନ କେତେ ଥରେ ଚିନ୍ତା କରନ୍ତୁ ତ !! )  
 
~ ପୋଥି ସାହିତ୍ୟର ବ୍ୟାଖ୍ୟାକାର ~
 
ସେ କେବଳ ଐତିହାସିକ, ପ୍ରତ୍ନତାତ୍ବିକ, ପୋଥି ସଂଗ୍ରାହକ ନୁହଁନ୍ତି, ପ୍ରାଚୀନ ସାହିତ୍ୟର ଅନେକ ତଥ୍ୟ ମଧ୍ୟ ତାଙ୍କ ଦ୍ଵାରା ପ୍ରଦତ୍ତ । ବରେଣ୍ୟ ଉତ୍କଳୀୟ କବିମାନଙ୍କ କାବ୍ୟ ସମ୍ବନ୍ଧରେ ନୂତନ ତଥ୍ୟ ପ୍ରଦାନ କରି ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି କରିଛନ୍ତି, ଯାହା ସର୍ବାଦୌ ସ୍ମରଣୀୟ ଓ ପ୍ରଶଂସ୍ୟ । ନରସିଂହ ସେଣଙ୍କ ପରିମଳା, ଜନାର୍ଦ୍ଦନଙ୍କ ଗୋପୀଭାଷା, ହଳଧର ଦାସଙ୍କ ଅଧ୍ୟାତ୍ମ ରାମାୟଣ, ଧନଞ୍ଜୟଙ୍କ ଅନଙ୍ଗରେଖା, ଇଛାବତୀ, କାହ୍ନୁ ଦାସଙ୍କ ରାମ ରସାମୃତ, କେଶବରାଜ ହରିଚନ୍ଦନଙ୍କ ରସସିନ୍ଧୁ, ସୁଲକ୍ଷଣା କୁଞ୍ଜବିହାରୀ ଭ୍ରମରବରଙ୍କ ପ୍ରେମଶୀଳା ପ୍ରଭୃତି କାବ୍ୟ ସମ୍ବନ୍ଧରେ ନୂତନ ତଥ୍ୟାବଳି ବିଭିନ୍ନ ପୋଥିର ଉଦ୍ଧୃତିମାନ ପ୍ରଦାନ କରି ସେହି କାବ୍ୟ ମାନଙ୍କୁ ଜୀବନ୍ୟାସ ଦେଇଛନ୍ତି ! ତାଙ୍କ ରଚିତ ଖୁରୁଧା ଇତିହାସ ଯାହା ୧୯୬୯ ମସିହାରେ ରଚିତ ହିଁ ଓଡ଼ିଆ ସାହିତ୍ୟ ଓ ଇତିହାସ ପାଇଁ ଏକ ସଫଳ ପ୍ରତିଶ୍ରୁତି । 
 
ପ୍ରାଚୀନ କଳିଙ୍ଗ/ଉତ୍କଳ ଯେତେବେଳେ ତା’ର ନିଜ ଇତିହାସ ଖୋଜୁଥିଲା, କେଦାରନାଥ ମହାପାତ୍ର ଦେଇଥିଲେ ସଫଳ ନେତୃତ୍ଵ । ଯେତେବେଳେ ଅମାପ ରତ୍ନ (ମୂର୍ତ୍ତି, ପୋଥି, ତାମ୍ରପତ୍ର ଓ ଅନ୍ୟାନ୍ୟ ପ୍ରତ୍ନତାତ୍ବିକ ବସ୍ତୁ ) ଭାଙ୍ଗିରୁଜି କାଳ ବକ୍ଷରେ ଅବଲୁପ୍ତ ହେବାକୁ ଯାଉଥିଲା, କେଦାରନାଥ ତାର ପୁନରୋଦ୍ଧାର କରି ସଂରକ୍ଷଣ କରିବାରେ ଥିଲେ ପ୍ରଧାନ ନାୟକ । ପୋଥି ଗୁଡ଼ିକର ବିବରଣୀ ତାଲିକା ପ୍ରସ୍ତୁତ ପାଇଁ ତାଙ୍କ ଦ୍ଵାରା ପ୍ରଦର୍ଶିତ ଧାରା ଅଦ୍ୟାବଧି ଅନୁସୃତ । କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶ ଓ ପୃଥିବୀର ବହୁ ବିଦ୍ୱାନ ମାନଙ୍କ ଦୃଷ୍ଟିରେ କେନ୍ଦ୍ରବିନ୍ଦୁ ହୋଇପଡ଼ିଥିଲା ଏହି ଗବେଷଣା। ଓଡ଼ିଆ ତଥା ଭାରତୀୟ ସାହିତ୍ୟର ବିସ୍ମୟ ପ୍ରତିଭା ଡ. ମାୟାଧର ମାନସିଂହ ଭାଷାରେ, ସେ ପୋଥିନାଥ କେଦାରନାଥ । 
 
