ଲେଖା: ଦେଵ ତ୍ରିପାଠୀ
କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ !
“ମୋତେ ଦୁନିଆଁ କହୁଛି ପାତକୀ !
ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି
ବିଛୁଆତି ଅବା କେତକୀ ?”
ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ, ଦିନେ ନା ଦିନେ ତାଙ୍କ ପ୍ରିୟ ଓଡ଼ିଆ ଏ ବିଚାର କରିବେ ବୋଲି ! ଦୁର୍ଭାଗ୍ୟ ! ‘ବିଚାରବନ୍ତ’ ଓଡ଼ିଆଏ ତାଙ୍କୁ ବିଛୁଆତିର ଆଖ୍ୟା ଦେଇଥାନ୍ତେ ଅବା ! ଇତିହାସବିମୁଖ ଜାତିଟା ଯେ ତାଙ୍କୁ ଠେଲିଦେଲା ବିସ୍ମୃତିର ଅତଳ ଗର୍ଭକୁ ! ହଜାଇଦେଲା ଓଡ଼ିଆ ରଙ୍ଗମଞ୍ଚ, ଲୋକସଂସ୍କୃତି, ଲୋକବାଦ୍ୟରେ ବୈପ୍ଳବିକ ଅଭ୍ୟୁଦୟ ଆଣିଥିବା ସେଇ ହିମାଳୟସମ ଉତ୍ତୁଙ୍ଗ କୃତବିଦ୍ୟ ସାଧକ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କ ଜୀବନଗାଥାକୁ !
ଧିକ ! ଧିକ ! ଶତଧିକ ଆମକୁ !
ତଥାପି ଅନ୍ତରଙ୍ଗ କଳିଙ୍ଗର ଛୋଟ ପ୍ରୟାସସ୍ବରୂପ ଏଠାରେ ଉଲ୍ଲେଖ କରୁଛୁ ସେଇ ଯୋଗଜନ୍ମା ମହାପୁରୁଷଙ୍କ ୨୧ଟି ଅନବଦ୍ୟ କୃତି ବିଷୟରେ:
୧. ନବୀନ ନାଟ୍ୟଧାରାର ପ୍ରବର୍ତ୍ତକ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଗୀତାଭିନୟ-କ୍ଳିଷ୍ଟ ରଙ୍ଗମଞ୍ଚରେ ନୂତନ ପ୍ରାଣ ସଞ୍ଚରାଇ ଅପେରା କୁ ଉନ୍ନୀତ କରାଇଥିଲେ, ଆଧୁନିକତାର ସ୍ପର୍ଶ ଦେଇ !
୨. କବିମଞ୍ଜୁଳ ହିଁ ଥିଲେ ଆଧୁନିକ ନାଟ୍ୟ ପରିବେଷଣର ଆଦ୍ୟ ପ୍ରବର୍ତ୍ତକ, ସଂଗଠକ, ଗୀତିକାର, ସୁରକାର, ନୂତନ ଆଭିମୁଖ୍ୟରେ ରୂପ ଓ ବେଶ-ସଜ୍ଜାକାରୀ, ବାଦକ, ଗାୟକ, ନର୍ତ୍ତକ, ଅଭିନେତା, ନିର୍ଦ୍ଦେଶକ ଓ ଅନମନୀୟ ସଂସ୍କାରକ !
୩. କାନ୍ତକବି ଲକ୍ଷ୍ମୀକାନ୍ତ, ଗୋବିନ୍ଦଚନ୍ଦ୍ର ଶୂରଦେଓଙ୍କ ସହିତ ଅଦୃଶ୍ୟ ବନ୍ଧନରେ ବାନ୍ଧି ହୋଇ ଓଡ଼ିଆ ନାଟ୍ୟ ପରମ୍ପରାରେ ଅନେକ ସଂସ୍କାର ଆଣିଥିଲେ କବିମଞ୍ଜୁଳ ! ଭକ୍ତ ମୋହନସୁନ୍ଦର ଦେବ ଗୋସ୍ୱାମୀ ଓ ଲୋକକବି ଗଣକବି ବୈଷ୍ଣବ ପାଣି ପ୍ରମୁଖଙ୍କ ପାରମ୍ପରିକ ଶୈଳୀରେ ସେ ଆଣି ପାରିଥିଲେ ଅହେତୁକ ପରିବର୍ତ୍ତନ !
୪. ନବନାଟ୍ୟ ଆନ୍ଦୋଳନର କର୍ଣ୍ଣଧାର କବିମଞ୍ଜୁଳ କୃଷ୍ଣପ୍ରସାଦଙ୍କ କଲମରୁ ଧରିଥିଲା ୪୦ରୁ ଉର୍ଦ୍ଧ୍ବ ନାଟକ — ପୌରାଣିକ, ଐତିହାସିକ ଅବା ସାମାଜିକ — ସମସ୍ତ ଚରିତ୍ର କିନ୍ତୁ ଗାଉଥିଲେ ବିପ୍ଳବର ମନ୍ତ୍ର ! ଭୂୟାଁପୀଢ଼, ଶିବାଜୀ ପରି ଅନେକ ନାଟକକୁ ବ୍ୟାଜ୍ୟାପ୍ତ କରିଥିଲେ ବ୍ରିଟିଶ ସରକାର !
୫. ମଞ୍ଚ ଅନ୍ଧକାର ରଖିବା, ଆଲୋକ ସମ୍ପାତ କରିବା, ମେକଅପ୍ ଓ ନକଲି କେଶର ବ୍ୟବହାର, ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର ସହ ଓଡ଼ିଆ ବାଦ୍ୟଯନ୍ତ୍ରର ସୁଷମ ବ୍ୟବହାରର ସୂତ୍ରଧର ଥିଲେ କବିମଞ୍ଜୁଳ ! ଡ଼. ହରେକୃଷ୍ଣ ମହତାବଙ୍କ ଭାଷାରେ ସେ ଥିଲେ ଯଥାର୍ଥରେ ଓଡ଼ିଶାରେ ନବନାଟ୍ୟ ଆନ୍ଦୋଳନର ପ୍ରବର୍ତ୍ତକ !
୬. ତତ୍କାଳୀନ କଳ୍ପନାବାଦୀ ରଙ୍ଗମଞ୍ଚର ପୁରାତନ ଧାରାରେ ଯବନିକା ପକାଇ ଶାସ୍ତ୍ର ସମ୍ମତ ଓଡ଼ିଶୀ, କଥକ, ମଣିପୁରୀ, ଛଉ, ଆଦିବାସୀ ନୃତ୍ୟ, ଗୋଟିପୁଅ ନୃତ୍ୟ, ମାହାରୀ ନୃତ୍ୟ ଇତ୍ୟାଦିର ପଦ୍ଧତିର ମେଳ ଘଟାଇ ସମୟୋଚିତ ସଂସ୍କାର ଆଣିପାରିଥିଲେ ସେ !
୭. ଚରିତ୍ର ଉପଯୋଗୀ ବେଶଭୂଷା, ଅଙ୍ଗସଜ୍ଜା, ମଞ୍ଚସଜ୍ଜାର ଆଦ୍ୟ ପ୍ରବର୍ତ୍ତକ ଥିଲେ କବିମଞ୍ଜୁଳ । ନୃତ୍ୟକାଳରେ ଡେ-ଲାଇଟ୍, ଗ୍ୟାସ୍-ଲାଇଟ୍ ସହିତ ଆଧୁନିକ ରଙ୍ଗୀନ ଆଲୋକର ସମ୍ପାତ କରାଇଥିଲେ ସେ !
୮. ସେକ୍ସପିୟର୍’ଙ୍କ ନାଟକଗୁଡ଼ିକୁ ଅଧ୍ୟୟନ କରି ଉକ୍ତ ଶୈଳୀକୁ ଉତ୍କଳୀୟ ପରିବେଶରେ ପ୍ରୟୋଗ କରାଇଥିଲେ କବି, ସଂଳାପରେ ଭାଗମାପ ଦ୍ଵାରା !
୯. ଓଡ଼ିଆ ମଞ୍ଚରେ ଆବହ ସଙ୍ଗୀତ ଓ ପ୍ରଚ୍ଛଦପଟ ସଙ୍ଗୀତର ଅବତାରଣା କରିଥିଲେ କବିମଞ୍ଜୁଳ !
୧୦. ଅତିନାଟକୀୟତାକୁ ବର୍ଜନ କଲେ ହିଁ ନାଟକୀୟ ଉତ୍କଣ୍ଠା ସହ ନାଟ୍ୟଗୀତି ଶୀର୍ଷକୁ ଉନ୍ନୀତ ହୁଏ । ତେଣୁ ମିଳନ ଶେଷ ହୁଏ ବିଚ୍ଛେଦର ଅଶ୍ରୁରେ । ବିଚ୍ଛେଦର ସେଇ ଅଶ୍ରୁ ପରଷିଦିଏ ମିଳନର ବାର୍ତ୍ତା । ଏପରି କେତେ କେତେ ପରୀକ୍ଷା ନିରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସେଇ ନାଟ୍ୟସାଧକ ।
୧୧. ଯାବତୀୟ ପରୀକ୍ଷାନିରୀକ୍ଷାର ଫଳସ୍ବରୂପ ତାଙ୍କ ହାତରେ ଗଢ଼ି ଉଠିଥିଲା ବିରଜା ଅପେରା !
