କନିକା ପ୍ରଜାମେଳି

ଲେଖା: ନିରଞ୍ଜନ ସାହୁ
         
୧୯୨୧-୧୯୨୨ ମସିହାରେ କନିକା ଗଡ଼ଜାତରେ ଅଞ୍ଚଳରେ କନିକା ପ୍ରଜାମେଳି ସଙ୍ଗଠିତ ହୋଇଥିଲା । ଏହା ଥିଲା ରାଜା ଶ୍ରୀ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ବିରୋଧରେ, ଯିଏ କି କୃଷକ ମାନଙ୍କ ଉପରେ ଆଖିବୁଜା କର ବସାଇଥିଲେ । ଏହାହିଁ ହେଉଛି ସେ ସମୟର ଇଂରେଜ ସରକାରଙ୍କ ଭାଷାରେ Egg Tax ।

ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହୋଇ ଅଭୂତପୂର୍ବ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସେହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଜଣେ ସଂଗ୍ରାମୀ ମଣିଷ ଚକ୍ରଧର ବେହେରା ଏବଂ ଜଣେ ବିପ୍ଳବୀକବି ଆନନ୍ଦ ଚନ୍ଦ୍ର ଜେନା । ଏହି ପ୍ରତିବାଦରେ କନିକା ଅଞ୍ଚଳ ସାରା ବିପ୍ଳବର ବହ୍ନି ଜଳି ଉଠିଥିଲା। ଏଥିରେ ଦୁଇ ଜଣ କୃଷକ ମୃତ୍ୟୁ ବରଣ କରିଥିଲେ । ସମଗ୍ର ଦେଶରେ ଏହି ବିପ୍ଳବୀ ଦୁଇ ଜଣ ଯାକ ବାସୁ ବିଶୁନି ନାମରେ ପରିଚିତ । ଏହା ଥିଲା ଓଡ଼ିଶାରେ କନିକା ପ୍ରଜାମେଳି ନାମରେ ଖ୍ୟାତ ।

~ ବାସୁ ସେଠୀ ~
ଅବିଭକ୍ତ କଟକ ଜିଲ୍ଲା (ଅଧୁନା କେନ୍ଦ୍ରାପଡ଼ା ଜିଲ୍ଲା)ର ଛମୁକା ଅଞ୍ଚଳରେ ଅବସ୍ଥିତ ତେନ୍ତୁଳିକୋଟି ଗାଁରେ ବାସୁ ସେଠୀଙ୍କର ଜନ୍ମ ୧୮୮୮ ମସିହାରେ । ପିତାଙ୍କ ନାମ ଶଙ୍କର ସେଠୀ, ଜାତିରେ ଧୋବା । ବାସୁ କିଛି ହେଲେ ପାଠ ପଢ଼ି ନ ଥିଲେ । ସେତେବେଳେ ପାଠ ପଢ଼ିବା ପାଇଁ ମନ ଥିଲେ ମଧ୍ୟ ସୁବିଧାସୁଯୋଗ ଏତେଟା ନ ଥିଲା । ସହଜେ ନଈ ନାଳଘେରା ଜଙ୍ଗଲ ପରି ଲାଗୁଥିଲା ଛମୁକା ଅଞ୍ଚକ । ସବୁବେଳେ ଧୋଇ ମରୁଡ଼ିରେ ଉବୁଟୁବୁ ହୋଇ ଲୋକଙ୍କର ଆର୍ଥକ ଅବସ୍ଥାକୁ ବହୁତ ଖରାପ କରିଦେଇଥିଲା । ବାସୁ ସେଠୀଙ୍କର ଜମିବାଡ଼ି ବୋଲି କିଛି ନ ଥିଲା । ଯାହାବି ଥିଲା ରାଜାଙ୍କ ଲୋକେ ତାକୁ ଭୋଗ ଦଖଲ କରିବାକୁ ଦେଉ ନ ଥିଲେ । ତେଣୁ ରାଜାଙ୍କ ବୃତ୍ତି କରି ସେ ପେଟ ପୋଷୁଥିଲେ । ଦାରିଦ୍ର୍ୟ ଓ ଅଭାବ ଅନଟନରେ ରହି ପାଠପଢ଼ି ନ ଥିଲେ ମଧ୍ୟ ତାଙ୍କ ମନରେ ଦେଶଭକ୍ତି ଭରି ରହିଥିଲା ।

ବାସୁଙ୍କ ବାପା ଓ ପରିବାରଙ୍କ ଉପରେ ହେଉଥିବା ରାଜା ଅତ୍ୟାଚାର ବିରୋଧରେ ସବୁ ଶୁଣି ଶୁଣି ପିଲାବେଳୁ ସେ ବିଦ୍ରୋହୀ ସାଜିଥିଲେ । ସେତେବେଳେ ଛୁଆଁଅଛୁଆଁ ଭେଦଭାବ ଥିଲେ ମଧ୍ୟ ତାଙ୍କୁ ସମସ୍ତେ ଭଲ ପାଉଥିଲେ । ସେ ଥିଲେ ସାହସୀ ଓ ନିର୍ଭିକ । ସମସ୍ତଙ୍କ ଦୁଃଖରେ ଦୁଃଖୀ । ଛୋଟବେଳୁ ସମଗ୍ର ପ୍ରଜାମେଳିରେ ସେ ଏକପ୍ରକାର ନେତା ହୋଇଯାଇଥିଲେ; କେବଳ ସେତିକି ନୁହେଁ ସେ ସେହିଦିନଠାରୁ  ଲାଠି, ମୁଦଗର ଇତ୍ୟାଦି ବୁଲେଇବା ଅଭ୍ୟାସ ମଧ୍ୟ କରିଥିଲେ । ଗାଁ ଗାଁରେ ବସୁଥିବା ପ୍ରଜାମେଳିର ଗୁପ୍ତ ସଭାରେ ବାସୁ ଯୋଗ  ଦେଉଥିଲେ । ଖବର ନେବା ଆଣିବା କରିବା, ଲୋକଙ୍କୁ ଏକାଠି କରିବା ଓ ରାଜାଙ୍କ ବିରୋଧରେ ମତାଇବା ଥୁଲା ତାର ମୁଖ୍ୟ କାମ ।

ସଭା ପରେ ସଭା ଚାଲିଲା । ୧୯୨୦ ମସିହାର ଅସହଯୋଗ ଆନ୍ଦୋଳନର ପ୍ରଭାବ କନିକାରେ ଅନୁଭୂତ ହେଲା । ରାମଦାସ ବାବାଜି ଅସହଯୋଗ ଆନ୍ଦୋଳନ ବିଷୟରେ ବୁଝାଉଥାଆନ୍ତି । ବାସୁ ସେଠୀ କନିକା ଅଞ୍ଚଳରେ ସମସ୍ତ ଅସବର୍ଣ୍ଣ ଓ ଅତ୍ୟାଚାରିତ ଭାଇମାନଙ୍କୁ  ଏକଜୁଟ କରିବାପାଇଁ ଗାଁରୁ ଗାଁକୁ ବୁଲୁଥାନ୍ତି । ଛମୁଜା ଅଞ୍ଚଳରେ କଂଗ୍ରେସ ମଧ୍ୟ ସଭ୍ୟ ସଂଗ୍ରହ କରିଚାଲିଥାଏ । ଚାରିଆଡ଼େ ଚାଲିଲା ପ୍ରଜାସଭା । ଗାଁ ଗାଁରେ ଖଜଣା ଦେବା ବନ୍ଦ କରି ଦିଆଗଲା । ଛାତ୍ର ଧର୍ମଘଟ ଓ ପ୍ରଜାସଭା ମାଧ୍ୟମରେ ରାଜା ଓ ବ୍ରିଟିଶ ସରକାରଙ୍କୁ ବିରୋଧ କରାଗଲା ।