“ସ୍ଵର୍ଗତ କେଦାରନାଥ ମହାପାତ୍ର ଥିଲେ ବାସ୍ତବିକ ‘ପୋଥିନାଥ’ । ପୋଥି ଓ ପଥର ଥିଲା ତାଙ୍କ ଜୀବନର ଅମୂଲ୍ୟ ସମ୍ପଦ । ପୋଥି ଓ ପଥର ସମ୍ବନ୍ଧୀୟ ଯେ କୌଣସି ପ୍ରକାଶିତ ଆଲୋଚନାତ୍ମକ ପ୍ରବନ୍ଧ ଓ ପୁସ୍ତକକୁ ସେ ଆତ୍ମୀୟ ଭାବେ ସ୍ଵାଗତ କରି ନିବିଷ୍ଟ ଚିତ୍ତରେ ଅଧ୍ୟୟନ କରୁଥିଲେ । ମନ୍ଦିରରେ ପୂଜିତ ପ୍ରସ୍ତର ନିର୍ମିତ ଦେବବିଗ୍ରହ ଓ କେଦାରବାବୁଙ୍କ ମଧ୍ୟରେ ବାହ୍ୟତଃ କୌଣସି ପ୍ରଭେଦ ନ ଥିଲେ ମଧ୍ୟ ଅନ୍ତର ତାଙ୍କର ସ୍ନେହ, ମମତା ଓ ବାଳସୁଲଭ ସରଳତାରେ ପରିପୂର୍ଣ୍ଣ ଥିଲା। ତାଙ୍କ ପରି ନିରାଡମ୍ବର ଓ ନିରଳସ ଜୀବନ, ସ୍ଵସୁଖନିରଭିଳାଷ ଓ ନିରଭିମାନ ହୃଦୟ ଏବଂ ସ୍ଵଦେଶ, ସ୍ବଜାତି ଓ ସ୍ଵଭାଷାର ସମ୍ମାନାଷ୍ପଦ ପ୍ରତିଷ୍ଠାର ଯଥାର୍ଥ ସାଧକ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।” 
 
ଜୀବନର ମହାନ ଲକ୍ଷ୍ୟ ଥିଲା ପ୍ରତ୍ନତାତ୍ବିକ ହେବେ । ନିଷ୍ଠା ଓ ଲକ୍ଷ୍ୟ ପାଇଁ ସମର୍ପିତ ମଣିଷ ପାଖରେ ପ୍ରତିବନ୍ଧକ ରହିବ କାହିଁକି ଯେ ? ଏ ଦିଗରେ କଳାହାଣ୍ଡି ରହଣି ହିଁ ଥିଲା ଏହି ଲକ୍ଷ୍ୟ ଓ ଜୀବନର ପ୍ରସ୍ତୁତି ପର୍ବ । ୧୯୬୨ ମସିହା ଜୁଲାଇ ମାସରେ ସେ ଯୋଗଦେଲେ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାବେ । ତେଣୁ ପ୍ରତ୍ନତତ୍ତ୍ଵ ବିଭାଗ ପାଇଁ ରାସ୍ତା ଫିଟିଗଲା । ସଂଗ୍ରହାଳୟର ଗ୍ୟାଲେରୀ ଗୁଡ଼ିକର ସଜ୍ଜିକରଣ ପରେ ଆରମ୍ଭ କଲେ ପ୍ରତ୍ନତାତ୍ବିକ ସର୍ବେକ୍ଷଣ, ପ୍ରାଚୀନ ମନ୍ଦିର ମାନଙ୍କର ଜୀର୍ଣ୍ଣୋଧାର !
 
୧୯୬୩ ଜାନୁଆରୀ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ସାଂସ୍କୃତିକ ବ୍ୟାପାର ମନ୍ତ୍ରୀଙ୍କ ସହ ପରିଦର୍ଶନରେ ଗଲେ ରାଜ୍ୟ ସଂଗ୍ରହାଳୟ । ଅଭିଭୂତ ହୋଇ ପଡ଼ିଲେ ବିଜୁବାବୁ, କେଦାରନାଥଙ୍କ କାର୍ଯ୍ୟରେ । ଭବିଷ୍ୟତ ପାଇଁ ଚିନ୍ତା କରିଥିବା ଯୋଜନା ସମ୍ପର୍କରେ ଅବତାରଣା କଲେ କେଦାରନାଥ । କଳିଙ୍ଗର ହୃତଗୌରବର ଉଦ୍ଧାର କରିବା ପାଇଁ ସମସ୍ତ ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଲେ । କେଦାରନାଥ ଥିଲେ କର୍ମଯୋଗୀ, ବିଦ୍ୱାନ ଓ ପ୍ରାଣରେ ଓଡ଼ିଆ । ପୋଥି ସଂଗ୍ରହର ଅଭୂତପୂର୍ବ ସଫଳତା ତାଙ୍କୁ ଟାଣିନେଲା ଐତିହ୍ୟମୟ ଓଡ଼ିଶାର ପ୍ରାଚୀନ ମନ୍ଦିର ମାନଙ୍କର ଜୀର୍ଣ୍ଣୋଦ୍ଧାର ଦିଗକୁ, ପରିତ୍ୟକ୍ତ, ଶ୍ମଶାନିତ ହୋଇପଡ଼ିଥିବା ମନ୍ଦିରର କୀର୍ତ୍ତିରାଜି ସମୂହକୁ ଜୀବନ୍ୟାସ ଦେଇ ଲୋକ ଲୋଚନକୁ ଆଣିବାକୁ ! ଫଳତଃ ଓଡ଼ିଶା ତଥା ଦେଶବିଦେଶର ପର୍ଯ୍ୟଟକ ମାନେ ଦେଖିବାକୁ ପାଇଲେ, ନୂତନ ରୂପରେ —- 
 
* ସାକ୍ଷୀଗୋପାଳ ନିକଟସ୍ଥ ଗତୀଶ୍ଵର ମନ୍ଦିର
* ବହିରଙ୍ଗେଶ୍ଵର ମନ୍ଦିର (ଧଉଳି ପାଦଦେଶରେ )
* ଭୁବନେଶ୍ୱର ମାଉସୀମା ମନ୍ଦିର ନିକଟରେ ଅନ୍ୟ ତିନୋଟି ମନ୍ଦିର
* ଜୟଦେବ ପୀଠର ଅମ୍ବିକା ଦେବୀଙ୍କ ମନ୍ଦିର, ନବଗ୍ରହ ପାଟ
* କଟକର ଶାହୀ ମସଜିଦ (କିଲ୍ଲା ଭିତରେ )
* ବାଣପୁରରୁ ଆବିଷ୍କୃତ ବ୍ରୋଞ୍ଜ ମୂର୍ତ୍ତି
* କୋରାପୁଟ ଗୁଣୁପୁର ନୀଳକଣ୍ଠେଶ୍ଵର ଓ ମଲ୍ଲିକେଶ୍ଵର ମନ୍ଦିର
* ଋଷିକୂଲ୍ୟା ନଦୀ ତଟର ଗଞ୍ଜା ଦୁର୍ଗ
* ଭୁବନେଶ୍ୱର ସୂକ୍ଷ୍ମେଶ୍ଵର ମନ୍ଦିର
* କଟକ ଜିଲ୍ଲାର ସୁଖାଶନ ପର୍ବତ ଗୁମ୍ଫା
* କନ୍ଦରପୁର ପଶ୍ଚିମେଶ୍ଵର ମନ୍ଦିର
* ତାପଙ୍ଗଗଡ଼ର ସଂରକ୍ଷଣ
* ଶିଶୁପାଳଗଡ଼ ଖୋଦନ
* ଭୁବନେଶ୍ୱରର ପାଞ୍ଚୋଟି ମନ୍ଦିର ଜୀର୍ଣ୍ଣୋଦ୍ଧାର
* ବିସ୍ମୟୋଦ୍ଦୀପକ ଦେବାଳୟ
ହୀରାପୁର ଚଉଷଠୀ ଯୋଗିନୀ ମନ୍ଦିର ଉପରେ ସ୍ଵତନ୍ତ୍ର ଗବେଷଣା କରି ନିବନ୍ଧ ପ୍ରକାଶ ପାଇଲା Orissa Historical Research Journalରେ । ଲୁଚି ଯାଇଥିବା ହୀରାପୁରର ଏହି ମନ୍ଦିର ଏକ ଜାତୀୟ ଐତିହ୍ୟ ବୋଲି ଗ୍ରହଣ କଲେ ଭାରତ ସରକାରଙ୍କ ଅଧିନରେ ଥିବା ପ୍ରତ୍ନତତ୍ତ୍ଵ ବିଭାଗ । ତେଣୁ କେଦାରନାଥ କେବଳ ‘ପୋଥିନାଥ’ ନୁହଁନ୍ତି, ସେ ପଥରନାଥ କେଦାରନାଥ !! 
 
~ ଓଡ଼ିଆ ସାହିତ୍ୟରେ କେଦାରନାଥ ~
 
କେବଳ ପୋଥି ଓ ପଥର ମଧ୍ୟରେ ସୀମିତ ନଥିଲେ କେଦାରନାଥ । ପ୍ରାଚୀନ ଓଡ଼ିଆ ସାହିତ୍ୟର ପାଞ୍ଚଟି ଗ୍ରନ୍ଥ ଉପରେ ଗବେଷଣା କରି , ଟୀକା ଓ ଟିପ୍ପଣୀ ଦେଇ ଓଡ଼ିଆ ପାଠକଙ୍କ ନିକଟରେ ଏହି ସାରସ୍ବତ ସୃଷ୍ଟି ଗୁଡି଼କୁ ପ୍ରଥମେ ଆଲୋଚନା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ଵାରା ପ୍ରକାଶିତ । ଏହି ଗ୍ରନ୍ଥ ରଚୟିତା ମାନଙ୍କର ସଠିକ୍ କାଳ ନିର୍ଣ୍ଣୟ, ରଚନାର ପୃଷ୍ଠଭୂମି, ଭାଷା ପ୍ରୟୋଗ, ରାଗରାଗିଣୀ, କବିଙ୍କ କାବ୍ୟ ପ୍ରତିଭା ଇତ୍ୟାଦି ଉପରେ ଆଲୋକପାତ ହେତୁ ଏ ଗ୍ରନ୍ଥ ସମୂହ ଓଡ଼ିଆ ସାହିତ୍ୟରେ ଏକ ଏକ ଅମୂଲ୍ୟ ରତ୍ନ ଭାବେ ପରିଗଣିତ –
 
* କଳ୍ପଲତା — ଅର୍ଜୁନ ଦାସ (ଓଡ଼ିଆ ସାହିତ୍ୟର ପ୍ରଥମ କାଳ୍ପନିକ କାବ୍ୟକାର)
* ପରିମଳା — ନରସିଂହ ସେଣ (ଓଡ଼ିଆ ଲୌକିକ ଭାଷାରେ ୧୫୨୫ ମସିହାର ରଚନା)
* ଚାଟ ଇଛାବତୀ — ବନମାଳୀ ଦାସ (ଧନଞ୍ଜୟ ଭଞ୍ଜ ବିରଚିତ ଇଛାବତୀ କାବ୍ୟର ପୂର୍ବରୁ)
* ପ୍ରେମଲୋଚନା — ବିଷ୍ଣୁ ଦାସ (ପୋଥିର ପ୍ରତିଲିପି ମାନ୍ଦ୍ରାଜ ପ୍ରାଚ୍ୟ ପୁସ୍ତକ ଭଣ୍ଡାର ଓ ମଧୁପୁର ରାଜା ସାହେବଙ୍କ ପୋଥି ଭଣ୍ଡାରରୁ ସଂଗୃହୀତ/ଓଡ଼ିଆ ରୀତି କାବ୍ୟର ଆଦ୍ୟ ଝଙ୍କାର ଏହି ଗ୍ରନ୍ଥ) 
* କଳାବତୀ — ବିଷ୍ଣୁ ଦାସ (ପୋଥି ସଂଗୃହୀତ)
 
