ଲେଖା: ଅଧ୍ୟାପକ ଲଳିତ ମୋହନ ରାୟ
ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର ବା ମର’ ସ୍ଲୋଗାନ ଦେଇ ସ୍ଵାଧୀନତା ସଂଗ୍ରାମ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ଏ କଥା ବିଦ୍ୟୁତ ବେଗରେ ବ୍ଯାପିଗଲା ଓ ପ୍ରବଳ ଉତ୍ତେଜନା ସୃଷ୍ଟି ହେଲା। ତା’ର ଯୋରଦାର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେବା ବେଳେ କଟକ ଜିଲ୍ଲାର (ଅଧୁନା ଯାଜପୁର) ବରୀ ଅଞ୍ଚଳରେ ଅହେତୁକ ଭାବପ୍ରବଣତା ଦେଖିବାକୁ ମିଳିଲା। ଅହିଂସାମାର୍ଗରେ ଏହି ଆନ୍ଦୋଳନ ଚାଲୁ ରଖି ଦେଶର ସ୍ଵାଧୀନତା ପାଇଁ ବରୀବାସୀ ସ୍ଵତଃପ୍ରବୃତ୍ତ ଭାବେ ଅଙ୍ଗୀକାରବଦ୍ଧ ହେଲେ।
ଏଇ ବେଳରେ ଘଟିଥିଲା କାଇପଡା କଳାମାଟିଆ ଗୁଳିକାଣ୍ଡ । ରକ୍ତମୁଖା ପୋଲିସ ଆରମ୍ଭ କଲେ ଗୁଳି ଚାଳନା। ଟଳି ପଡ଼ିଲେ ଶ୍ରୀ ମାୟାଧର ଭୁୟାଁ, ଶ୍ରୀ ସାଉଣ୍ଟି ମଲିକ, ଶ୍ରୀ ସଦାନନ୍ଦ ସ୍ଵାଇଁ। ପ୍ରାୟ ଏକଶତ ସଙ୍ଗ୍ରାମୀ ଆହତ ହେଲେ। କଳାମାଟିଆ ମାଟି ସହିଦମାନଙ୍କ ଉଷ୍ଣରକ୍ତରେ ଲାଲ୍ ହୋଇଗଲା। ଏହା ଥିଲା ଗହ୍ମାପୂର୍ଣ୍ଣିମା, ଅଗଷ୍ଟ ମାସ ଛବିଶ ତାରିଖ। ଏ ଭଳି ଏକ ପବିତ୍ରଦିନରେ ଘଟିଥିବା ଏହି ସ୍ଵାଧୀନତା ସଂଗ୍ରାମ ସେତେବେଳେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା।
ସେଇ କାଇପଡା କଳାମାଟିଆ ଗୁଳିକାଣ୍ଡର ସ୍ମୃତିଚାରଣ କରି ଯୁବକବି ଅଧ୍ୟାପକ ଲଳିତ ମୋହନ ରାୟ ରଚିଛନ୍ତି କବିତା କାଇପଡା ଗୁଳିକାଣ୍ଡ ସ୍ମରଣେ . .
~ କାଇପଡା ଗୁଳିକାଣ୍ଡ ସ୍ମରଣେ ୧  ~
ଗୋଲାହାଟର ସେ ଶୀର୍ଣ୍ଣ ବୁଢ଼ାବର
ତଥାପି କ୍ଷତାକ୍ତ ବୀର
ସଂଗ୍ରାମୀର ରଣ ହୁଂକାରରେ
ଜାଗ୍ରତ ଏବେ ଗୋରା ସାହେବର
ହଜାରେ ଜୁଲମ୍ ଭାଙ୍ଗି ପାରିଲାନି
ଯାହା ଟାଣପଣ ଆଜି ବି ସଦର୍ପେ ଛିଡ଼ା ସେ ||୦||
ଆଗେ ସଂଗ୍ରାମୀ-କ୍ରୋଧର ଅଗ୍ନିରେ ଜଳିଛି
ଶୋଷଣ-କଷଣ ଅଙ୍ଗେ ନିଭାଇଛି
ଆଜି ଅଛି ସେ ଯେ ହୋଇ ମୁକସାକ୍ଷୀ
ଅତୀତ-ସ୍ମୃତି ରେ ଲୁହ ଗଡାଉଛି
ଅପାଙ୍କ୍ତେୟ ତାରେ ଭାବେ ସିନା କେହି
ସେ ଡାକଘରଟି ଆଜି ବି ବଞ୍ଚିଛି ||୧||
ଗୋରା-ଶାସନର କରି ପ୍ରତିରୋଧ
ଏ ଯାଏ ଯାଇନି ବାରୁଦର ଗନ୍ଧ
ବକ୍ଷେ ଯେ ଧରିଛି ହତ-ବୀରପୁତ୍ର
ପୁତ୍ରରକ୍ତେ ବକ୍ଷ ହୋଇଛି ପ୍ଲାବିତ
ଜନମଭୂମିର ମାନରକ୍ଷା କରି
ତା’ ପୁତ୍ର ହୋଇଛି ସର୍ବଜନବନ୍ଦ୍ୟ ||୨||
ଶତଶତ ବାର ବନ୍ଦେ ସେ ବରୀକୁ
ଜନ୍ମ ଦେଇଥିଲା ବୀର ସଂଗ୍ରାମୀଙ୍କୁ
କାଇପଡ଼ା-କଳାମାଟିଆର ଖ୍ୟାତି
ଇତିହାସେ ସ୍ଵର୍ଣ୍ଣାକ୍ଷରେ ଲେଖାଅଛି
ସେ ମାଟିରେ ସେହି ବୀରପୁତ୍ର କୋଳେ
ଖେଳିଛି ମୁଁ କେତେ ମୋର ବାଲ୍ୟକାଳେ
ଥିଲା ବୋଧେ କେଉଁ ପୂର୍ବଜନ୍ମେ
ପୂଣ୍ୟ ଧନ୍ୟ ମୁଁ ସେ ପାଇଁ ଧନ୍ୟ ମୋ ଜନମ ||୩||
~ କାଇପଡା ଗୁଳିକାଣ୍ଡ ସ୍ମରଣେ  ୨ ~
ଏଇ ମାଟିର ଯୋଗ୍ୟ ସନ୍ତାନ ତୁମେ
ଏଇ ମାଟିର ବୀର ବିପ୍ଲବୀ ତୁମେ
ଏଇ ମାଟି ପାଇଁ ଦିନେ
ସାଉଁଟି ସାନନ୍ଦ ହାଡ଼ିବନ୍ଧୁ ମାୟା
ସହୀଦ ହୋଇଲ ତୁମେ – ||୦||
ଅଶୁଭ ସେ ଉଣେଇଶ ବୟାଳିଶ
ଥିଲା ସେ ଦିନଟି ଅଗଷ୍ଟ ଛବିଶ
ଗହ୍ମାପୁନେଇଁରେ ଅନ୍ଧାର ଘୋଟିଲା
ଟଳିଲେ ସଂଗ୍ରାମୀ ବହିଲା ରକତ
କଳାମାଟିଆର ସହୀଦପୀଠଟି
ଆଜି ବି କାନ୍ଦେ ମଉନେ – ||୧||
କାଇପଡ଼ା କଳାମାଟିଆର କୀର୍ତ୍ତି
ରକତରେ ଇତିହାସେ ଲେଖାଅଛି
ଗାନ୍ଧୀ ଗୋପବନ୍ଧୁ ରମାଦେବୀଙ୍କର
ଆଦର୍ଶେ ଏ ମାଟି ଲଭିଲା ମୁକତି
ଗରବେ ଏ ଛାତି ଫୁଲି ଯାଉଅଛି
ତୁମ ସ୍ମୃତି ଆସି ମନେ – ||୨||
ସେହି ଗୋଲାହାଟ ସେହି ଡାକଘର
ଅଛି ବି ଏବେ ସେ ବରୀ ସେବାଘର
ଗାନ୍ଧୀ ସଡ଼କରେ ଏବେ ବି ବାଟୋଇ
କ୍ଷଣେ ଛିଡ଼ା ହୋଇ କରେ ନମସ୍କାର
ତୁମ ବଳିଦାନ ଭୁଲିନାହୁଁ ଆମେ
ଭୁଲିବୁନି କେବେ ଦିନେ – ||୩||
© ଲଳିତ ମୋହନ ରାୟ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago