ଲେଖା: ଆଦିତ୍ୟ କୁମାର ନାଏକ
“ଲୋକଗୀତ” ନିଜର ସଂସ୍କୃତିକୁ ବଜାୟ ରଖିବାର ଏକ ଅନନ୍ୟ ଉପାଦାନ । ଲୋକ ଗୀତର ସୃଷ୍ଟି କେବେଠୁ ହୋଇଛି ତାର ସଠିକ ସମୟ କହିବା କଷ୍ଟକର । ତଥାପି ମଣିଷର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସପାନ ର ବର୍ଣ୍ଣନା, ପ୍ରକୃତି ର ବର୍ଣ୍ଣନା, ମନୁଷ୍ୟ କରୁ ଥିବା କର୍ମ ଆଦି ର ମଧୁର ଅଭିବ୍ୟକ୍ତି ଏହି ଲୋକ ଗୀତରେ ଦେଖିବା ପାଇଁ ମିଳେ । ଅନାଦି ଚରଣ ଗାଁଣଙ୍କ ମତରେ – “ଲୋକଗୀତ ଗୁଡିକ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସାମାଜିକ ବିଧି ବ୍ୟବସ୍ଥାକୁ ସୁସ୍ଥ ସୁନ୍ଦର କରି ଗଢି ତଳେ, କର୍ମ ବିମୁଖ ମାନବକୁ କରାଏ କର୍ମ ତତ୍ପର , ନିରାଶାର ହୃଦୟ କନ୍ଦରରେ ପ୍ରସ୍ପୁଟିତ କରାଏ ଆଶାର ପଦ୍ମ, ଜୀବନରେ ଭରିଦିଏ ସ୍ନେହ, ପ୍ରୀତି ଓ ମମତାର ପୁଲକ।”
ମନୁଷ୍ୟ ଜୀବନର କେବଳ ହସ ଓ ଖୁସି ମୁହୂର୍ତ୍ତ ର ବର୍ଣ୍ଣନା ଲୋକ ଗୀତ ରେ ଦେଖିବା ପାଇଁ ମିଳେ ତାହା ନୁହେଁ, ମନୁଷ୍ୟର ଜୀବନର କଠୋର ପରିସ୍ଥିତି, ଦୁଃଖ ଯନ୍ତ୍ରଣା ସମୟର ପରିଭାଷା ମଧ୍ୟ ଲୋକ ଗୀତ ରେ ଦେଖିବା ପାଇଁ ମିଳେ । ଗୋଟିଏ ନାରୀ ବିଭା ହେଇ ନିଜର ପ୍ରିୟଜନ, ଗାଁ ମାଟିକୁ ଛାଡି ଚାଲିଯିବାର କଥା ଆମର ଲୁପ୍ତପ୍ରାୟ ସଂସ୍କୃତି ବିବାହ କାନ୍ଦଣା ଗୀତରେ ଅତି ନିଖୁଣ ଭାବରେ ଦେଖିବାକୁ ମିଳେ, ଯାହାକୁ ଆମେ କନିଆଁ କାନ୍ଦଣା ଗୀତ ବୋଲି କହି ଥାଉ ।
ବିବାହରେ ବର ଆସିବା ପୂର୍ବରୁ କିମ୍ବା ବିଦାୟ ସମୟରେ ଲୋକ ଗୀତ ମାଧ୍ୟମରେ ନିଜର ଦୁଃଖ କୁ ନିଜର ବାପା, ମା’, ଭାଇ, ଭଉଣୀ, ସାଙ୍ଗସାଥୀ ଆଦି ପ୍ରିୟଜନଙ୍କ ପାଖରେ ବାହୁନି ବାହୁନି କାନ୍ଦି ପରିପ୍ରକାଶ କରି ଥାଏ କନ୍ୟା । ପୂର୍ବରୁ ଓଡିଶାର ବିଭିନ୍ନ ଅଞ୍ଚଳରେ ଏପରି ଭିନ୍ନ ଭିନ୍ନ ଶୈଳୀର କାନ୍ଦଣା ଗୀତ ପ୍ରଚଳିତ ଥିଲା । ଆସନ୍ତୁ ଜାଣିବା ଓଡିଶାର ଉତ୍ତରାଞ୍ଚଳ ଯଥା ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲା ମାନଙ୍କରେ ପ୍ରଚଳିତ ଥିବା କିଛି କନିଆଁ କାନ୍ଦଣା ଗୀତ ସମ୍ପର୍କରେ ଯାହା କି ମୁଖ୍ୟତଃ ବାଥୁଡି ଜନଜାତିଙ୍କ ସମାଜରେ ଆଜି ବି ଦେଖିବାକୁ ମିଳେ ।