କନିକାରାଜାଙ୍କ ଅନୁରୋଧକ୍ରମେ ୧୯୨୨ ମସିହା ଏପ୍ରିଲ ୨୨ ତାରିଖ ଦିନ ବହୁତ ବନ୍ଧୁକଧାରୀ ପୋଲିସ ଫଉଜ ଧରି କଟକ ଜିଲ୍ଲା ଏସପି ଶ୍ରୀକୃଷ୍ଣ ମହାପାତ୍ର ରାଜକନିକାରେ ପହଞ୍ଚିଲେ । ଏହା ପୂର୍ବରୁ ଇଂରେଜ ସରକାର ପଠାଇଥିବା ସୈନ୍ୟବାହିନୀ କନିକାର ପହଞ୍ଚି ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ସେମାନେ ଘର ମଧ୍ୟରେ ପ୍ରବେଶ କରି ଗହଣା ଓ ଟଙ୍କା ଲୁଟ କରିନେଇଥିଲେ । ଘରେ ଘରେ ପଶି ସ୍ତ୍ରୀଲୋକଙ୍କୁ ଅପମାନ ଦେଇଥିଲେ । ଏପରିକି ଗୋଟିଏ ଘରେ ସ୍ୱାମୀଙ୍କୁ ବାନ୍ଧି ପକାଇ ତାଙ୍କ ସମ୍ମୁଖରେ ସ୍ତ୍ରୀଙ୍କର ଇଜତ ନେବା ନାରକୀୟ ଘଟଣା ସଂଘଟିତ ହୋଇଥିବାର ମଧ୍ୟ ଜଣାଯାଏ । ଏହିପ୍ରକାର ଅତ୍ୟାଚାର ବିରୋଧରେ ପ୍ରତିବାଦ ଜଣାଇବାପାଇଁ ଦଳବଦ୍ଧ ହୋଇ ପ୍ରଜାମାନେ ପୋଲିସ ସାହେବଙ୍କ ନିକଟକୁ ଆସୁଥିଲେ ।

ଏହା ଅଲା ୧୯୨ ୨ ମସିହା ଏପ୍ରିଲ ୨୨ ତାରିଖର ଘଟଣା । ତେରୁନିକୋଳିରୁ ବାସୁ ସେଠୀ ସମେତ ବହୁ ବ୍ୟକ୍ତିଙ୍କର ନେତୃତ୍ବରେ ହଜାର ହଜାର ପ୍ରଜା ମେଘପୁରର ବଜ୍ର ମହାକାଳୀ ମନ୍ଦିର ସମ୍ମୁଖ ପଡ଼ିଆରେ ଠୁଳ ହେଲେ । ଠିକ୍ ତା’ ପରଦିନ ଏପ୍ରିଲ ୨୩ ତାରିଖ ଦିନ ବୈଶାଖ ମାସର ଧୁ ଧୁ ଖରାବେଳରେ ହଜାର ହଜାର ସଂଖ୍ୟାରେ ପ୍ରଜା ଠୁଳ ହେଲେ ଦିନ ୧୨ଟା ସମୟରେ । ସବ  ଇନିସ୍‌ପେକ୍ଟର ଓ ଏସ.ପି. ଇତ୍ୟାଦି କର୍ମଚାରୀ ଚାଲିଲେ ପାଟପୁର । ବାସୁ ସେ ହୁଙ୍କାର ଦେଉଥାନ୍ତି — “ରାଜା କେତେ ବାଡ଼ିଆ ରଖିଛି । ଛାଡ଼, ମୋ ପାଖକୁ ଦେଖିନେବି” । ଘରୁ  ବାହାରିବା ପୂର୍ବରୁ ବାସୁ ସେଠୀ ତାଙ୍କ ସ୍ତ୍ରୀଙ୍କୁ ପଚାରିଲେ “ଠେଙ୍ଗା ନେବି ନା କୁରାଢ଼ି  ନେବି ?’ ସ୍ତ୍ରୀ କହିଲେ, କୁରାଢ଼ି କାହିଁକି ନେବ ? ଠେଙ୍ଗା ଧରିଲେ ତ ତମ ପାଖ କେହି ପଶିପାରିବେନି ।” ବାସୁ କହିଲେ “ଠିକ କହିଛୁ । ଠେଙ୍ଗା ନେବି । ଯଦି ନ ଫେରେ ତେବେ ଏହି କୁରାଢ଼ି ତୋ ଇଜ୍ଜତ ରଖିବ।” କ୍ରମେ କ୍ରମେ ଅଧିକରୁ ଅଧିକ ପ୍ରଜା ଠୁଳ ହେବାର ଦେଖି ବିପଦ ଆଶଙ୍କାପୂର୍ବକ ଏସ,ପି, ଶ୍ରୀକୃଷ୍ଣ ମହମାତ୍ର ଗୁଳି ଚଳାଇବା ପାଇଁ ଆଦେଶ ଦେଲେ । ବାସୁ ପିଠିରେ ଗୋଟିଏ ଗୁଳି ବାଜିଲା । ତଥାପି ସେ ସିପାହୀ ଉପରେ ପାହାରଟିଏ କଷି ଦେଲେ । ପୁଣି ଥରେ ତାଙ୍କ ପିଠିରେ ଆଜି ଏକ ଗୁଳି, ସେ ଆଉ ସମ୍ଭାଳିପାରିଲେ ନାହିଁ । ସେହିଠାରେ ହିଁ ଟଳି ପଡ଼ିଲେ କନିକା ପ୍ରଜାମେଳି ପାଇଁ ଲଢୁଥିବା ଲଢୁଆ ସହିଦ ବାସୁ ସେଠୀ ।

