Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ସିନ୍ଧୁଜ୍ୟୋତି ତ୍ରିପାଠୀ ଓଡ଼ିଶାର ଲୋକକଥା, ଲୋକଗୀତ, ଢଗ-ଢ଼ମାଳି ଆଦି ସ˚ଗ୍ରହ କରିଥିବା ବିଶିଷ୍ଟ ସାରସ୍ବତ ପ୍ରତିଭାମାନଙ୍କ ମଧ୍ୟରେ ‘ଲୋକରତ୍ନ’ ଡ଼ଃ କୁଞ୍ଜବିହାରୀ ଦାଶ ଅନ୍ୟତମ। ସେ ଥିଲେ ଏକଧାରରେ ଗବେଷକ, ଶିକ୍ଷାବିତ୍ ଓ ସାହିତ୍ୟିକ। ୧୯୭୨ରେ ‘ଆମେରିକାରୁ ୟୁରୋପ୍ ଆଫ୍ରିକା’ ଭ୍ରମଣ କାହାଣୀ ପାଇଁ ସେ ପାଇଥିଲେ ‘ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର’ ଏବ˚ ଆତ୍ମଚରିତ ‘ମୋ କାହାଣୀ’ ପାଇଁ ୧୯୭୯ରେ ‘କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର’। ଲୋକସାହିତ୍ୟରେ ଉଲ୍ଲେଖନୀୟ ଗବେଷଣା ପାଇଁ ‘କଲକାତା ଏକାଡେମି ଅଫ୍ ଫୋକ୍ଲୋର୍’ ପକ୍ଷରୁ ତାଙ୍କୁ ‘ଲୋକରତ୍ନ’ ଉପାଧିରେ ସମ୍ମାନିତ କରାଯାଇଥିଲା। ୧୯୧୪ ମାର୍ଚ୍ ୧୭ ତାରିଖରେ ନିମାପଡ଼ା ଅନ୍ତର୍ଗତ ରେଞ୍ଚ ଶାସନରେ ଜନ୍ମଗ୍ରହଣ କରିଥିଲେ କୁଞ୍ଜବିହାରୀ ଦାଶ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା। ବାହାରକୁ ଯାଇ ଅଧିକ ପଢ଼ିବା ସ˚ଭବ ନ ଥିଲା। ଏହା ସତ୍ତ୍ବେ ଟିଉସନ୍ ଆଦି କରି, ସେ ନିଜକୁ ଉଚ୍ଚ-ଶିକ୍ଷିତ କରାଇପାରିଥିଲେ। ତାଙ୍କ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇ ନ ଥିଲା। କଲକାତା ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ପଢ଼ି ସେ ୧୯୪୧ରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ପାଇଥିଲେ। ପୁରସ୍କାର ବାବଦକୁ ତାଙ୍କୁ ମିଳିଥିଲା ତିନିଟି ସୁବର୍ଣ୍ଣ ମୁଦ୍ରା ଓ ଦୁଇ ଶହ ଟଙ୍କା। ତାହା ସ୍ବାଧୀନତା ପୂର୍ବବର୍ତ୍ତୀକାଳୀନ କଥା। ବ୍ୟକ୍ତିଗତ ଜୀବନରେ କୁଞ୍ଜବିହାରୀ ଥିଲେ ଅତ୍ୟନ୍ତ ସରଳ, ଅମାୟିକ, ନିଷ୍କପଟ ମଣିଷ। ବେଶ-ପୋଷାକ ସାଧାରଣ। ପରୋପକାରୀ ଦୟାଳୁ ମଣିଷ। ସହରରେ ରହୁଥିଲେ ବି ଥିଲେ ଗ୍ରାମ-ପ୍ରିୟ ମଣିଷ। କଟକରେ ରହୁଥିଲେ ବି ଗାଁମାଟିକୁ ଭୁଲିପାରି ନ ଥିଲେ। ଗାଁରେ ବିଦ୍ୟାଳୟ ଓ ଚିକିତ୍ସାଳୟ ନିଜ ଅର୍ଥରେ ଛିଡ଼ା କରାଇଥିଲେ। କାହା ବିରୋଧରେ ଅଭିଯୋଗ ନ ଥିଲା ବା କିଛି ନ ପାଇବାର ହତାଶାଭାବ ତାଙ୍କୁ ଘାରୁ ନ ଥିଲା। ପିଲାଙ୍କଠାରୁ ବୁଢ଼ା ସମସ୍ତଙ୍କ ସହ ଥଟ୍ଟା-ତାମସା, ଗପ-ସପ। କଥା କଥାକେ ତୁଣ୍ତରୁ ବାହାରୁଥିଲା ଢଗ-ଢ଼ମାଳି। ଗାଁରେ ଲୋକଙ୍କ ଅଭାବ-ଅସୁବିଧାର ସାଥୀ ଥିଲେ ସେ। ‘କେନ୍ଦ୍ର ସାହିତ୍ୟ ଏକାଡେମି’ ପୁରସ୍କାର ଟଙ୍କା ‘ଉତ୍କଳ ସାହିତ୍ୟ ସମାଜ’କୁ ଦାନ କରିଦେଇଥିଲେ। ଜଣେ ସାରସ୍ବତ ସ˚ଗଠକ ଭାବେ ଲୋକରତ୍ନ କୁଞ୍ଜବିହାରୀ ଦାଶ ବିଭିନ୍ନ ସ୍ଥାନରେ ଥିବା ବହୁ ଅନୁଷ୍ଠାନ ସହ ସ˚ପୃକ୍ତ ଥିଲେ। କୈଶୋରରେ କବି ଭାବେ ତାଙ୍କର ଲେଖକ ଜୀବନ ଆରମ୍ଭ ହୋଇଥିଲା। ‘ଲାବଣ୍ୟ କୁସୁମ’ ତାଙ୍କର ପ୍ରଥମ କାବ୍ୟ। କ୍ରମେ ସେ ସାହିତ୍ୟର ଅଧିକା˚ଶ ବିଭାଗରେ ଲେଖନୀ ଚାଳନା କରିଥିଲେ। ‘ଓଡ଼ିଆ ଲୋକଗୀତ ଓ କାହାଣୀ’ ଉପରେ ଗବେଷଣା କରି ୧୯୫୪ରେ ସେ ‘ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ’ରୁ ପିଏଚ୍ଡି ଲାଭ କରିଥିଲେ। ‘ଓଡ଼ିଆ ଲୋକଗୀତ ଓ କାହାଣୀ’ ଓଡ଼ିଆ ଲୋକଗୀତ ଉପରେ ପ୍ରଥମ ବିଶ୍ବବିଦ୍ୟାଳୟ ସ୍ତରର ସ˚ଦର୍ଭ। ୧୯୫୩ରେ ପ୍ରକାଶିତ ‘ଏ ଷ୍ଟଡି ଅଫ୍ ଓରିସାନ୍ ଫୋକ୍ଲୋର୍’ ଏବ˚ ୧୯୭୯ରେ ‘ଏନ୍ବିଟି’ ଦ୍ବାରା ପ୍ରକାଶିତ ‘ଫୋକ୍ଲୋର୍ ଅଫ୍ ଓଡ଼ିଶା’ (ପ୍ରଫେସର୍ ଏଲ୍କେ ମହାପାତ୍ରଙ୍କ ସହ ମିଳିତ ଭାବେ ରଚିତ), ଇ˚ରେଜୀ ଭାଷାରେ ରଚିତ ଏହି ଦୁଇଟି ଗ୍ରନ୍ଥ, ତାଙ୍କୁ ବିଦେଶରେ ବିଶେଷ ପରିଚୟ ଦେଇଥିଲା। କୁଞ୍ଜବିହାରୀଙ୍କ ଲୋକଗୀତଗୁଡ଼ିକ ଏକାଧିକ ଖଣ୍ତରେ ‘ପଲ୍ଲୀଗୀତି ସ˚ଚୟନ’ ଶୀର୍ଷକରେ ପ୍ରକାଶିତ। ଓଡ଼ିଆ ଲୋକୋକ୍ତିଗୁଡ଼ିକ ‘ଲୋକବାଣୀ ସ˚ଚୟନ’ (ଅଦ୍ୟାବଧି ଚାରି ଖଣ୍ତ ପ୍ରକାଶିତ ହେବା ଜଣାଯାଏ) ଶୀର୍ଷକରେ ପ୍ରକାଶିତ। ଦୁଇ ଶହରୁ ଅଧିକ ଓଡ଼ିଆ ଲୋକକଥାକୁ ନେଇ ତାଙ୍କର ‘ଲୋକଗଳ୍ପ ସ˚ଚୟନ’ ପୁସ୍ତକ। ଏସବୁ ସ˚ଗ୍ରହ କରିବା ପାଇଁ ତାଙ୍କୁ ଲାଗିଥିଲା ତିନି ଦଶନ୍ଧି। ଏଥି ପାଇଁ ସାରା ଓଡ଼ିଶା ଭ୍ରମଣ କରିଥିଲେ। ଏଥି ପାଇଁ ବିଭିନ୍ନ ସରକାରୀ ସ˚ସ୍ଥାର ସହାୟତା ମିଳିଥିଲା। ବିଦ୍ୟାଳୟ ଶିକ୍ଷକମାନଙ୍କଠାରୁ ସେ ବିଶେଷ ସହାୟତା ପାଇଥିବା ଲେଖିଯାଇଛନ୍ତି। ଲୋକଗୀତ, ଲୋକକଥା ଆଦିର ସ˚ଗ୍ରହକୁ ଯଥେଷ୍ଟ ସମୟ ଦେଇଥିବା ସତ୍ତ୍ବେ ତାଙ୍କ ହାତରେ ଅନେକ ଆଜେ-ବାଜେ ଜିନିଷ ଲାଗିଥିବା ଏକଦା ସେ ସ୍ବୀକାର କରିଥିଲେ। ତେବେ, ଧ୍ୟାନ ଓ ଯତ୍ନର ସହ ସେ ନକଲିକୁ ଅସଲିଠାରୁ ଅଲଗା କରିବାରେ ସଫଳ ହୋଇଥିଲେ। ତାଙ୍କ ପୂର୍ବରୁ ବିଶ୍ବବିଦ୍ୟାଳୟ ସ୍ତରର ଗବେଷକମାନେ ଏହି କ୍ଷେତ୍ରରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିଲେ। ଏହା ଏକ ସଙ୍ଗେ ସମସ୍ତଙ୍କ ପାଇଁ ଆକର୍ଷକ ଥିଲା; ପୁଣି, କାହା ପାଇଁ କିଛି ବି ନ ଥିଲା। ଅର୍ଥାତ୍, କେହି ଗୁରୁତ୍ବ ଦେଉ ନ ଥିଲେ। ସେ ହିଁ ପ୍ରଥମେ ଏହି କ୍ଷେତ୍ରକୁ ବିଧିବଦ୍ଧ ଭାବେ ଏକ ନବ-ଦିଗନ୍ତ ଦେଇଥିଲେ। ଏଣୁ, ତାଙ୍କ ନାମ ଚିର କାଳ ଲାଗି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। ବିଦ୍ୟାଳୟ ଶିକ୍ଷକ ଭାବେ କୁଞ୍ଜବିହାରୀ ଦାଶଙ୍କ କର୍ମମୟ ଜୀବନ ଆରମ୍ଭ ହୋଇଥିଲା। ଉଚ୍ଚଶିକ୍ଷା ପ୍ରାପ୍ତି ପରେ ସେ ଅଧ୍ୟାପକ ହୋଇଥିଲେ। ୧୯୪୪ରେ ଖଲ୍ଲିକୋଟ ମହାବିଦ୍ୟାଳୟରୁ ଅଧ୍ୟାପକ ଜୀବନ ଆରମ୍ଭ ହୋଇଥିଲା। ତାହା ପରେ ପ୍ରାଧ୍ୟାପକ। ରାଭେନ୍ସା କଲେଜ୍ର ଓଡ଼ିଆ ବିଭାଗର ମୁଖ୍ୟ ଭାବେ ଅବସର ନେବା ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଫେସର୍ ରୂପେ କିଛି କାଳ ଅଧ୍ୟାପନା କରିଥିଲେ। ବାଲେଶ୍ବରର ‘ଫକୀରମୋହନ ସାହିତ୍ୟ ପରିଷଦ’ ଏବ˚ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟର ‘ବିଶ୍ବ ଭାରତୀ ଓଡ଼ିଆ ସାହିତ୍ୟ ପରିଷଦ’ର ସେ ଥିଲେ ପ୍ରତିଷ୍ଠାତା ସଭାପତି। କଟକର ‘ଉତ୍କଳ ସାହିତ୍ୟ ସମାଜ’ର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏକାଧିକ ଭାଷାରେ ତାଙ୍କର ଗଭୀର ପ୍ରବେଶ ଥିଲା। ତେବେ, ଓଡ଼ିଆରେ କଥା ହେବାକୁ ଭଲପାଉଥିଲେ। ୧୯୯୪ ମାର୍ଚ୍ଚ ୧୪ ତାରିଖରେ ସେହି ସ୍ବାଭିମାନୀ ଓଡ଼ିଆ କୁଞ୍ଜବିହାରୀ ଦାଶଙ୍କ ପରଲୋକ ହୋଇଥିଲା।
|
|