~ କାନ୍ଦଣାଗୀତ ମାଆ ପ୍ରତି ~
ବାକସ ଉପରେ କ୍ଷୀର ଗିଲାସ
ଗର୍ଭରେ ଥିଲି କି ଏ ଦଶମାସ ମୋ ମା’ ।
କ୍ଷୀର ଦାନି ଦେଲ ପାଞ୍ଚ ବରଷ
ରଖି ନ ପାରିଲ ବାର ବରଷ ମୋ ମା’ ।
ସାଇ ପାଞ୍ଚ ଘର ବୁଲି ଆସଇଁ
ଅଗୁଡ଼ ଧୁଆ କି ଘରେ ପସଇଁ ମୋ ମା’ ।
ଅଚିନ୍ତା ନାରୀ କି କି ଚିନ୍ତା ଦେଲ
ସବୁ ଦୁଃଖ ସୁଖ ବୋଝେଇ ଦେଲ ମୋ ମା’ ।
~ ବାପା ପ୍ରତି ~
ସରୁ ସରୁ ଘାସ ବାଛୁରୀ ଖିଆ
ମୁଁ ଥିଲି ତୁମର ସକାଳ ଖିଆ ମୋ ବାପା’ ।
ସକାଳ ଖିଆ ମୋ ସଞ୍ଜ ହୋଇବ
ତାର ଲୋକ ଘର ଯଦି ଶରଧା ଥିବ
ବହୁ ଖାଇଛି କି ନାଇଁ ବୋଲି ପଚାରି ଦେବ ମୋ ବାପା’ ।।
~ ଭାଇ ପ୍ରତି ~
ଗଉଣୀ ଗଉଣୀ ଧାନ ଗଉଣୀ
ମୁଇଁ ପରା ତୁମର ସାନ ଭଉଣୀ ମୋ ଭାଇ ।
ଭଉଣୀ ଭାଇ ପାସେ କରଇ ଅଳି
ଶାଶୁ ଶଶୁର ସ୍ୱାମୀ ହୀନ କଲେ ଆଣିବ ଯାଇ ମୋ ଭାଇ
ତୁମ ଘର ମୁହଁ ହେଲି ପାହାରି
ତୁମେ ହୀନ କଲେ ଦେବି ଜୀବନ ହାରି ମୋ ଭାଇ ।।
~ ଭାଉଜ ପ୍ରତି ~
ଚାଳରେ ଗେଞ୍ଜିଲି ହଳଦୀ ଗୁଣ୍ଡା
ଅଢେଇ ଦିନ ଲାଗି ମୁହଁ ଉସୁଣ୍ଡା ମୋ ଭାଉଜ ।
ମୁହଁ ଉସୁଣ୍ଡା କରିବ ନାଇଁ
ଭଗାରୀ ନଣନ୍ଦ ରହିବା ଯାଇଁ ମୋ ଭାଉଜ ।
ଗରିଆରେ ପାଣି ଢଳାଉ ଥିଲି
ତୁମ ସୁନା ଝିଅ ଖେଳାଉ ଥିଲି ମୋ ଭାଉଜ ।
ତୁମ ସୁନା ଝିଅ ଖେଳ ସରିଲା
ଭଗାରୀ ନଣନ୍ଦ ବାହାରି ଗେଲା ମୋ ଭାଉଜ ।।
~ ନାନା (ଜେଜେମା) ପ୍ରତି ~
ଗଡି ଗଡି ଗେଲା ପାଚିଲା ବେଲ
ତୁମ ସାଥେ ଆଉ ଘଡ଼ିଏ ଗେଲ୍ହ ମୋ ନାନା ।
ତୁମ ସାଥେ ଗେଲ, ଖୁସି ସରିତ ଗେଲା
ତୁମ ଗେହ୍ଲା ନାତୁଣୀ ଵାହରି ଗେଲା ମୋ ନାନା ।।
~ ଦାଦା (ଜେଜେ ବାପା) ପ୍ରତି ~
ବାଳି ପଛା ଆଳେ ଖୁଳିଲି ଅଦା
ନାତୁଣୀ ବୋଲି କରୁଥିଲ ଶରଦା ମୋ ଦାଦା ।
ଦାଦା ବୋଲି ଆଉ କିଏ ଡାକିବ
ନାତୁଣୀ ଦାଦା ବୋଲି ହାଦୁରି ହେବ ମୋ ଦାଦା ।।
~ କକା ପ୍ରତି ~
ମାଟିରେ ଗେଞ୍ଚିଲି ଗଞ୍ଜେଇ ମଞ୍ଜି
ଧନୀ ଘର ବୋଲି ଦଉଛ ଖଞ୍ଜି ମୋ କାକା ।
ଧନୀ ଯେତେ ବେଳେ ନିଧନୀ ହେବ
ସାତ ଅଇତଳେ କନ୍ଦାଇ ଦେବ ମୋ କାକା ।
ସାତ ଆଇତଳ କାନ୍ଦିବି ନାଇଁ
ଦେଖିବ ଜୀବନ ରଖିବି ନାଇଁ ମୋ କାକା ।।
~ ଖୁଡି ପ୍ରତି ~
ଶୁନୁଶୁନି ଶାଗ କାକର ବଳେ
ରଖି ଥିଲ କାନି ପଣତ ତଳେ ମୋ ଖୁଡି ।
ବଢ଼ାଇ ଥିଲ କି ରଙ୍ଗ ଡଲା ରେ
ଭଷାଇ ଦେଲ କି ପୁଷ ବେଳା ରେ ମୋ ଖୁଡି ।।
~ ଆଈ ପ୍ରତି ~
ବାଳିରେ ଲଟିଛି କାକୁଡି ଲତା
ଆଈ ଅତି କରୁଥିଲ ସ୍ନେହ ମମତା ମୋ ଆଈ ।
ତୁମ ସ୍ନେହ ମମତାକୁ ଭୁଲି ପାରିବି ନାଇଁ
ସାପ ଛାଡେ ନାଇଁ ପଥର ଘରୁ
ମନ ଛାଡେ ନାଇଁ ତୁମ ପାଖ ରୁ ମୋ ଆଈ ।।
~ ଅଜା ପ୍ରତି ~
ବାଳି ପଛ ଆଳେ ଫୁଟଇ ମଲ୍ଲୀ
ଡାକି ଦେଉ ଥିଲ ନାତୁଣୀ ବୋଲି ମୋ ଅଜା ।
ଅଜା ପାଶେ ଆଜି କରଇ ଅଳି
ତୁମ ହସ ଖୁସି ପାରୁନି ଭୁଲି ମୋ ଅଜା ।
~ ସାଙ୍ଗ ପ୍ରତି ~
ଅରୁଣ ପତର ବରଣ କଲ
ସବୁ ସାଙ୍ଗ ସାଥି ଏକାଠି ହେଲ ମୋ ସାଙ୍ଗ ।
ବାଡାମ ବୁଢାକୁ ଜୁହାରେଇଲ
ଧରମ ମୁଣ୍ଡିଆ ମାର ବୋଇଲ ମୋ ସାଙ୍ଗମାନେ ।
ଧରମ ମୁଣ୍ଡିଆ ମାଇଲା ବେଳେ
ହଳଦୀ, ସିନ୍ଦୁର, ଅଳତା ଲଗାଇ ଦେଲ
ବାହା ବେଦିରେ ବସାଇ ଦେଲ ମୋ ସାଙ୍ଗମାନେ ।
ଗଡି ଗଡି ଗଲା ପାଚିଲା ବେଲ
ତୁମ ସାଙ୍ଗେ ମୋର ଘଡ଼ିଏ ଗେଲ
ତୁମ ଗେଲ୍ହ ନାଚ ପୁରି ରହିଛି
ମୋର ଗେଲ୍ହ ନାଚ ସରି ଯାଇଛି ମୋ ସାଙ୍ଗମାନେ ।
ବାସ୍ତବରେ ପୂର୍ବ ସ୍ମୃତିକୁ ମନେ ପକେଇ ବାହୁନି ବାହୁନି କାନ୍ଦୁଥିବା କନ୍ୟାର କାନ୍ଦଣା ଗୀତର ଗୁଞ୍ଜରଣରେ ଆଖ ପାଖରେ ଏକ ଦୁଃଖର ବାତାବରଣ ସୃଷ୍ଟି ହୋଇ ଥାଏ । ଏହି କାନ୍ଦଣା ଗୀତ ଶୁଣୁଥିବା ଲୋକର ଆଖିରୁ ଆପେ ଆପେ ଲୁହ ଝରି ଯାଇ ଥାଏ । ଏପରି ଲୋକ ଗୀତ ଆଜି ବି କିଛି କିଛି ଗ୍ରାମରେ ବଞ୍ଚିରହିଛି ଏବଂ ବଞ୍ଚେଇ ରଖିଥିବା ଲୋକମାନେ ସତରେ ଅନନ୍ୟ ସମ୍ମାନର ହକଦାର ।
ବହୁତ୍ ସୁନ୍ଦର୍ ଲୋକ ସଂସ୍କୃତି । ଧନ୍ୟ ବାଦ