~ ବିଶୁନି ମଢ଼ୁଆଳ ~
ଅବିଭକ୍ତ କଟକ ଜିଲ୍ଲା (ଅଧୁନା କେନ୍ଦ୍ରାପଡ଼ା ଜିଲ୍ଲା) ଅନ୍ତର୍ଗତ ଛମୁକା ଅଞ୍ଚଳର ବର୍ତ୍ତନୀ ଗାଁରେ ବିଶୁନି ମଢ଼ୁଆଳଙ୍କ ଜନ୍ମ ୧୮୯୦ ମସିହାରେ । ସେ ଥିଲେ ଲକ୍ଷ୍ମଣ ମଢ଼ୁଆଳଙ୍କ ପୁଅ । ଜାତିରେ ଖଣ୍ଡାୟତ । ବିଶୁନିର ଅବସ୍ଥା ଅପେକ୍ଷାକୃତ ଭଲ । ହେଲେ ସେ କିଛି ପାଠ ପଢ଼ି ନ ଥିଲେ । ପାଠ ପଢ଼ି ନ ଥିଲେ ମଧ୍ୟ ବର୍ତ୍ତନୀର ବିଶିଷ୍ଟ ଧନୀ ଦୀନବନ୍ଧୁ ଖଣ୍ଡାୟତ ରାୟ ପରିବାରର ଏକାନ୍ତ ବିଶ୍ୱସ୍ତ ଅନୁଚରଭାବେ କାର୍ଯ୍ୟ କରୁଥିଲେ । ଦୀନବନ୍ଧୁଙ୍କର ଗାଈ ଓ ମଇଁଷି ପଲର ଯତ୍ନ ନେଉଥିବା ଲୋକଙ୍କର କାର୍ଯ୍ୟ ସେ ତଦାରଖ କରୁଥିଲେ । ପରେ ପରେ ସେ ହୋଇଥିଲେ ସର୍ଦାର । ଦୀନବନ୍ଧୁଙ୍କ ଘରେ ବସୁଥିବା କନିକା ପ୍ରଜାମେଳି ସଭାରେ ସେ ବସନ୍ତି । ରାଜାଙ୍କର ଅନ୍ୟୟ ଅତ୍ୟାଚାର କଥା ଶୁଣି ଶୁଣି ସେ ରାଜବିଦ୍ରୋହୀ ହୋଇ ପଡ଼ିଥିଲେ । ପରବର୍ତ୍ତୀସମୟରେ ସେ ମଧ୍ୟ ଜଣେ ନେତା ହୋଇଥିଲେ ।

