ଲେଖା: ଦେଵ ତ୍ରିପାଠୀ
~ କିଲା ଡାଳିଯୋଡ଼ା ~
ପ୍ରତି ମଣିଷର ଶୈଶବର ସ୍ମୃତିରେ ବିଜଡ଼ିତ କେତେ ରାଜା ଓ ରାଣୀଙ୍କ ଗାଥା ! ଇତିହାସ ପୃଷ୍ଠାରେ ହିଁ ରହିଯାଇଛି କେତେ କେତେ ସମ୍ରାଟ ଓ ସାମ୍ରାଜ୍ୟର କଥା ! ମ୍ଳାନ ଗୋଧୂଳିର ଅପରାହ୍ଣ ପରି କ୍ଷୀଣ, ଅତୀତର ସେହି ସମୟ ! ଜରାଜୀର୍ଣ୍ଣ ପଞ୍ଜୁରୀ ପରି ରାଜ ପରମ୍ପରାର ପ୍ରାଚୀର ଭାଙ୍ଗିଚାଲିଛି ଅନବରତ ! ଜନମାନସରେ ବହୁଦୂରେ ରହିଯାଇଛି #ରାଜପ୍ରାସାଦ ! ସମୟର ନିର୍ଘାତ ମାଡ଼ରେ ସ୍ବାଧୀନତା ପରେ ବଦଳି ଯାଇଛି ସବୁ ଚିତ୍ରପଟ ! ରାଜା, ମହାରାଜା ଓ ରାଜପରିବାର ରହିଛନ୍ତି; କିନ୍ତୁ ରହିନାହିଁ ସେମାନଙ୍କର ସାମ୍ରାଜ୍ୟ, ସିଂହାସନ ଓ ସ୍ବର୍ଣ୍ଣ-ମୁକୁଟ ।
ସ୍ଵାଧୀନ ଭାରତର ନୂତନ ସମ୍ବିଧାନ ଲେଖା ହେବା ପୂର୍ବରୁ ରାଜାମାନଙ୍କ ହାତରୁ କ୍ଷମତା କାଢି ନିଆଗଲା ! ବୋଧହୁଏ ପ୍ରଥମେ ଏ ପ୍ରକ୍ରିୟା ଆରମ୍ଭ ହେଲା ଓଡ଼ିଶାରେ ! ତଥାପି ହୃତସାମ୍ରାଜ୍ୟ, ଶୂନ୍ୟ ସିଂହାସନ ଓ ଅପସାରିତ କ୍ଷମତା ମଧ୍ୟରେ ମୁକୁଟ-ବିହୀନ ସମ୍ରାଟ ଓ ରାଜନ୍ୟବର୍ଗ ବଞ୍ଚିରହିଲେ ଜରାଜୀର୍ଣ୍ଣ ରାଜପ୍ରାସାଦ ଭିତରେ ! କେହି କେହି ଆଦରିନେଲେ ରାଜନୀତିର ପଙ୍କିଳ ରଣାଙ୍ଗନକୁ ! ରାଜପଦ ବଦଳରେ କିଛି ଲଭିଲେ ମନ୍ତ୍ରୀପଦ ! ଏସବୁ ସତ୍ତ୍ୱେ; ସାଧାରଣ ଜନତା ଓ ରାଜପରିବାର ମଧ୍ୟରେ ରହିଗଲା ଏକ ନିରାପଦ ଦୂରତ୍ୱ ! ସେମାନଙ୍କ ଜୀବନଧାରାକୁ ଯେପରି ଘେରି ରହିଗଲା ଏକ ମେଘନାଦ ପାଚେରି ! ଅନେକ ରାଜନ୍ୟବର୍ଗ ଆଜି ଜନମାନସରେ ବିସ୍ତୃତ, ଅନେକ ତଥାପି ବିସ୍ମୟ !
ଆଦ୍ୟ କାର୍ତ୍ତିକର ଅଳସିଆ ସକାଳ‌। ଯୋବ୍ରା ଆନିକଟର ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୨୦ କିମି ଦୂରରେ ସବୁଜ ଅରଣ୍ୟାନୀ ଘେରା ଭିଜାମାଟିର ବାସ୍ନାରେ ବିଭୋର ଶାନ୍ତଶୀତଳ ଛାୟାଚ୍ଛନ୍ନ ଅଞ୍ଚଳ #ଶଙ୍କରପୁର । ଅବଶ୍ୟ ଅତୀତର ନଭଶ୍ଚୁମ୍ବୀ ବୃକ୍ଷରାଜି, ସଦାପ୍ରବାହମାନ ଜଳଧାରା, ପକ୍ଷୀର କୂଜନ, ସ୍ନିଗ୍ଧ ପରିବେଶ ଆଉ ନାହିଁ ! କାଁ ଭାଁ ଭାରୀଯାନ କେଇଟି ପଲ୍ଲୀ ଭୂମିର ସୀମାହୀନ ନିର୍ଜନତାକୁ ବିଦାରି ଦେଉଛି ସତ ! ଦୂରପାହାଡ଼ ତଥାପି ହାତଠାରି ଡାକୁଛି, ରାସ୍ତାର ଦୁଇପଟେ କେଉଁଠି ଶୁଖିଲା ବନ୍ଧ୍ୟାମାଟି, କେଉଁଠି ଅବା ଲମ୍ବିଯାଇଛି ଶ୍ୟାମଳଶସ୍ୟ !
ମୁଖ୍ୟରାସ୍ତାରୁ ଭାଙ୍ଗି #ଡାଳିଯୋଡ଼ା ରାଜପ୍ରାସାଦ ଆଡ଼କୁ ଧୂଳିଧୁସରିତ ନିର୍ମାଣାଧୀନ ରାସ୍ତା । ଜନବସତିରୁ ଅନତିଦୂରର ପ୍ରାସାଦଟି ବେଶ୍ ପୁରାତନ, ଅଥଚ ମନୋରମ, ନିରୋଳା ! ପ୍ରାସାଦର ସମ୍ମୁଖରେ ବିସ୍ତୀର୍ଣ୍ଣ ପ୍ରାନ୍ତର ! ଛତୁଚାଷ ସମ୍ବଳିତ ଏକ କ୍ଷୁଦ୍ର ଫାର୍ମ ! ପ୍ରାଚୀରର ବିଶାଳ ପ୍ରବେଶଦ୍ଵାର ସଂଲଗ୍ନ ଗୁଡ଼ିଏ ଛୋଟ ଛୋଟ କୋଠରୀ ! କିଛି ପରିତ୍ୟକ୍ତ କିଛି ବ୍ୟବହୃତ ! ଏକଦା ଥିଲା ରାଜକର୍ମଚାରୀଙ୍କ ବାସଗୃହ ! କୋଠରୀ ଗୁଡ଼ିକ ଅତିକ୍ରମି ଗଲାପରେ ଦୃଶ୍ୟ ହୁଏ ଦୁଇଟି ବିଶାଳ ପୁଷ୍କରିଣୀ ! ପ୍ରବେଶଦ୍ଵାର ପାର ହେବା ପରେ ଗୋଟିଏ ପାର୍ଶ୍ୱରେ କିଛି ଭଗ୍ନ କୋଠରୀ ଏବଂ ଅବ୍ୟବସ୍ଥିତ ଉପବନ ! ଅନ୍ୟ ପାର୍ଶ୍ବର କୋଠରୀଗୁଡ଼ିକରେ ରାଜପରିବାରର କିଛି ଅବ୍ୟବହୃତ ଚିଜ, ପୁରୁଣା ଯାନବାହାନ ! ପରିଚାଳକଙ୍କ ଠାରୁ ଖବର ପାଇ ରାଜା #ଦେବଜିତ_ସିଂହଦେଓ ଆମକୁ ଅପେକ୍ଷା କରିଥାଆନ୍ତି । ପ୍ରାଥମିକ ଆଳାପ ଆଲୋଚନା ପରେ ଅତ୍ୟନ୍ତ ଆଗ୍ରହର ସହ ରାଜାସାହେବ ଆମକୁ ତାଙ୍କର ସାକ୍ଷାତକାର ପାଇଁ ସୁଯୋଗ ଦେଇଥିଲେ !
ଖ୍ରୀଷ୍ଟପୂର୍ବ ୮୧ ! କାଶୀପୁର #ପଞ୍ଚକୋଟ ରାଜ୍ୟର ମୂଳଦୁଆ ପଡ଼େ #ପରମାର ବଂଶୀୟ ରାଜାଙ୍କ ଦ୍ୱାରା ! ଧାରନଗର ନିକଟରେ ଗଡ଼ ଟିଏ ମଧ୍ୟ ସ୍ଥାପିତ ହୁଏ I ଆଧୁନିକ ପଶ୍ଚିମବଙ୍ଗର #ପୁରୁଲିଆ ଅଞ୍ଚଳର ଅନ୍ତର୍ଗତ ଥିଲା ସେ ରାଜ୍ୟ ! ବିକ୍ରମାଦିତ୍ୟ ନାମକ ଜନୈକ ରାଜନ ଥିଲେ ସେଇ ପରମାର ବଂଶର ସବୁଠୁ ଲୋକପ୍ରିୟ ରାଜା !
କେଉଁ ପୁରୁଣା ସମୟରେ ଉକ୍ତ ବଂଶର କେହି ଜଣେ ରାଜା ଦୈବୀ ସ୍ୱପ୍ନାଦେଶ ପାଇ ଶ୍ରୀକ୍ଷେତ୍ର ଆସୁଥିଲେ I ଛୋଟନାଗପୁର ଓ ଝାଲଦା ମଧ୍ୟବର୍ତ୍ତୀ ଅଞ୍ଚଳ ରାଜା କିଛି କାଳ ବିଶ୍ରାମ କରନ୍ତେ, ସ୍ଥାନୀୟ ଆଦିବାସୀଙ୍କ ଅଯାଚିତ ସାହାଯ୍ୟ ପାଇ ଥିଲେ I ଆସନ୍ନପ୍ରସବା ରାଣୀଙ୍କୁ ଆଦିବାସୀଙ୍କ ଆଶ୍ରାରେ ଛାଡି ରାଜା ଶ୍ରୀକ୍ଷେତ୍ର ଚାଲିଯା’ନ୍ତି, ୩ ମାସ ପରେ ଫେରନ୍ତା ବାଟରେ ଆଦିବାସୀଙ୍କ ପ୍ରତି କୃତଜ୍ଞ ରାଜା ସେମାନଙ୍କୁ ଇଚ୍ଛାପୂରଣର ଆଶ୍ୱାସନା ଦେଇଥିଲେ I ଆଦିବାସୀଙ୍କର କେହି ରାଜା ନ ଥିବା କାରଣରୁ ସେମାନେ ନବଜାତ ଶିଶୁପୁତ୍ରକୁ ନିଜର ରାଜା ଭାବେ ଗ୍ରହଣ କରିବାକୁ ଚାହିଁଲେ ! ଆଦିବାସୀଙ୍କ ଇଚ୍ଛାପୂରଣ କରି ଶିଶୁପୁତ୍ରଙ୍କୁ ଅଭିଷେକ କରିଦେଲେ ରାଜା ! ସେଠାରୁ ଆରମ୍ଭ ହେଲା ନୂତନ ଅଧ୍ୟାୟ; ଶିଶୁପୁତ୍ର #ଦାମୋଦର_ଶେଖର_ସିଂହଦେଓ ହିଁ ପରବର୍ତ୍ତୀ କାଳରେ ବନିଗଲେ ସିଂହଦେଓ ବଂଶର ପ୍ରତିଷ୍ଠାତା !
ଆଧୁନିକ ପଶ୍ଚିମବଙ୍ଗ ଇତିହାସର ଏକମାତ୍ର ସିଂହଦେଓ ରାଜପରିବାର ! ଉକ୍ତ ପରିବାରର ପରବର୍ତ୍ତୀ ରାଜନ୍ୟବର୍ଗ ବିସ୍ତାରି ଥିଲେ ନିଜର ସାମ୍ରାଜ୍ୟ ! ସେଇ ଐତିହାସିକ ଗଡ଼ମାନଙ୍କ ମଧ୍ୟରେ #ଗଡ଼ପଞ୍ଚକୋଟ ଥିଲା ସମୃଦ୍ଧ, ବୀରତ୍ବର ଅମଳିନ ପରିଚୟ ସୃଷ୍ଟି କରିଥିଲା ସେ ଗଡ଼ ! କୁହାଯାଏ, ମରାଠାସମ୍ରାଟ ଶିବାଜୀ ଲଗାତାର ୧୭ ଥର ଆକ୍ରମଣ କରି ଜିତିଥିଲେ ଏଇ ଗଡ଼କୁ ! ପଞ୍ଚକୋଟ ରାଜବଂଶର ବୀରତ୍ଵରେ ଅଭିଭୁତ ଶିବାଜୀ କିନ୍ତୁ ଗଡ଼କୁ ଅକ୍ଷୁର୍ଣ୍ଣ ରଖିଥିଲେ, ମାତ୍ର ପରବର୍ତ୍ତୀ କାଳର ମୋଗଲମାନଙ୍କ ପାଖରେ ସେ ଚେତନାର ଅଭାବ ଥିଲା ! ତେଣୁ ବହୁଧା କ୍ଷତିଗ୍ରସ୍ତ ହେଇଥିଲା ଗଡ଼, ସେ କାଳରେ !
ବ୍ରିଟିଶ ରାଜତ୍ଵର ସମୟ ! ୧୮୫୭ର ବିଦ୍ରୋହର ନିଆଁ ଜଳୁଛି ପଞ୍ଚକୋଟ ମାଟିରେ ! #ମୁକ୍ତିପାଗଳ_ମୁକ୍ତିଯୋଦ୍ଧା #ବିର୍ସା_ମୁଣ୍ଡା ଙ୍କ ବିପ୍ଲବର ଡାକରାରେ ଚେଇଁ ଉଠିଛନ୍ତି ରାଜ୍ୟବାସୀ ! ରାଜାଙ୍କ ଅଯାଚିତ ସାହାଯ୍ୟ ବିର୍ସାବାହିନୀ ପ୍ରତି ! ରାଜ୍ୟସାରା ବ୍ରିଟିଶ ବିରୋଧୀ ବାଆ ବହିଚାଲିଛି ! ତେଣୁ ସରକାରଙ୍କ ଚକ୍ଷୁଶୁଳ ରାଜା #ନୀଳମଣି_ସିଂହଦେଓ ହେଲେ ବନ୍ଦୀ ! ଆଲିପୁର ଜେଲରେ ଅକଥନୀୟ ଅତ୍ୟାଚାରର ଶିକାର ହେଲେ ସେ ! ପରବର୍ତ୍ତୀ ସମୟରେ ବିଦ୍ରୋହ ଥମିଲା ପରେ ସରକାର ଗଡ଼ଜାତକୁ ପୁନଃ ନିଲାମ କଲେ ! ବ୍ରିଟିଶ ବିରୋଧୀ ପରିଚୟ ଯୋଗୁ ସରକାର ରାଜ୍ୟକୁ ଜମିଦାରୀର ମାନ୍ୟତା ଦେଇଦେଲେ ! ସବୁ ସତ୍ତ୍ୱେ ବ୍ରିଟିଶ ସରକାର ତାଙ୍କ ପ୍ରଣୀତ ପୁସ୍ତକ ‘Who’s Who of India’ରେ ପଞ୍ଚକୋଟ ରାଜପରିବାରକୁ ଭାରତର ଏକ ପ୍ରାଚୀନ ରାଜପରିବାର ଭାବେ ଅଭିହିତ କରିଥିଲେ ।
ନୀଳମଣିଙ୍କ ପଣନାତି #ଜ୍ୟୋତିପ୍ରସାଦ_ସିଂହଦେଓଙ୍କ ସମୟକୁ ଆସାନସୋଲ, ରାଣୀଗଞ୍ଜ ଇତ୍ୟାଦି ସ୍ଵର୍ଣ୍ଣପ୍ରସୁ କୋଇଲା ଖଣିଗୁଡ଼ିକର ଆଧିପତ୍ୟରେ ଆର୍ଥିକ ଓ ସାମରିକ ଭାବେ ସଶକ୍ତ ହେଇଉଠିଲା ରାଜ୍ୟ ! ହଜି ଯାଇଥିବା ଗାରିମା ଫେରି ଆସିଲା ସିଂହଦେଓ ରାଜପରିବାରର ! ଇତି ମଧ୍ୟରେ ଜ୍ୟୋତିପ୍ରସାଦଙ୍କ ସାନଭାଇ ଅଜିତ ପ୍ରସାଦଙ୍କର ବୈବାହିକ ସମ୍ପର୍କ ସୃଷ୍ଟି ହୁଏ #ବାମଣ୍ଡା ରାଜପରିବାର ସହ I
(ରାଜାଙ୍କ ସହିତ ଏକ ଅନ୍ତରଙ୍ଗ ଆଳାପରେ  Srikanta Singh)
ଶିକାରପ୍ରିୟ ଅଜିତ ପ୍ରସାଦ ଶିକାର ଉଦେଶ୍ୟରେ ୪୦୦ କି. ମି. ପଥ ଅତିକ୍ରମ କରି ଦିନେ ଆସନ୍ତି ବାମଣ୍ଡା ! ବିପୁଳ ଅଙ୍ଗରକ୍ଷୀ ଓ କର୍ମଚାରୀଙ୍କ ସହିତ ବାରକୋଟ ଅତିକ୍ରମ କରି ବାମଣ୍ଡା ରାଜ୍ୟ ସୀମାରେ କ୍ୟାମ୍ପ ପକାନ୍ତି ରାଜା ! ବାମଣ୍ଡାଧିପ ସାର୍ #ବାସୁଦେବ_ସୁଢଳଦେବ ଙ୍କ ନାବାଳକ ନାତି #ଭାନୁ_ଗଙ୍ଗଦେବ ଙ୍କ ସମୟକୁ ପଲିଟିକାଲ ଏଜେଣ୍ଟ ଥା’ନ୍ତି ମାକଫରସନ ! ରାଜାଙ୍କୁ ବାମଣ୍ଡା ରାଜ୍ୟରେ ପ୍ରବେଶର ଅନୁମତି ଦେଲେନି ସେ ! ବାମଣ୍ଡା ରାଜପରିବାର ଗ୍ୟାରେଣ୍ଟି ଦେବା ପରେ ଅନୁମତି ମିଳିଲା ସତ, ହେଲେ ଅସ୍ତ୍ରଶସ୍ତ୍ର ନ ନେବାର ଅନୁମତି ନ ମିଳିବାରୁ ଅପମାନିତ ଅନୁଭବ କରି ଅଜିତ ପ୍ରସାଦ ଫେରି ଆସିଥିଲେ ତାଳଚେର !
ତାଳଚେରର ବନ୍ଧୁ ରାଜାଙ୍କୁ ଓଡ଼ିଶାରେ ଜଙ୍ଗଲ ସମ୍ପତ୍ତି ଯୋଗାଇବାକୁ ଅନୁରୋଧ କରିଥିଲେ ଅଜିତ ପ୍ରସାଦ I ତାଳଚେର ରାଜା ଫରେଷ୍ଟ ରେଞ୍ଜର ଯୋଗୀନାଥ ଦାସଙ୍କ ସହାୟତାରେ, ସମସ୍ତ ପ୍ରକାର ଶିକାର ଅଧିକାର ଥାଇ ୪୫୬୩ ଏକରର ରିଜର୍ଭ ଜଙ୍ଗଲ ଜମି ସହିତ ସମୁଦାୟ ୧୨୦୦୦ ଏକର ଜମି କିଣିବାର ସୁବିଧା କରିଦେଲେ ! ୧୯୩୧ ମସିହାରେ ଏଇ ଜମି କ୍ରୟ କରି କିଲା ଡାଳିଯୋଡ଼ା ପ୍ରାସାଦ ନିର୍ମାଣ କରିଥିଲେ ରାଜା ଜ୍ୟୋତିପ୍ରସାଦ I ମାଙ୍କଡ଼ା ପଥରର ଏଇ ସୁଦୃଶ୍ୟ ପ୍ରସାଦର ନିର୍ମାଣ ୧୯୩୩ ମସିହାରେ ଶେଷ ହେଲା I ରାଜା ପଞ୍ଚକୋଟରୁ ରେଳ ଯୋଗେ ଆସି ନିର୍ଗୁଣ୍ଡି ଷ୍ଟେସନରେ ଓହ୍ଲାଉଥିଲେ, ସେଠାରୁ ହାତୀ ଯୋଗେ ଆସୁଥିଲେ କିଲାକୁ ! ବିପୁଳ ସଂଖ୍ୟକ ରାଜକର୍ମଚାରୀଙ୍କ ସହ ପ୍ରାସାଦରେ ରହିବାକୁ ଲାଗିଲେ ରାଜପରିବାର !
ପରବର୍ତ୍ତୀ ସମୟରେ ଜଙ୍ଗଲ ମଧ୍ୟରେ ରାସ୍ତା ନିର୍ମାଣ କରିଥିଲେ ରାଜା ! ଧର୍ମପରାୟଣ ତଥା ଅଧ୍ୟାତ୍ମବାଦୀ ରାଜପରିବାର ସେ ସମୟରେ ପ୍ରାୟ ୧୪/୧୫ ଲକ୍ଷ ଟଙ୍କା ସମାଜ କଲ୍ୟାଣରେ ଖର୍ଚ୍ଚ କରିଥିଲେ ! ପୁଣି ଇଷ୍ଟଦେବୀ ବଗଳାମୁଖୀଙ୍କୁ ଦାନ କରିଥିଲେ ଅବଶିଷ୍ଟ ସମ୍ପତ୍ତି !
ତେବେ ସ୍ୱାଧୀନ ଭାରତରେ ରାଜକୀୟ ପରମ୍ପରା ଆଉ ରହିଲାନି ! ୧୯୭୨ ମସିହାରେ Wildlife Act ଓ ୧୯୮୫ରେ Estate Abolition Act ଆଦିର ପ୍ରଚଳନ ପରେ ଜଙ୍ଗଲସତ୍ତ୍ଵ ଓ ଜମିଦାରୀ ଉଚ୍ଛେଦ ପରେ କିଲା ଡାଳିଯୋଡ଼ା ଉପରୁ ଆଗ୍ରହ ଆଉ ରହିଲା ନାହିଁ ! ଫଳତଃ କିଲାଟି କେବଳ ଗ୍ରୀଷ୍ମାବକାଶ ବିତାଇବା ପାଇଁ ବ୍ୟବହୃତ ହେଲା !
(ବର୍ତ୍ତମାନର ରାଜା ଦେବଜିତ ସିଂହଦେଓ ମହୋଦୟ)
ତେବେ ୨୦୦୪ରେ ଉଟିରୁ ଚାକିରୀ ଛାଡି ଆସି କିଲାରେ ବାସ କରନ୍ତି ଆଜିର ରାଜା ଦେବଜିତ ସିଂହଦେଓ I ଅଜିତ ପ୍ରସାଦଙ୍କ ନାତି ତଥା ଜଗଦାନନ୍ଦ ସିଂହଦେଓଙ୍କ ପୁତ୍ର I ଏପରି ଅବହେଳିତ ଐତିହ୍ୟସମ୍ପନ୍ନ କିଲା ଡାଳିଯୋଡ଼ାକୁ ସଂରକ୍ଷଣ କରିବାରେ ଲାଗିପଡିଲେ ସେ, ବହୁ ସମସ୍ୟା ସତ୍ତ୍ୱେ ! ଫଳ ସ୍ୱରୂପ ଏଇ କିଲା ଡାଳିଯୋଡ଼ା ଗ୍ରୀଷ୍ମନିବାସଟି ଆଜି ଓଡ଼ିଶାର ସର୍ବୋତ୍ତମ Heritage Homestay ଭାବେ ପରିଚୟ ଲାଭ କରିଛି ! ୨୦୨୦ ମସିହାରେ ସମ୍ଭ୍ରାନ୍ତ Outlook Traveller ପତ୍ରିକା ଏହାକୁ ଦେଶର ସର୍ବୋତ୍ତମ ୧୫ଟି Homestay ମଧ୍ୟରେ ସ୍ଥାନ ଦେଇଛି ! ପ୍ରକୃତି କୋଳରେ ଜୀବନକୁ ଉପଭୋଗ କରିବାର ସୁଯୋଗ ମିଳେ ଏଇ ହୋମ୍’ରେ ! ପର୍ଯ୍ୟଟନ ମାଧ୍ୟମରେ ଆଖପାଖ ଅଞ୍ଚଳର ଉନ୍ନତି ପାଇଁ ସତତ ଚେଷ୍ଟିତ ରାଜା ଦେବଜିତଙ୍କ ପାଇଁ ଜୀବନର ମନ୍ତ୍ର ସାଜିଛି Living with Nature, Living with Society !
ଅନ୍ତରଙ୍ଗ, ଭଦ୍ର, ସରଳ ଓ ଅମାୟିକ ରାଜା ଦେବଜିତ ସିଂହଦେଓ । କହନ୍ତି: ‘‘ମୁଁ ରାଜବଂଶ କ’ଣ ଜାଣିନାହିଁ । ତେବେ, ପୂର୍ବପୁରୁଷଙ୍କର ଅନେକ କୀର୍ତ୍ତି ଶୁଣିଲେ ମନରେ ଗର୍ବ ଆସେ ଅବଶ୍ୟ ! କିନ୍ତୁ ମୁଁ ସାଧାରଣ ମଣିଷଟିଏ ହୋଇ ରହିବାକୁ ଚାହେଁ ।’’
ସତକଥା, ପ୍ରକୃତରେ ସାଧାରଣ ମଣିଷଟିଏ ତ ସେ ! ପ୍ରକୃତି ସହିତ ସମାଜ ସହିତ ଏତେ ନିବିଡ଼ତା ଏତେ ଅନ୍ତରଙ୍ଗତା ଅବା କାହାଠୁ ମିଳିପାରେ !
admin

View Comments

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

2 years ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago