କାଛି

ଲେଖା: ଶିଶିର ସାହୁ ମନୋଜ

ଭାଷାର ନିଜସ୍ଵ ଅଵ୍ଯୟ, ପ୍ରତ୍ୟୟ, ସର୍ଵନାମ, କ୍ରିୟା ଓ କ୍ରିୟା ଵିଶେଷଣ ଆଦି ଯଦି ଅନ୍ଯ ଭାଷା ଦ୍ଵାରା ପ୍ରଭାଵିତ ହୋଇ ମରିଵାକୁ ଲାଗେ ତେଵେ ବୁଝିଯିଵାକୁ ହେଵ ଯେ ଉକ୍ତ ଭାଷାର ଦୁର୍ଦ୍ଦିନ ଆସିଗଲାଣି ।

ତେଵେ ଓଡ଼ିଆ ଭାଷାରେ ମଧ୍ୟ ଏହି ଶ୍ରେଣୀୟ ଶବ୍ଦ ଅଵ୍ଯଵହୃତ ହୋଇଯାଇଛି କି ?

ହଁ ଏଭଳି ଅନେକ ଉଦାହରଣ ରହିଛି !

ଏକଦା ଆମ୍ଭନ୍ତ ତୁମ୍ଭନ୍ତ ଲେଖୁଥିଵା ଓଡ଼ିଆମାନେ ଆଜି ସେ ଶୈଳୀ ସଂପୂର୍ଣ୍ଣ ଛାଡ଼ି ସାରିଛନ୍ତି ଏଵଂ ତତ୍ ପରିଵର୍ତ୍ତେ ଆମ୍ଭଙ୍କୁ ତୁମ୍ଭଙ୍କୁ ଲେଖିଥାନ୍ତି । 

ସେଇଭଳି ଆଉ ଗୋଟିଏ ଦେଶଜ ଓଡ଼ିଆ ଅଵ୍ୟୟ ହେଉଛି “କାଛି” ।

ଏହି ଅଵ୍ଯୟଟି “ଲାଗିଯାଇ” ଵା “ଦେହକୁ ଦେହ ଲାଗି” ଆଦି ଅର୍ଥରେ ଵ୍ଯଵହୃତ ହେଉଥିଲା । ଏହା ସଂସ୍କୃତ ଶବ୍ଦ କକ୍ଷ ସହିତ ସମଦ୍ଧୃତ ହୋଇଥାଇପାରେ କାରଣ କକ୍ଷ ଶବ୍ଦର ଏକ ଅର୍ଥ ପାର୍ଶ୍ଵରେ; କଡ଼ରେ ଵା ପାଖରେ ଅଟେ ।

କଵି କୃଷ୍ଣ ସିଂହ କୃତ ମହାଭାରତରେ ଆମେ ଏହି ଅଵ୍ଯୟ ଵ୍ଯଵହାର ହୋଇଥିଵାର ଦେଖିଵାକୁ ପାଇଥାନ୍ତି । ଯେପରି କି,
“ତୁମ୍ଭ ଲୋକମାନେ କର୍ଣ୍ଣଙ୍କୁ ଆଗକରି,
ଯୁଦ୍ଧ କରିଲେ କାଛି ଶସ୍ତ୍ରକୁ ପ୍ରହାରି।”
(କର୍ମପର୍ଵ, କୃଷ୍ଣ ମହାଭାରତ)

ସେଇଭଳି “କାଛେ କାଛେ” କ୍ରିୟା ଵିଶେଷଣ ଶବ୍ଦ ବି ଚଳୁଥିଲା ଆମ ଭାଷାରେ ! ଏହା ଅତି ନିକଟରେ ଵା ପାଖେ ପାଖେ ଅର୍ଥରେ ଵ୍ଯଵହାର ହେଉଥିଲା ।

ଜଗନ୍ନାଥ ଦାସ କୃତ ଭାଗଵତରେ ଆମେ ଏ ଶବ୍ଦର ଵ୍ଯଵହାର ହୋଇଥିଵା ଦେଖିଥାନ୍ତି, ଯଥା:
“ଗୋରୁଙ୍କ ଶିଙ୍ଗ ଧରି ନାଚେ
ବୁଲନ୍ତି ଅଗ୍ନି କାଛେ କାଛେ।”

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏ ଶବ୍ଦ ମେଦିନୀପୁରୀ ଓଡ଼ିଆ ଭାଷାରେ “କାଛା କାଛି” ହୋଇ ଏକ ଵିଶେଷଣ ଭାଵେ ଵ୍ଯଵହୃତ ହେଉଥିଲା ।

ମେଦିନୀପୁରିଆ ଏ ଶବ୍ଦକୁ ଅତି ନିକଟବର୍ତ୍ତୀ; ସନ୍ନିକଟ; ପରସ୍ପରର ନିକଟବର୍ତ୍ତୀ ଆଦି ଅର୍ଥରେ ଵ୍ଯଵହାର କରୁଥିଲେ ବୋଲି ଏ ଅଭିଧାନରେ ଉଲ୍ଲେଖ ରହିଛି ।

ତେଵେ ଓଡ଼ିଆ ଭାଷାରେ କାଛି ଶବ୍ଦର ଏକ ଵିଶେଷ୍ଯ ଶବ୍ଦ ଭାଵେ ମଧ୍ୟ ଵ୍ଯଵହାର ରହିଥିଲା ଏଵଂ ସମ୍ଭଵତଃ ଏହା ମଧ୍ୟ କକ୍ଷ ଶବ୍ଦ ସହ ସମଦ୍ଧୃତ ହୋଇଥିଵା ସମ୍ଭଵ କାରଣ କକ୍ଷ ଶବ୍ଦର ଆଉ ଏକ ଅର୍ଥ କଛା; ବସ୍ତ୍ରପ୍ରାନ୍ତ; ବସ୍ତ୍ରାଞ୍ଚଳ ପୁଣି ସଂସ୍କୃତରେ କଚ୍ଛ ଶବ୍ଦ ସହିତ ବି ସମଦ୍ଧୃତ ହୋଇଥିଵା ସମ୍ଭଵ ଯେହେତୁ ଏହା ମଲ୍ଲମାନଙ୍କ ଵ୍ଯଵହାର୍ଯ୍ୟ ଲେଙ୍ଗୁଟୀ; କର୍ପଟୀକୁ କଚ୍ଛ କୁହାଯାଉଥିଲା ।

କାଛି ସାଧାରଣତଃ କ୍ଷୁଦ୍ର ପତଳା ରଙ୍ଗୀନ୍ ପରିଧାନ ବସ୍ତ୍ର ଯାହାକୁ କରିଆ ମଧ୍ୟ କୁହାଯାଇଥାଏ । ଏହାକୁ ଓଡ଼ିଶାରେ କେଉଁଠି କେଉଁଠି କଚ୍ଛା, କାଚ୍ଛ, କାଚ୍ଛଟା ଓ କାଛ ଆଦି ମଧ୍ୟ କୁହାଯାଏ ।

ଜଗନ୍ନାଥ ଦାସ ଏହି ଅର୍ଥରେ କାଛ ଶବ୍ଦର ପ୍ରୟୋଗ କରି ଲେଖିଯାଇଛନ୍ତି,
“କୁତ ପଲ୍ଲବ ଶିଖିପୁଚ୍ଛ, 
କଟୀରେ ନୀଳ ପୀତ କାଛ। ”

ସେଇଭଳି ଭକ୍ତଦାସ କୃତ ମଥୁରା ମଙ୍ଗଳରେ କାଛି ଶବ୍ଦର ଵ୍ଯଵହାର ଉଲ୍ଲେଖଯୋଗ୍ୟ,
“କାହାକୁ ପିନ୍ଧାଇବି କାଛିରେ”

ଲୁଗାକୁ ସୁନ୍ଦରରୂପେ ଅଙ୍ଗରେ ସଜ୍ଜିତ କରି ପିନ୍ଧିଵା ଅର୍ଥରେ 
କଵିସୂର୍ଯ୍ୟ ବଳଦେଵ ରଥ ଏ ଶବ୍ଦର ଵ୍ଯଵହାର କରିଛନ୍ତି,
“ବିଶଥ ହୋଇଛିରେ, 
ବାସ ପିନ୍ଧିଥାଉ ପରି କାଛି ।”

ଓଡ଼ିଆ ଭାଷାରେ କାଛି ଶବ୍ଦର ଆଧାରରେ ଦୁଇଗୋଟି କ୍ରିୟାଶବ୍ଦ ବି ଚଳୁଥିଲା, ଯେପରି କି,
୧. କାଛିଵା — କାଛା ପିନ୍ଧିବା; କାଛା ଭିଡ଼ିବା, କ୍ଷୁଦ୍ର ଵସ୍ତ୍ର ପିନ୍ଧିଵା

୨. କାଛି ହେବା — ଛୋଟ ଲୁଗା ବଡ଼ ଶରୀରକୁ କସାକସ୍ ହେବା, କାଛା ପିନ୍ଧିଲା ଭଳିଆ କସିକାସି ଭିଡ଼ିଭାଡ଼ି ଲୁଗାକୁ ପିନ୍ଧିବା, କଛା ମାରି ଲୁଗା ପିନ୍ଧିବା

ତେଵେ ଏଠାରେ ପ୍ରଶ୍ନ ଉଠେ ଓଡ଼ିଆ ଭାଷାରେ ପ୍ରଚଳିତ ଏ କାଛି ଶବ୍ଦ ଉଭୟ ଅଵ୍ଯୟ ଓ ଵିଶେଷ୍ଯ ଅର୍ଥରେ ଵ୍ଯଵହାର ହେଉଥିଲେ ହେଁ ଆଜି କାହିଁକି ଲୁପ୍ତ ହୋଇଯାଇଅଛି ?

© ଶିଶିର ସାହୁ ମନୋଜ

Leave a Comment

Your email address will not be published. Required fields are marked *

Scroll to Top