ଲେଖା: ଦେଵ ତ୍ରିପାଠୀ
୧୬୦୦ ଖ୍ରୀଷ୍ଟାବ୍ଦ ! ଦୁର୍ଗ-ଜାଲ ଜଡ଼ିତ ଓଡ଼ିଶା ପ୍ରଦେଶ ଭ୍ରମଣରେ ଆସିଥିଲେ ବିଦେଶୀ ପରିବ୍ରାଜକ #ଆବୁଲ_ଫାଜଲ ! ଭୂଖଣ୍ଡର ବିଭିନ୍ନ ସ୍ଥାନରେ ସେ ଦେଖିଥିଲେ ଛୋଟବଡ଼ ଗଡ଼ସବୁ ! ପ୍ରତ୍ୟେକ ଗଡ଼ ଥିଲା ଏକ ଏକ ଗଡ଼ଜାତ ରାଜ୍ୟର ଆଭିଜାତ୍ୟପୂର୍ଣ୍ଣ ରାଜଧାନୀ ! ସୈନ୍ୟସାମନ୍ତ ଅଧ୍ୟୁଷିତ ସେଇ ଗଡ଼ଗୁଡ଼ିକର ଅଧିପତିମାନେ ଥିଲେ #ଗଡ଼ନାୟକ ବା #ଗଡ଼ସାମନ୍ତ ! ସେମାନଙ୍କ ଅଧୀନରେ ଥିଲେ ଅଗଣିତ ଅଶ୍ୱାରୋହୀ ଓ ପ୍ରାଥମିକ ସେନା ! ଗଜପତିଙ୍କ ଆଦେଶ ଅନୁସାରେ ଆବଶ୍ୟକ ବେଳେ ଗଡ଼ସାମନ୍ତମାନେ ଉପସ୍ଥିତ ହେଉଥିଲେ ଯୁଦ୍ଧକ୍ଷେତ୍ରରେ ! ସଦଳବଳେ !
ଏହିଭଳି ଭାବେ ଓଡ଼ିଆମାନଙ୍କର ବୀରତ୍ୱ ଓ ଗୌରବର ଗାଥା ଗାଉଥିବା ୭୨ଟି ସୁନ୍ଦର ଓ ସୁଦୃଢ଼ ଦୁର୍ଗମାଳାରେ ପରିଶୋଭିତ ଉତ୍କଳ ମାଟି ପ୍ରତି ସପ୍ରଶଂସ ସମ୍ମାନ ଜ୍ଞାପନ କରିଛନ୍ତି ଆବୁଲ ଫାଜଲ ! ନିଜର କାଳଜୟୀ “ଆଇନ୍-ଇ-ଆକବରୀ” ଗ୍ରନ୍ଥରେ ! ଉତ୍କଳର ଗଡ଼ଶ୍ରେଣୀ ବା ଦୁର୍ଗମାଳା ଦେଖି ବୈଦେଶିକ ଆକ୍ରମଣକାରୀ ଚକିତ ହୋଇଛନ୍ତି ! ମୁକ୍ତକଣ୍ଠରେ ସ୍ବୀକାରିଛନ୍ତି ଓଡ଼ିଆଙ୍କ ବୀରତ୍ୱ ! ଉତ୍କଳୀୟ ସମର ଇତିହାସରେ ସେଇ ଓଡ଼ିଆ ସୈନ୍ୟସାମନ୍ତଙ୍କ ମାତୃଭୂମିପ୍ରେମ ଆଗରେ ନତମସ୍ତକ ହୋଇଛନ୍ତି ।
ଓଡ଼ିଶାର ସମର ଇତିହାସରେ ସେମାନଙ୍କର ଓଡ଼ିଆପ୍ରେମ ଓ ବୀରତ୍ୱ ଅତୁଳନୀୟ ! କିନ୍ତୁ ଉତ୍କଳର ଯେଉଁ ‘ଗଡ଼’ ବା କିଲ୍ଲାଗୁଡ଼ିକ ଉନବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ଓଡ଼ିଶାର ସ୍ଵାଧୀନତା ରକ୍ଷା କରିପାରିଥିଲେ, ସେମାନଙ୍କ ବିଷୟରେ ଯଥେଷ୍ଟ ଐତହାସିକ ଗବେଷଣା ହୋଇପାରି ନାହିଁ । ଆମ ଓଡ଼ିଆ ଐତିହାସିକଙ୍କ କୃପାଦୃଷ୍ଟିରୁ ବଞ୍ଚିତ ଥିବା ସେପରି ଗଡ଼ଟିଏ କନିକା ।
ଓଡ଼ିଶା ଇତିହାସର ଏକ ଅନ୍ଧକାର ଯୁଗରେ ଯେତେବେଳେ ମୋଗଲ ସୁବାଦାରମାନେ ଓଡ଼ିଶାକୁ ବାରମ୍ବାର ଆକ୍ରମଣ କରୁଥିଲେ, ସେତେବେଳେ ଓଡ଼ିଶାର ବଡ଼ ବଡ଼ ଗଡ଼ଜାତ ସମେତ କନିକା ରାଜାମାନେ ବୀରତ୍ବର ପରକାଷ୍ଠା ପ୍ରଦର୍ଶନ କରିଥିଲେ । ଏ ରାଜ୍ୟର ଅତୀତ ଇତିହାସ ଅତ୍ୟନ୍ତ ଗୌରବାବହ ଏବଂ ସମୃଦ୍ଧ । ପାଇକବାହିନୀର ସାହସିକତା ଓ ରଣନୈପୁଣ୍ୟର ଗୌରବଗାଥା ଚିର ଅମଳିନ !
ଓଡ଼ିଶାରେ ଯେତେବେଳେ ରାଜନୈତିକ ଆନ୍ଦୋଳନ ଘଟିଛି ଏବଂ ରାଜ୍ୟବିସ୍ତାର ଦିଗରେ ପର୍ଯ୍ୟାୟକ୍ରମେ ଯେତେ ପ୍ରକାର ଜୟ ପରାଜୟ ଘଟିଅଛି, ସେଥିରୁ କନିକା ବାଦ ଯାଇନାହିଁ । ତେଣୁ ଏ ରାଜ୍ୟର ଅତୀତ ଇତହାସ ଓଡ଼ିଶା ଇତିହାସର ମୁଖ୍ୟଧାର ସଙ୍ଗେ ଅତି ଘନିଷ୍ଠ ଭାବେ ସମ୍ପୃକ୍ତ ! ପୂର୍ବେ ଦରିଆ ପାରିରେ ଉପନିବେଶ ସ୍ଥାପନ ଓ ଜଳଦସ୍ୟୁମାନଙ୍କର ମୁକାବିଲା ନିମିତ୍ତ ଉତ୍କଳୀୟ ନୌବାହିନୀ ସଦା ଜାଗ୍ରତ ଥିଲା । ଓଡ଼ିଶାର କୌଣସି ବହିଃଶତ୍ରୁଙ୍କୁ ନଦୀ ମୁହାଣ ଦେଇ ଦେଶ ମଧ୍ୟରେ ପ୍ରବେଶ କରାଇ ନ ଦେବା ନିମନ୍ତେ ଓଡ଼ିଶାର ଗଜପତିମାନେ ଯେଉଁ କେତେ ଜଣ ଖଣ୍ଡାୟତ ବା ସାମନ୍ତରାଜାଙ୍କୁ ସମୁଦ୍ର ଉପକୂଳରେ ରଖାଇଥିଲେ, ସେମାନଙ୍କ ଭିତରେ ଥିଲେ #କନିକା, #ଆଳି ଓ #କୁଜଙ୍ଗ ! ଏହି ରାଜାମାନେ ଓଡ଼ିଶା ରାଜାଙ୍କଠାରୁ #ମୁହାଣ_ଚୌକିଆ ଜାଗିର ପାଇଥିଲେ ଏବଂ ଏମାନଙ୍କର #ମୁହାଣ_କୁମ୍ଭୀର ଉପାଧି ଓ ସନ୍ତକ ଥିଲା । ସେମାନେ ମୁହାଣ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ ।
ସମୁଦ୍ରରୁ ସ୍ଥଳଭାଗକୁ ଆସିବା ନିମିତ୍ତ ମୁହାଣଗୁଡ଼ିକ ଥିଲା ପ୍ରବେଶପଥ । ସେହି ମୁହାଣ ନିକଟରେ କୁମ୍ଭୀର ସଦୃଶ ସାମନ୍ତରାଜାମାନେ ଜଗି ରହୁଥିଲେ । ରାଜା ଏଠି ରାଜା ନ ଥିଲେ, ଥିଲେ ମାତୃଭୂମିର ଚୌକିଦାର ବା ସଦାଜାଗ୍ରତ ପ୍ରହରୀ ।
ଓଡ଼ିଶାର ପ୍ରଖ୍ୟାତ ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା ନଦୀର ଶେଷ ଭାଗ କନିକା ରାଜ୍ୟ ମଧ୍ୟରେ ପଡ଼େ । ପୂର୍ବରେ ଥାଏ ତରଙ୍ଗ ସଂକୁଳ ବଙ୍ଗୋପସାଗର, ପରଖା ସଦୃଶ !
ନଦୀସମୁଦ୍ର ପରିବେଷ୍ଟିତ ଶସ୍ୟଶ୍ୟାମଳା ଭରା କନିକା ଥିଲା ଏକ ବିଭବଶାଳୀ ବୀରଭୂମି ! କନିକା ରାଜା ଏବଂ ଅଧିବାସୀମାନେ ଥିଲେ ଅତ୍ୟନ୍ତ ସାହସୀ ଓ ଅନମନୀୟ ! ସେତେବେଳେ ରାଜା ଅବସ୍ଥାନ କରୁଥିଲେ ରିଘାଗଡ଼ରେ । ପାଇକମାନେ ବାସ କରୁଥିଲେ ଗଡ଼ ଓ ତତସଂଲଗ୍ନ ଗ୍ରାମମାନଙ୍କରେ ! ବିଶାଳ କନିକା ଥିଲା ସମୃଦ୍ଧ ଓ କନକମୟ ! ଦୁର୍ଗ ଥିଲା ସୁରକ୍ଷିତ ! ରାଜ୍ୟରେ ବିରାଜୁଥିଲା ଶାନ୍ତି !
କଳିଙ୍ଗର ପ୍ରବେଶପଥ #ଧାମରା ମୁହାଣ (#କନିକା_ମୁହାଣ ରୂପେ ପରିଚିତ) ଥିଲା କନିକା ରାଜ୍ୟର ଅନ୍ତର୍ଗତ ! ତେଣୁ ଗଜପତି ବହିଃଶତ୍ରୁ ଆକ୍ରମଣର ପ୍ରତିରୋଧ କ୍ଷେତ୍ରରେ କନିକା ରାଜାଙ୍କ ମତାମତକୁ ସମ୍ମାନ ଦେଉଥିଲେ ! କନିକା ରାଜା ଯେ କେବଳ ଏକ ଧନଶାଳୀ ରାଜ୍ୟର ଅଧୀଶ୍ୱର ନ ଥିଲେ, ତାଙ୍କର ଥିଲା ଏକ ସଶକ୍ତ ନୌଶକ୍ତି ! ଶହ ଶହ ଧୀବର, ମଲ୍ହା, ମାଝିମାନଙ୍କ ଦ୍ୱାରା ପରିଚାଳିତ ଷାଠିଏ ଆହୁଲା ଶହେ ଆହୁଲା ଚଳିତ #ରଣତରୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଧାମରା ମୁହାଣ, #ଭିତରକନିକା ଜଙ୍ଗଲ ମଧ୍ୟସ୍ଥ ନଦନଦୀ, #ରିଘାଗଡ଼ ନଦୀଘାଟରେ ପ୍ରସ୍ତୁତ ହୋଇ ରହୁଥିଲା । ସମର କୁଶଳୀ #ପାଇକ ଓ ନାୟକମାନେ ଆବଶ୍ୟକ ସ୍ଥଳେ କନିକା ଜଙ୍ଗଲକୁ ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରୁଥିଲେ । କନିକାରା ଜଳଯୁଦ୍ଧ ବିଶାରଦ ନୌଯୋଦ୍ଧାମାନେ ଶତ୍ରୁ ଆକ୍ରମଣର ମୁକାବିଲା କରିବା ସଙ୍ଗେ ସଙ୍ଗେ ପୁର୍ବସାଗରରେ ଓଡ଼ିଆ ବଣିଜ ଭାଗ୍ୟକୁ ବିପର୍ଯ୍ୟସ୍ତ କରୁଥିବା ଜଳଦସ୍ୟୁମାନଙ୍କୁ ପ୍ରତିହତ କରୁଥିଲେ ! ସମୁଦ୍ରରେ କଳିଙ୍ଗ ସାଧବମାନଙ୍କୁ ନିରାପତ୍ତା ଯୋଗାଇ ଦେଉଥିଲେ !
ଓଡ଼ିଶା ଉପକୂଳର ଚିଲିକା ଓ ଧାମରା ମୁହାଣଦ୍ବୟ ଦେଇ ବାହାରର ଶତ୍ରୁ ଯେପରି ଦେଶ ଭିତରକୁ ପ୍ରବେଶ କରି ନ ପାରନ୍ତି ଏ ବାବଦରେ ଚିର ସଜାଗ ରହୁଥିଲେ #ପାରିକୁଦ ଓ କନିକା ରାଜା ! ସେଥିପାଇଁ ଗଜପତି ଏ ରାଜାଦ୍ବୟଙ୍କୁ ସ୍ବତନ୍ତ୍ର ଜାଗିର ପ୍ରଦାନ କରିଥିଲେ । ପୁରୁଷ ପୁରୁଷ ଧରି ଏ ରାଜାମାନଙ୍କ ତତ୍ତ୍ୱାବଧାନରେ ପରିଚାଳିତ ପୋତବାହିନୀ ମୁହାଣଦ୍ବୟକୁ ଜଗି ରହୁଥିବା କାରଣରୁ ଦୀର୍ଘକାଳ ପର୍ଯ୍ୟନ୍ତ ଓଡ଼ିଶା ଅପରାଜେୟ ରହିଥିଲା ! ଅର୍ଥଲୋଭରେ ପଡି ପାରିକୁଦ ରାଜାଙ୍କ ବିଶ୍ୱାସଘାତକତା ଯୋଗୁଁ ଓଡ଼ିଆ ଯୁଦ୍ଧପୋତଗୁଡ଼ିକ ମୁସଲମାନ ଆକ୍ରମଣକାରୀଙ୍କ ହାତରେ ପଡିଲା ସତ ! ମାତ୍ର କନିକା ରାଜାଙ୍କ ବାହିନୀ ଅପୂର୍ବ ବୀରତ୍ୱର ସହ କିଛି ତୋପ ମୁକୁଳାଇ ପାରିଥିଲେ ! ବିଶ୍ବାସଘାତକତା ପାଇଁ ପାରିକୁଦ ରାଜା ସେଇଦିନରୁ #ନିମକହାରାମ_ଜାଗୀରଦାର ବୋଲି କୁଖ୍ୟାତ ହେଲେ, ମାତ୍ର କନିକା ରାଜା ବ୍ରିଟିଶ ଆକ୍ରମଣ ପର୍ଯ୍ୟନ୍ତ ଏ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ !
ଉତ୍କଳ ଗଜପତିଙ୍କ ଶାସନାଧୀନ ଅଞ୍ଚଳ ହେଲେ ହେଁ କନିକା ସଦାସର୍ବଦା ଥିଲା ସ୍ବତନ୍ତ୍ର ଗୁରୁତ୍ବର ଅଧିକାରୀ ! ଉତ୍କଳର ସାମରିକ ଇତିହାସରେ କନିକାର ଶହେ ଆହୁଲା ବିଶିଷ୍ଟ ରଣତରୀ ଯେ କିଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା, ତାହା ଜଣାପଡ଼େ ବ୍ରିଟିଶ ଐତିହାସିକ #ହାମିଲଟନ ଙ୍କ ପ୍ରଶଂସମୁଖରିତ ବିବରଣୀରୁ !
ତଥ୍ୟ ସହାୟତା: ‘ଯୁଗେ ଯୁଗେ କନିକା’, ଅଧ୍ୟାପକ ଶାନ୍ତନୁ କୁମାର ମହାନ୍ତି, ସତ୍ୟବ୍ରତ ପ୍ରକାଶନୀ, କଟକ