କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି

ଲେଖା: ଅମ୍ବିକା ପଟ୍ଟନାୟକ
ଲୋକସଭା ନିର୍ବାଚନର ଦାମାମା ବାଜୁଥବା ବେଳେ ନିର୍ଲିପ୍ତ ଭାବେ ସେଇ ପ୍ରାର୍ଥୀ ଏକ ଗଳ୍ପ ଲେଖି ଶ୍ରୀ ମନୋଜ ଦାସଙ୍କୁ କହି ପାରନ୍ତି “ଆପଣ ଥିଲେ ବୋଲି ଗପଟି ଲେଖି ପାରିଲି !” କେତେଦୂର ସାହିତ୍ୟ ମନସ୍କ ନହେଲେ ଜଣେ ଏଭଳି କରି ପାରିବେ? “ଅନ୍ଧ ଦିଗନ୍ତର ନିଧି ଦାସ ପରି ଚରିତ୍ର ମୁଁ ସୃଷ୍ଟି କରିପାରନ୍ତି ବା କୋଉଠୁ ଯଦି ରାଜନୀତିରେ ନଥାନ୍ତି “?
ନିର୍ଭୀକ ଭାବେ ସ୍ପଷ୍ଟବାଦୀ ସେ କହି ପାରନ୍ତି, “ମୋ ପକ୍ଷରେ ମଠରେ ରହିବା ଯେତିକି ଉତ୍ପୀଡ଼କ, ଗୋଠ ଗଢ଼ିବା ସେତିକି ଅରୁଚିକର l ଛେଳି ମାନେ ଗୋଠରେ ରୁହନ୍ତି !” ଶ୍ରୀଜଗନ୍ନାଥ ତାଙ୍କ ଆରାଧ୍ୟ ଓ କୂଳବୃଦ୍ଧ ମଧୁସୂଦନ ତାଙ୍କ ଆଦର୍ଶ l
ସିଏ ଓଡ଼ିଆ ସାହିତ୍ୟର ମଧ୍ୟାହ୍ନ ମାର୍ତ୍ତଣ୍ଡ, ଅପ୍ରତିଦ୍ବନ୍ଦୀ କଥାସମ୍ରାଟ, କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି, ୨୧ ୧୯୨୨ ଜୁନ ୧୯୨୨ରେ କୁଳବୃଦ୍ଧଙ୍କ ଗ୍ରାମ ସତ୍ୟଭାମାପୁର ନିକଟସ୍ଥ ପୁରୁଷୋତ୍ତମପୁର ଗ୍ରାମରେ, ଶ୍ରୀ ଲୋକନାଥ ମହାନ୍ତି ଓ ଶ୍ରୀମତୀ ସୁଶୀଳା ଦେବୀଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ଆବିର୍ଭୁତ l
ସାହିତ୍ୟ, ରାଜନୀତି ଓ ସାମ୍ବାଦିକତା ତାଙ୍କ ପାଇଁ ଥିଲା ପରିପୂରକ l ଅବଲୀଳାକ୍ରମେ ସେ ଏଇ ତିନୋଟିରେ ଅପୂର୍ଵ ସମନ୍ୱୟ କରି ପାରିଥିଲେ l ଏକାଧାରରେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ରାଜନୈତିକ କର୍ମୀ, ସାମ୍ବାଦିକ, ସମ୍ପାଦକ, ଯଶସ୍ବୀ ଔପନ୍ୟାସିକ, ପରୀକ୍ଷାଧର୍ମୀ ଗାଳ୍ପିକ, ସଫଳ ସମାଲୋଚକ, ନିଖୁଣ ଜୀବନୀକାର, ମନସ୍ବୀ ପ୍ରାବନ୍ଧିକ, ନାଟ୍ୟକାର, ଆଦ୍ୟ ଜୀବନରେ କବି ଓ ଭ୍ରମଣ କାହାଣୀକାର l
ରାଜନୀତି – ଆଦ୍ୟ କୈଶୋରରେ ଏମ ଏନ ରାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାମ୍ୟବାଦୀ ଚିନ୍ତାରେ ବିଶ୍ୱାସୀ, ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ କଲେଜରୁ ବହିଷ୍କୃତ l ପରେ ଗଣତନ୍ତ୍ର ପରିଷଦରେ ଯୋଗଦାନ l ୧୯୫୨ରେ ପ୍ରଥମ ରାଜ୍ୟସଭାର କନିଷ୍ଠତମ ସଭ୍ୟ (ଆବଶ୍ୟକ ଅର୍ଥ ସେ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପର୍ସରୁ ତାଙ୍କ ଅଜ୍ଞାତରେ ନେଇଥିଲେ, ଉପଯୁକ୍ତ ବୟସ ହୋଇ ନଥିବାରୁ, ସତ୍ୟପାଠରେ ନିଜ ବୟସ ବଢ଼େଇ ଦେଇଥିଲେ l କେତେଜଣ ନିଜର ଏ ଦୁର୍ବଳତା ନିଃସଙ୍କୋଚରେ ପ୍ରକାଶ କରି ପାରିବେ?), ୧୯୫୭ ଓ ୧୯୭୧ ଲୋକସଭା ସଭ୍ୟ, ୧୯୭୮ରୁ ୧୯୮୪ ପୁଣି ରାଜ୍ୟସଭା l ଦୀର୍ଘ ଦିନ ସଂସଦୀୟ ରାଜନୀତିରେ ଉପଲବ୍ଧି ସମାଜ ସେବା ଓ ସାହିତ୍ୟ ସେବା ବ୍ୟତୀତ ଅନ୍ୟ କିଛି ନାହିଁ l ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ପ୍ରୋତ୍ସାହିତ କରି ନାହାନ୍ତି କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି l
ସାମ୍ବାଦିକତା /ସମ୍ପାଦକ – ୧୯୪୬ ରେ “ଜନତା” ସମ୍ପାଦନା, ପତ୍ରିକା ପରିଚାଳନା ପାଇଁ ସ୍ତ୍ରୀ ରେଣୁକା ଦେବୀଙ୍କ ବେକ ମାଳି ବିକ୍ରି l ପରବର୍ତ୍ତୀ କାଳରେ “ଗଣତନ୍ତ୍ର” “କଳିଙ୍ଗ” ଏବଂ ଶେଷରେ ପ୍ରସିଦ୍ଧ ଦୈନିକ “ସମ୍ବାଦ”ର ପ୍ରଥମ ସମ୍ପାଦକ, ୧୯୮୪ରୁ 1987 l ସମ୍ପାଦନା ସମୟରେ ନୂତନ ଶବ୍ଦ ପ୍ରୟୋଗ ନେଇ ପରୀକ୍ଷା, ଯେପରି “ସ୍ଥବିରତନ୍ତ୍ର”, Gerentocracyର ଓଡ଼ିଆ ପ୍ରତିଶବ୍ଦ ଓ ସାହିତ୍ୟିକଙ୍କୁ ପ୍ରୋତ୍ସାହନ ତାଙ୍କର ଅନ୍ୟତମ କର୍ମସୂଚୀ ଥିଲା l ସ୍ୱାଧୀନ ଭାରତରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ଫଳରେ “ଭାରତରକ୍ଷା ଆଇନ” ଅନୁସାରେ ୧୯୪୮ରେ ଓ ୧୯୫୬ରେ ଓଡ଼ିଶା ସୀମାବିବାଦ ଆନ୍ଦୋଳନରେ, ଏପରି ଦୁଇଥର କାରା ବରଣ କରିଥିଲେ l
ସାହିତ୍ୟ-ଗଦ୍ୟକ୍ଷେତ୍ରରେ ଅଭିଜାତ ସମ୍ପନ୍ନ କାବ୍ୟିକ ଭାଷା ଓ ଶବ୍ଦବିନ୍ୟାସ, ସମ୍ପୂର୍ଣ୍ଣ ଜୀବନ ଧର୍ମୀ ଓ ଆବେଗାପ୍ଲୁତ ଅନୁଭୂତି ବର୍ଣ୍ଣନା କବିସମ୍ରାଟଙ୍କ ବିଦଗ୍ଧ ବୈଶିଷ୍ଟ୍ୟ l ସେଥିପାଇଁ ଗୋପୀନାଥ ମହାନ୍ତି କହିଥିଲେ “କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି ତ ସଂସ୍କୃତରେ ଲେଖନ୍ତି l ତାଙ୍କୁ କଣ ଓଡ଼ିଆମାନେ ବୁଝିବେ? “
୧୯୩୮ ମସିହା ଉତ୍କଳ ସାହିତ୍ୟ ପଞ୍ଚମ ସଂଖ୍ୟାରେ ପ୍ରକାଶିତ ପ୍ରଥମ ଗଳ୍ପ “ବନ୍ଦୀ”, ସାମ୍ୟବାଦୀ ଚିନ୍ତାଧାରା ଆଧାରିତ l (ପରେ ଏହା ଉପରେ ଏକ ଅରୁଚିକର ବିତର୍କ ସୃଷ୍ଟି ହୋଇଥିଲା)
ନାଟକ – ପୃଥ୍ଵୀବଲ୍ଲଭ(ବୁଦ୍ଧ ଦେବ), ସେନାପତି, ପ୍ରଦୀପ ବକ୍ସି ଜଗବନ୍ଧୁ, ମହାକ୍ଷୁଧା ଓ ବେତାର ନାଟକ “ବାପୁ ” 
ଭ୍ରମଣ କାହାଣୀ – ପେକିଙ୍ଗ ଡାଏରି 
ସମାଲୋଚନା – ଫକୀରମୋହନ ସମୀକ୍ଷା ବ୍ୟାସକବିଙ୍କ ଉପରେ ପ୍ରଥମ ସଫଳ ସମାଲୋଚନା; ଓଡ଼ିଆ ସାହିତ୍ୟର ଆଦିପର୍ବ, ଓଡ଼ିଆ ସାହିତ୍ୟର ମଧ୍ୟପର୍ବଉତ୍ତର ମଧ୍ୟପର୍ବ ତାଙ୍କ ଗଭୀର ଅନୁଶୀଳନିର ପ୍ରତ୍ୟକ୍ଷ ପ୍ରମାଣ l ଏ ଦୁଇ ଗ୍ରନ୍ଥରେ କେବଳ ଓଡ଼ିଆ ସାହିତ୍ୟ ନୁହେଁ, ସମସାମୟିକ ଅନ୍ୟ ଭାରତୀୟ ଭାଷା ସାହିତ୍ୟ ଓ ୟୁରୋପୀୟ ସାହିତ୍ୟର ବିଶଦ ଚର୍ଚ୍ଚା ଉଲ୍ଲେଖନୀୟ l
ଜୀବନୀ – ନିଜର ଆଦର୍ଶ ଓଡ଼ିଆ ଜାତିର ଭୀଷ୍ମ ପିତାମହ କୂଳବୃଦ୍ଧ ମଧୁସୂଦନଙ୍କ ଉପରେ ଦୁଇଟି ପ୍ରାମାଣିକ ଗ୍ରନ୍ଥ “ଶତାବ୍ଦୀର ସୂର୍ଯ୍ୟ” “କୂଳବୃଦ୍ଧ” l
ଗଳ୍ପ“ଫେରି ଯାଅ ଭିକ୍ଷୁ, ମୁଁ ଚାହେଁ ଜୀବନ, ନିର୍ବାଣ ନୁହେଁ” ସାରୀପୁତ୍ତ ଗଳ୍ପର ଏଇ ଅମର ଧାଡ଼ିରେ ଗାଳ୍ପିକ ନିଜ ମନୋଭାବ ବ୍ୟକ୍ତ କରିଛନ୍ତି l ଜୀବନକୁ ପ୍ରାଣ ଭରି ଭଲ ପାଉଥିବା କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି ସେଥିପାଇଁ “ସାରିପୁତ୍ତ”, “ନୀଳୋତ୍ପଳ”, “ମଧୁମତ୍ତାର ରାତ୍ରି” ପ୍ରଭୃତି ଗଳ୍ପ ଓ “ଆଜୀବକର ଅଟ୍ଟହାସ୍ୟ” ଉପନ୍ୟାସରେ ବୌଦ୍ଧ ଦର୍ଶନକୁ ପ୍ରତ୍ୟାଖାନ କରିଛନ୍ତି l ଅନୁଭୂତି ଓ ଜୀବନ ଧର୍ମୀ ଗଳ୍ପ ସବୁର ଶିରୋନାମା ମଧ୍ୟ “ବୈଷମ ପାଠଶାଳା”, “ବରଜୁ ଷେଣ୍ଢ ଘାଇ”, “ବାସିମଡ଼ା”, “ଜନହି ଲଟା”, “ମହାନଗରୀର ରାତ୍ରି”, “ଜିଅନ୍ତା ଭୁତ” ଇତ୍ୟାଦି l ଅନ୍ୟ ଏକ ସାର୍ଥକ ଗଳ୍ପ “ପିତା ଓ ପୁତ୍ର”.. ଅମର ସଂଳାପ “ପିତା ଆଜି ପାଇଛି ପିତୃତ୍ୱର ସନ୍ଧାନ”.. ବିମ୍ବିସାର ଓ ଅଜାତଶତ୍ରୁ l “୨୦୬୬” ପରି ଭବିଷ୍ୟଧର୍ମୀ ଗଳ୍ପ ସମ୍ଭବତଃ ଭାରତରେ ବିରଳ l
ଆତ୍ମଜୀବନୀ“ପଥ ଓ ପୃଥିବୀ” ସାଧାରଣତଃ ପର୍ବତ ଶିଖର ଆରୋହଣ ପରେ ଅଧିକାଂଶ ନିଜ ପୂର୍ବ କଥା ଲୁଚେଇ ରଖନ୍ତି l ମାତ୍ର ନିଜ ଆତ୍ମଜୀବନୀରେ ଅକୁଣ୍ଠ ଚିତ୍ତରେ ନିଜ ଦୈନ୍ୟ, ସଂଘର୍ଷ, ଦୁର୍ବଳତା, ସ୍ପଷ୍ଟବାଦିତା ସବୁ ଉନ୍ମୁକ୍ତ କରି ଦେଇଛନ୍ତି କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି l ନିଜ ଟିଉସନ, ଫେରିବାଲା ଜୀବନ, ପ୍ରେମ, ରାଜନୀତି, ସାହିତ୍ୟ ସବୁ ଖୋଲା ମେଲା l
ଉପନ୍ୟାସ – ବହୁ ଚର୍ଚ୍ଚିତ ଉପନ୍ୟାସ “ଅନ୍ଧଦିଗନ୍ତ”, ପ୍ରାକ ସ୍ୱାଧୀନତା ଓ ସ୍ଵାଧୀନୋତ୍ତର ଭାରତରେ ମୂଲ୍ୟବୋଧର ସଂଘର୍ଷ ଓ ଅବକ୍ଷୟର ପରିଚୟ ଦିଏ l
“ହଂସଗୀତି” ପଚାଶ ଦଶକର ଉଦଭ୍ରାନ୍ତ ଯୁବଗୋଷ୍ଠୀ, ହିପ୍ପୀ ଇତ୍ୟାଦିଙ୍କ ନିଶା ସେବନ ଓ ସାମାଜିକ ଅବକ୍ଷୟ ଦର୍ଶାଏ l “ଆଜୀବକର ଅଟ୍ଟହାସ୍ୟ ” ଏକ ଗଭୀର ଗବେଷଣା ପ୍ରସୂତ ବୁଦ୍ଧ ପରବର୍ତ୍ତୀ ବୌଦ୍ଧ ଧର୍ମର ଦୁଇ ଗୋଷ୍ଠୀର କଳହ ଉପରେ ପର୍ଯ୍ୟବେଶିତ l “କପପତି ଗାମାନ୍ତର କପପୋ”, “କପପତି ସିଙ୍ଗିଲୋଣ କପପୋ” ପ୍ରଭୃତି ପାଲି ଶବ୍ଦର ପ୍ରୟୋଗ ତାଙ୍କ ଅଧ୍ୟବସାୟର ସୂଚନା ଦିଏ l “ଅଚଳାୟତନ” ମୂଲ୍ୟବୋଧ ଓ ମୂଲ୍ୟ, ରକ୍ଷଣଶୀଳ ପ୍ରାଚୀନ ଓ ଉଗ୍ର ଆଧୁନିକତା ମଧ୍ୟରେ ଏକ ସଂଘର୍ଷ ଯୋଉଠି ଆର୍ଥିକ ପ୍ରଲୋଭନ ଜୟଯୁକ୍ତ ହୁଏ l
“କୃଷ୍ଣାବେଣୀରେ ସନ୍ଧ୍ୟା” ଶେଷ ପ୍ରସିଦ୍ଧ ସୂର୍ଯ୍ୟବଂଶୀ ଗଜପତି ପ୍ରତାପରୁଦ୍ରଙ୍କ ସଂଘର୍ଷ ଓ ଅନ୍ତରଦାହର କରୁଣ କାହାଣୀ l ଓଡିଶାର ସାମରିକ ଓ ରାଜନୈତିକ ଅବକ୍ଷୟ ପାଇଁ ସେ ମୋଟେ ଶ୍ରୀ ଚୈତନ୍ୟଙ୍କୁ ଦାୟୀ କରିନାହାନ୍ତି, ବରଂ ଗଜପତିଙ୍କ ବ୍ୟକ୍ତିଗତ ଦୁର୍ଘଟଣା ଦାୟୀ l ଏଇ ଉପନ୍ୟାସରେ ଗଜପତି ପ୍ରତାପରୁଦ୍ର ଓ ଶ୍ରୀ ଚୈତନ୍ୟଙ୍କ ସାକ୍ଷାତ ହିଁ ହୋଇ ନାହିଁ l
“ନୀଳଶୈଳ” ଏଇ ଗୋଟିଏ ଉପନ୍ୟାସ ପାଇଁ ଅନ୍ତତଃ ଓଡ଼ିଆ ଜାତି ଶ୍ରୀଯୁକ୍ତ ମହାନ୍ତିଙ୍କ ନିକଟରେ କୃତଜ୍ଞ ରହିବା ଉଚିତ l “ଆହା ପ୍ରଭୁ ନିଜ ଇଚ୍ଛାରେ କେତେ ଟଣା ଘୋଷଡା ସହୁଛନ୍ତି, ନ ହେଲେ ମଣିଷର ସାଧ୍ୟ ଅଛି ଭଲା ଟିପେ ଘୁଞ୍ଚାଇ ପାରନ୍ତା” ରଥଯାତ୍ରା ଅବସରରେ କୌଣସି ଏକ କ୍ରନ୍ଦସୀ ବୃଦ୍ଧା ମୁଖରୁ ଶୁଣି, ଦୈବୀ ଅନୁପ୍ରେରଣାରେ ଲିଖିତ ଏ ଜାତିର ମହାସାମନ୍ତ, ଏ ଜାତିର ଅବିରାମ ସଂଘର୍ଷ ର ଦୁଃସାହସିକ କାହାଣୀ l ଅମର କରିଦେଇଛନ୍ତି ଗଜପତି ରାମଚନ୍ଦ୍ର ଦେବ ଦ୍ଵିତୀୟ, ରିଜିୟା ବିବି, ଲଷ୍ମୀ ପରମଗୁରୁ ଏବଂ ସର ଦେଇ l ଦୁର୍ଭାଗ୍ୟ ଆମର “ଯଯାତି”, “ପ୍ରଥମ ପ୍ରତିଶୃତି” ପରି ବହି ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କିନ୍ତୁ ନୀଳଶୈଳ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ l
“ନୀଳାଦ୍ରି ବିଜେ”… ନୀଳଶୈଳରେ ପ୍ରଭୁ ତତ୍କାଳୀନ ରାଜନୈତିକ ପରିସ୍ଥିତିରେ ନୀଳକନ୍ଦର ତ୍ୟାଗ କରି ଚିଲିକା ଆଶ୍ରୟୀ, “ନୀଳାଦ୍ରି ବିଜେ” ରେ ପ୍ରଭୁଙ୍କ ପୁନଃ ସ୍ଵଧାମ ପ୍ରତ୍ୟାବର୍ତନ l
 
(ମୁଖ୍ୟ ଉତ୍ସ – ଶ୍ରୀ ଶଇଳେନ୍ଦ୍ର ଲେଙ୍କା, “କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି”)

Leave a Comment

Your email address will not be published. Required fields are marked *

Scroll to Top