ପିଲାଦିନେ ବିଶୁନି ଲାଠି, ତରବାରି ଓ ମୁଦଗର ଚଳାଇବାରେ ଶିକ୍ଷାଲାଭ କରିଥିଲେ । ସେ ମଧ୍ୟ ଥିଲେ ସମସ୍ତଙ୍କର ପ୍ରିୟ ଓ ବିଶ୍ୱସ୍ତ । ରାଜାଙ୍କ ଅତ୍ୟାଚାରରୁ ତାଙ୍କ ପରିବାର ମଧ୍ୟ ରକ୍ଷା ପାଇ ନ ଥିଲା । ତେଣୁ ତାଙ୍କଠି ଲଢୁଆ ମନୋଭାବ ସୃଷ୍ଟି ହୋଇଥିଲା । ତା’ର ସେବାଭାବ ଓ ସଚ୍ଚୋଟପଣିଆ ସମସ୍ତଙ୍କୁ ମୁଗ୍ଧ କରିଥିଲା । ତେଣୁ ଖବର ନେବାଆଣିବା, ଲୋକଙ୍କୁ ଏକାଠି କରିବା ଓ ରାଜାଙ୍କ ବିରୋଧରେ ମତାଇବା ଥିଲା ପିଲାଦିନରୁ ତାଙ୍କ ମୁଖ୍ୟ କାମ ।

ଏହା ଥିଲା ୧୯୨୧ ମସିହା ମେ-ଜୁନ ମାସର ଘଟଣା। ବନୀ ଗାଁରେ ଦୀନବନ୍ଧୁ ଖଣ୍ଡାୟତ ରାୟଙ୍କ ଘରେ କନିକା ପ୍ରଜାମେଳି ପାଇଁ ଏକ ଗୁପ୍ତ ବୈଠକ ବସିଥିଲା । ଏଥିରେ ରାଜାଙ୍କ ବିରୋଧରେ ବଛା ବଛା ଚାଷୀମାନେ ସରଗରମ ଆଲୋଚନା କରୁଥାଆନ୍ତି । ଖଜଣା ବୃଦ୍ଧି ଓ ରାଜାଙ୍କ ଅତ୍ୟାଚାର ସଙ୍ଗେ ସଙ୍ଗେ ସବୁ କଥା ଆଲୋଚନା ହେଉଥାଏ । ଦୀନବନ୍ଧୁ ଖଣ୍ଡାୟତ ରାୟଙ୍କ ଘରେ ବୈଠକ ବସିଥିଲା । ବିଶୁନି ସେହି ବୈଠକରେ ସବୁ କଥା ଶୁଣୁଥାନ୍ତି ଓ ସେ ନିଜେ ମଧ୍ୟ ଗାଁ ଗାଁ ବୁଲି ଲୋକମାନଙ୍କୁ ମତାଉଥାନ୍ତି । ତାଙ୍କ ଉପରେ ଦାୟିତ୍ବ ଦିଆଯାଇଥାଏ ପ୍ରଜାଙ୍କ ବିରୋଧରେ ବିପ୍ଳବର ବହ୍ନିକୁ ତେଜୀୟାନ୍ କରିବାପାଇଁ । ସେ ମଧ୍ୟ ରାଜାଙ୍କର ନିର୍ଯାତନା ବିଷୟରେ କହି ଲୋକଙ୍କ ଦେହରେ ଶତସିଂହର ସାହସ ଭରିଦେଇଥିଲେ ।

ଦୀନବନ୍ଧୁ ଖଣ୍ଡାୟତ ରାୟଙ୍କ ନିର୍ଦ୍ଦେଶରେ ବିଶୁନି ଗାଁ ଗାଁ ବୁଲି ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ ବିଷୟରେ ଲୋକଙ୍କୁ ବୁଝାଉଥାନ୍ତି । ବିଶୁନିର  ପ୍ରରୋଚନାରେ ଅନେକ ଅଶିକ୍ଷିତ ଲୋକ କଂଗ୍ରେସର ସଭ୍ୟ ହେଲେ । ଏକନମ୍ବର କଂଗ୍ରେସ କର୍ମୀଭାବେ ସେ କାମ କଲେ ଛମୁକା ଅଞ୍ଚଳରେ ।