~ ଶ୍ରୀଜୟଦେବ ଓ ଶ୍ରୀଗୀତଗୋବିନ୍ଦ ~
 
ଛାତ୍ରାବସ୍ଥାରୁ ଶ୍ରୀଜୟଦେବ ଓ ଶ୍ରୀଗୀତଗୋବିନ୍ଦ ସମ୍ପର୍କରେ ଐତିହାସିକ ଦୃଷ୍ଟି କୋଣରୁ ୩୫ ବର୍ଷ ଧରି ଗବେଷଣା କରି, ବିଭିନ୍ନ ତଥ୍ୟ ସଂଗ୍ରହ ମାଧ୍ୟମରେ କେଦାରନାଥଙ୍କ ପ୍ରମାଣ ସିଦ୍ଧ ଆଲୋଚନା ଦ୍ଵାରା ୧୯୫୮ ମସିହାରେ ଜୟଦେବ ଓଡ଼ିଶାର ଓ କେନ୍ଦୁଲି ଶାସନ, ପ୍ରାଚୀତଟ (କେନ୍ଦୁବିଲ୍ଵ) ତାଙ୍କର ଜନ୍ମ ସ୍ଥାନ ଦୃଢ଼ ଭାବରେ ପ୍ରମାଣିତ । ସେଇଠୁ ଦୁଇ ପଡ଼ୋଶୀ ବଙ୍ଗ ଓ ଓଡ଼ିଶା ମଧ୍ୟରେ ବିବାଦର ପୂର୍ଣ୍ଣଛେଦ ।  
 
ଇତିହାସ ରଚନା ଜୀବନର ଉପନୟନ ଭାବେ ଗ୍ରହଣ କରି ସେ ଯାହା ଓଡ଼ିଆ, ଇଂରାଜୀ, ହିନ୍ଦୀ ସାହିତ୍ୟକୁ ଦେଇ ଯାଇଛନ୍ତି ତାହା କଳ୍ପନାତୀତ –
 
* ୨୩ ଖଣ୍ଡ ପୁସ୍ତକ
* ୨୦୦ ରୁ ଉର୍ଦ୍ଧ୍ବ ଇଂରାଜୀ ଗବେଷଣାତ୍ମକ ପ୍ରବନ୍ଧ
* ୩୦୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଗବେଷଣାତ୍ମକ ନିବନ୍ଧ
(ଏ ସମସ୍ତ ସୃଷ୍ଟି ଇତିହାସ, ପ୍ରତ୍ନତତ୍ତ୍ଵ , ସାହିତ୍ୟ ସଂସ୍କୃତି ସମ୍ବନ୍ଧୀୟ) 
 
୧୯୮୧ ମସିହାର ଅପ୍ରେଲ ମାସ ୧୨ ତାରିଖ । ଭୁବନେଶ୍ୱର ପାନ୍ଥନିବାସରେ ଆୟୋଜିତ ଏକ ଆଲୋଚନା ଚକ୍ର, “Impact of Religion on Society” । ବହୁ ଚର୍ଚ୍ଚିତ ଆଲୋଚକ ମାନଙ୍କର ପ୍ରବନ୍ଧ ଉପସ୍ଥାପନା । କେଦାରନାଥ ପାଠ କରୁଛନ୍ତି ତାଙ୍କ ପ୍ରବନ୍ଧ, “Impact of Saivism on the Society of Orissa” । ପ୍ରବନ୍ଧ ପାଠ ଶେଷ ବେଳକୁ ଟିକେ ଅସୁସ୍ଥତା ଅନୁଭବ କଲେ । ଏହା ଥିଲା ଜୀବନର ଅନ୍ତିମ ସୃଷ୍ଟି । ଏହାର ଆଠଦିନ ପରେ ଅପ୍ରେଲ ୨୦ ତାରିଖ ପୂର୍ବାହ୍ନରେ ଏହି ଯୁଗାନ୍ତକାରୀ ସ୍ରଷ୍ଟାଙ୍କ ଶରୀରରୁ ଏକ ଦୀପ୍ତିମାନ ଆଲୋକ ଧାରଟିଏ ଯାଇ ବିଶ୍ଵସ୍ରଷ୍ଟାଙ୍କ ଆଲୋକ ଧାରରେ ସମ୍ମିଳିତ ହୋଇଗଲା । ସ୍ମୃତିରେ ରହିଗଲା ବିପୁଳ ସର୍ଜନା, କେଦାରନାଥ ଗବେଷଣା କେନ୍ଦ୍ର, ଓଡ଼ିଶା !
 
ଜାତିସ୍ମର କେଦାରନାଥଙ୍କ ଉଦ୍ଦେଶ୍ୟରେ ଆଭୂମ ଦଣ୍ଡବତ ପ୍ରଣାମ ।
 
 
ଏ ଜାତି ଗାଲମାଧବ ସେହି ମଣିଷ , କେଦାରନାଥ ମହାପାତ୍ର ।