୧୨. ତତ୍କାଳୀନ ଦେଶର ଅଗ୍ରଣୀ ଗ୍ରାମୋଫୋନ୍ ରେକର୍ଡ କମ୍ପାନୀ ‘ହିଜ୍ ମାଷ୍ଟର୍ସ ଭଏସ୍’ (HMV)ର ଓଡ଼ିଆ ସଙ୍ଗୀତ ପ୍ରତି ଅଣଦେଖାକୁ ବିରୋଧ କରି କମ୍ପାନୀର ଓଡ଼ିଆ ବିରୋଧୀ ନୀତିର ଅନ୍ତ ଘଟାଇଥିଲେ କୃଷ୍ଣପ୍ରସାଦ । ନିମ୍ନମାନର ଓଡ଼ିଆ ଗ୍ରାମୋଫୋନ୍ ରେକର୍ଡ ବଦଳରେ ଉଚ୍ଚମାନର ଡିସ୍କ ପ୍ରସ୍ତୁତ କରାଇ ଓଡ଼ିଆ ସଙ୍ଗୀତକୁ ଆନ୍ତର୍ଜାତିକ ସ୍ତରକୁ ନେବାର ପଥ ସୁଗମ କରିଥିଲେ ସେ ।
୧୩. ସେଇ ସଙ୍ଗୀତପ୍ରେମୀ କୃଷ୍ଣପ୍ରସାଦ ହିଁ ଆବିଷ୍କାର କରିଥିଲେ କେତେ କେତେ ପାରମ୍ପରିକ ମୋୖଳିକ ସଙ୍ଗୀତଜ୍ଞଙ୍କୁ, ଓଡ଼ିଶାର ନିପଟ ପଲ୍ଲୀମାନଙ୍କରୁ ! କବିମଞ୍ଜୁଳ ନ ଥିଲେ ହୁଏତ ଓଡ଼ିଆ ସଙ୍ଗୀତ ଜଗତରେ ଆମେ ନିମାଇଁ ହରିଚନ୍ଦନ, ନିତ୍ୟାନନ୍ଦ ରାଉତ, ଆପନ୍ନା ପାଣିଗ୍ରାହୀ, ମାଧବାନନ୍ଦ ସାହୁ, ଗୋକୁଳାନନ୍ଦ ମହାନ୍ତି, ଘନଶ୍ୟାମ ରଥ, ବିଦ୍ରୋହୀକବି ବାଞ୍ଛାନିଧି ମହାନ୍ତି, ଗୌରାଙ୍ଗଚରଣ ଦାସ, ଲକ୍ଷ୍ମୀଧର ସାହୁଙ୍କ ପରି ଧୂରୀଣ ଶିଳ୍ପୀଙ୍କୁ ପାଇ ନ ଥାନ୍ତୁ ! ନିମାଇଁଚରଣଙ୍କ ନାମ ସହିତ ବାଣୀକଣ୍ଠ ଓ ଗୌରାଙ୍ଗଚରଣଙ୍କ ନାମ ସହିତ ନଟଗନ୍ଧର୍ବ ଯୋଡ଼ିଥିଲେ ସେ ।
୧୪. “ଓଡ଼ିଆ ସଙ୍ଗୀତ ଯେ ସଙ୍ଗୀତ ପଦବାଚ୍ୟ ନୁହେଁ” ପରି ଧାରଣାରେ ପରିବର୍ତ୍ତନ ନିମନ୍ତେ ତତ୍କାଳୀନ ବଙ୍ଗଳା ଓ ତେଲୁଗୁ କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଦ୍ଧ ଉଚ୍ଚାରଣ ରେ ଓଡ଼ିଆ ସଙ୍ଗୀତ ରେକର୍ଡ କରାଇ ଆଲୋଡ଼ନ ସୃଷ୍ଟି କରିଥିଲେ କବିମଞ୍ଜୁଳ ! ଅଣଓଡ଼ିଆଙ୍କ ହୃଦୟରେ ଓଡ଼ିଆ ସଙ୍ଗୀତ ପ୍ରତି ଆକର୍ଷଣ ଜଗାଇବାରେ ସତତ ଚେଷ୍ଟିତ ଥିଲେ ସେ !
୧୫. ‘ବିଲରେ ଚଷା ଅନ୍ତଃପୁରେ ଯୋଷା’ ଗାଉଥିବା ଭଞ୍ଜସଙ୍ଗୀତକୁ ରେକର୍ଡରେ ଉପଲବ୍ଧ କରାଇବାର ଆବଶ୍ୟକତା ଅନୁଭବ କରିଥିଲେ କବିମଞ୍ଜୁଳ ! ଫଳସ୍ବରୂପ ଭଞ୍ଜସଙ୍ଗୀତ ସମେତ ବନମାଳୀ, ଅଭିମନ୍ୟୁ ସାମନ୍ତସିଂହାର, ଗୋପାଳକୃଷ୍ଣ, କବିସୂର୍ଯ୍ୟ, ଗୌରହରି ଇତ୍ୟାଦି ମହାକବିମାନଙ୍କ ରଚିତ ଛାନ୍ଦ, ଚଉପଦୀ, ଚଉତିଶା, ଭଜନ, ଜଣାଣ ଗାନକୁ ସଂଗ୍ରହ/ଉଦ୍ଧାର କରି ରେକର୍ଡ ମାନ ତିଆରି କରି ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଉଦବେଳନ ସୃଷ୍ଟି କରିଥିଲେ।
୧୬. ସହସ୍ର ସହସ୍ର ସଂଖ୍ୟାରେ ଉଦ୍ଧୃତ ପାରମ୍ପରିକ ରଚନାଗୁଡ଼ିକୁ କବିମଞ୍ଜୁଳ ହିଁ ଦେଇଥିଲେ ଓଡ଼ିଶୀ ନାମାଙ୍କନ !
୧୭. ଓଡ଼ିଆ କଳାକାର ଯେ ଦେଶର ଅନ୍ୟ ପ୍ରାନ୍ତର କଳାକାରଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି — ଏହା ପ୍ରତିପାଦନ କରିବା ନିମନ୍ତେ ସେ ଓଡ଼ିଆରେ ଲକ୍ଷ୍ମଣଗୀତ ରଚନା କରି କଠୋର ବୈଜ୍ଞାନିକ ପଦ୍ଧତିରେ ଶିଳ୍ପୀମାନଙ୍କୁ ତାଲିମ ଦେଇଥିଲେ !
୧୮. ଓଡ଼ିଆ ସଙ୍ଗୀତରେ ହାସ୍ୟରସ ପରିବେଷଣ ସହିତ ଗଜଲ ଓ କବାଲିର ପ୍ରବର୍ତ୍ତନ ପୂର୍ବକ ନୂତନ ସମ୍ଭାବନା ସୃଷ୍ଟି କରିଥିଲେ କୃଷ୍ଣପ୍ରସାଦ ।
୧୯. ଝୁମର, ଭାଟିଆଲି, ଢ଼ୁମ୍ପା, କଳରୀ, ଶାବରୀ ଆଦି ପଲ୍ଲୀସଙ୍ଗୀତକୁ ମର୍ଯ୍ୟାଦାଦୀପ୍ତ ଭାବେ ପ୍ରତିଷ୍ଠା ପୂର୍ବକ ଓଡ଼ିଆର ସ୍ବାଭିମାନ ପ୍ରତିଷ୍ଠା କରିଥିଲେ କବି !
୨୦. ଦେଶାତ୍ମବୋଧକ, ସୁବଦ୍ଧ, ଭକ୍ତି/ଚନ୍ଦନଗୀତ, ପ୍ରେମ, ବିରହ, ମିଳନ, ପଲ୍ଲୀ, ଚେତନାଧର୍ମୀ, ଇସଲାମୀୟ (କବାଲି), ସମବେତ ନୃତ୍ୟ ସଙ୍ଗୀତ, ମିଶ୍ରିତ ରାଗସଙ୍ଗୀତ ପରି ୧୧ଟି ବିଭାଗରେ ସହସ୍ରାଧିକ ଗୀତ ରଚନା କରି କବି କୃଷ୍ଣପ୍ରସାଦ ବସୁ ହୋଇ ପାରିଥିଲେ ଚିରସ୍ମରଣୀୟ କବିମଞ୍ଜୁଳ !
ଗୋଟିଏ ମଣିଷ ପାଖରେ ଏପରି ଅନେକ ପ୍ରତିଭାର ସମାହାର କ୍ଵଚିତ ଦେଖିବାକୁ ମିଳେ ! ସେପରି ବିରଳ ପ୍ରତିଭାଧର ବ୍ୟକ୍ତିତ୍ଵର ବିଶ୍ଳେଷଣ ମଧ୍ୟ ଏକ ଅସାଧ୍ୟ ବ୍ୟାପାର ଏବଂ ସେ ଦୃଷ୍ଟିରୁ ଯେତେ କହିଲେ ବି ଅକୁଳାଣ ହେବ !
ଏବକୁ ସିନା ଜଣେ କବି କି ସାହିତ୍ୟିକ ଆଉ ଜଣେ ସାହିତ୍ୟିକର ଶିରୀ ଦେଖିପାରେନି ! ଗୋଡ଼ ଟଣାଟଣି ହୋଇ ଉଭୟ ସାହିତ୍ୟିକ ନିଜ ନିଜ ଅନ୍ତର୍ନିହିତ ପ୍ରତିଭାକୁ ପୋଡ଼ି ପାଉଁଶ କରି ଦିଅନ୍ତି କେବଳ !
କିନ୍ତୁ ସମୟ ଥିଲା, ଜଣକର କଥା କେଇ ପଦ ପ୍ରେରଣା ସାଜୁଥିଲା ଆଉ କାହା ପାଇଁ ! ଜୀବନର ତ ହେଇଯାଇଥିଲା ନିର୍ଦ୍ଧାରିତ ! ସୃଜନର ନିର୍ଝରଣୀ ଫିଟି ପଡୁଥିଲା ଅବା ! ପ୍ରେରଣାସିକ୍ତ ବ୍ୟକ୍ତିର ହାତରେ ସୃଷ୍ଟି ହେଉଥିଲା ଅମଳିନ କୃତି ! ଦିନ ଚାଲିଯାଉଥିଲା, ମାତ୍ର ସେଇ କଥାପଦକ ରହିଯାଇଥିଲା ଅମଳିନ ଅମର ହେଇ !
‘ଚତୁରଙ୍ଗ’ ଓ ‘ଶଙ୍ଖ’ର ସମ୍ପାଦକ ଡ. ମାୟାଧର ମାନସିଂହ । ପରମ ବନ୍ଧୁ ଜଣଙ୍କୁ ପ୍ରବର୍ତ୍ତାଉଥିଲେ ଲେଖାଲେଖି କରିବାକୁ !
“କ’ଣ ବା ମୁଁ ଲେଖିପାରିବି ?” ନିଜର ଅସହାୟତା ପ୍ରକାଶ କଲେ ବନ୍ଧୁ !
“କି କଥା କହୁଛ ତମେ ? ତମ ପରି ଜୀବନକୁ ଟିକି ଟିକି ଚିରି କିଏ ଦେଖିଛି ? ଆଜୀବନ ତମେ ଆଖଡ଼ାରେ କଟାଇଲେ ! ସେଇ ଆଖଡ଼ାର କଥା ତ ଲେଖିପାରିବ . . “
ବାସ୍ ! ଆଉ ପଛକୁ ଫେରି ଚାହିଁ ନ ଥିଲେ ବନ୍ଧୁଜଣକ ! ଆରମ୍ଭ ହେଲା ‘ଆଖଡ଼ା ଘରେ ବୈଠକ’ ! ପ୍ରଥମ ପ୍ରକାଶ ଚତୁରଙ୍ଗରେ ! ପରେ ପରେ ‘ଝଙ୍କାର’ରେ ! ସେ ଧାରାବାହିକୀ ସେଇ ସ୍ରଷ୍ଟାଙ୍କ ଇହଲୀଳା ତ୍ୟାଗର ଅବ୍ୟବହିତ କାଳ ପର୍ଯ୍ୟନ୍ତ ଥିଲା ଅବ୍ୟାହତ – ରମ୍ୟ ରଚନାର ଏକ ନବ ଦିଗଦର୍ଶନ ରୂପେ ! ବ୍ୟାସକବିଙ୍କ ପ୍ରକୃତ ଉତ୍ତରସୂରୀ ରୂପେ ପ୍ରକୀର୍ତ୍ତିତ ହେଲେ ସେଇ ସ୍ରଷ୍ଟା ! ଲେଖିଚାଲିଲେ ଉପନ୍ୟାସ ‘ମାମୁଁ’, ‘ପ୍ରାୟଶ୍ଚିତ’; ଖିଆଲି ରଚନା ‘ନାନାବିଧି’, ଗାନ୍ଧୀଦର୍ଶନ, ଆତ୍ମଜୀବନୀ – ଝରିଲା ଅସୁମାରୀ କୃତି ! ପ୍ରତ୍ୟେକଟି ସୃଷ୍ଟି ସ୍ଵକୀୟ ମର୍ଯ୍ୟାଦାରେ ଉଦ୍ଦୀପ୍ତ ! ନାଟ୍ୟ ସାହିତ୍ୟ, ପାଲା ସାହିତ୍ୟ ଓ ବ୍ୟଙ୍ଗ ସାହିତ୍ୟରେ ସେ ଯେଉଁ ଗଭୀର ରେଖାଙ୍କନ କରିଗଲେ, ସେସବୁରେ ପାଠକ ହେଲେ ବିସ୍ମିତ, ହତବାକ !
ସଶସ୍ତ୍ର ବିପ୍ଳବ ମାଧ୍ୟମରେ ଭାରତର ସ୍ବାଧୀନତା ପ୍ରାପ୍ତିର ଐଶ୍ୱର୍ଯ୍ୟ ଦୀପ୍ତ ସ୍ବପ୍ନ ଦେଖି ଗୀତ ଓ ନାଟ୍ୟ ପରିବେଷଣ ମାଧ୍ୟମରେ ଓଡ଼ିଶାର ନିରକ୍ଷର ଅବହେଳିତ ପଲ୍ଲୀବାସୀଙ୍କ ପ୍ରାଣରେ ବିପ୍ଳବର ବାର୍ତ୍ତା ସଂଚାର କରାଇଥିଲେ ଏଇ ଯୋଗଜନ୍ମା ସାହିତ୍ୟ ସାଧକ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ !
ଦ୍ଵିତୀୟ ମହାସମରର ଘନଘଟା ଭିତରେ ଦେଶ ଶ୍ୱାସରୁଦ୍ଧ ହୋଇଥିବା ବେଳେ ଏବଂ ନିଷ୍ପ୍ରଦୀପର କଠୋର ନିୟନ୍ତ୍ରଣ ଶିକୁଳି ଭାଙ୍ଗି ମୁକ୍ତ ରଙ୍ଗମଞ୍ଚରେ ଅଭିନୟ କରିବା ଆଉ ସମ୍ଭବ ନ ହେବାରୁ ତାଙ୍କ ହାତଗଢା ବିରଜା ଅପେରାର ଅକାଳ ମୃତ୍ୟୁ ହୁଏ ! ଗୁଣଗ୍ରାହୀ ପାଟଣା ମହାରାଜା ରାଜେନ୍ଦ୍ରନାରାୟଣ ସିଂହଦେଓଙ୍କ ଅନୁରୋଧ କ୍ରମେ ତାଙ୍କ ଦରବାରରେ ରାଜକବି ତଥା ଏକ ହାଇସ୍କୁଲରେ ଶିକ୍ଷକ ଭାବେ ଯୋଗ ଦିଅନ୍ତି କୃଷ୍ଣପ୍ରସାଦ । ବଲାଙ୍ଗୀରର ଉଷର ମାଟିରେ ସଙ୍ଗୀତର ଉତ୍ସ ଫିଟେ ! ପାଖୁଡ଼ା ହେଲେ ଅସୁମାରୀ ସ୍ବପ୍ନର କଳିକା ! ପ୍ଳାବନ ଛୁଟେ ଅନେକ ନାଟକର ! ବଲାଙ୍ଗୀର ଇତିହାସକୁ ଆଧାର କରି ରଚିତ ହୁଏ ମହାନ ସୃଷ୍ଟି ରମାଇ ଦେଓ !
ସାଂସ୍କୃତିକ ରାଜଧାନୀ କଟକ ହେଉ ଅବା ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଅଖ୍ୟାତପଲ୍ଲୀ ବେଣାମୁଣ୍ଡା ହେଉ, ଯେଉଁଠି ‘ପାଲା’ ପରିବେଷଣ ହୁଏ, ଜ୍ଞାନୀ ପାଲାକାରଗଣ ଭଞ୍ଜମେହେରଙ୍କ ଅଳଙ୍କାର ଉପମା ଆଦିର ଅବତାରଣା ନ କରନ୍ତୁ ପଛେ, କୃଷ୍ଣପ୍ରସାଦଙ୍କ ରଚନାରୁ ପଦେ ଅଧେ ନ ଗାଇଲେ ପାଲା ଅଧୁରା ରହିଯାଏ ! ପାଲାଗାୟନ କ୍ଷେତ୍ରରେ ମଧ୍ୟ ଆତ୍ମିକ ଓ ଆଙ୍ଗିକ ସଂସ୍କାର ଆଣିଥିଲେ କୃଷ୍ଣପ୍ରସାଦ ।
ଆଫଗାନ ରାଜତ୍ଵ କାଳରେ ଦେଶୀୟ ଓଡ଼ିଆ ସୈନ୍ୟମାନଙ୍କ ମନୋରଞ୍ଜନ ନିମନ୍ତେ ପାଲାସାହିତ୍ୟ ର ଅଭ୍ୟୁଦୟ ଘଟିଥିଲା ! ତଦୃପ ମନୋରଞ୍ଜନକାରୀ କୃତି ମୋଗଲତାମସା ମଧ୍ୟ ସୃଷ୍ଟି ହୋଇଥିଲା, ବିଳାସ ନିମନ୍ତେ ଉଦ୍ଦିଷ୍ଟ ଭାବେ ! ତେବେ ସତ୍ୟନାରାୟଣ ଉପାସନା ପରିବର୍ତ୍ତେ ସମନ୍ୱୟବାଦୀ ଆଭିମୁଖ୍ୟ ନେଇ ‘ସତ୍ୟପୀର’ ପୂଜା ପ୍ରଚଳନ କରାଗଲା, ସେତେବେଳେ ଉର୍ଦ୍ଦୁ-ଓଡ଼ିଆ ମିଶା ‘ଷୋଳପାଲା’ର ଅବତାରଣା ହେଲା ! କ୍ରମେ ସତ୍ୟପୀର ପୂଜା ଆଳରେ ପାଲା ଏକ ମନୋରଞ୍ଜନକାରୀ ରସ ଭାବେ କେଉଁଠି କେଉଁଠି ପରିବେଷିତ ହେଉଥିଲା !
ଓଡ଼ିଆ ସଂସ୍କୃତିର ମହାନ ଅଙ୍ଗ ସେଇ ପାଲା ବର୍ଷାବସନ୍ତ, ଋତୁଚକ୍ର, ବିରହମିଳନ, ଶୃଙ୍ଗାର ଆଦିର ଟିକିନିଖି ବିଶ୍ଳେଷଣ ହିଁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସଂସ୍କୃତ ତଥା ରୀତିଯୁଗୀୟ ଓଡ଼ିଆ କାବ୍ୟସମୂହରୁ ଉଦ୍ଧୃତାଂଶ ମାଧ୍ୟମରେ ପରିବେଷିତ ହୋଇ ଅବସର ବିନୋଦନକୁ ରସସିକ୍ତ କରିପାରୁଥିଲା । କଥାବସ୍ତୁ ଅବଶ୍ୟ ଥିଲା ଗୌଣ ! ଗାୟକ, ବାୟକ, ପାଳିଆ ସଭିଏ ଥିଲେ ପ୍ରହସନର ଅଂଶ ! ସେଇ କୃତକର୍ମାମାନଙ୍କର ପାଣ୍ଡିତ୍ୟପୂର୍ଣ୍ଣ ଅନୁଶୀଳନ ଓ ପରିବେଷଣ ଯୋଗୁଁ ଯେ ପ୍ରାଚୀନ ଓଡ଼ିଆ କାବ୍ୟସାହିତ୍ୟ ସର୍ବଜନଗ୍ରାହ୍ୟ ଭାବେ ସଗର୍ବେ ଦଣ୍ଡାୟମାନ ଥିଲା; ଓଡ଼ିଆ ସାହିତ୍ୟର ପରିବ୍ୟାପ୍ତିରେ ସେମାନଙ୍କ ଅବଦାନକୁ ଭୁଲି ପାରିନି କଳାପ୍ରେମୀ ଓଡ଼ିଆ ଜାତି !
ପାଲାର ଏପରି ଅନବଦ୍ୟ ଅବଦାନ ସତ୍ତ୍ୱେ ତୁଷ୍ଟ ନ ଥିଲେ କବିମଞ୍ଜୁଳ ! ବନ୍ଧୁ ତଥା କେନ୍ଦ୍ରାପଡ଼ାର କୃତକର୍ମା ପାଲା ଗାୟକ ନରିନାଥଙ୍କ ପାଲାକୁ ଅନୁଧ୍ୟାନ କରୁଥିଲେ ସେ ! ପାଣ୍ଡିତପୂର୍ଣ୍ଣ ତଥା ପରିବେଷଣ କରୁଥିଲେ ‘ନରିନାଥ’ !
କିନ୍ତୁ ସେଇ ରସାଳ ପରିବେଷଣ କିବା ଦୋହଲାଇ ପାରୁଥିଲା ନିରକ୍ଷର ପଲ୍ଲୀବାସୀଙ୍କ ପ୍ରାଣକୁ ? ? ?
ଗଭୀର ଚିନ୍ତାରେ ଥିଲେ କୃଷ୍ଣପ୍ରସାଦ !
ଅନମନୀୟ ସଂସ୍କାରକ ଏବେ ଲାଗିପଡିଲେ ପାଲାରେ ସଂସ୍କାର ଆଣିବା ପାଇଁ ! ରଚନା କଲେ ଖଣ୍ଡକାବ୍ୟ ବାମନ ଅବତାର । ନରିନାଥ ହେଲେ ଅଭିଭୂତ, ପ୍ରଶଂସାମୁଖର ! ପଛକୁ ପଛ ଆସିଲେ ତାଙ୍କ ଅନୁଜ ‘ହରିନାଥ’, ‘ପରମାନନ୍ଦ ଶରଣ’, ‘ଜଗନ୍ନାଥ ପାଣିଗ୍ରାହୀ’, ‘ଅନିରୁଦ୍ଧ ପାଣିଗ୍ରାହୀ’ ଓଗେର !
ପାଲାଗାୟକ ମାନଙ୍କ ସମର୍ଥନ, ସହଯୋଗ ଓ ଆଶୀର୍ବାଦକୁ ପାଥେୟ କରି କବିମଞ୍ଜୁଳ ରଚିଚାଲିଲେ ‘ପରିକ୍ଷିତ ବ୍ରହ୍ମଶାପ’, ‘ପାଞ୍ଚାଳୀ ପଟ୍ଟାପହରଣ’, ‘ବ୍ରାହ୍ମଣ’, ‘ଦାକ୍ଷାୟିନୀ’, ‘ନିକୁମ୍ଭିଲା’, ‘ପାତକୀ’, ‘ଜନ୍ମାଷ୍ଟମୀ’, ‘ପାଦୁକା’, ‘ଗୌରଗାଥା’, ‘ନିମାଇଁ ସନ୍ନ୍ୟାସୀ’, ‘ଛତ୍ରପତି ଶିବାଜୀ’, ‘କବି ନର୍ତ୍ତକୀ’ ଆଦି ଖଣ୍ଡକାବ୍ୟମାନ ! ନିଜେ ପ୍ରଶିକ୍ଷଣ ଦେଲେ ଗାୟକମାନଙ୍କୁ ।
କଟକର ଦର୍ଜିଙ୍କ ଦ୍ଵାରା ପାଇଜାମା ଓ ପଞ୍ଜାବୀ ଆଦି ତିଆରି କରାଇଲେ କବି । ଗାୟକ ହରିନାଥଙ୍କ ପାଲାର ସେଇ ବେଶ ହିଁ ହୋଇଗଲା ଆଜି ପର୍ଯ୍ୟନ୍ତ ପାଲାକାରଙ୍କର ଅତିପରିଚିତ ଓ ପ୍ରଚଳିତ ବେଶଭୂଷା ! ପଲ୍ଲୀର ନିଭୃତ ପଣତରୁ ଖସି ଆସି ପାଲା ଓଡ଼ିଶାବାସୀ ତଥା ଓଡ଼ିଆଭାଷୀଙ୍କ ମର୍ମରେ ସ୍ପନ୍ଦନ ତୋଳିଲା ! ସମ୍ପୂର୍ଣ୍ଣରୂପେ ବଦଳିଗଲା ପାଲାର ଆଙ୍ଗିକ ରୂପରେଖ ଓ ଶୈଳୀ !
ରଙ୍ଗମଞ୍ଚ ପରି ପାଲାରେ ମଧ୍ୟ ବୈପ୍ଲବିକ ଅଭ୍ୟୁଦୟ ଆଣିଥିଲେ କୃଷ୍ଣପ୍ରସାଦ, ଅଥଚ ନିଜେ ନିଜ ମାଟିରେ ରହିଗଲେ ବିସ୍ମୃତ ହୋଇ ! ତାଙ୍କ ପାଖରେ ସମାହିତ ଥିଲା ଅସୁମାରୀ ପ୍ରତିଭା ! ତାଙ୍କ ପରି ବିରଳ ପ୍ରତିଭାଧାରୀଙ୍କ ବ୍ୟକ୍ତିତ୍ଵର ବିଶ୍ଳେଷଣ ମଧ୍ୟ ଏକ ଅସାଧ୍ୟ ବ୍ୟାପାର ଏବଂ ସେ ଦୃଷ୍ଟିରୁ ଯେତେ କହିଲେ ବି ଲାଗେ ଅପରିପୂର୍ଣ୍ଣ !
ଅତି ସୁନ୍ଦର ଆଲେଖ୍ୟ | ଧନ୍ୟବାଦ ସେଥିପାଇଁ |
ସେ ଯୋଗଜନ୍ମା ବ୍ୟକ୍ତିତ୍ୱଙ୍କୁ ଶତ ଶତ ପ୍ରଣାମ |
Pranaam Sir