ଇତି ମଧ୍ୟରେ ଏପ୍ରିଲ ୨୨ ତାରିଖ ପହଞ୍ଚିଲା । ସେଦିନ ଠେଙ୍ଗା ଖଣ୍ଡେ ଖଣ୍ଡେ ଧରି ମେଳିଆମାନେ ରାଜନଅରରେ ମେଘପୁର ବଜ୍ର ମହାକାଳୀଙ୍କ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇଥିଲେ । ଉଭୟ ପକ୍ଷର ଆଶା-ଆଶଙ୍କା ଓ ଉତ୍ତେଜନା ଭିତରେ ୨୨ ତାରିଖର କାଳରାତ୍ରି ଶେଷ ହୋଇ ୨୩ ତାରିଖ ସକାଳ ହେଲା । ତିନିଗୋଟି ସୁସଜିତ ପାଲିଙ୍କିରେ ଏସ.ପି. ଶ୍ରୀକୃଷ୍ଣ ମହାପାତ୍ର, ଇନ୍ସପେକ୍ଟର ଓ କନିକା ରାଜାଙ୍କର ନୃଶଂସତମ ଅଫିସର ରାଧାଶ୍ୟାମ ଦାସ ପୋଲିସ ଫୋଉଜ  ଧରି ଶୋଭାଯାତ୍ରା ଆରମ୍ଭ କଲେ । ଚାଲିଲେ ସହସ୍ରାଧକ ନଅର ତଳିଆ ଦେଶଦ୍ରୋହୀ ଗୁଣ୍ଡାବାହିନୀ । ଲକ୍ଷ୍ୟସ୍ଥକ ଥୁଲା ପତରପୁର (ପାଟପୁର) । ସମସ୍ତଙ୍କ ଆଖି ବିଶୁନି ମଢୁଆଳଙ୍କ ଉପରେ । ଘରୁ ବାହାରିବା ପୂର୍ବରୁ ସେ ତା’ର ସ୍ତ୍ରୀଙ୍କୁ କହିଥିଲେ ନ ଫେରିଲେ କାନ୍ଦିବୁ ନାହିଁ । କଥାଟା ଶୁଣି ସ୍ତ୍ରୀ କାନ୍ଦିଉଠିବାରୁ ତାଙ୍କୁ ବୁଝାବୁଝି କରି ଘର ଛାଡ଼ିଲେ । ଦୁଆର ମୁହଁରେ ପୁଅ ନରେନ୍ଦ୍ର ଓ ଯୋଗେନ୍ଦ୍ରକୁ ଗେଲ କରିବା ପରେ ବାମ କାନ୍ଧରେ ଧନୁ ଓ ଶର, ବାଟୁଳି, ଅଣ୍ଟାରେ ମୁଣିଏ ଗୁଲି, ଡାହାଣ ହାତରେ ସିନ୍ଦୁରଲଗା କାଠର ଠେଙ୍ଗା ଧରି ଆଗେଇ ଚାଲିଲେ ବିଶୁନି ।

ଖରାବେଳ, ଝାଞ୍ଜି ପିଟୁଥାଏ । ଚାରିଆଡ଼େ ଖାଲି ମୁଣ୍ଡମାଳ । କନିକା ପ୍ରଜାମେଳି ! ପ୍ରାୟ ଦୁଇହଜାର ମେଳିଆଙ୍କର ସମାବେଶ । ପୋଲିସ ସେମାନଙ୍କୁ ଦେଖି ଚାଲିଲେ ମେଘପୁର । ବିଶୁନି ବଡ଼ପାଟି କରି କହୁଥାନ୍ତି, “ଭାଇମାନେ କେହି ଡର ନାହିଁ । ଫଉଜର ବନ୍ଧୁକ ଥିଲେ ଆମର ଅଛି ଠେଙ୍ଗା, ବାଟୁଳି, ତେଣ୍ଟା, ପାର୍ଶା, ଟେକା ଓ ପଥର । ମୁଁ ଆଗରେ ଅଛି ।”

