ଲେଖା: ଦେଵ ତ୍ରିପାଠୀ

କନିକା ରାଜ୍ୟ ଭଞ୍ଜବଂଶର ୨୧ତମ ରାଜା ନରସିଂହ ଭଞ୍ଜଙ୍କ ରାଣୀଙ୍କ ଗର୍ଭରୁ ଏକ କୃଷ୍ଣକାୟ ପୁତ୍ର ଜାତ ହୋଇଥିଲା । ରାଜବଂଶରେ ଏପରି କଳା ପୁତ୍ରଟେ ଜନ୍ମଗ୍ରହଣ କରିଥିବାରୁ ଏହା ଭଞ୍ଜ ରାଜବଂଶ ପାଇଁ ଏକ କଳଙ୍କମୟ ଅଧ୍ୟାୟ ପାଲଟିବ ମନେକରି ରାଜା ନରସିଂହ ରାଣୀଙ୍କ ଅଜ୍ଞାତସାରରେ କନିକା ସନ୍ନିକଟ ବୈତରଣୀ ନଦୀ ଗର୍ଭରେ ଥିବା ଏକ ବିଶାଳ ଜଙ୍ଗଲକୁ ନେଇ ଘାତକଙ୍କ ଦ୍ବାରା ଉକ୍ତ ଶିଶୁପୁତ୍ରକୁ ହତ୍ୟା କରିଥିଲେ । ପୁତ୍ରକୁ ବାଘ ଖାଇଗଲା ବୋଲି ନିଜେ ରାଜା ପ୍ରଚାର କରାଇଥିଲେ ।

ମାତ୍ର ପରେ ଏକଥା ପ୍ରଘଟ ହୋଇଥିଲା ଏବଂ ସତ୍ୟ ଉନ୍ମୋଚିତ ହୋଇଥିଲା । ପୁତ୍ର ବିୟୋଗରେ ରାଣୀ ମର୍ମାହତ ହୋଇ ପଡ଼ିବା ସହିତ ନିଜ ପୁତ୍ରର ସ୍ମୃତିରେ ସେହି ନିର୍ଜନ ଦ୍ବୀପରେ ଏକ ସମାଧି ସ୍ଥାପନ କରି ଥିଲେ । ସେହି ଦିନଠାରୁ ବୈତରଣୀ ନଦୀଗର୍ଭର ସେଇ ଦ୍ଵୀପାଞ୍ଚଳଟି ନାମିତ ହେଲା କାଳିଭଞ୍ଜଡ଼ିଆ ଭାବେ !

ଏପରି ରୋମାଞ୍ଚକର କାହାଣୀରେ ସ୍ନିଗ୍ଧ ଏଇ କାଳିଭଞ୍ଜଡ଼ିଆ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ଓ ତାଳଚୁଆ-ଧାମରା ସନ୍ନିକଟ ବୈତରଣୀ ନଦୀର ମଧ୍ୟ ଭାଗରେ ଥିବା ଏକ ବିଶାଳ ହେନ୍ତାଳ ଜଙ୍ଗଲପୂର୍ଣ୍ଣ ସ୍ଥଳଭାଗ ଦ୍ଵୀପପୁଞ୍ଜ ।

ଜଳପଥରେ ଚାନ୍ଦବାଲିରୁ ତାଳଚୁଆ ଓ ଧାମରା ଯିବାବେଳେ  ବୈତରଣୀ ଓ ବ୍ରାହ୍ମଣୀ ନଦୀର ମିଳନସ୍ଥଳ ନଳିତାପାଟିଆରୁ କିଛି ବାଟ ଆଗକୁ ଗଲେ ଏହି ବୈତରଣୀ-ବ୍ରାହ୍ମଣୀ ନଦୀଦ୍ଵୟର ମିଳିତ ସ୍ରୋତ ପୁନଃ ଏକ ସ୍ଥଳଭାଗ ଦ୍ବାରା ବିଭାଜିତ ହୋଇଛି । ନଳିତାପାଟିଆରୁ କିଛି ଦୁର ଆଗକୁ ବୈତରଣୀ-ବ୍ରାହ୍ମଣୀ ଗତି କରିବା ପରେ ଏମାନଙ୍କ ଗର୍ଭରେ ଏଇ ଘଞ୍ଚ ଜଙ୍ଗଲପୂର୍ଣ୍ଣ କାଳିଭଞ୍ଚଡ଼ିଆ ଦ୍ଵୀପାଞ୍ଚଳ (Kalibhanjadia Island) ରହିଛି । ନଳିତାପାଟିଆଠାରେ ନଦୀଦ୍ଵୟର ମିଳିତ ସ୍ରୋତଟି ବୈତରଣୀ ନଦୀ ଭାବେ ପରିଚିତ ।

କାଳିଭଞ୍ଜଡ଼ିଆର ଗୋଟିଏ ପାର୍ଶ୍ବରେ ବୈତରଣୀର ଗୋଟିଏ ସ୍ରୋତ ପ୍ରବାହିତ ହୋଇ ଧାମରା ନଦୀ ନାମରେ ପରିଚିତ ହୋଇଥିବା ବେଳେ ଅନ୍ୟ ପାର୍ଶ୍ୱରେ ଗୋଟିଏ ସ୍ରୋତ ତାଳଚୁଆ ନଦୀ ଭାବେ ପରିଚିତ ହୋଇଛି । ଯେଉଁଠି କାଳିଭଞ୍ଜଡ଼ିଆ ଦ୍ଵୀପାଞ୍ଚଳ ଶେଷ ହୋଇଛି ପୁନର୍ବାର ବୈତରଣୀର ଏହି ଦୁଇଟି ସ୍ରୋତ (ଧାମରା ଓ ତାଳଚୁଆ) ମିଳିତ ହୋଇ ବଙ୍ଗୋପ ସାଗରରେ ପଡ଼ିଛନ୍ତି ।

ଏଇ କାଳିଭଞ୍ଜଡ଼ିଆ ଦ୍ଵୀପାଞ୍ଚଳରେ  ଦୃଶ୍ୟମାନ ହୁଅନ୍ତି ପୃଥିବୀର ଭୟଙ୍କର ବିଷଧର ସର୍ପମାନ ! ଭାରତ ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସାପୁଆକେଳାମାନେ ସାପ ଧରିବାକୁ ଏଠାକୁ ଆସିଥା’ନ୍ତି । ବିଶେଷତଃ ଖୋର୍ଦ୍ଧା ଜିଲ୍ଲା ପଦ୍ମକେଶରୀପୁର ଗ୍ରାମର ସାପୁଆ କେଳାମାନେ କାଳିଭଞ୍ଜଡ଼ିଆ ଜଙ୍ଗଲରୁ ବିଷଧର ସାପମାନ ଧରି ଓଡ଼ିଶାର ଗ୍ରାମାଞ୍ଚଳରେ ସାପଖେଳ ଦେଖାଇ ପେଟ ପୋଷିଥା’ନ୍ତି (ଅବଶ୍ୟ ଆଜିକାଲି ଏହା ଖୁବ କମ୍ ଦେଖିବାକୁ ମିଳେ) ।

କାଳିଭଞ୍ଜଡ଼ିଆର ହେନ୍ତାଳ ବଣରେ ଅହିରାଜ, ଅଜଗର, ରଣା, ନାଗ, ତମ୍ପ, ଗୋଧି ଇତ୍ୟାଦି ସରୀସୃପଙ୍କ ସମେତ ବିଶାଳକାୟ ଓ ବଉଳା କୁମ୍ଭୀର ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଏଇ ଦ୍ଵୀପଟି ବଣଓଧ, ଠେକୁଆ, ବଣବିରାଡ଼ି, ଗଧିଆ, ଚିତାବାଘ, ଠେକୁଆ, ବାର୍ହା, ହରିଣ ଭଳି ଅନେକ ଜଙ୍ଗଲୀ ପଶୁଙ୍କ ଅଭ୍ୟୟାରଣ୍ୟ ଭାବେ ପରିଚିତ ।

ଏହି ହେନ୍ତାଳ ଜଙ୍ଗଲ ଓରୁଅ, କେରୁଆ, କେରଡ଼ା, ଜେଉଟ, ସୁନାରି, ହେନ୍ତାଳ, ବନୀ, ବଣିଆ, ସୁନ୍ଦରୀ, ରୁଅ, ଗରାଣ୍ଡି, ଅସନ, ଇଠା, ପିତାମାରି, ଜନ୍ଦାଖାଇ ଭଳି ୭୨ ପ୍ରକାର ଜଙ୍ଗଲୀ ଗଛ ଓ  ୬୪ ପ୍ରକାର ଔଷଧୀୟ ବୃକ୍ଷରାଜିରେ ପରିପୂର୍ଣ୍ଣ । ଜଙ୍ଗଲ ବିଭାଗର ବିନା ଅନୁମତିରେ ଏହି ଜଙ୍ଗଲ ମଧ୍ୟକୁ ପ୍ରବେଶକୁ ନିଷେଧ କରାଯାଇଛି । ଏଠାକୁ ଆସିବାକୁ ହେଲେ ରାଜନଗର ଫରେଷ୍ଟ ଡିଭିଜନ କାର୍ଯ୍ୟାଳୟରୁ ଅନୁମତି ନେବାକୁ ହୁଏ ।

ବୈତରଣୀ-ବ୍ରାହ୍ମଣୀ ତ୍ରିକୋଣଭୂମି ଅଞ୍ଚଳ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର କାଳିଭଞ୍ଜଡ଼ିଆ ହେନ୍ତାଳବଣ ଓ ଏହାର ଜୈବବିବିଧତା ବିଶ୍ୱରେ ଅନନ୍ୟ !

ସତରେ ପ୍ରକୃତି ବହୁତ ଦେଇଛି ଆମ ଓଡ଼ିଆଙ୍କୁ, ଆମେ ଚିହ୍ନିପାରିଲେ ହେଲା ! ଚିହ୍ନି ମୂଲ୍ୟାୟନ କରିପାରିଲେ ହେଲା !

ତଥ୍ୟ ସହାୟତା: ‘ଗୋନାସିକା ନନ୍ଦିନୀ ବୈତରଣୀ’, ଡ. ରଞ୍ଜନ ପ୍ରଧାନ, କ୍ରିଏଟିଭ୍ ଓଡ଼ିଶା, କେନ୍ଦ୍ରାପଡ଼ା 

Image: Odisha Tales

Spread the love
admin

View Comments

  • ରାଜ୍ୟ ସରକାର ଙ୍କ ପ୍ରକାଶିତ, ଉତ୍କଳ ପ୍ରସଙ୍ଗ(ଜାନୁଆରୀ 2016) ରେ ଶାନ୍ତନୁ କୁମାର ମହାନ୍ତି ଙ୍କ ପ୍ରବନ୍ଧ "ବିଶ୍ୱ ଏତିହ୍ୟ ଭିତରକନିକା ଏକ ବିହଙ୍ଗାଲୋକନା" ପୃଷ୍ଠା 75 ରେ କାଳିଭଞ୍ଜ ଡିଆଁ ର ଭିନ୍ନ ରୂପ ବର୍ଣିତ ! ସଠିକ ତଥ୍ୟ କଉଁଟି ?

    http://magazines.odisha.gov.in/utkalprasanga/2016/Jan/oriyapdf/73-83.pdf

    • ଭାଇ ଧନ୍ୟବାଦ, ତେବେ ନାନା ମୁନିଙ୍କ ନାନା ମତ ! ଏ ଲେଖାଟି ମଧ୍ୟ ଜଣେ ଗବେଷକଙ୍କ ବହି ଆଧାର ରେ ଲେଖା ହୋଇଛି, ତେଣୁ ଆପଣ କେଉଁଟିକୁ ଠିକ ଭାବେ ଗ୍ରହଣ କରିବେ ଆପଣଙ୍କ ନିଷ୍ପତ୍ତି

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago