ଲେଖା: ନିରଞ୍ଜନ ସାହୁ
ପ୍ରସ୍ଫୁଟିତ ହେଲେ ବଣମଲ୍ଲୀ ଭାବେ । ବାସ ଚହଟାଇଲେ ଏବଂ ଝଡି଼ଗଲେ କବି ଶରଣ ଦାସ !
ଋତୁରାଜ ବସନ୍ତଙ୍କ ଆଗମନ । ଶ୍ରୀମନ୍ଦିରରୁ ପ୍ରଭୁ ମଦନଗୋପାଳ ଫାଲଗୁନ ଶୁକ୍ଲ ଏକାଦଶୀ ରାତ୍ରିରେ ଫଗୁ ଖେଳିବା ପାଇଁ ବାହାରିଛନ୍ତି, ଚାଚେରୀ ଭ୍ରମଣରେ । ପୃଥିବୀ ବୈକୁଣ୍ଠରେ ଆରମ୍ଭ ହୋଇଯାଇଛି ଶ୍ରୀକୃଷ୍ଣ ରୂପରେ ମଦନଗୋପାଳ ଜଗନ୍ନାଥଙ୍କ ଦୋଳଯାତ୍ରା । ମଦନଗୋପାଳ ଦେବାଧିଦେବ ମହାପ୍ରଭୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା। ଏହି ଲୀଳା ହିଁ ଚାଚେରୀ ଲୀଳା, ବ୍ୟାଖ୍ୟାକାର କବି ଶରଣ ଦାସ । ଓଡ଼ିଆ ସାହିତ୍ୟରେ ଅଦ୍ୟାବଧି ଜଣେ ଅନାଲୋଚିତ ପ୍ରତିଭା, ବଣମଲ୍ଲୀ ସଦୃଶ !
ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ବିଶିଷ୍ଟ ଗବେଷକ ଡ. ବଂଶୀଧର ମହାନ୍ତି ନ ଥିଲେ, ଏହି ବିଶିଷ୍ଟ ପ୍ରତିଭା କବି ଶରଣ ଦାସ, କୌଣସି ନା କୌଣସି କୋଣରେ ଗୋପନରେ ରହି ଯାଇଥାନ୍ତେ ! ନୟାଗଡ଼ ଅଞ୍ଚଳରୁ ସଂଗୃହିତ ପୋଥିଟିଏ ପାଇ ଏଭଳି କବି ପ୍ରତିଭାଙ୍କୁ ଆମ ଗୋଚରକୁ ଆଣିଥିବା ହେତୁ ଡ. ବଂଶୀଧର ମହାନ୍ତିଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଉଛି ‘ଅନ୍ତରଙ୍ଗ କଳିଙ୍ଗ’ ।
ଖଣ୍ଡିଏ ମାତ୍ର ପୋଥି ! ତାହା ବି ଅସମ୍ପୂର୍ଣ୍ଣ ! ଗଦ୍ୟ-ପଦ୍ୟର ଅପୂର୍ବ ସମନ୍ବୟ ! କେତେ ମାଧୁର୍ଯ୍ୟମୟ ରଚନା ସତେ ! ରାଧାକୃଷ୍ଣ ଜନ୍ମବୃତ୍ତାନ୍ତ, ରାସଲୀଳା, ଦୋଳୋତ୍ସବ, ଚାଚେରୀ ଭ୍ରମଣ, ସାମାଜିକ ବିଧି, ଯାତ୍ରାର ଦୃଶ୍ୟ କେତେ ଜୀବନ୍ତ ! କେବଳ ଦୃଶ୍ୟଶ୍ରାବ୍ୟର ଇନ୍ଦ୍ରଜାଲ ସୃଷ୍ଟି କରିପାରେ ମାନସପଟରେ ! ଗୋଟିଏ ପରେ ଗୋଟିଏ ଦୃଶ୍ୟ ଭାସିଆସେ ନେତ୍ରଯୁଗଳ ସମୀପରେ !
ହେ ରସଗ୍ରାହୀ କବି ଶରଣ ଦାସ ! ଏ ରଚନା ସମ୍ଭବ ହେଲା କିମିତି ? ଆପଣ ବୋଧେ କୃଷ୍ଣ ଓ ରାଧାଙ୍କ ଜନ୍ମ ଠାରୁ ଦୋଳଯାତ୍ରା ପର୍ଯ୍ୟନ୍ତ ନିଜକୁ ସମର୍ପିତ କରିଦେଇ ସବୁଥିରେ ସାମିଲ ହୋଇ ଯାଇଥିଲେ ! ନ ହେଲେ ଏତେ ମାଧୁର୍ଯ୍ୟ ବିମଣ୍ଡିତ କରିଦେଲେ ଆପଣଙ୍କର କାବ୍ୟକୁ କିମିତି ? ରଚନାଶୈଳୀ, ବର୍ଣ୍ଣନା, ଶବ୍ଦ ସଂଯୋଜନା, ସାମାଜିକ ପ୍ରଥାର ଇନ୍ଦ୍ରଜାଲ ସୃଷ୍ଟି କରି ବିମୋହିତ କରିଦେଲେ ଆମରି ଭଳି ପାଠକଙ୍କୁ ଯେ ! ଆମେ ଭୁଲିଗଲୁ ଆମର ସ୍ଥିତି, ହଜେଇ ଦେଲୁ ନିଜକୁ, ଆଉ ଯେମିତି ଦ୍ଵାପର ଯୁଗରେ ରାଧାକୃଷ୍ଣ ଲୀଳୋତ୍ସବରେ ଜଣେ ଜଣେ ଗୋପୀ ହୋଇଗଲୁ !
ଚାଚେରୀ ଲୀଳା ! ରାଧାକୃଷ୍ଣ ଲୀଳା ସମ୍ପର୍କୀୟ ଅପୁର୍ବ ସୃଷ୍ଟି ! ବସନ୍ତର ବର୍ଣ୍ଣନା ଏଭଳି ହୋଇପାରେ ! ଋତୁରାଜ ବସନ୍ତ ଧରାପୃଷ୍ଠରେ ବିରାଜିତ । ଶିଶିର ପ୍ରବାହିତ । କୁମୁଦ ପ୍ରସ୍ଫୁଟିତ । ମଳୟର ସ୍ପର୍ଶ । କୋଇଲିର କୁହୁତାନ । ବୃକ୍ଷରେ ପଲ୍ଲବିତ ପତ୍ର । ହସି ଉଠୁଛି ଅବନୀ । ଧରାପୃଷ୍ଠ ଅପୂର୍ବ ସୁଗନ୍ଧରେ ସୁଗନ୍ଧିତ । ସର୍ବତ୍ର ବସନ୍ତର ରାଜୁତି । ମନରେ ପୁଲକ । ଶରୀରରେ ପ୍ରତିକ୍ରିୟା, ମନରେ ଅସୁମାରୀ ଆଶା । କାମଭାବ ସୃଷ୍ଟି ହୋଇଛି। ନାୟକ ନାୟିକାର ଅଧର ଚୁମ୍ବନ ପାଇଁ ତୃଷିତ ହୋଇ ଉଠୁଛି । ପ୍ରବାସୀ କାନ୍ତ ପ୍ରତ୍ୟାବର୍ତ୍ତନ କରୁଛି ସ୍ଵଗୃହକୁ । କନ୍ଦର୍ପର ଶର ଓ ରତିକ୍ରୀଡ଼ା ପାଇଁ ପଦ୍ମ ବିଛାଇ ରତିକ୍ରିୟାର ସୁପାତି ଶେଯେଇଛି। କେଳି ଗୃହ ଠିକ୍ କରିଛି । କୋମଳଶଯ୍ୟା ବିଛାଇଛି କାନ୍ତ ସହ ମିଳିତ ହେବା ପାଇଁ । ସୁଗନ୍ଧି ବୋଳି ହୋଇ ରସକଳାରେ ମାତି ଉଠିଛନ୍ତି ପ୍ରେମୀଯୁଗଳ। ବିରହୀମାନେ ଅଧିକ ବିରହୀ ହୋଇ ଉଠିଛନ୍ତି । ଅବୋଧ ଯୁବତୀମାନେ କାମ ପ୍ରବାହରେ ଆକର୍ଷିତ ହୋଇ ପ୍ରେମିକର ଫାନ୍ଦରେ ପଡ଼ି ଯାଉଛନ୍ତି ।
ତେବେ ପ୍ରକୃତିର ଏଇ ସମ୍ଭାର ମଧ୍ୟରେ ଶ୍ରୀପୁରୁଷୋତ୍ତମ କିପରି ଗମ୍ଭୀରା ମଧ୍ୟରେ ବସି ରହିପାରିବେ ? ସେ ତ ମାନବୀୟ ଲୀଳାର ଅପ୍ରାକୃତ ପ୍ରେମମୂର୍ତ୍ତି ! ତେଣୁ ନିର୍ଦ୍ଦେଶ ଦେଉଛନ୍ତି ପରୀକ୍ଷା କରଣ ମାନଙ୍କୁ । ବିଜେ ହେଉଛନ୍ତି ମଦନଗୋପାଳ ! ବସନ୍ତକୁ ଉପଭୋଗ କରି ଫଗୁଖେଳରେ ରୂପ, ରସ, ଛନ୍ଦରେ ମଣ୍ଡିତ ହେବା ପାଇଁ । ଭାବବିନୋଦିଆ ଭାବେ ଭକ୍ତ ମଧ୍ୟରେ ହଜିଯିବା ପାଇଁ ।
କି ମନୋମୁଗ୍ଧକର ଶୋଭା ବର୍ଣ୍ଣନା କବି ଶରଣ ଦାସଙ୍କ ବର୍ଣ୍ଣନାରେ:
“ଅଭିନବ କାମ ଦେବର ଶୋଭା,
ତ୍ରିଭଙ୍ଗୀ ଛଳେ ଉଭା,
ମକର ଆକୃତି ପ୍ରଭା,
ମୋହନ ମୂରତି ସାଜ,
ଶ୍ରୀଚରଣ ସାଜେ ।।
ମଞ୍ଜରୀ ମଞ୍ଜୁଳ ଯୁଗଳ ପ୍ରଳାମ୍ବଦ୍ଵୀୟ
ନବରତ୍ନ ବଳୟ ମୁଦ୍ରିକାୟେ,
କଟୀତଟ ଘଣ୍ଟିତ ତପନରେ ନିନ୍ଦିତ
ପୀତ ପଟ ନବରତ୍ନ କାଞ୍ଚନ କାଞ୍ଚିନାମ ରଞ୍ଚିତ ।।
ଅନୁପମ ବକ୍ଷସ୍ଥଳ, ଶ୍ରୀବତ୍ସ ଲାଞ୍ଛନ
କର୍ପୂର ଚୁଆ ଚନ୍ଦନ ଆସ୍ଥାନ ।
କଉସ୍ତୁଭ ହାର ହଜାର ବର୍ତ୍ତୁଳ ମୁକୁତାମାଳ,
ହୃଦୟ ମୂରଲୀ ମନୋହର ବିମ୍ବାଧର ।।
ନାମେ ମୋତିବର,
ମକର ବେଷ୍ଟିତ ।
ମଧୁମତି ସ୍ତୁତି ରୁଚିର ସର୍ବାଙ୍ଗେ କର୍ପୂର ଅବିର
ମନ୍ଦ ମନ୍ଦ ହାସ ନୟନ ଅକପ ଅପାଙ୍ଗ ଚକ୍ର ।
ତ୍ରିଭଙ୍ଗ ଅଙ୍ଗ ଅଙ୍ଗନ ଅବଲୋକନେ ଅଙ୍ଗଭଙ୍ଗ ।”
ପ୍ରଭୁ ମଦନଗୋପାଳଙ୍କ ମୋହନ ମୂର୍ତ୍ତି ଏବେ ବିରାଜିତ ସୁଖଚିତ, କମନୀୟ ବିମାନ ମଧ୍ୟରେ । ମନୋମୁଗ୍ଧକର ବେଶରେ ଶ୍ରୀଅଙ୍ଗ ଝଟକି ଉଠୁଛି । ଚାଚେରୀ ଲୀଳା ଆରମ୍ଭ ହୋଇଯାଇଛି । ଜୟ ଜୟ ଧ୍ୱନି ସହ ଶଙ୍ଖ ନାଦରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ବେଢ଼ା । ସେବକମାନେ କାନ୍ଧରେ ବିମାନ ରଖି ଅତ୍ୟନ୍ତ ଉଲ୍ଲସିତ । ଏ ଯେ ପୁରୁଷୋତ୍ତମ, ବ୍ରହ୍ମାଣ୍ଡର ସବୁଠୁ ସୁନ୍ଦର ପୁରୁଷଙ୍କ ନଗର ଭ୍ରମଣ ! ଚନ୍ଦ୍ରକାନ୍ତି ବିମାନର ପାର୍ଶ୍ଵରେ ସଖା ଦାମ, ସୁଦାମା ଓ ସଖୀ ସମାଜ । ସନ୍ଧ୍ୟା ଉପଗତ । ଚନ୍ଦ୍ରକିରଣରେ ବସୁଧାର ଶୋଭା ଅତୁଳନୀୟ । ଆକାଶ ବିଚିତ୍ର ନକ୍ଷତ୍ର ମଣ୍ଡଳରେ ଶୋଭିତ । ଏ ତ ବିଜୟ ଶୋଭାଯାତ୍ରା !
~ ଚାଚେରୀ ଲୀଳାରେ ଉପସ୍ଥାପନା ଏମିତି କିଛି ~
“ଶୁଦ୍ଧ ସୁବର୍ଣ୍ଣ କଳସ ଚିତ୍ର ଚିରାଳ;
ନାମ ମଣ୍ଡି ମାଳମାଳ ।
ତଥି ଉପରେ ଚନ୍ଦ୍ରାତପ ଟାଣି,
ନାନା ରତ୍ନମଣି ।
ମଣ୍ଡଣି ମଧ୍ୟେ ପଦ୍ମ ପୁଷ୍କାସନ,
ମକରାନନ ପ୍ରଭା ଶୋଭାବନ,
ତଥି ମଧ୍ୟେ ଶ୍ରୀ ମଦନମୋହନ ।।
ରତ୍ନ ଜ୍ୟୋତିର୍ମୟ କିରଣ ବିରାଜିତ
ସୁର ନର କିନ୍ନର ମନରଜିତ,
ଚଉଦ ଜ୍ୟୋତିମୟ ରାଜିତ,
କିନ୍ତୁ ରାଜିତ ଶଶୀ ଦିନମଣି ଅନଳଜିତ,
ଦୀପ, କୁହୁଡ଼ି, ହୁଳ, ଚନ୍ଦ୍ରହୁଳା, ଚନ୍ଦ୍ରଉଦିଆ ତରୁଦୀପ,
ରଥ ଆକାର ଦୀପ, ନିଶୁଣି ଦୀପ,
ସାତ ପୁର ନାନା ରୂପେ ହୁଳା କରିଚି,
ଜାର, ଚମ୍ପା, ମଲ୍ଲୀ, ଜୁଇ, କେତକୀ,
କୁନ୍ତ ହାବେଳୀ, ଖଣ୍ଡଚକ୍ର ଠକି
ଏ ରୂପେ ନାନା ବାଣ ହୁଳା ମାଳରୁ କରି
ଦିବସ ପ୍ରାୟେ ନିଶି ବିଶତ ।”
ପ୍ରଭୁ ମଦନଗୋପାଳ ଚାଚେରୀ ଲୀଳାରେ ଯାଇ ଦକ୍ଷିଣ ଦିଗକୁ ମୁହାଁଇଛନ୍ତି । ପଟୁଆର ଅଟକି ଯାଇଛି । ନୃତ୍ୟ ହେଉଛି । ଅପସରୀ ମାନେ ନୃତ୍ୟରତା । ମାହାରୀଏ ନାଚି ନାଚି ପ୍ରଭୁଙ୍କୁ ଆନନ୍ଦିତ କରୁଛନ୍ତି । ପୁଣି ଖଣ୍ଡେ ଦୂର ଆସି ପଟୁଆର ଅଟକି ଯାଉଛି । ପୁଣି ରୋଷନି ଆଗୋଉଛି । ନଗରୀର ବଡ଼ଦାଣ୍ଡ ପରିକ୍ରମା ସାରି ବାହୁଡ଼ି ଆସୁଛନ୍ତି ପ୍ରଭୁ । ବାଇଶି ପାହାଚ ଅତିକ୍ରମ କରି ଫେରିବା ପରେ ବନ୍ଦାପନା ହୋଇଛି । ଛାମୁରେ ବ୍ରହ୍ମା କରଯୋଡ଼ି ଜଗତ୍ର ଚିନ୍ତା କରିବାକୁ ଅନୁରୋଧ କରିଛନ୍ତି । ଇନ୍ଦ୍ର କହୁଛନ୍ତି, “ଭୋ ଦେବ ମଣିମା, ଚନ୍ଦ୍ର ବୋଲଇ ଭୋ ଦେବ, ଗୁହାରି ଶୁଣିମା ।” ଏମନ୍ତେ ଚାଚେରୀ ସାରି ବଡ଼ଦେଉଳେ ପ୍ରବେଶ ହୋଇଲେ । ବନ୍ଦାପନା ହୋଇ ସିଂହାସନେ ବିଜେ କଲେ । ଶୀତଳ ମଣୋହି ସାରି ପ୍ରଭୁ ଡଉରିଆ ଲାଗି ହୋଇଛନ୍ତି । ଅନ୍ୟ ସହଯାତ୍ରୀ ଦେବତାମାନଙ୍କୁ ପୁଷ୍ପ ଅଞ୍ଜୁଳି ଦେଇ ମେଲାଣି ଦେଇଛନ୍ତି ସେବକମାନେ । ଅନ୍ୟାନ୍ୟ ଦେବଦେବୀ ମାନେ ନିଜ ନିଜ ମନ୍ଦିରକୁ ଯାତ୍ରା କରିଛନ୍ତି , ଦେଉଳ ଶୁଦ୍ଧ କରାଯାଇଛି । ପ୍ରଭୁ ରତ୍ନମୟ ପଲଙ୍କରେ ପହୁଡ଼ ଯାଇଛନ୍ତି ।
ପାହାନ୍ତି ପହରକୁ ଉପହାର ଦ୍ରବ୍ୟ ନେଇ ସେବକମାନେ ବଡ଼ଦେଉଳରେ ପ୍ରବେଶ କରିଛନ୍ତି । ପ୍ରଭୁଙ୍କର ବିଧି ମାଜଣା ଓ ବେଶ ବଢା଼ଇଛନ୍ତି । ତା ପରେ ଗୋପାଳ ବଲ୍ଲଭ ସରିଛି । ଧୂପ ହୋଇଛି । ତା ପରେ ସମସ୍ତ ଦେବତାଙ୍କ ସହ ବ୍ରହ୍ମା ଆସିଛନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ । ଚାମର ଢାଳିଛନ୍ତି। ମଣୋହି ହୋଇଛି । ଆଳତି ବନ୍ଦାପନା ବଢ଼ୁଛି । ଦେବତାମାନେ କରଯୋଡ଼ି ପ୍ରଣାମ କରିଛନ୍ତି, ଜୟ ଜୟକାର ଧ୍ଵନି ଦେଇଛନ୍ତି ।
ଏହିପରି ପ୍ରଭୁଙ୍କ ତିନିଧୂପ ଉଠିଛି । ପୁର ଲୋକମାନେ ବିଧି ଅନୁସାରେ ବେଢ଼ାରେ ବିଜେ କରିଛନ୍ତି । ପ୍ରଭୁଙ୍କର ପଟୁଆର ପୁଣି ଆରମ୍ଭ ହୋଇଛି। ନାରଦ ବୀଣା ବାଦନ କରି ମଦନଗୋପାଳଙ୍କ ଗୁଣ କୀର୍ତ୍ତନ କଲେ । ବିଶ୍ଵକର୍ମା ବିମାନ ମଣ୍ଡଣି ଖଞ୍ଜିଲେ । କୁବେର ବସ୍ତ୍ର ଓ ଅଳଙ୍କାର ସଜାଡି଼ଲେ । ବିଶେଷ ଭାବରେ ଭୂଷିତ ହୋଇ ପ୍ରଭୁ ମନୋହର ଦିଶିବା ସହ ଦିନକୁ ଦିନ ଚାଚେରୀ ଲୀଳା ଅଧିକ ଶୁଭାଗମ ହେବା ସହ ଆହୁରି ମନୋରମ ହୋଇ ଉଠୁଛି ।ଦେବତାଙ୍କ ଠାରୁ ଆରମ୍ଭ କରି ନରନାରୀ, କିନ୍ନର ସାମିଲ ହେଉଛନ୍ତି ଚାଚେରୀ ଲୀଳା ପଟୁଆରରେ । ଏହି ଭାବେ ପାଞ୍ଚ ଦିନର ଲୀଳା ଶେଷ କରି, ଅଗ୍ନି ଉତ୍ସବ ମଧ୍ୟ ଶେଷ କରି ଐଶାନ୍ୟ ଦିଗରେ ଥିବା ଦୋଳମଣ୍ଡପକୁ ବିଜେ କରୁଛନ୍ତି ପ୍ରଭୁ ।
ଏଇଠି କିନ୍ତୁ ସରିଯାଇ ନାହିଁ ଚାଚେରୀ ଲୀଳା ଗ୍ରନ୍ଥର କଥାବସ୍ତୁ । ଏହି ଫଗୁ ଖେଳ, ବସନ୍ତ ରାସ ମଧ୍ୟରେ କବି ଶରଣ ଦାସ ପୌରାଣିକ ତତ୍ତ୍ଵରୁ ନିଜକୁ ବାଦ ଦେଇ ପାରିନାହାଁନ୍ତି । ରାଧା ଓ କୃଷ୍ଣଙ୍କର ଜନ୍ମବୃତ୍ତାନ୍ତ, ତ୍ରେତୟାରେ ରାମଚନ୍ଦ୍ର ଦ୍ଵାପର ଅବତାରର ବର୍ଣ୍ଣନା, ରାସଲୀଳା, ରାଧାଙ୍କ ପାଇଁ କୃଷ୍ଣଙ୍କର ଆତୁରତା, ରାଧା କୃଷ୍ଣଙ୍କ ପାଇଁ ବିରହୀ ହୋଇଯାଇ, ତାଙ୍କ ମନର ଭାବନା, ରାଧାଙ୍କ ତଡ଼କୀ ହଜିବା, ନେତେଇ ଧୋବଣୀ ପ୍ରସଂଗ ଇତ୍ୟାଦି ପୌରାଣିକ ଆଖ୍ୟାନ, ଉପାଖ୍ୟାନ, କିମ୍ବଦନ୍ତୀକୁ ଯେଉଁ ଭାବେ ସଜାଇଛନ୍ତି, ତାହା ଓଡ଼ିଆ ସାହିତ୍ୟରେ ବିରଳ । ସର୍ବୋପରି ବଡ଼ଦାଣ୍ଡରେ ଫଗୁ ଖେଳରେ ଯେଉଁ ଯାତ୍ରା, ବିପଣୀ ଓ ତାହାର ମନୋଜ୍ଞ ବର୍ଣ୍ଣନା କରାଯାଇଛି, ତାହା ପାଠ କଲେ ଆତ୍ମବିସ୍ମୃତ ହୋଇଯିବେ ଯେ କେହି ! ଏହା ସତରେ ଅନନ୍ୟ, ଅସାଧାରଣ ଚାତୁରୀପୂର୍ଣ୍ଣ କବିତ୍ଵ !
ଏହି ଚାଚେରୀ ଲୀଳା କବି ଶରଣ ଦାସ ମହୋଦୟଙ୍କ ଖଣ୍ଡିଏ ମାତ୍ର ଆବିଷ୍କୃତ, ଅସମ୍ପୂର୍ଣ୍ଣ କାବ୍ୟ ! କାବ୍ୟ ତ କହି ଦେବାର ସାହସ ହେଉ ନାହିଁ, କାରଣ ଗଦ୍ୟ-ପଦ୍ୟ ସମନ୍ଵୟର ଏକ ମହାର୍ହ, ନୀଳକାନ୍ତ ରତ୍ନ ସ୍ଵରୂପ ଏହା । ଷୋଡ଼ଶ ଶତାବ୍ଦୀରେ ଶ୍ରୀମନ୍ଦିରରେ ପ୍ରଚଳିତ ଚାଚେରୀ ଲୀଳା (ହୋରି)ର ସ୍ବଚ୍ଛ ଦର୍ପଣ ! ଆଭ୍ୟୁଦୟିକ ଗନ୍ଥ !