ପ୍ରଥମେ ଉଦୟ ନାୟକ ନାମରେ ଜଣେ ବ୍ୟକ୍ତି ପୋଲିସ ସାହେବଙ୍କ ମୁଣ୍ଡ ଲକ୍ଷ୍ୟକରି ଟେକା ମାରିଲା । କିନ୍ତୁ ତାହା ସାହେବଙ୍କ ମୁଣ୍ଡ ଟୋପିରେ ବାଜିବାରୁ ସେ ବଞ୍ଚିଗଲେ ସତ, ହେଲେ ଖୁବ୍ ରାଗିଗଲେ । ପୋଲିସର ଫାଙ୍କା ଗୁଳି ଚାଲିଲା । ମାତ୍ର ବିଶୁନି ଡରି ନ ଥିଲେ । ଚାହିଁଥିଲେ ସେ ଖସିଯାଇ ପାରିଥାଆନ୍ତେ । ହେଲେ, ସେ ଗଲେ ନାହିଁ । ସେ ଭୀରୁ ହେବେ ନାହିଁ । ମରିବେ ପଛେ ଶତ୍ରୁକୁ ପିଟି ପିଟି ମାରିଦେବେ । ଇତିମଧ୍ୟରେ ପ୍ରଜାଙ୍କର ଲାଠିମାଡ଼ରେ ରାଜାଙ୍କର କିଛି ଲୋକ ଆହତ  ହେଲେ । ଶେଷରେ ପୋଲିସ ସୁପରିଣ୍ଟେଣ୍ଟ ଶ୍ରୀକୃଷ୍ଣ ମହାପାତ୍ର ଗୁଳି ଚଳାଇବା ପାଇଁ ଆଦେଶ ଦେଲେ । ବିଶୁନିଙ୍କ ପେଟରେ ଗୁଳି ବାଜିଲା । “ଜୟ ବଜ୍ର ମହାକାଳୀ ।” କହି ସେ ଟଳି ପଡ଼ିଲେ । ସେ ପଡ଼ିଗଲେ ବେବର୍ତ୍ତା  ପୋଖରୀର ପାଣି ଭିତରେ ।  ପାଣି ସବୁ ଲାଲ ହୋଇଗଲା  ବିଶୁନି ମଢୁଆଳଙ୍କ ବିପ୍ଳବୀ ରକ୍ତରେ ।

ଏହିପରି ଭାବେ ବାସୁ-ବିଶୁନି ଦେଶପାଇଁ କନିକା ପ୍ରଜାମେଳି ପାଇଁ ସହିଦ ହେଲେ ।

ତଥ୍ୟ ଆଧାର: ଡ. ଜଗନ୍ନାଥ ପଟ୍ଟନାୟକଙ୍କ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ

3 thoughts on “କନିକା ପ୍ରଜାମେଳି”

  1. ଆଜି ସମାଜରେ ଏଭଳି ମୁକ୍ତିକାମୀ ବୀର ପୁରୁଷଙ୍କ ପ୍ରାସଙ୍ଗିକତା ନିହାତି ଆବଶ୍ୟକ ।

  2. manmohan pradhan

    ଅନେକ ଅଜଣା ତଥ୍ୟ ଓ ଇତିହାସ କୁ ଉତ୍ତରପିଢୀ ଙ୍କ ନିମନ୍ତେ ଉପସ୍ଥାପନା କରିବା ଅନ୍ତରଙ୍ଗ କଳିଙ୍ଗ ର ଅଭିନବ ପ୍ରୟାସ କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ାା ବନ୍ଦେ ଉତ୍କଳଜନନୀ

Leave a Comment

Your email address will not be published. Required fields are marked *

Scroll to Top